ରାଜା ବିନୟ ଦେବ ପାଶ୍ୱର୍ବର୍ତି କୁମୁଦନଗର ରାଜ୍ୟ ଆକ୍ରମଣ କଲେ । ସେ ଦୁଇ ଚାରିଗୋଟି ରାଜ୍ୟ ଜୟ କରି ରାଜ-ଚକ୍ରବର୍ତ୍ତୀ ବୋଲାଇବାକୁ ଚାହୁଁଥିଲେ । କିନ୍ତୁ ଯୁଦ୍ଧରେ ସେ ପରାସ୍ତ ହେଲେ । ସେ ଫେରି ଆସି ଋଷିଙ୍କ ପାଖକୁ ଗଲେ ଓ କହିଲେ, “ଋଷିବର! ମୋର ଯଥାର୍ଥ ଉନ୍ନତି ପାଇଁ ଆଉଥରେ ଆଶୀର୍ବାଦ ଦିଅନ୍ତୁ ।” ଋଷି ଆଶୀର୍ବାଦ ଦେଲେ । ଏହାର କିଛିଦିନ ପରେ ରାଜା ବିନୟ ଦେବ ନିଜ ଭାତୃସ୍ପୃତ୍ର ଉପରେ ରାଜ୍ୟ ଭାର ଦେଇ ସନ୍ନ୍ୟାସ ହେଲେ ।
ଗପଟି କହିସାରିବା ପରେ ବେତାଳ ଟିକିଏ ଚୁପ୍ ରହି ତା’ପରେ ସେ ତା’ କଣ୍ଠସ୍ୱର ତୀବ୍ର କରି ପଚାରିଲା, “ରାଜା! ଋଷିଙ୍କ ଆଶୀର୍ବାଦରେ ସବୁଥର ବିନୟ ତା’ର ଲକ୍ଷ୍ୟ ସାଧନ କରିଥାଏ । ମାତ୍ର ଶେଷଥର ସେ ପୁଣି ପରାଜିତ କିପରି ହେଲା? ଯଦି ବା ପରାଜିତ ହେଲା, ତେବେ ସେ ପୁଣି ଥରେ କିପରି ଆଶୀର୍ବାଦ ପାଇଁ ଋଷିଙ୍କ ପାଖକୁ ଗଲା? ଋଷିଙ୍କ ଆଶୀର୍ବାଦ ଆଉ କାମ ଦେଉନାହିଁ ବୋଲି ସେ କିପରି ବୁଝିପାରିଲା ନାହିଁ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ମଧ୍ୟ ତମେ ଯଦି ନିରୁତ୍ତର ରହିବ, ତେବେ ତମ ଶିର ଅବିଳମ୍ବେ ସ୍କନ୍ଧଚ୍ୟୁତ ହେବ ।”
ମୁହୂର୍ତ୍ତେ ମଧ୍ୟ କାଳ ବିଳମ୍ବ ନକରି ରାଜା ବିକ୍ରମାର୍କ ଉତ୍ତର ଦେଲେ, “ପ୍ରକୃତ ଅଧ୍ୟାତ୍ମ ପୁରୁଷମାନଙ୍କ ଆଶୀର୍ବାଦ ସ୍ଥୁଳ ବିଜୟ ପାଇଁ ଉଦ୍ଦିଷ୍ଟ ନଥାଏ; ତାହା କେବଳ ଚେତନାର ବିକାଶ ପାଇଁ ହିଁ ଉଦ୍ଦିଷ୍ଟ । ଯେଯାଏଁ ସ୍ଥୁଳ ବିଜୟ, ସାଂସାରିକ ଉନ୍ନତି ଇତ୍ୟାଦିର ପ୍ରୟୋଜନ ଥାଏ ବୋଲି ଅଧ୍ୟାତ୍ମ ପୁରୁଷମାନେ ବୁଝନ୍ତି, ସେଯାଏଁ ସେସବୁ ହେବାକୁ ଦିଅନ୍ତି, ମାତ୍ର ତା’ପରେ ନୁହେଁ । ବିନୟ ଆଧ୍ୟାତ୍ମିକ ଦୃଷ୍ଟିରୁ ଜଣେ ଯୋଗ୍ୟ ମଣିଷ । ସେଥିପାଇଁ ସେ ସାଂସାରିକ ଉନ୍ନତିରେ କେବେ ବି ତୃପ୍ତି ପାଉ ନଥିଲେ । ରାଜା ହେବା ପରେ ସେ ରାଜଚକ୍ରବର୍ତ୍ତୀ ହେବାକୁ ମନ ବଳାଇଲେ । ସେ ଯଦି କୁମୁଦନଗର ଉପରେ ବିଜୟ ଲାଭ କରିଥାନ୍ତେ, ପୁଣି ଅନ୍ୟ ରାଜ୍ୟ ଜୟ ପାଇଁ ବି ସେ ଯାଇଥାନ୍ତେ । ଫଳରେ ସାରା ଜୀବନ ସେ ତୃପ୍ତିର ମରୀଚିକା ପଛରେ ଦୌଡିଥାନ୍ତେ । ସେଥିପାଇଁ ପ୍ରଥମ ଯୁଦ୍ଧ ଅଭିଯାନରେହିଁ ପରାଜୟ ତାଙ୍କ ଯଥାର୍ଥ ବିକାଶ ଦିଗରେ ଆବଶ୍ୟକ ଥିଲା । ଯେତେବେଳେ ଋଷି ବୁଝିଲେ ଯେ ବିନୟ ବର୍ତ୍ତମାନ ସାର ଅସାର ଭିତରେ ଭେଦ ବୁଝି ପାରିଲେଣି, ସେତେବେଳେ ସେ ତାଙ୍କୁ ଏପରି ଆଶୀର୍ବାଦ ଦେଲେ, ଯାହା ଫଳରେ କି ସେ ତାଙ୍କ ମନକୁ ପୁରାପୁରି ସାଧନା ଦିଗରେ ବଳାଇଲେ ।”
ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।