ସେ ପିଲାଟି ଯୋତାପାଇଁ ଝରକା ନିକଟକୁ ଯିବାରୁ ସୈନିକଟି ତାକୁ କହିଲା ‘ତୁ ଏତେ ବ୍ୟସ୍ତ ହୋଇ ଜୋର୍ରେ ଦୌଡିକରି ଯାଉଛୁ କାହିଁକି? ତୁ ଯେଉଁଥିପାଇଁ ଏତେ ଜୋର୍ରେ ଦୌଡି କରି ଯାଉଛୁ ମୁଁ ସେଠାରେ ନପହଁଚିବା ପର୍ଯ୍ୟନ୍ତ ଫାଶୀ ହୋଇ ପାରିବ ନାହିଁ । ତୁ ଯଦି ମୁଁ ରହୁଥିବାଘରୁ ମୋର ଝକମକି ବାକ୍ସଟି ଶୀଘ୍ର ନେଇ ଆସିବୁ ତେବେ ମୁଁ ତୋତେ ଦୁଇଟି ସ୍ୱର୍ଣ୍ଣମୁଦ୍ରା ନିଶ୍ଚୟ ଦେବି ।’
ପିଲାଟି ଦୁଇଟି ସ୍ୱର୍ଣ୍ଣ ମୁଦ୍ରା ଲୋଭରେ ଖୁବ୍ ଜୋର୍ରେ ଦୌଡି ଦୌଡି ଯାଇ ଝକମକି ବାକ୍ସ ଆଣି ସୈନିକକୁ ଦେଲା ।
ସୈନିକଟିକୁ ଫାଶୀଦେବାପାଇଁ ସହର ମଝିରେ ଏକ ବିରାଟ ଫାଶୀ ଖୁଂଟ ତିଆରି ହୋଇଥାଏ । ସେଠାରେ ରାଜା ରାଣୀ ଓ ସୈନ୍ୟସାମନ୍ତ ଏବଂ ହଜାର ହଜାର ଲୋକ ରୁଣ୍ଡ ହୋଇଥାନ୍ତି । ଗୋଟିଏ ପାଖରେ ରାଜା ରାଣୀ ଅତି ସୁନ୍ଦର ସିଂହାସନରେ ବସିଥାନ୍ତି ।
ସୈନିକଟିକୁ ନେଇ ଫାଶୀ ଖୁଂଟ ଉପରେ ଠିଆ କରାଇ ତା ବେକରେ ଫାଶୀ ଦଉଡି ଲଗାଇ ଦିଆଗଲା । ରାଜା ସେ ସୈନିକଟିକୁ ତାର ଶେଷ ଇଚ୍ଛା କଥା ପଚାରିଲେ । କାହିଁକିନା ସମସ୍ତ ଫାଶୀ ପାଉଥିବା ଲୋକଙ୍କୁ ତାଙ୍କର ଶେଷ ଇଚ୍ଛା ପଚରାଯାଏ ବୋଲି ରାଜା ସୈନିକଟିକୁ ତାହା ପଚାରିଲେ । ସୈନିକଟି ଫାଶୀଖୁଂଟରେ ଠିଆହୋଇ କହିଲା ‘ମୁଁ ପିକା ଟାଣିବାକୁ ଭଲପାଏ । ତେଣୁ ମୋତେ ଗୋଟିଏ ପିକା ଦେବାପାଇଁ ମୁଁ ଅନୁରୋଧ କରୁଛି ।’ ରାଜା ଏଥିପାଇଁ ସୈନିକକୁ ଅନୁମତି ଦେଲେ ।
ଏହାପରେସୈନିକଟି ପିକା ଲଗେଇବା ପାଇଁ ପକେଟରୁ ଝକ୍ମକି ବାକ୍ସଟି କାଢି ତିନିଥର ଘଷି ଦେବାମାତ୍ରେ ସେଇ ତିନୋଟିଯାକ କୁକୁର ସେଠାରେ ପହଁଚି ସୈନିକର ଆଦେଶକୁ ଅପେକ୍ଷାକରି ରହିଲେ । ସୈନିକଟି ସେମାନଙ୍କୁ ଆଦେଶ ଦେଇ କହିଲା ‘ମୋତେ ଏଠାରୁ ରକ୍ଷାକର ।’ ସୈନିକଠାରୁ ଏଇ ଆଦେଶ ପାଇବାମାତ୍ରେ ତିନୋଟିଯାକ କୁକୁର ସେଠାରେ ଉପସ୍ଥିତ ଥିବା ବିଚାରପତି ଓ ସୈନ୍ୟସାମନ୍ତଙ୍କୁ ଆକ୍ରମଣ କରି କ୍ଷତବିକ୍ଷତ କରି ପକାଇଲେ । ସବୁଠାରୁ ବଡ କୁକୁରଟି ରାଜା ଓ ରାଣୀଙ୍କୁ ଦାନ୍ତରେ ଧରି ଶୂନ୍ୟକୁ ଫିଙ୍ଗି ଦେଲା । ସେଠାରେ ଉପସ୍ଥିତ ଲୋକମାନେ ସୈନିକକୁ ହାତଯୋଡି କୁକୁରମାନଙ୍କୁ ଶାନ୍ତ କରାଇବାକୁ ନିବେଦନ କଲେ ।
ପରିଶେଷରେ ସମସ୍ତେ ଏକା ସ୍ୱରରେ କହି ଉଠିଲେ ‘ଆପଣ ଆମର ରାଜା ହୁଅନ୍ତୁ ଏବଂ ଆମ ରାଜକୁମାରୀଙ୍କୁ ବିବାହ କରି ସୁଖରେ ରହନ୍ତୁ ।’ ଏହାପରେ ସେମାନେ ସୈନିକକୁ ରାଜାଙ୍କ ପାଲିଙ୍କିରେ ବସାଇ ରାଜନଅରକୁ ନେଇଗଲେ ଏବଂ ରାଜକୁମାରୀ ଆସି ତାକୁ ବରଣମାଳା ଦେଇ ବିବାହ କଲା । ଏହି ବିବାହ ଭୋଜିରେ ସେଇ ତିନୋଟି କୁକୁର ରାଜ ନଅରର ସିଂହଦ୍ୱାରରେ ରହି ଅତିଥିମାନଙ୍କୁ ଅଭ୍ୟର୍ଥନା କଲେ ।