“ଗଂଗ ବଂଶର ରାଜା ପୁରୁଷ ପୁରୁଷ ଧରି ଜଗନ୍ନାଥଙ୍କର ପୂଜା କରିଆସୁଛନ୍ତି । ପୁରୀ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ମନ୍ଦିରକୁ ମଧ୍ୟ ଗଂଗ ବଂଶର ରାଜାମାନେ ହିଁ ନିର୍ମାଣ କରିଥିଲେ । ନିଜ ହାତରେ ଭଗବାନଙ୍କ ସେବା କରିବା ସେହି ବଂଶର ଆଚାର ।
ଏହି ପ୍ରକାରର ବଂଶ ପରମ୍ପରା ଅନୁଯାୟୀ ପୁରୁଷୋତ୍ତମ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଉତ୍ସବ ସମୟରେ ସୁନାର ଝାଡୁରେ ଝାଡୁ କରି ଭଗବାନଙ୍କର ସେବା କରିଥାନ୍ତି ।
କାଞ୍ଚି ରାଜାଙ୍କୁ ଏ କଥା ଶୁଣି ସଂକୋଚ ଅନୁବୋଧ ହେଲା ଏବଂ ଏହି କାର୍ଯ୍ୟ ଖୁବ୍ ଛୋଟ କାର୍ଯ୍ୟ ବୋଲି ତାଙ୍କର ମନେ ହେଲା । ଜଣେ ଝାଡୁ କରୁଥିବା ଯୁବକ ସହିତ ସେ କିପରି ତାଙ୍କର ଝିଅର ବିବାହ କରିବେ । ଏହା ତାଙ୍କୁ ଅପମାନଜନକ ବୋଧ ହେଲା । ତେଣୁ ନିଶ୍ଚିତ କରି ନେଲେ ଯେ, ସେ ଏହି ପାତ୍ରକୁ ନିଜର କନ୍ୟା ଦାନ କରିବେ ନାହିଁ । ଏହି ଖବର ପୁରୁଷୋତ୍ତମଙ୍କ ପାଖରେ ପହଁଚିଗଲା ।
କାଞ୍ଚି ରାଜା ଖବର ପଠାଇ ଦେଲେ । ଏହି ଖବର ପାଇଁ ପୁରୁଷୋତ୍ତମ କ୍ରୋଧରେ ଥରିଉଠିଲେ । ସେ ଚିନ୍ତା କଲେ – “ଏପରି ଭାବରେ ସେ ମୋର ଅପମାନ କରି ପ୍ରଭୁ ଜଗନ୍ନାଥଙ୍କର ଅପମାନ କଲେ!” କାଞ୍ଚି ରାଜାଙ୍କଠାରୁ ଏହାର ପ୍ରତିଶୋଧ ନେବା ପାଇଁ ସେ ଦୃଢ ସଂକଳ୍ପ କଲେ ।
ପୁରୁଷୋତ୍ତମ ଏହିପରି ସଂକଳ୍ପ କରି କିଛି ଦିନ ପରେ ଗଂଗ ବଂଶର ସେନାକୁ ଧରି କାଞ୍ଚି ରାଜ୍ୟକୁ ଘେରିଗଲେ । କିନ୍ତୁ କାଞ୍ଚି ରାଜ୍ୟ ତ ଆଉ ଛୋଟିଆ ରାଜ୍ୟ ନଥିଲା । ସେହି ଯୁଦ୍ଧରେ ଗଂଗ ସେନା ଖୁବ୍ ସହଜରେ ପରାସ୍ତ ହେଲା ।
ପରାଜିତ ହେବା ପରେ ମଧ୍ୟ ପୁରୁଷୋତ୍ତମ ହତୋତ୍ସାହିତ ହେଲେ ନାହିଁ । ବରଂ ଦୁଇ ଗୁଣ ଉତ୍ସାହର ସହିତ ସେ ଯୁଦ୍ଧର ପ୍ରସ୍ତୁତି କଲେ । ଏହି ଯୁଦ୍ଧରେ କାଞ୍ଚି ରାଜା ପରାସ୍ତ ହେଲେ ।
କାଞ୍ଚି ରାଜା ହାରିଯିବା ପରେ ପ୍ରତିଶୋଧ ଭାବନାରେ ପ୍ରରୋଚିତ ହୋଇ ରାଜା ପୁରୁଷୋତ୍ତମ ରାଜକୁମାରୀଙ୍କୁ ବନ୍ଦୀ କରିବାକୁ ନିର୍ଦ୍ଧେଶ ଦେଲେ ।
‘ଏବେ ପୁରୁଷୋତ୍ତମ ନିଶ୍ଚୟ ରାଜକୁମାରୀଙ୍କୁ ବିବାହ କରିବେ । ବର୍ତ୍ତମାନ ଆଉ କୌଣସି ପ୍ରତିବନ୍ଧକ ନାହିଁ ।’ ଲୋକେ ଏହିପରି ବିଚାର କଲେ । କିନ୍ତୁ ସେତେବେଳକୁ ପୁରୁଷୋତ୍ତମଙ୍କ ଅନ୍ତରରେ ଘୃଣାର ଅଗ୍ନି ଜଳୁଥିଲା; ସେହି କନ୍ୟାକୁ ବିବାହ କରିବାର କଥା ସେ ଚିନ୍ତା ବି କରିପାରୁ ନଥିଲେ । ତେଣୁ ସେ ପଦ୍ମାବତୀଙ୍କୁ ଆଖି ଉଠାଇ ମଧ୍ୟ ଚାହିଁଲେ ନାହିଁ । ମନ୍ତ୍ରୀଙ୍କୁ ଡାକି ନିର୍ଦ୍ଧେଶ ଦେଲେ ଯେ, ‘କୌଣସି ଝାଡୁଦାରଙ୍କୁ ଡାକି ତା’ସହିତ ଏହି ଝିଅର ବିବାହ କରିଦିଅନ୍ତୁ ।’ କ୍ରୋଧବଶତଃ ରାଜା ଦେଇଥିବା ଆଦେଶ ପାଳନ କରାଯିବ ନା ନାହିଁ । ଏହି କଥାକୁ ନେଇ ମନ୍ତ୍ରୀଙ୍କ ନିକଟରେ ସମସ୍ୟା ସୃଷ୍ଟି ହେଲା । ସେ ଚିନ୍ତା କଲେ – ‘ଏ ବିଷୟରେ ଶୀଘ୍ର ଶୀଘ୍ର କିଛି କରିବା ଅନୁଚିତ୍ । ସଠିକ୍ ଭାବରେ ବିଚାର କରିବା ଶ୍ରେଷ୍ଠ ହେବ!’ ଏହିପରି ଚିନ୍ତା କରି ସେ କହିଲେ, ‘ବହୁତ ଭଲ କଥା ।’ ଏହା କହି ସେ ରାଜାଙ୍କଠାରୁ ବିଦାୟ ନେଲେ । ସେହି ମୁହୂର୍ତ୍ତରେ ସେ ଚିନ୍ତାରେ ପଡିଗଲେ । ଏହି କନ୍ୟାର ବିବାହ କାହା ସହିତ କରାଯିବ? ସେ ରାଜକୁମାରୀଙ୍କ ରହିବା ଯୋଗ୍ୟ ଏକାନ୍ତ ସ୍ଥାନରେ ଗୁପ୍ତ ରୂପରେ ସବୁପ୍ରକାରର ବ୍ୟବସ୍ଥା କରିଦେଲେ ।
ଆଜ୍ଞା ଦେବା ପରେ ପୁରୁଷୋତ୍ତମ ରାଜକୁମାରୀଙ୍କ ବିଷୟରେ ଭୁଲିଗଲେ । କାଞ୍ଚି ରାଜାଙ୍କର କ୍ରୋଧ ମଧ୍ୟ ଧୀରେ ଧୀରେ କମିଗଲା । ମିଥ୍ୟା ଅଭିମାନ କାରଣରୁ ସେତେବେଳେ ସେ ପୁରୁଷୋତ୍ତମଙ୍କର ଅପମାନ କରିଦେଲେ, ସେଥିପାଇଁ ସେ ବହୁତ ଅନୁତପ୍ତ ହେଲେ ।
କିଛି ଦିନ ପରେ ବିଧି ଅନୁଯାୟୀ ଜଗନ୍ନାଥ ପୁରୀରେ ଉତ୍ସବ ଆରମ୍ଭ ହେଲା । ଅଭ୍ୟାସ ଅନୁସାରେ ପୁରୁଷୋତ୍ତମ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କର ସେବାରେ ମଗ୍ନ ହୋଇଗଲେ । ପୂଜାରୀ ମଧ୍ୟ ରାଜାଙ୍କ ହାତରେ ସୁନା ଖଡିକା ମୁଠା ଦେଲେ । ଅତ୍ୟନ୍ତ ଭକ୍ତି ଭାବରେ ସେ ଜଗନ୍ନାଥଙ୍କ ଚରଣରେ ଝାଡୁ ଲଗାଇ ସେବା କଲେ ।
ଏହି ସମୟରେ ମନ୍ତ୍ରୀ ମହାଶୟ ହାତଯୋଡି ରାଜାଙ୍କ ସମ୍ମୁଖରେ ଛିଡା ହୋଇଗଲେ । ଏତିକି ବେଳେ ତାଙ୍କ ପଛରେ ଷୋହଳ ଶୃଂଗାରରେ ସୁଶୋଭିତ ଅଲୌକିକ ସୁନ୍ଦରୀ ହାତରେ ବରଣମାଳା ଧରି ଆସି ଠିଆ ହେଲେ । ମନ୍ତ୍ରୀ ମହାଶୟ କହିଲେ ‘ମହାରାଜ, କ୍ଷମାଦାନ ଦିଅନ୍ତୁ! ବର୍ତ୍ତମାନ ମୋତେ ପ୍ରଭୁଙ୍କର ଆଜ୍ଞା ପୂରଣ କରିବାର ସମୟ ମିଳିଲା । ଏହି ରାଜକୁମାରୀଙ୍କର ପ୍ରତିଜ୍ଞା ଯେ – ‘ଶ୍ରୀ ଜଗନ୍ନାଥଙ୍କ ଚରଣରୁ ଧୂଳି ଝାଡି ଝାଡୁ କରୁଥିବା ବ୍ୟକ୍ତି ସହିତ ବିବାହ କରିବି ।’ ସାରା ଦୁନିଆ ଖୋଜିଲି କିନ୍ତୁ ତାଙ୍କ ଯୋଗ୍ୟ ବର ମିଳିଲା ନାହିଁ । ତେଣୁ ଆଜି ଆପଣଙ୍କ ହାତରେ ଏହି କନ୍ୟାକୁ ସମର୍ପଣ କରୁଛି ।’ ଏହା କହି ମନ୍ତ୍ରୀ ପଛକୁ ହଟିଗଲେ । କାଞ୍ଚି କୁମାରୀ ଅତ୍ୟନ୍ତ ଭକ୍ତିଭାବନା ସହିତ ପୁରୁଷୋତ୍ତମଙ୍କ ଗଳାରେ ବରମାଳା ପକାଇ ଦେଲେ । ସେହିକ୍ଷଣି ହଠାତ୍ ମନ୍ଦିର ଉପରୁ ପୁଷ୍ପ ବର୍ଷା ଆରମ୍ଭ ହୋଇଗଲା ।
ଏହା ଈଶ୍ୱରଙ୍କର ମହିମା – ଏହା ଚିନ୍ତା କରି ପୁରୁଷୋତ୍ତମ ବିବାହ କରିବା ପାଇଁ ପ୍ରସ୍ତୁତ ହୋଇଗଲେ । କାଞ୍ଚି ରାଜା ମଧ୍ୟ ସେହି ସମୟରେ ମୁକ୍ତ ହୋଇ ସେଠାରେ ପହଁଚିଯାଇଥିଲେ । ପୁରୁଷୋତ୍ତମଙ୍କ ସହିତ କାଞ୍ଚି ରାଜଜେମାଙ୍କର ବିବାହ ଅତ୍ୟନ୍ତ ଆଡମ୍ବର ସହକାରେ ହେଲା । ଏହି ବିବାହରେ ରାଜା ଓ ପ୍ରଜା ଉଭୟେ ଆନନ୍ଦିତ ହେଲେ ଏବଂ ସମସ୍ତେ ମନ୍ତ୍ରୀଙ୍କ ଉପସ୍ଥିତ ବୁଦ୍ଧିର ପ୍ରଶଂସା କଲେ ।