ଜଗତ ଦାସ ଜଣେ ସାଧାରଣ ଗୃହସ୍ଥ । ତେବେ ତା’ର ଯେତିକି ଜମି ଆବଶ୍ୟକ, ତାହାଠୁ କିଛି ଅଧିକ ଥିଲା । ନିଜର ଗୋଟିଏ ବୋଲି ଝିଅର ବାହାଘର ଟିକିଏ ଧୁମ ଧାମ ରେ କରିବାକୁ ମନସ୍ଥ କରି ସେ ଦୁଇ ଏକର ଜମି ଜମିଦାରଙ୍କୁ ବିକିଦେଲା । ଦୁଇ ହଜାର ଟଙ୍କା ପାଇଲା । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ପଚାଶଟି ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଦୁଇ ହଜାର ଟଙ୍କା ଥିଲା ।
ଜଗତ ଦାସ ସ୍ୱର୍ଣ୍ଣମୁଦ୍ରା ଥଳିଟି ନେଇ ଆସି ନିଜ ଭିତର ଘର ସିନ୍ଧୁକ ଭିତରେ ରଖିଲା ବେଳେ ତାଙ୍କର ଜଣେ ଦୂର ସମ୍ପର୍କୀୟ ବନ୍ଧୁ ସୁମନ ମହାନ୍ତି ଆସି ପହଁଚିଥାନ୍ତି । ସେ ଝରକା ଦେଇ ଜଗତ ଦାସ ଟଙ୍କା ଥଳି ରଖିବାର ଦେଖି ପକାଇଲେ । ଜଗତ ଦାସ ଘରୁ କୌଣସି କାମରେ ପଡୋଶୀ ଘରକୁ ବାହାରି ଯିବା ମାତ୍ରେ ସୁମନ ମହାନ୍ତି ଘରେ ପଶି ସିନ୍ଦୁକର ଟଙ୍କା ଥଳିଟି ବାହାର କରିନେଇ ଚାଲିଗଲେ । ଜଗତ ଦାସଙ୍କ ସ୍ତ୍ରୀ ପଛପଟେ କାମରେ ବ୍ୟସ୍ତ ଥିଲେ । ସେ ଏହା ଜାଣିପାରିଲେ ନାହିଁ ।
ସୁମନ୍ତ ମହାନ୍ତି ଘରକୁ ଯାଇ ଦେଖିଲେ ତାଙ୍କ ପୁଅ ମଙ୍ଗୁଳି ଘରେ ପଶୁଛି । ମଙ୍ଗୁଳି ବଡ ଅବାଧ୍ୟ ଓ ମନ୍ଦ ପ୍ରକୃତିର ଟୋକା । ଜୁଆ ଖେଳି ଅନେକ ପଇସା ସେ ନଷ୍ଟ କରିଥାଏ । ମଙ୍ଗୁଳିର ଅମଙ୍ଗଳିଆ ଦୃଷ୍ଟିରୁ ଟଙ୍କା ଥଳିଟି ଲୁଚାଇବା ନିମନ୍ତେ ସୁମନ ମହାନ୍ତି ଥଳିଟି ନିଜ ପଛପଟକୁ ଚଟାପଟ ନେଇଗଲେ । ତାହାହିଁ ମଙ୍ଗୁଳିର ଦୃଷ୍ଟି ଆକର୍ଷଣ କଲା । ସେ ଅବଶ୍ୟ କିଛି ନ ଦେଖିଲା ପରି ଅଭିନୟ କଲା, କିନ୍ତୁ ବାପା କେଉଁଠି ଥଳି ରଖିଲେ, ତାହା ଲକ୍ଷ୍ୟ କରି ସେ ଦେଖିଲା । ସୁମନ ମହାନ୍ତି ଘରୁ ବାହାରି ଯିବା ମାତ୍ରେ ସେ ଥଳିଟି ଉଠାଇ ନେଇ ନିଜ ଅଂଟାରେ ଝୁଲାଇ ବାହାରିଗଲା ।
ତେବେ ସେତେବେଳେ ତାକୁ ଭାଙ୍ଗ ନିଶା ଧରିଥାଏ । ବାଟରେ ତା’ର ମନେ ହେଲା ତାକୁ ଯେମିତି ଗୋଟାଏ ମାଙ୍କଡ ଗୋଡାଉଛି । ସେ ଦଉଡିଲା । ଅଂଟାରୁ ଥଳିଟି ପଡିଗଲା । କିନ୍ତୁ ସେକଥା ଆଉ ତା’ର ମନେ ନଥିଲା ।
ସେ ବାଟରେ ଗାଁର ଦୋକାନଦାର ବଜାରରୁ ମାଲ ଧରି ଫେରୁଥିଲା । ଥଳିଟି ତା’ ଆଖିରେ ପଡିଲା । ସେ ଗାଡି ଅଟକାଇ ତାକୁ ଉଠାଇ ନେଇ ମାଲ୍ ବସ୍ତା ଭିତରେ ପଛରେ ଗୁଞ୍ଜିଦେଲା । ଆଗକୁ ନେଇଗଲେ କାଳେ ଗାଡିବାଲା ଦେଖିବ!
ସେ ଦୋକାନ ଆଗରେ ପହଁଚିବା ମାତ୍ରେ ତା’ ଚାକର ମାଲ୍ ବସ୍ତା ଓହ୍ଲାଇବା ଆରମ୍ଭ କରିଦେଲା । ଥଳିଟି ହାତରେ ଉଠାଇ ସେଥିରେ ଟଙ୍କାଥିବା କଥା ସେ ବୁଝିନେଲା ଓ ତାକୁ ରାସ୍ତା କଡର ବୁଦା ମୂଳେ ଥୋଇ ଦେଇ ନିଜ କାମରେ ସେ ଲାଗିଲା । ଦୋକାନ୍ଦାର ଯେତେବେଳେ ଥଳି ଖୋଜିଲା, ଚାକର କହିଦେଲା କି ସେ ମୋଟେ ସେପରି ଜିନିଷ ଦେଖିନାହିଁ! ଦୋକାନ୍ଦାର ଧରିନେଲା, ଥଳିଟି ବାଟରେ ଖସି ପଡିଛି । ସେ ବଡ ଦୁଃଖିତ ହେଲା ।
ଚାକର ରାତିରେ ବୁଦାମୂଳରୁ ଥଳିଟି ବାହାର କରିନେଇ ଘରକୁ ଗଲା । ତା’ ସ୍ତ୍ରୀ ଛାନିଆ ହୋଇ କହିଲା, “ଆମେ ଏତେ ଟଙ୍କା ଘରେ ରଖିବା ନିରାପଦ ନୁହେଁ । ଚୋରି ହୋଇ ଯାଇ ପାରେ; ନହେଲେ ଚୋରି ଜିନିଷ ଖୋଜିବାକୁ ଆସି ସିପାହୀମାନେ ଆମକୁ ଧରି ପାରନ୍ତି ।” ଦୁହେଁ ପରାମର୍ଶ କରି ଥଳିଟିକୁ ନେଇ ବାଡିରେ ପୋତିଲେ ।
ସେ ଦୃଶ୍ୟ ସେମାନଙ୍କର ଲୋଭୀ ପଡୋଶୀ ରଘୁ ଦେଖିଲା । ଥଳି ଭିତରେ ଯେ କିଛି ମୂଲ୍ୟବାନ ବସ୍ତୁ ଅଛି, ଏଥିରେ ତା’ର ସନ୍ଦେହ ନଥିଲା । ସେ ଆସି ମଝି ରାତିରେ ତାକୁ ଖୋଳି ବାହାର କରିନେଲା ।