ସେତେବେଳେ ଗୋଟିଏ ଚୋର ରଘୁ ଘର ଉପରେ ନଜର ରଖିଥାଏ । ରଘୁ ଯେପରି ଭାବରେ ପାଖ ଘର ବାଡିରୁ ଥଳିଟିଏ ଧରି ବାଡି ଡେଇଁ ନିଜ ଘରେ ପଶିଲା, ସେଥିରୁ ଚୋର ବୁଝିନେଲା ଯେ ରଘୁ ବି ଚୋରି କରିଛି ।
ଚୋର ଆସି ହଠାତ୍ ରଘୁ ସାମନାରେ ଠିଆ ହୋଇ ପଡିଲା । ରଘୁ ନିଜେ ଚୋରିମାଲ୍ ଧରିଥିବାରୁ ସେ ଆଉ ଚିତ୍କାର କରି ପାରିଲା ନାହିଁ । ଚୋର ଥଳିଟି ଛଡାଇ ନେଇ ପଳାଇଗଲା ।
ଚୋର ଖୁସିରେ ତରତର ହୋଇ ଯିବା ବେଳକୁ ଗୋଟାଏ କୁକୁର ଭୁକିଲା । ସଙ୍ଗେ ସଙ୍ଗେ ଆହୁରି ଯୋଡିଏ କୁକୁର ସେ କୁକୁର ସହ ଯୋଗ ଦେଲେ । କୁକୁରମାନଙ୍କ ଭୁକା ଶୁଣି କେତେଜଣ ଗ୍ରାମବାସୀ ବାହାରି ଆସିଲେ ଓ ଦୂରରୁ ଚୋରକୁ ଦେଖି ତା’ ପଛରେ ଦୌଡିଲେ । ଯେତେବେଳେ ସେମାନେ ପାଖକୁ ଆସିଗଲେ, ଚୋର ଥଳିଟି ଫୋପାଡି ଦେଇ ବାଟ ଭାଙ୍ଗି ପଳାଇଗଲା । ଲୋକେ ଆଉ ତାକୁ ଦେଖି ନପାରି ଫେରିଗଲେ ।
ବିଭୁ ମିଶ୍ରେ ଖୁବ୍ ସକାଳେ ନଈରେ ଗାଧୋଇ ଘରକୁ ଫେରୁଥିଲେ । ଥଳିଟି ତାଙ୍କ ଆଖିରେ ପଡିଲା । ସେ ତାକୁ ଉଠାଇ ନେଇ ଘରେ ପହଁଚି ଦେଖିଲେ କେତେଜଣ ଲୋକ ତାଙ୍କୁ ଅପେକ୍ଷା କରି ବସିଛନ୍ତି । ସେମାନଙ୍କ ଆଖି ଯେପରି ଥଳି ଉପରେ ନ ପଡିବ, ସେଥିପାଇଁ ସେ ଥଳିଟି ନିଜ ଓଦା ଗାମୁଛାରେ ଗୁଡାଇ ଘର ଭିତରେ ଠାଏଁ ପକାଇ ଦେଲେ ।
ପୂଜା ସାରି ବିଭୁ ମିଶ୍ରେ ଅପେକ୍ଷା କରିଥିବା ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ବସିଗଲେ । ସେତିକିବେଳେ ତାଙ୍କ ସ୍ତ୍ରୀ ନଦୀକୁ ଗାଧୋଇବାକୁ ବାହାରିଲେ । କିଛି ଲୁଗାପଟା ସେ ସଫା କରିବା ନିମନ୍ତେ ସାଥିରେ ନେଉଥାନ୍ତି । ସ୍ୱାମୀଙ୍କ ଓଦା ଗାମୁଛାଟି ବି ତଳୁ ଉଠାଇ ବାଲ୍ଟିରେ ରଖିଲେ । ଗାମୁଛାଟି କାହିଁକି ଓଜନିଆ ଲାଗିଲା, ତାହା ସଙ୍ଗେ ସଙ୍ଗେ ସେ ଦେଖି ପାରିଲେ ନାହିଁ । କାରଣ ଅପରିଚିତ ଲୋକେ ପିଣ୍ଡାରେ ବସିଥିଲେ । ପରେ ସେକଥା ସେ ଭୁଲିଗଲେ ।
ସେ ନଈକୁ ଯିବା ବେଳକୁ ଜଗତଦାସଙ୍କ ସ୍ତ୍ରୀ ବି ଆସିଥାନ୍ତି । ଦୁହେଁ ବହୁତ ବନ୍ଧୁ । ଗପସପ ହେଉଥାନ୍ତି ଓ ଲୁଗା କାଚୁଥାନ୍ତି । ବାଲ୍ଟିରୁ ଯେତେବେଳେ ବିଭୁ ମିଶ୍ରଙ୍କ ସ୍ତ୍ରୀ ଗାମୁଛାଟି ବାହାର କରିନେଲେ, ଥଳିଟି ବାଲ୍ଟି ଭିତରେ ରହିଗଲା ।
ବିଭୁ ମିଶ୍ରଙ୍କ ସ୍ତ୍ରୀ ଓ ଜଗତଦାସଙ୍କ ସ୍ତ୍ରୀ ତିନିଦିନ ତଳେ ଏକାଠି ହାଟରୁ ଏକା ପ୍ରକାର ଦୁଇଟି ବାଲ୍ଟି କିଣିଥିଲେ । ଲୁଗାତକ କାଚି ପୁରାଇବା ବେଳେ ଜଗତ ଦାସଙ୍କ ସ୍ତ୍ରୀ ବିଭୁ ମିଶ୍ରଙ୍କ ସ୍ତ୍ରୀଙ୍କ ବାଲ୍ଟିରେ ଓ ବିଭୁ ମିଶ୍ରଙ୍କ ସ୍ତ୍ରୀ ତାଙ୍କ ବାନ୍ଧବୀଙ୍କ ବାଲ୍ଟିରେ ପୁରାଉଥିଲେ । ତା’ପରେ ସେ ଦୁହେଁ ନିଜ ନିଜ ଘରକୁ ଗଲେ ।
ଜଗତ ଦାସଙ୍କ ସ୍ତ୍ରୀ ଘରେ ପହଁଚି ଲୁଗାପଟା ଶୁଖାଇଲେ । ଶେଷରେ ଟଙ୍କା ଥଳି ବାହାରିଲା । ସେ ଆଶ୍ଚର୍ଯ୍ୟ ହୋଇ ଥଳି କିପରି ସେଠାକ ଆସିଲା ବୋଲି ଭାବୁଛନ୍ତି, ଜଗତ୍ ଦାସ ପଚାରିଲେ, “ଆରେ, ଥଳି ସିନ୍ଦୁକରୁ ତମ ହାତକୁ କିପରି ଗଲା?” ମୁଁ ତ ସେଇଆ ଭାବୁଛି । ସ୍ତ୍ରୀ ପଚାରିଲେ “ତମେ ସିନ୍ଦୁକରେ ରଖିଛ ଭାବି ବାଲ୍ଟିରେ ରଖିଥିଲ କି?”
ଜଗତ୍ ଦାସ୍ ପ୍ରତିବାଦ କରି କହିଲେ “ହେତ୍! ସେପରି କରିବା କ’ଣ ସମ୍ଭବ?”
ତାଙ୍କ ସ୍ତ୍ରୀ ମନ୍ତବ୍ୟ ଦେଲେ “ତମ ପରି ଅନ୍ୟମନସ୍କ ଲୋକ ପାଇଁ ସବୁ ସମ୍ଭବ!”
ଥଳିଟି ଯାହା ମଝିରେ ଗୁଡିଏ ଲୋକଙ୍କ ସାମୟିକ ଖୁସି ଓ ସବୁଦିନିଆ ଦୁଃଖର କାରଣ ହେଲା!