କେଇଦିନ ପରେ ଟମ୍ ମା’ ମଇଦା ଗୋଳେଇ ପିଠା ତିଆରି କରୁଥିଲେ । ଟମ୍ ଅତି କୌତୁହଳର ସହିତ କ’ଣ ହେଉଛି ବୋଲି ଦେଖିବାକୁ ପିଠଉ ଗୋଳା ହେଉଥିବା କଡେଇ ଧାରରେ ଚଢି ଯାଇ କଡେଇକୁ ଚାହିଁବାରୁ ତା ପାଦ ଖସିଗଲା ଓ ସେ ପିଠଉ ମଧ୍ୟକୁ ଖସି ପଡିଲା । ମା’ ଟମ୍କୁ ପିଠଉ ସହିତ ଗୋଳେଇ ଦେଇ ପିଠା ସିଝାଇବାକୁ କଡେଇରେ ରଖିଦେଲେ । ପିଠଉସବୁ ଟମ୍ ପାଟିରେ ପଣିଯାଇଥିବାରୁ ସେ ଆଉ ମୋଟେ କାନ୍ଦି ପାରୁ ନଥିଲା । ମାତ୍ର କଡେଇ ଗରମ ହେବାରୁ ଟମ୍ କଡେଇ ମଧ୍ୟରେ ହାତଗୋଡ ଛାଟିବାକୁ ଲାଗିଲା । ଏଣେ କିନ୍ତୁ ତା ମା’ ଭାବିଲେ ଯେ, ତାଙ୍କ ପିଠାକୁ କିଏ ଗୁଣି କରି ଦେଇଛି ତେଣୁ ସେ ପିଠଉତକ କଡେଇରୁ ବାହାର କରି ଦେଇ ବାହାରକୁ ଫିଙ୍ଗିଦେଲେ । ଠିକ୍ ସେତିକିବେଳେ ସେଇବାଟେ ଜଣେ ଗରିବ ବାଟୋଇ ଲୋକ ଯାଉଥିଲା ଏବଂ ପିଠାଭଳି ଦେଖା ଯାଉଥିବା ଟମ୍କୁ ତା ପୁଟୁଳାରେ ବାନ୍ଧି କାନ୍ଧରେ ପକାଇ ଚାଲିବାକୁ ଲାଗିଲା ।
ଟମଥମ୍ବ ପାଟିରୁ ଯେମିତି ପିଠଉତକ ବାହାରି ଗଲା ସେ ଜୋରରେ କାନ୍ଦି ଉଠିଲା ଓ ବାଟୋଇଟି ଟମ୍ର କାନ୍ଦ ଶୁଣି ଭୟରେ ପିଠଉମିଶା ଟମ୍କୁ ଫୋପାଡି ଦେଇ ଦୌଡି ପଳେଇଗଲା । ପିଠଉତକ ତଳେ ପଡି ଛିନ୍ଛତ୍ର ହୋଇଯିବାପରେ ଟମ୍ ପିଠଉ ଭିତରୁ ଗୁରୁଣ୍ଡି ଗୁରୁଣ୍ଡି ବାହାରି ସେଇ ପିଠଉବୋଳା ଦେହରେ ତା’ ଘରକୁ ଗଲା । ଘରେ ତା ମା’ ପୁଅର ଏପରି ଅବସ୍ଥା ଦେଖି ତାକୁ ଗୋଟିଏ ଚା ଖିଆ କପ୍ରେ ରଖି ପାଣିରେ ତା ଦେହକୁ ଧୋଇଦେଲେ ଓ ପରେ ତାକୁ ଗେଲକରି ନେଇ ଶେଯରେ ଶୁଆଇ ଦେଲେ ।
ଏଇ ଘଟଣାର କିଛି ଦିନ ପରେ ପଡିଆରେ ବନ୍ଧାହୋଇଥିବା ଗାଈ ଦୁହିଁବାକୁ ଟମ୍ର ମା ଗଲେ ଓ ସଙ୍ଗରେ ମଧ୍ୟ ଟମ୍କୁ ନେଇଗଲେ । ସେତେବେଳେ ପବନ ଖୁବ୍ ଜୋର୍ରେ ବହୁଥିବାରୁ ଟମ୍ କାଳେ ପବନରେ ଉଡିଯିବ ସେଥିପାଇଁ ତା ମା ତାକୁ ଗୋଟିଏ ସୂତାରେ ଗୋଟିଏ ବଡ ଘାସଗଛରେ ବାନ୍ଧି ଦେଲେ । ଗାଈଟି ଟମ୍ର ଓକ୍ପତ୍ର ଟୋପି ଦେଖି ଟମ୍ ସହିତ ଘାସଗଛକୁ ପାଟିରେ ପୂରାଇ ଦେଲା । ଯେତେବେଳେ ଗାଈଟି ଘାସଗଛକୁ ଚେବାଇବାକୁ ଆରମ୍ଭ କଲା ଟମ୍ ଗାଈଟିର ବଡବଡ ଦାନ୍ତ ଦେଖି ବିକଳରେ ଖୁବ୍ ଜୋର୍ରେ ମା’ ମା’ ବୋଲି ଚିତ୍କାର କରି ଉଠିଲା ।
ମା’ ପଚାରିଲା, ଟମି ତୁ କେଉଁଠି?
ଟମ୍ ଉତ୍ତର ଦେଲା ମା ମୁଁ ଏହି ଗାଈ ପାଟି ଭିତରେ ହିଁ ଅଛି । –
ମା’ କାନ୍ଦି ଗାଈ ପାଟିରେ ହାତ ପୂରେଇ ଦେବାଫଳରେ ଗାଈ ପାଟି ମେଲାକରି ଦେଲା ଓ ଟମ୍ ସେ ଗାଈ ପାଟିରୁ ଖସିପଡିଲା । ଟମ୍ ଗାଈ ପାଟିରୁ ପଡି ଯାଉଥିବାର ଦେଖି ତା ମା ତାଙ୍କ ଓଢଣି ଦେଖାଇ ଦେଲେ ଓ ଟମ୍ ସେଥିରେ ପଡିଲା ନଚେତ ତଳେ ପଡି ଟମ୍ ଆହତ ହୋଇଥାନ୍ତା । ମା ଟମ୍କୁ ତାଙ୍କ ବ୍ଲାଉଜ୍ ମଧ୍ୟରେ ରଖି ଘରକୁ ଫେରି ଆସିଲେ ।
ଟମ୍ର ବାପା ବାର୍ଲିଗଛର କାଣ୍ଡରେ ଗୋଟିଏ ଛାଟ ତିଆରି କରି ଟମ୍କୁ ଦେଇ ତାକୁ ପଡିଆକୁ ଗାଈ ଜଗାଇବାକୁ ପଠାଇଲେ । ସେ ଗାଈ ଜଗୁ ଥିବାବେଳେ ଗୋଟିଏ ନାଳରେ ଖସି ପଡିଲା । ଏହି ସମୟରେ ଉଡିଯାଉଥିବା ଏକ ଡାମରାକୁଆ ତାକୁ ଥଂଟରେ ଧରି ଉଡିଗଲା । କୁଆଟି ସମୁଦ୍ର ଉପରେ ଉଡିଗଲା ବେଳେ ଟମ୍ ତା ଥଂଟରୁ ଖସି ସମୁଦ୍ର ମଧ୍ୟରେ ପଡିଗଲା । ଟମ୍ ସମୁଦ୍ରରେ ପଡିଯିବା ମାତ୍ରେ ଗୋଟିଏ ବଡ ମାଛ ତାକୁ ଗିଳିଦେଲା । ଠିକ୍ ଏଇ ସମୟରେ ସେହି ମାଛଟି ଜାଲୁଆଙ୍କ ଜାଲରେ ପଡି ଧରାହୋଇ ଗଲା ଏବଂ ମାଛଟିକୁ ରାଜା ଆର୍ଥରଙ୍କ ଲୋକେ କିଣି ନେଲେ । ରୋଷେଇପାଇଁ ଯେତେବେଳେ ମାଛଟି କଟାହେଲା ସେତେବେଳେ ମାଛ ପେଟରେ ଗୋଟିଏ ଛୋଟିଆ ପିଲାଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଟମ୍ ମାଛ ପେଟରୁ ମୁକ୍ତ ହୋଇ ଖୁବ୍ ଖୁସି ହେଲା । ଟମ୍କୁ ରାଜାଙ୍କ ପାଖକୁ ନିଆହେଲା ଏବଂ ରାଜା ତାକୁ ଦେଖି ଖୁସି ହୋଇ ଟମ୍କୁ ତାଙ୍କ ଦରବାରରେ ବିଦୂଷକ କରି ରଖିଲେ ଓ ସେ ଅତି ଅଳ୍ପସମୟ ମଧ୍ୟରେ ରାଜାଙ୍କର ଅତି ପ୍ରିୟ ହୋଇ ଉଠିଲା । ସେ ତାର ନାଚ ଆଉ କୌତୁକରେ ଯେ କେବଳ ରାଜାଙ୍କୁ ମୁଗ୍ଧ କଲା ତା ନୁହେଁ ବରଂ ରାଜାଙ୍କ ପାରିଷଦ ମାନଙ୍କୁ ମଧ୍ୟ ମୁଗ୍ଧ କଲା । ରାଜା ଯେତେବେଳେ ଘୋଡାଚଢି ବାହାରକୁ ବୁଲିବାକୁ ଯାଆନ୍ତି ଟମ୍କୁ ମଧ୍ୟ ନିଜ ସାଙ୍ଗରେ ନେଇ ଯାଆନ୍ତି ଏବଂ ଯଦି ଯିବାବେଳେ ବର୍ଷା ଆସେ ସେ ରାଜା ଟମ୍କୁ ତାଙ୍କ ପୋଷାକର ପକେଟରେ ରଖିଦିଅନ୍ତି ଓ ଟମ୍ ବର୍ଷା ସରିବା ପର୍ଯ୍ୟନ୍ତ ରାଜାଙ୍କ ସେଇ ପକେଟ ମଧ୍ୟରେ ହିଁ ଶୋଇରୁହେ ।