ଏଣେ ଅସଲ ଭଗିଆର ହୃତକମ୍ପ । ନିଜ ନାମଟା ଶୁଣି ଛାନିଆ ହୋଇ ଯାଇ ଚକ୍ରବୁଦ୍ଧିଙ୍କର ପାଦ ଧରି କାନ୍ଦି କାନ୍ଦି ସେ ଭଗିଆ କହିଲା, “ଜ୍ୟୋତିଷ ମହାରାଜ, ମୋତେ ଆପଣ ରକ୍ଷା କରନ୍ତୁ । ଆପଣମାନେ ଯେଉଁ ଭଗିଆ କଥା କହିଲେ ମୁଁ ହେଉଛି ସେହି ହତଭାଗ୍ୟ । ଲୋଭରେ ପଡି ତ ଚୋରୀ କଲି । ଏବେ ମୁଖିଆ କାଲି ଏକଥା ଜାଣିବା ମାତ୍ରେ ସେ ମୋତେ ପିଟି ପିଟି ଜୀବନରୁ ମାରି ପକାଇବେ, ତା’ପରେ ମୋ ସ୍ତ୍ରୀ ପିଲା ସଂସାର ସବୁ ଭାସିଯିବ ।” ତା’ର ସବୁକଥା ଶୁଣି ସାରି ବକ୍ରବୁଦ୍ଧି ଗମ୍ଭୀର ହୋଇ ପଚାରିଲା, “ଏବେ ସେହି ଜିନିଷଟି ଅଛି କେଉଁଠି?”
ଭଗିଆ କହିଲା “ମଝିଘରେ ଥିବା ବସ୍ତାମାନଙ୍କ ଭିତରେ ମୁଁ ତାକୁ ଲୁଚାଇ ରଖିଛି ଆଜ୍ଞା ।”
ବକ୍ରବୁଦ୍ଧି କହିଲା “ହଉ ଯା ଯା’ ତୋ ଭାଗ୍ୟ ଭଲ ଯେ ତୁ ଆମକୁ ଭେଟିଲୁ ।” ଏହାପରେ ଭଗିଆ ସେ ଦୁହିଁଙ୍କୁ ପ୍ରଣାମ କରି ସେଠାରୁ ବାହାରି ଗଲା ।
ତା’ ପରଦିନ ସୂର୍ଯ୍ୟୋଦୟ ନ ହେଉଣୁ ମୁଖିଆ ଆସି ହାଜର୍ । ବକ୍ରବୁଦ୍ଧି ସଙ୍ଗେ ସଙ୍ଗେ ଆଖିବୁଜି ଧ୍ୟାନ କରି କହିଦେଲେ, “ଆପଣଙ୍କ ମଝିଘରେ ଥିବା ବସ୍ତାମାନଙ୍କ ଭିତରେ ଖୋଜନ୍ତୁ ।”
ମୁଖିଆ ସଙ୍ଗେ ସଙ୍ଗେ ଘରକୁ ଧାଇଁଲେ ଓ ଖୋଜାଖୋଜି କରି ନିଜ ଜିନିଷଟି ପାଇଲେ । ସେ ଏହି ଖୁସିରେ ଜ୍ୟୋତିଷଙ୍କୁ ଦୁଇଶହ ଟଙ୍କା ଦେଲେ ଆଉ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ ବି କରି ଆସିଲେ ।
ରାତ୍ରିରେ ସେ ଦୁହେଁ ମୁଖିଆଙ୍କ ସହିତ ଅତି ଆନନ୍ଦରେ ବସି ଭୋଜନ କରୁଥା’ନ୍ତି, ଠିକ୍ ଏଇ ସମୟରେ ରାଜାଙ୍କ ନିକଟରୁ ଜଣେ ବ୍ୟକ୍ତି ଆସି ମୁଖିଆଙ୍କୁ ଏକ ଜରୁରୀ ଖବର ଦେଲା ।
ସେ ଖବରଟି ଏହି ପ୍ରକାରର –
“କିଛିଦିନ ପୂର୍ବରୁ ସାତଟି ବିଦେଶୀ ଜାହାଜ ବାଣିଜ୍ୟ କରିବା ଉଦ୍ଧେଶ୍ୟରେ ଆସିଥା’ନ୍ତି । ସେ ସବୁଥିରେ ବହୁ ମୂଲ୍ୟବାନ୍ ଜିନିଷ ଥାଏ । ଜାହାଜମାନଙ୍କର ମାଲିକ ରାଜାଙ୍କ ସହିତ ଏକ ବାଜି ରଖିଛନ୍ତି । ସେ ଗୋଟିଏ ବନ୍ଦ ଥିବା ବାକ୍ସ ରାଜାଙ୍କୁ ଦେଇ କହିଛନ୍ତି କି ଏହା ଭିତରେ କ’ଣ ଅଛି ସପ୍ତାହକ ମଧ୍ୟରେ ତାହା କହିଦେଲେ ସେ ସବୁ ଜାହାଜ ଛାଡି ଚାଲିଯିବେ । ଆଉ ଯଦି କହି ନ ପାରିବେ ତେବେ ରାଜା ତାଙ୍କ ରାଜ୍ୟରୁ ଅଧେ ଦେବେ ।
ରାଜା ଅନେକ ଜ୍ୟୋତିଷଙ୍କୁ ପଚାରି ବିଫଳ ମନୋରଥ ହୋଇ ଅଗତ୍ୟା ଶେଷ ଚେଷ୍ଟା ସେ ଏଠାରେ କରିଛନ୍ତି ।
ରାଜା ତାଙ୍କର ରାଜ-ଜ୍ୟୋତିଷଙ୍କ ପାଖରୁ ନାସ୍ତିବାଣୀ ଶୁଣି ଅତ୍ୟନ୍ତ ହତାଶ ହୋଇ ମୋତେ ସେ ଏଠାକୁ ପଠାଇଛନ୍ତି ।”
ମୁଖିଆ ବକ୍ରବୁଦ୍ଧିକୁ କହିଲେ, “ଆପଣମାନଙ୍କ ପରି ଜ୍ୟୋତିଷ ଥାଉ ଥାଉ ରାଜାଙ୍କର ପୁଣି ଭୟ କେଉଁଥିପାଇଁ? ଚାଲନ୍ତୁ ଆମେ ଏବେ ରାଜାଙ୍କ ପାଖକୁ ଯିବା ।” ଅଗତ୍ୟା ସେ ଦୁହେଁ ରାଜାଙ୍କ ପାଖକୁ ଗଲେ । ସେଠାରେ ସେମାନଙ୍କୁ ରାଜୋଚିତ ସମ୍ମାନ ସହ ସ୍ୱାଗତ ମଧ୍ୟ କରାଗଲା ।
ରାଜାଙ୍କ ସହିତ କଥାବାର୍ତ୍ତା କରିବା ପରେ ମନ୍ତ୍ରୀ ବୁଝାଇ ଦେଲେ, “କାଲି ଶେଷଦିନ । ଆପଣ ଦୁହେଁ ଅବସ୍ଥା ସମ୍ଭାଳି ନେବେ ତ ଜାଣନ୍ତୁ ଆପଣମାନଙ୍କର ଭାଗ୍ୟ ସବୁଦିନ ପାଇଁ ଖୋଲିଗଲା । କିନ୍ତୁ ଯଦି କିଛି ନକରି ପାରିବେ ତେବେ ଏ ରାଜ୍ୟର ବିଧାନ ଅନୁସାରେ ଆପଣମାନଙ୍କ ମୁଣ୍ଡ କାଟ ହେବ ।”
ରାତିରେ ସେ ଦୁହେଁ ବସି ବିଚାର କଲେ । ଦୁର୍ବୁଦ୍ଧି ଚକ୍ରବୁଦ୍ଧିକୁ କହିଲା, “କ’ଣ କରିବା? ଚାଲ ଆଜି ରାତି ଅଧରେ ଆମେ ଏ ସ୍ଥାନ ଛାଡି ଆଉ କୁଆଡେ ପଳାଇବା ନଚେତ୍ ମୃତ୍ୟୁ ଅନିବାର୍ଯ୍ୟ ।”
ବକ୍ରବୁଦ୍ଧି କହିଲା “କିନ୍ତୁ ଆମେ ଏଠୁ କେତେଦୂର ଯାଇ ପାରିବା? ସକାଳୁ ସେମାନେ ଏକଥା ଜାଣିବା ମାତ୍ରେ ଘୋଡ୍ସବାର ପଠାଇ ଆମକୁ ଧରିଆଣି ମାରିବେ । ଏପରି ଅପମାନଜନକ ମୃତ୍ୟୁ ଅପେକ୍ଷା ଚାଲ ପାଣିରେ ପହଁରି ପହଁରି ଯାଇ ଜାହାଜବାଲାଙ୍କ ପାଖରେ ଛଦ୍ମବେଶରେ ଜୀବନ ରକ୍ଷା କରିବା ନହେଲେ ମରିବା ।”
ଅଧରାତି ବେଳକୁ ସେ ଦୁହେଁ ସମୁଦ୍ର ତଟରେ ପହଁଚି ପହଁରିବାକୁ ଆରମ୍ଭ କଲେ; ଅନ୍ଧକାରରେ ଜାହାଜ ସବୁ ରହିଛନ୍ତି । ଗୋଟିଏ ଜାହାଜରୁ କେବଳ ଆଲୋକ ଦେଖାଯାଉଥାଏ ଓ ତହିଁରୁ କିଛି କଥାବାର୍ତ୍ତା ବି ଶୁଭୁଥାଏ । ଛୋଟ ଝିଅଟିଏ ତା’ ଅଜା ସହିତ ଅଝଟ ଲଗାଇ କହୁଥାଏ, “ଅଜା କୁହନା ସେ ବାକ୍ସ ଭିତରେ କ’ଣ ଅଛି? ସେକଥା କହିଲେ ମୁଁ ଶୋଇଯିବି ।”
ଝିଅ ଏତିକି କହି ସେ ତା’ ଜିଦିରେ ଅଟଳ ରହିଲା ।
ଅଜା କହିଲେ “ଆଚ୍ଛା ତେବେ ଶୁଣ, ଲୁହା ବାକ୍ସ ଭିତରେ ପିତଳ ବାକ୍ସ ଅଛି ତା’ ଭିତରେ ରୂପା ବାକ୍ସ ଅଛି । ରୂପା ବାକ୍ସ ଭିତରେ ସୁନାର ବାକ୍ସ ଅଛି ଆଉ ସେ ସୁନାର ବାକ୍ସରେ ହୀରାଟିଏ ଅଛି । ଏବେ ତୁ ଶୋଇପଡ ।”
ଏକଥା ଶୁଣି ସେ ଦୁଇ ଠକ ମନ ଆନନ୍ଦରେ ମୃତ୍ୟୁ ଚିନ୍ତା ଛାଡି ପୁଣି ନଗରୀକୁ ଲେଉଟି ଆସିଲେ । ସକାଳୁ ସେମାନେ ରାଜାଙ୍କୁ ସେହି ବାକ୍ସ ବିଷୟରେ କହିଦେଲେ । ରାଜା ମହା ଖୁସି ହୋଇ ଜାହାଜବାଲାଙ୍କୁ ଖବର ଦେଲେ । ଜାହାଜବାଲା ହାରିଯାଇ ସାରା ସମ୍ପତ୍ତି ରାଜାଙ୍କୁ ଦେଇ ନିଜ ଦେଶକୁ ବାହୁଡି ଗଲା ।
ରାଜା ସେ ଦୁଇ ଠକଙ୍କୁ ବହୁତ ଧନସମ୍ପତ୍ତି ଦେଇ ରାଜଜ୍ୟୋତିଷ ବନାଇ ଦେଲେ । ପରେ ଦୁର୍ବୁଦ୍ଧି ବକ୍ରବୁଦ୍ଧିକୁ କହିଲା, “ଏମିତି ଆମେ ଆଉ କେତେଦିନ ଚଳିବା?” ତା’ପରେ ସେ ଦୁହେଁ ବିଚାର କରି ଗୋଟିଏ ଉପାୟ ପାଂଚିଲେ ।
ପରଦିନ ବକ୍ରବୁଦ୍ଧି ରାଜାଙ୍କ ସହିତ ବସି ଗଳ୍ପ କରୁଛି, ଦୁର୍ବୁଦ୍ଧି କାନ୍ଦି କାନ୍ଦି ଯାଇ ସେଠାରେ ପହଁଚି କହିଲା, “ହାୟ ଦୁର୍ଭାଗ୍ୟ ଆମର ସବୁ ଜ୍ୟୋତିଷଶାସ୍ତ୍ରେ ଜଳିଗଲା । ମୁଁ ବହୁ ଚେଷ୍ଟା କରି ମଧ୍ୟ ସେସବୁକୁ ରକ୍ଷା କରି ପାରିଲି ନାହିଁ ।” ଏହା କହି ସେ ନିଜର ଟିକିଏ ପୋଡିଯାଇଥିବା ହାତ ରାଜାଙ୍କୁ ଦେଖାଇଲା ।
ରାଜା ବ୍ୟସ୍ତ ହୋଇ ପଡିଲେ ଓ ତାଙ୍କୁ ସାନ୍ତ୍ୱନା ଦେଇ ସେ କହିଲେ, “ଦୁଃଖ କରନାହିଁ । ମୁଁ ତୁମ ଦୁହିଁଙ୍କୁ ଜମିଜାଗା ଦେଇ ସୁସ୍ଥରେ ରଖିବି ।”
ତା’ପରେ ରାଜଦତ ସମ୍ପତ୍ତି ପାଇ ସେମାନେ ଅତି ଆନନ୍ଦରେ ଓ ଆରାମରେ ନିଜ ଜୀବନ କଟାଇଲେ ।