ଏକଦା ଗୋଟିଏ ଠେକୁଆ ଗୋଟିଏ ନଡିଆ ଗଛ ମୂଳରେ ରହୁଥାଏ । ପ୍ରତିଦିନ ସେ ଖାଦ୍ୟ ସଂଗ୍ରହ କରିସାରି ତା’ର ଘରକୁ ଫେରେ । ଦିନେ ସେ ସେହି ଗଛ ମୂଳରେ ବିଶ୍ରାମ ନେଉଥିବା ସମୟରେ ସେ ମନେ ମନେ ଭାବିଲା ଯେ ଯଦି କେବେ ଭୂମିକମ୍ପ ହୁଏ ତା’ହେଲେ ଏଇ ପୃଥିବୀ ତ’ ଖଣ୍ଡ ଖଣ୍ଡ ହୋଇଯିବ । ଏହାପରେ ତା’ର ଅବସ୍ଥା କ’ଣ ହେବ? ଏହିପରି ଭାବୁଥିବା ସମୟରେ ଗଛରୁ ଗୋଟିଏ ନଡିଆ ପଡି ଫାଟିଗଲା । ଫଳରେ ଜୋର୍ରେ ଏକ ଶବ୍ଦ ହେଲା । ଠେକୁଆ ତା’ ଆଖି ବନ୍ଦ କରି ଏହି କଥା ଭାବୁଥିଲା । ତେଣୁ ସେ ନଡିଆକୁ ଦେଖିପାରିଲା ନାହିଁ । ଖାଲି ଯାହା ଶବ୍ଦ ଶୁଣିପାରିଲା । ଶବ୍ଦ ଶୁଣିବା ମାତ୍ରକେ ଠେକୁଆ ଭୟରେ ଡେଇଁ ପଡିଲା ଓ ଭାବିଲା ସତକୁ ସତ ପୃଥିବୀ ବୋଧହୁଏ ଫାଟିଗଲା । ଏହାପରେ ଠେକୁଆ ତୀବ୍ର ବେଗରେ ଦୌଡିବାକୁ ଲାଗିଲା । ଗୋଟିଏ ଠେକୁଆ ଦୌଡିବାର ଦେଖି ଅନ୍ୟ ସାଥି ଠେକୁଆମାନେ ମଧ୍ୟ ଦୌଡିବାକୁ ଆରମ୍ଭ କରିଦେଲେ ।
ଠେକୁଆମାନଙ୍କୁ ଏପରି ଦୌଡୁଥିବାର ଦେଖି ଜଙ୍ଗଲରେ ଥିବା ଅନ୍ୟ ପ୍ରାଣୀ ଯଥା: ହରିଣ, ମୃଗ, ମଇଁଷି, ଗୟଳ, ବିଲୁଆ ଇତ୍ୟାଦି ସମସ୍ତେ ଦୌଡିବାକୁ ଲାଗିଲେ । ଶେଷରେ ଏପରି ଅବସ୍ଥା ହେଲା ଯେ, ଜଙ୍ଗଲର ସମସ୍ତ ଜୀବଜନ୍ତୁ ପ୍ରାଣ ବିକଳରେ ଏଣେତେଣେ ଧାଇଁବାକୁ ଲାଗିଲେ । ଠିକ୍ ସେହି ସମୟରେ ବିପରୀତ ଦିଗରୁ ଏକ ସିଂହ ଆସୁଥାଏ । ସେ ପ୍ରଥମେ ଜୀବଜନ୍ତୁମାନଙ୍କର ଏପରି ଦୌଡିବା ଦେଖି କିଛି ଜାଣିପାରିଲା ନାହିଁ । ସେ ମନେ ମନେ ଭାବିଲା, ବୋଧହୁଏ, ଏହି ଜୀବଜନ୍ତୁମାନେ କୌଣସି ଏକ ଭୁଲ୍ ଧାରଣାର ବଶବର୍ତ୍ତୀ ହୋଇ ଏପରି ଦୌଡୁଛନ୍ତି । ସେ କିପରି ଜୀବଜନ୍ତୁମାନଙ୍କର ଦୌଡ ବନ୍ଦ କରିବ ସେଥିପାଇଁ ମନେ ମନେ ଏକ ଉପାୟ ପାଂଚିଲା । ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ପ୍ରଥମେ ଲମ୍ପ ପ୍ରଦାନ କରି ସମସ୍ତଙ୍କ ଆଗରେ ଆସି ଠିଆ ହେଲା । ଏହାପରେ ଜୋର୍ରେ ଗର୍ଜ୍ଜନ କରିବାକୁ ଲାଗିଲା । ସିଂହର ଗର୍ଜ୍ଜନ ଶୁଣି ସମସ୍ତ ଜୀବଜନ୍ତୁଙ୍କର ଦୌଡିବା ବନ୍ଦ ହୋଇଗଲା ।