ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଠେକୁଆ ଓ ମହୁଫେଣା

                ତେଣୁ ସେ ଠେକୁଆ ତା’ଘର ଭିତରକୁ ଯାଇ ବଡ ପୁଅ କାନରେ କ’ଣ ଫୁସ୍ ଫୁସ୍ କରି କହିଲା । ତା’ପରେ ବାହାରକୁ ଆସି ବଡ ପୁଅକୁ ଡାକିଲା ଓ ଚଂଚଳ ଯାଇ ନଈରୁ ପାଣି ନେଇ ଆସିବାକୁ ଆଦେଶ ଦେଲା । ପାଣି ଆସିଲା ପରେ ଖିଆପିଆ ଆରମ୍ଭ ହେବ । ରୋଷେଇ କାମ କେତେବେଳୁ ସରିଲାଣି ବୋଲି ବଡ ବିନୟରେ ଠେକୁଆ ରାକ୍ଷସକୁ ଜଣାଇଲା ।

                ଏମିତି କିଛି ସମୟ ଗଲା । କିନ୍ତୁ ସେ ବଡପୁଅ ଆଉ ଫେରିଲା ନାହିଁ । ଏଣେ ଏ ରାକ୍ଷସ କେବଳ ଗର୍ଜ୍ଜନ କଲା । ଚଂଚଳ ଯାଇ ପାଣି ନେଇ ଆସିବାକୁ ଠେକୁଆ ତା’ମଝିଆଁ ପୁଅକୁ ବି ଦୌଡେଇଲା । ସେ ମଧ୍ୟ ଯାଇ ସେଇଆଡେ ରହିଲା । ଏବେ ଆଉ ସେ ରାକ୍ଷସର ଧୈର୍ଯ୍ୟ ରହିଲା ନାହିଁ । ତେଣୁ ସେ ରାକ୍ଷସ ଠେକୁଆକୁ କହିଲା, “ତତେ ଓ ତୋର ସ୍ତ୍ରୀ ପିଲାଙ୍କୁ ମୁଁ ନିଶ୍ଚୟ ଖାଇବି ।” ଆଉ ଟିକିଏ ଅପେକ୍ଷା କରିବାକୁ ଖୋସାମତ କରି ଦି’ ଭାଇ କ’ଣ କରୁଛନ୍ତି ଦେଖିବାକୁ ଠେକୁଆ ତା’ସାନପୁଅକୁ ମଧ୍ୟ ପଠାଇଲା । ସାନପୁଅ ମଧ୍ୟ ଆଉ ନ ଫେରେ । ବାପା ତ ତା’ପିଲାଙ୍କୁ କେଉଁଠି ଯାଇ ଲୁଚିବାକୁ ଶିଖେଇ ପଠେଇଛି । ସେମାନେ ବା ଆଉ ଫେରନ୍ତେ କିପରି?

                ତିନି ପିଲାଙ୍କ ଉପରେ ରାଗି ଠେକୁଆ ତା’ସ୍ତ୍ରୀକୁ ଧମକେଇ କହିଲା, “ଚଂଚଳ ତୁ ନିଜେ ଯାଇ ପାଣିନେଇଆ । ସାଙ୍ଗେ ସାଙ୍ଗେ ନ ଆସିଲେ ତୋତେ ମୁଁ ହାଣିଦେବି ।” ସ୍ତ୍ରୀ ବି ଯାଇ ତା’ପିଲାଙ୍କ ସହିତ ରହିଲା ।

                “ମୁଁ ଯାଇ ପାଣିନେଇ ଆସୁଛି” ବୋଲି ରାକ୍ଷସକୁ କହି ସେ ଠେକୁଆ ନିଜେ ନଈକୂଳକୁ ବାହାରିଲା । ଆସିଲେ ମା ପୁଅଙ୍କୁ ସେ ଉପଯୁକ୍ତ ଦଣ୍ଡ ଦେବ । ରାକ୍ଷସ ଧମକେଇ ଥାଏ, ଗୋଟେ ମିନିଟ୍ରେ ନ ଫେରିଲେ ସେ ସମସ୍ତଙ୍କୁ ଖାଇବ ।

                ମିନିଟିଏ କ’ଣ, ଘଂଟାଏ ବି ଗଲା । ହେଲେ କାହାରି ଜଣକର ବି ଦେଖାନାହିଁ । ଏଣେ ସେ ରାକ୍ଷସ ରାଗି ମାଗି ଅସ୍ଥିର । ଆଜି ବଂଉଶଜାଙ୍କୁ ଖାଇବ । ଗର୍ଜ୍ଜନ କରି ନଈ ଆଡକୁ ଧାଇଁଲା । ରାକ୍ଷସ ଦେଖିଲା ସେ ନଈ କୂଳରେ କେହି ବି ନାହାଁନ୍ତି । ଚାରିଆଡେ ଖୋଜିଲା, ହେଲେ ଜଣକୁ ହେଲେ ବି  ପାଇଲା ନାହିଁ । ସେ ରାକ୍ଷସ ଏଥର ବୁଝିଲା, ଠେକୁଆ ତାକୁ ଠକିଛି । ଭୟରେ ସମସ୍ତେ କେଉଁଠି ଲୁଚିଛନ୍ତି । ନଈ ଅତିଡାରେ ଚାଲି ଚାଲି ରାକ୍ଷସ ଚାରିଆଡକୁ ଆଖି ପକାଉଥାଏ । ଗୋଟିଏ ସ୍ଥାନରେ ରାକ୍ଷସ ଛିଡା ହୋଇଛି, ତାକୁ ଫୁସ୍ଫାସ୍ କଥାବାର୍ତ୍ତା ଶୁଭିଲା । ରାକ୍ଷସ ଜାଣିପାରିଲା, ବଂଉଶଯାକ ସମସ୍ତେ ପାଣିକୁ ଲାଗି ଗୋଟାଏ ଗାତରେ ପଶିଛନ୍ତି । ତେଣୁ ସେ ରାକ୍ଷସ ମନେ ମନେ ହସି ଗୋଟାଏ ବୁଦ୍ଧି ପାଂଚିଲା । ବଦମାସ୍ଙ୍କୁ ପାଲରେ ପକେଇ ଧରିବାକୁ ହେବ ।

ବଣ ଭିତରେ ପଶି ସେ ରାକ୍ଷସ ଗୋଟାଏ ମହୁଫେଣା ତୋଳି ଆଣିଲା । ତା ପରେ ନଈ କୂଳକୁ ଆସି ସେ ମହୁଫେଣାରୁ ଟିକିଏ ଛିଣ୍ଡାଇ ପାଣିକୁ ଫୋପାଡି ଦେଲା । ଯେପରି ତାହା ଠେକୁଆଙ୍କ ଗାତ ପାଖରେ ଭାସି ଭାସି ଯିବ । ଦିନଯାକ ତ ପେଟକୁ କିଛି ବି ଯାଇନି । ଠେକୁଆର ବଡପୁଅ ଆଖିରେ ଯେମିତି ମହୁଖଣ୍ଡକ ପଡିଛି ସେ ଆଉ ସମ୍ଭାଳି ପାରିଲା ନାହିଁ । ମୁଣ୍ଡକାଢି ସେଇଟାକୁ ଧରିବାକୁ ଯାଉଛି, ରାକ୍ଷସ ହାତବଢେଇ ତାକୁ ଟେକି ଆଣିଲା ଓ ମୁଣିରେ ପୂରାଇ ଦେଲା । ସେହି ବୁଦ୍ଧି କରି ସେ ରାକ୍ଷସ ଠେକୁଆର ମଝିଆଁ ଓ ସାନପୁଅକୁ ମଧ୍ୟ ଧରିନେଲା । ଠେକୁଆ ସ୍ତ୍ରୀ ମଧ୍ୟ ଲୋଭ ସମ୍ଭାଳି ନ ପାରି ମହୁ ଧରିବାକୁ ଯାଇ ନିଜେ ଧରାପଡିଲା । ଶେଷକୁ ରହିଲା ଠେକୁଆ । ରାକ୍ଷସ ଯେତେ ମହୁଖଣ୍ଡ ପକେଇଲା ଠେକୁଆ ଗାତରୁ ନ ବାହାରେ । ଏହା ଦେଖି ସେ ରାକ୍ଷସ ପୁରା ମହୁଫେଣାଟା ପାଣିରେ ଛାଡିଦେଲା । ସେତେବେଳକୁ ଠେକୁଆ ପେଟ ତ ଭୋକରେ ଖାଲି ଜଳୁଥାଏ । ତେଣୁ ସେ ଠେକୁଆ ଆଉ ସମ୍ଭାଳି ନ ପାରି ଯେମିତି ମୁଣ୍ଡ କାଢିଛି, ରାକ୍ଷସ ତାକୁ ଟାଣି ଆଣିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ