ଚନ୍ଦ୍ରଶେଖର ଆଜାଦ୍ ପିଲାଦିନେ ଅନ୍ଧାରକୁ ଏବଂ ମାଡକୁ ଖୁବ୍ ଡରୁଥିଲେ । ଥରେ ମହାବୀର ହନୁମାନଙ୍କର ଜଣେ ଭକ୍ତ ତାଙ୍କ ଘରକୁ ଆସିଥାନ୍ତି । ସେଠାରେ ସେ ରାମାୟଣକଥା ପ୍ରବଚନ ଦେବାର ଆୟୋଜନ କରାଇଥାନ୍ତି । ନଅଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲିଥାଏ । ପରିବାରର ଲୋକଙ୍କ ଭଳି ଚନ୍ଦ୍ରଶେଖର ବି ମନଦେଇ ରାମାୟଣ କଥା ଶୁଣୁଥାନ୍ତି । ସେଥିରେ ହନୁମାନଙ୍କ ସାହସ ଓ ଦମ୍ଭ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ସାଗରରେ ସେତୁବନ୍ଧ ପ୍ରତିଷ୍ଠା ଆଦି ଚମତ୍କାରିତା ତାଙ୍କ ମନକୁ ଛୁଇଁ ପାରିଥିଲା । ସୁତରାଂ ସେ ପ୍ରବଚକଙ୍କ କଥା ଚାତୁରୀରେ ମୁଗ୍ଧହୋଇ ତାଙ୍କର ପାଶେ ପାଶେ ରହିଲେ । ଆଉ ଇତିମଧ୍ୟରେ ସେ ପ୍ରବଚକ ମଧ୍ୟ ଚନ୍ଦ୍ରଶେଖରଙ୍କର ଭୟାଳୁ ଦୁର୍ଗୁଣ କଥା ସବୁ ଜାଣି ସାରିଥିଲେ ।
ଦିନେ ସେ ପ୍ରବଚକ ତାଙ୍କ ମନରେ ଭାବିଲେ ଚନ୍ଦ୍ରଶେଖର ତ ଭାରି ଭଲ ପିଲାଟିଏ, ମାତ୍ର ତା’ ଅନ୍ତରରେ ଥିବା ଭୟାଳୁ ଭାବ ହିଁ ତା’ର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବାରେ ଅନ୍ତରାୟ ସୃଷ୍ଟି କରୁଛି । ସୁତରାଂ ପିଲାଟି ମନରୁ ଭୟ ଦୂର କରିବା ପାଇଁ ସେ ଠିକ୍ କଲେ ।
ହନୁମାନଙ୍କର ଭକ୍ତ ମହାତ୍ମା, ଯିଏ କି ପ୍ରବଚନ ଦେବାପାଇଁ ଆସିଥିଲେ ସେ ପିଲାଟିକୁ ଏକାନ୍ତରେ ପଚାରି ବୁଝିଲେ ଯେ, ସେ ଅନ୍ଧାରକୁ କାହିଁକି ଏତେ ଭୟକରୁଛି? ଅନ୍ଧାରରେ ଭୂତ ରହନ୍ତି ବୋଲି ପିଲାଟି କହିବାରୁ ଦିନେ ସେ ହନୁମାନଙ୍କର ଭକ୍ତ ପିଲାଟିକୁ ତାଙ୍କ ଗାଁ ବାହାରେ ଥିବା ମଶାଣିକୁ ଡାକିନେଲେ ।
ଏଥର ପ୍ରବଚକ ମହାତ୍ମା କହିଲେ, “ମୁଁ ପରା ତୁମ ସାଥୀରେ ଅଛି ତେଣୁ ଭୟ କରିବାର କାରଣ କିଛି ବି ନାହିଁ । ଆଉ ଶୁଣ, ଲୋକମାନେ ବେଳେବେଳେ ଅତିରଂଜିତ କରି ଯେଉଁ ଭୂତକଥା କହିଥାନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା, ମନଗଢା, ତଥା କପୋଳକଳ୍ପିତ । ଅସଲ କଥାଟି ହେଲା, ଯେଉଁମାନଙ୍କର ଅକାଳ ମୃତ୍ୟୁଘଟେ ସେହିମାନେ ହିଁ ଭୂତ ହୋଇଯାଆନ୍ତି । ଜୀବନକୁ ଭୟପାଇ ସେମାନେ ଆତ୍ମହତ୍ୟା କରିଥାନ୍ତି ଏଭଳି ବିଭିନ୍ନ କାରଣରୁ । ଯିଏ ନିଜେ ଡରୁଆ, ସେ ଅନ୍ୟକୁ କିପରି ଡରେଇବ? ଦ୍ୱିତୀୟରେ ତୁମେ ମାଡକୁ ବି ଡରୁଛନା? ତେବେ ମାଡଖାଇବା ଭଳି କାମ ଆଦୌ କିଛି କରନାହିଁ । ହଁ ଆଉ ଗୋଟିଏ କଥା ଭଲ ଭାବରେ ମନେରଖ, ଏହି ଶରୀର ତ ଦିନେ ନା ଦିନେ ମରିବ, ହେଲେ ମନ-ଆତ୍ମା କଦାପି ମଧ୍ୟ ମରିବ ନାହିଁ ।”
ବାସ୍, ଶ୍ମଶାନର ସେଇ ରାତିର ଅନୁଭୂତି ଏବଂ ପ୍ରବଚକଙ୍କର କଥାବାର୍ତ୍ତା ବାଳକ ଚନ୍ଦ୍ରଶେଖରଙ୍କୁ ପରମ ସାହାସୀ କରିଦେଲା । ସେ ଶ୍ମଶାନରେ ଗାଁଟାଯାକର ମରିଯାଉଥିବା ଲୋକଙ୍କୁ ଦାହ କରାଯାଉଥିଲେ ମଧ୍ୟ ନିଶାରାତିରେ ଯଦି ଏଠାରେ ଭୟ ନାହିଁ କି ଭୂତପ୍ରେତ କିଛି ନାହାଁନ୍ତି, ତେବେ ଲୋକମାନେ କହୁଥିବା କଥା ନିଶ୍ଚେ ମିଥ୍ୟା । ଏହିକଥା ହିଁ ଚନ୍ଦ୍ରଶେଖରଙ୍କ ମନରୁ ଭୟ ଦୂର କରିଦେଲା । ଏହାଥିଲା ସେଦିନ ବାଳକ ଚନ୍ଦ୍ରଶେଖର ଆଜାଦ୍ଙ୍କ ପାଇଁ ମହାତ୍ମାଜୀଙ୍କ ଆଧ୍ୟାତ୍ମିକ ଚିକିତ୍ସା ।