ସିଂହଙ୍କ ଉପରେ ପୋଷ୍ଟମାଷ୍ଟରବାବୁଙ୍କର ଭାରି ମେହରବାନି । ବସାରେ ମୁକରର ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ ଦୁଇ ଚାରିଟା କାମଦାମ କରିଦେଇ ଆସନ୍ତି । ସଞ୍ଜବେଳେ ଗୋଟାଏ ଆରାମ ଚୌକିରେ ପଡି ବାବୁ ଇଂରାଜୀ ଖବରକାଗଜ ପଢିବାବେଳେ ସିଂହେ ଯେଉଁ ମିଠା କଡା ଗୁଡାଖୁ ଚିଲମେ ସାଜି ଦିଅନ୍ତି, ସେପରି କେହି ବି ଜାଣେ ନାହିଁ । ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡାଖୁ ଚିଲମେ ସାଜି ଆଣି ଭଲକରି ଚିଲମଟା ଫୁଙ୍କିଦେଲେ । ବାବୁଙ୍କ ମୁହଁରୁ ଇଞ୍ଜିନ୍ ପାଇପରୁ ଧୂଆଁ ବାହାରିଲା ପରି ଧୂଆଁଗୁଡାକ ଭକ ଭକ କରି ବାହାରୁଛି, ଟିକିଏ ଟିକିଏ ଆଖିବୁଜି ଆସିଲାଣି ବାବୁଙ୍କର । ସିଂହେ ବୁଝିନେଲେ ଯେ, ଏଇଟା ହିଁ ଠିକ୍ ସମୟ । ତେଣୁ ସିଂହେ ସେ ବାବୁଙ୍କ ଗୋଡତଳେ ଦଣ୍ଡବତ ହୋଇ ହାତଯୋଡି ଖୁବ୍ ଭକ୍ତିରେ, ଖୁବ୍ ବିନୟରେ, ଖୁବ୍ ଧୀରେ, ଖୁବ୍ ମିଠା କଥାରେ ଆପଣାର ସମସ୍ତ ଦୁଃଖ ହାଲ ଚୁମ୍ବକରେ ଜଣାଇଲେ । ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ସିଂହେ ପାସୋରିଲେ ନାହିଁ । ଏଣେ ବାବୁ ସେହିପରି ନୟନ ମୁଦ୍ରିତାବସ୍ଥା – ଧୀର ଗମ୍ଭୀର ଭାବରେ ସେ କହିଲେ, “ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖିଆଣ ।” ବାବୁଙ୍କର ସାହସ ଥିଲା, କାରଣ ପୋଷ୍ଟେଲ ଇନ୍ସପେକ୍ଟର ବା ସୁପରିଂଟେଣ୍ଡେଂଟ୍ ବାବୁମାନେ ଆସିଲେ ସେହି ପୋଷ୍ଟମାଷ୍ଟରବାବୁଙ୍କ ବସାରେ ରହନ୍ତି । ଉପର ହାକିମମାନଙ୍କ ମନସ୍ତୁଷ୍ଟି ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ, ସେଥିରେ ମୋଟେ ତ୍ରୁଟି ହୁଏ ନାହିଁ । ସେ ରାତ୍ରରେ ପୋଷ୍ଟମାଷ୍ଟର ବାବୁ ‘ହରିସିଂ’ ‘ହରିସିଂ’ କରି ଦଶଥର ପାଟି କରୁଥିବାର ଶୁଣାଯାଏ । ହରି ସିଂହେ ତ ପୁରୁଣା ଲୋକ, ଢେର୍ ଢେର୍ ହାକିମହୁକୁମା ଅମଳ କଲେଣି । କାହାର କି ରକମ ମିଜାଜ, କିଏ କୋଉଥିରେ ଖୁସି ତାହା ତ ସେ ଠିକ୍ ଜାଣନ୍ତି । ସେଦିନ ଅଧରାତିଯାଏଁ ସିଂହଙ୍କୁ ସେ ବାବୁଙ୍କ ବସାରେ ରହିବାକୁ ହୁଏ । କାରଣ ଓଡିଶାର କଦର୍ଯ୍ୟ ହାଓୟା ହେତୁରୁ ଯଦି କେହି ବାବୁ ହଠାତ୍ ପୀଡିତ ହୋଇ ବାନ୍ତିଫାନ୍ତି କରିପକାଇଲେ ହରି ସିଂହେ ସୋଡା, କାଗେଜିଲେମ୍ବୁ ପ୍ରଭୃତି ହାଜର କରାଇ ଉକ୍ତ ବାବୁଙ୍କୁ ସମ୍ଭାଳି ନିଅନ୍ତି । ବାବୁମାନେ ଆରାମରେ ଶୟନ କଲା ଉତାରେ ସିଂହେ ଅଧରାତିରେ ନିଜ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି । ଏହି ସୂତ୍ରରେ ସିଂହେ ଉପରବାଲା ହାକିମମାନଙ୍କଠାରେ ବେଶ୍ ପରିଚିତ ।
ହରି ସିଂହଙ୍କ ଦରଖାସ୍ତ ପିଠିରେ ପୋଷ୍ଟମାଷ୍ଟରବାବୁ ଭଲରୂପେ ସୁପାରିସ୍ କରି ସଦରକୁ ପଠାଇଦେଲେ । ଅଳ୍ପଦିନ ମଧ୍ୟରେ ଏକ୍ଷ୍ଟେନସନ୍ ହୁକୁମ୍ ପହଁଚିଲା । ଏଥର ସେ ସିଂହେ ତ ମହାଖୁସି, ତେଣୁ ଏହି ଖୁସି ଖବରଟା ସେ ତାଙ୍କ ଗାଁକୁ ଲେଖି ପଠାଇଲେ । ବର୍ତ୍ତମାନ ସର୍ବସ୍ୱ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇପଡିଥାନ୍ତି । ଭବିଷ୍ୟତ-ବିଧାତା ତାଙ୍କ ପାଇଁ କଣ ବିଧାନ କରୁଛନ୍ତି, ତେଣିକି ଥରେ ହେଲେ ଅନାଇବା ଦରକାର ବୋଲି ସେ ଆଦୌ ମଣନ୍ତି ନାହିଁ । ହେଲେ ସିଂହଙ୍କର ଏତେ ବଡ ଆନନ୍ଦଟା ପାଣିଫୋଟକା ପରି ଫାଟିଗଲା । କାହିଁକିନା ତାଙ୍କ ଘରୁ ଚିଠି ଆସିଲା, ଗୋପାଳମାଆର ସନ୍ନିପାତ ରୋଗ, ଜୀବନର ଆଶା ହିଁ ନାହିଁ । ସିଂହେ ପୋଷ୍ଟମାଷ୍ଟରବାବୁଙ୍କୁ ଚିଠି ଖଣ୍ଡ ଦେଖାଇଲେ । ସେ ବାବୁ ତ ବଡ ଦୟାଳୁ ଲୋକ, ତେଣୁ ସେ ତତ୍କ୍ଷଣାତ୍ ସିଂହେଙ୍କୁ ଛୁଟି ଦେଲେ । ତା’ପରେ ସିଂହେ ଏକ ନିଃଶ୍ୱାସରେ ଘରକୁ ଧାଇଁଲେ, ଘରେ ପହଁଚି ସେ ଯାହା ବି ଦେଖିଲେ, ସେଥିରେ ତାଙ୍କ ଆଖିର ଜ୍ୟୋତି ହଜିଗଲା । ଜଗତଟା ଯେମନ୍ତ ଅନ୍ଧକାରମୟ ହୋଇଗଲା ତାଙ୍କପାଇଁ । ବୁଢୀର କଥା ପ୍ରାୟ ଶେଷ ହେଲାଣି । ସ୍ୱାମୀଙ୍କୁ କ୍ଷୀଣଦୃଷ୍ଟିରେ ସେ ଟିକେ ଭଲକରି ଅନାଇଲେ, ଦୁଇହାତ ଅଳ୍ପ ଉଠାଇ ତାଙ୍କୁ ଦଣ୍ଡବତ କଲେ, ସ୍ୱାମୀଙ୍କ ଗୋଡଧୂଳି ନେବାକୁ ଠାରିଲେ । ସତେ ଯେମିତି ସେହି ଧୂଳିଟିକକ ପାଇଁ ସେ ଅନାଇ ରହିଥିଲେ? ସବୁ ଶେଷ ହେଲା; ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା । ସେ ଘରର ମାଲମତା ଦୁଇ ଖଣ୍ଡ ବିକି ପୁଅ ଗୋପାଳକୁ ଧରି ହରି ସିଂହେ କଟକ ପଳାଇ ଆସିଲେ ।
ଗୋପାଳ ମାଇନର ପଢେ । ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ, ପେନ୍ସନ୍ ହୋଇଗଲାଣି, ଭାରି ଅଚଳ । ଘରେ ତାଙ୍କର ନୋଟା, କଂସା ଯାହା କିଛି ବି ଦୁଇଖଣ୍ଡ ଥିଲା ସେସବୁ ବିକାବିକି କରି ସେମାନେ ଖାଉଛନ୍ତି, ଚାକିରିରେ ଥିବାବେଳେ ହରି ସିଂହ ଅତି କଷ୍ଟରେ ମାସକୁ ଦୁଇ ଚାରିଅଣା ସଂଚି ସେଭିଂସ ବେଙ୍କରେ ଯାହା କିଛି ବି ରଖିଥିଲେ, ସେସବୁ ତ ସିଂହେ ଗୋପାଳର ମାଇନର ପଢା ପଛରେ ସାରିଲେ । ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍ କଲେ ସବୁ କଷ୍ଟ ତାଙ୍କର ମେଂଟିବ । ଗୋପାଳ ମଧ୍ୟ କେତେଥର ଭରସା ଦେଇ ତା’ ବାପାଙ୍କୁ କହିଲାଣି, “ବାପା, ଧାର କରଜା କରି ମୋତେ ପଢାଅ, ଚାକିରି କଲେ ମୁଁ ସବୁ ଶୁଝିଦେବି ।”