ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଡାକମୁନ୍ସି

                ହରି ସିଂହଙ୍କର ଆର୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ ଶୁଣିଲେ । ଗୋପାଳ ମାଇନର୍ ପାସ୍ କଲା । ଏଥିରେ ସେ ସିଂହଙ୍କର ଆନନ୍ଦର ଆଉ ସୀମା ନାହିଁ । ସେହି ପୁରୁଣା ମାଷ୍ଟରବାବୁ ଅଛନ୍ତି । ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ । ତାଛଡା ଉପର ହାକିମମାନଙ୍କର ମଧ୍ୟ ହରି ସିଂହଙ୍କ ଉପରେ କିଛିଟା ଅନୁଗ୍ରହ ଥିଲା । ତେଣୁ ସେ ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟଅଫିସରେ ସବ୍ପୋଷ୍ଟମାଷ୍ଟର ଭାବେ ନିଯୁକ୍ତ ହେଲେ, ବେତନ ତାଙ୍କର ମାସକୁ କୋଡିଏ ଟଙ୍କା । ବର୍ତ୍ତମାନ ସଦର ପୋଷ୍ଟଅଫିସରେ ଚାରିମାସ କାମ ଶିଖି ସେ ମଫସଲ ଯିବେ ।

                ହରି ସିଂହଙ୍କର ଆନନ୍ଦର ଆଉ ସୀମା ନାହିଁ । ତେଣୁ ସେ ଖାଲି ଅନବରତ ପ୍ରଭୁଙ୍କୁ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, “ଧନ୍ୟ ପ୍ରଭୁ ତୁମ୍ଭର କରୁଣା, ଏତେଦିନକେ ଯାଇ ଏ ଦୁଃଖୀର ଗୁହାରି ଟିକେ ଶୁଣିଲ ।” ଚାକିରି ଖବର ଆସିବା ଦିନ ରାତିରେ ବୁଢା ସିଂହେ ନିରୋଳାରେ ବସି ଢେର୍ କାନ୍ଦିଲେ । ହାୟ! ଆଜି ବୁଢୀ ଥିଲେ କେତେ ଆନନ୍ଦଟାଏ ସେ ହୁଅନ୍ତେ । ତାଙ୍କ ଗୋପାଳ ହାକିମି ଚାକିରି ପାଇଲା, ଏକଥା ଶୁଣି ସେ ଆନନ୍ଦ ଉତ୍ସବରେ ଖାଲି ଗଡି ଯାଉଥାନ୍ତେ । ହାୟ! ଅଭାଗୀ କପାଳରେ ବୋଧେ ଏସବୁ ଦେଖିବାକୁ ନାହିଁ । ହେଉ, ହେଉ, ଗୋପାଳ ତ ହାକିମ ହେଲା । ପ୍ରଭୁ ଏଥର ଗୋପାଳଟିକୁ ରକ୍ଷା କରନ୍ତୁ ।

                ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢା ହାତରେ ଦେଲେ । ଏସବୁ ଦେଖି ସେ ବୁଢାର ଆନନ୍ଦ କହିଲେ ନ ସରେ । ଯେମିତିକି ଗୋଡ ତାଙ୍କର ତଳେ ମୋଟେ ପଡୁ ନାହିଁ । ପୁଅ ହାକିମ, ଏତେଗୁଡାଏ ଟଙ୍କା ମାସକ ମଧ୍ୟରେ ସେ ଆଣିଲା । ତେଣୁ ସେହି ଟଙ୍କାଗୁଡାକୁ ଚାରି ପାଂଚଥର ଗଣି ସିଂହେ ନିଜ ଅଂଟାରେ ବାନ୍ଧି ଶୋଇଲେ । ତା’ଆରଦିନ ସକାଳେ ସିଂହେ ଲଣ୍ଡଭଣ୍ଡ ହୋଇ ଧାଇଁଲେ ସିଧା ବଜାରକୁ । ଜୁତା, କୁରୁତା, ଲୁଗା – ଯାହା ଯାହା ଦରକାର, ସେସବୁ କିଣାଗଲା । ଗୋପାଳ ଯେ ହାକିମ ହେଲାଣି, ସେ କ’ଣ ଆଉ ଯାହିତାହି ଲୁଗା ପିନ୍ଧିବ? କଥାରେ ଅଛି ପରା ଭେକ ଦେଖି ସିନା ଭିକ! ତେଣୁ ସେହିପରି ପୋଷାକ ବି ଲୋଡା ।

                ଏଣେ ଗୋପାଳବାବୁ ଅଫିସରେ ପାଂଚଜଣ ବାବୁଙ୍କ ସାଙ୍ଗରେ ବସି ଇଂରାଜୀ ଲେଖନ୍ତି । ବାବୁମାନଙ୍କ ସହିତ ସବୁବେଳେ ତାଙ୍କର କାରବାର । ତେଣୁ ସମସ୍ତେ ତାଙ୍କୁ ଡାକନ୍ତି ‘ଡାକମୁନ୍ସିବାବୁ’, ପୁରା ନାମ ତାଙ୍କର ଗୋପାଳଚନ୍ଦ୍ର ସିଂହ । ଏଣେ ବସାରେ ଆସି ସେ ଦେଖନ୍ତି କଣ ନା ବୁଢାଟା ଧୂଳିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି; ଗୋପାଳ କିମିତି ଭଲ କରି ଦି’ଟା ଖାଇବ – ଗୋପାଳ ଗାଧୋଇଗଲା, ଓଦା ଲୁଗା ଶୁଖି ନାହିଁ – ପିଲାଟା କାମ କରି କରି ଧନ୍ଦିଗଲାଣି, ଏହି ସମସ୍ତ ଚିନ୍ତା ଦିନରାତି କରୁଥାନ୍ତି ହରି ସିଂହ । ଆଗେ ବୁଢା ସିଂହେ ବେଳେ ବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମକର୍ମ ବି ସେ କରୁଥିଲେ, କିନ୍ତୁ ସେ ଏବେ ଗୋପାଳବାବୁଙ୍କ ପାଇଁ ସେସବୁ କିଛି ଭୁଲିଗଲେଣି । ବୋଧହୁଏ, ହରି ଏସବୁ ଦେଖି ଏ ବୁଢା ଉପରେ ଖପା ହୋଇଗଲେଣି । ତେଣୁ ହରି ଧମକାଇ କହିଲେ, ‘ଆରେ ନିର୍ବୋଧ, ଏ କଣ ରେ! ଆଚ୍ଛା ବୁଝିବୁ!’

                ଏଣିକି ସେ ଗୋପାଳବାବୁଙ୍କର ବି ଭାବ କିଛି କିଛି ବଦଳିଗଲାଣି । ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ବି ସେ ଖାଲି ରଗ ରଗ ସିଂ ସିଂ ହୁଅନ୍ତି । ଏଟା ମୂର୍ଖ, ଇଂରାଜୀ ଜାଣେ ନାହିଁ – ମୂଲିଆ – ମଳିଆ ଲୁଗା ପିନ୍ଧିଥାଏ; ଏଟାକୁ ପୁଣି ମୁଁ ବାପ ବୋଲି ଡାକିବି, ଏକଥା ଶୁଣିଲେ ଲୋକେ ମୋତେ କଣ କହିବେ! ସେଦିନ ଶିକ୍ଷିତା କେତେଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ – ଏ ବୁଢାଟା ଦେହରେ କୁରୁତା ନାହିଁ, ସେତେବେଳେ ସେମାନଙ୍କ ଆଗ ଦେଇ ଏ ଚାଲିଗଲା । କି ଲଜ୍ଜା, କି ଲଜ୍ଜା! ଏଟାକୁ ବସାରୁ ନ ତଡିଲେ ଆଉ ମୋର ଇଜ୍ଜତ ରହିବ ନାହିଁ!

                ଦିନେ ଡାକମୁନ୍ସିବାବୁ ତାଙ୍କ ବାପକୁ କହିଦେଲେ, “ଦେଖ, ତୁମେ ମୋର କିଛି ବି ଉପକାର କରି ନାହଁ । ତେଣିକି ଇଚ୍ଛା ହେଲେ ବସାରେ ରହ, ନୋହିଲେ ଏଠାରୁ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଏ ଘରୁ କଦାପି ମଧ୍ୟ ବାହାରିବ ନାହିଁ ।” ଗୋପାଳର ଏପରି କଥା ଶୁଣି ସେ ବୁଢାର କାନମୁଣ୍ଡା ଖାଲି ଭାଁ ଭାଁ କଲା, ତେଣୁ ସେ ଗୁମ୍ ହୋଇ ବସିପଡିଲେ । ଏବେ ସେ ବା କାହାକୁ କହିବେ ନିଜ ପୁଅ କଥା? କଥାରେ କହନ୍ତି ନାହିଁ ଅଜାଗା ଘା’ ଦେଖି ହୁଏ ନାହିଁ, କି କାହାକୁ ଦେଖାଇ ବି ହୁଏ ନାହିଁ । ଯାହାକୁ ବା ସେ ବୁଢା ତା ମନର କଥା କହନ୍ତା, ସେ ତ ଚାଲି ଯାଇଛି । ଏହି କଥା ଭାବୁ ଭାବୁ ବୁଢାର ହଠାତ୍ ବୁଢୀ କଥା ମନରେ ପଡିଲା; ତେଣୁ ସେ ଢେର୍ କାନ୍ଦିଲା, ଚାରିଆଡକୁ ଅନାଇଲା, ଦେଖିଲା କେହି ବି ତା’ର ସାହା ଭରସା ନାହିଁ । ବୁଢା ଦୁଃଖବେଳେ ବୁଢୀ କଥା ମନ ପକାଏ, ମାତ୍ର ସୁଖବେଳେ ସେ କାହାରିକୁ ବି ମନ ପକାଏନାହିଁ । ବୁଢା ପୁଣି ଭାବିଲା କାଳେ ତା’ପୁଅର କିଛି ଅମଙ୍ଗଳ ହେବ, ଏକଥା ଭାବି ସେ ତା’ମୁହଁ ପୋଛିଲା ଆଉ କାନ୍ଦିଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ