ଗୋପାଳବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ, ହେଲେ ସେ ବୁଢାକୁ ଏହା ଜଣାଇ ନାହାଁନ୍ତି । ସକାଳୁ ଉଠିଲେ । ଅବଜ୍ଞା ଭାବରେ କହିଲେ, “ଏ ବାବା, ମୁଁ ମଫସଲ ବାହାରିଲି । ଏହି ଜିନିଷପତ୍ର ସବୁ ଘେନିଆସ । କେତେ ବା ଜିନିଷ? ମାତ୍ର ଖବରଦାର, ମୂଲିଆ କରିବ ନାହିଁ; କଲେ ସେକଥା ତୁମେ ତୁମର ବୁଝିବ, ମୁଁ କିନ୍ତୁ ସେଥିଲାଗି ପଇସାଟିଏ ବି ଦେବି ନାହିଁ ।” ଏତିକି କହିସାରି ସେ ବାବୁ ପୋଷାକ ପିନ୍ଧି କାଖରେ ଛତା ଜାକି ବାଡି ଘୂରାଇ ଘୂରାଇ ଚାଲିଗଲେ । ଏ ବୁଢା ଏବେ କରିବ କଣ? ସବୁ ଜିନିଷ ରୁଣ୍ଡାଇ ପୁଣ୍ଡାଇ ଗୋଟିଏ ଗଣ୍ଠିରି ବାନ୍ଧି ତାକୁ ସେ ମୁଣ୍ଡାଇଲା । ଚାଲିପାରୁ ନାହିଁ, କାହିଁକିନା ଦେହରେ ତା’ର ଆଉ ବଳ ନାହିଁ, ଆଖିରୁ ବେଳେ ବେଳେ ପାଣି ବହିପଡୁଛି ତାର, ଦଶ ଜାଗା ବସି ଉଠି ସଞ୍ଜସରିକି ସେ ବୁଢା ଯାଇ ମକ୍ରାମପୁରରେ ପହଁଚିଲା । ଡେରି ହେବାରୁ ବାବୁ ଫଜିତଟାଏ କଲେ, ଏଣେ ଏ ବୁଢା ଗୁମ୍ ହୋଇ ବସି ତାର ଥକା ମେଂଟାଉଥାଏ ।
ବାବୁ ସକାଳ-ସଞ୍ଜ ଅଫିସକୁ ଯା’ନ୍ତି, ବୁଢାଟା ମୁହଁ ବୁଜି ବସାରେ କାମ ପାଇଟିରେ ସେମିତି ଲାଗିଥାଏ । ବାପପୁଅ ଦୁଇଜଣ ଏକ ଜାଗାରେ ବସି ଦିପଦ ସୁଖଦୁଃଖ କଥା ହେବାର କେହି କେବେ ବି ଦେଖି ନାହିଁ । ଡାକମୁନ୍ସି ହେଲେ ମଫସଲର ଗୋଟାଏ ହାକିମ । କେତେ ଲୋକ ନୀତି ଆସି ତାଙ୍କୁ ଦଣ୍ଡବତ କରିଯାଉଛନ୍ତି, ହେଲେ ଏ ମୂର୍ଖ ବୁଢାଟା କ’ଣ ଜାଣେ ଯେ ତା ସାଙ୍ଗରେ କିଏ କଥା କହିବେ?
ବୁଢା ଦେହରେ ସେ ମଫସଲର ପାଣି ମୋଟେ ଚଳିଲା ନାହିଁ. ତେଣୁ ଜର ହେଲେ ସେ ଖାଲି ଖୁଁ ଖୁଁ କରି କାଶେ, ଆଉ ସେହି କାଶଟା ରାତିକି ରାତି ବେଶି ହୁଏ । ବାବୁ ଶୋଇବାରେ ହରକତ ହେଲେ ପିଅନକୁ ହୁକୁମ୍ ଦିଅନ୍ତି “ସେ ବୁଢାଟାକୁ କିଆବାଡରେ ଫୋପାଡି ଦେଇଆସ ।” ସେ ପିଅନଟା ତ ମୂର୍ଖ, ଇଂରାଜୀ ପଢି ନାହିଁ, ମାତ୍ର ତାର ଗୋଟାଏ ଦେଶୀ ହୃଦୟ ଅଛି । ତେଣୁ ସେ ବିଚାର କଲା – “କଣ ଏ? ବୁଢା ରୋଗୀଟିକୁ କିଆବାଡରେ ଶୁଆଇ ଦେବି?” ଦିନେ ସେ ବୁଢାର ଭାରି ଜର । ତିନି ଦିନ ସେ ଖାଇ ନାହିଁ, ଅଧରାତି । ଅନ୍ଧାର । ତେଣୁ ଥଣ୍ଡା ପାଇ ସେ ବୁଢାର କାଶ ବଳି ପଡିଲା । ବାବୁ ତ ଭାରି ଖପା! ବୁଢା ଛାତିରେ ଦୁଇଟା ଇଂରାଜୀ ଘୂଷି ମାରିଲେ, ତା’ପରେ ତାର ବିଛଣାପତ୍ର ବାହାରକୁ ଫୋପାଡିଦେଲେ । ବୁଢା ଗାଁକୁ ପଳାଇଲା ।
ପାଖରେ ଥିବା ଖୁବ୍ ଭଲ ଲୋକଙ୍କଠାରୁ ଶୁଣାଯାଇଛି, ଗୋପାଳବାବୁଙ୍କ ମନ ସେହିଦିନଠାରୁ ବଡ ଖୁସି । ଆଉ ଏଣେ ଏ ବୁଢା ତା ଗାଁକୁ ଆସି ତାହାର ଯେଉଁ ଦୁଇ ମାଣ ଜମି ଥିଲା, ତାକୁ ସେ ଭାଗରେ ଲଗାଇ ଦେଲା । ଘରେ ବସି ସେ ଧାନ ପାଏ । ପେନ୍ସନ୍ ଟଙ୍କାରେ ଲୁଗାପଟା, ଲୁଣତେଲ ଖର୍ଚ୍ଚ ତାର ଚଳେ । କାଶ ହେଲା ଦିନଠୁଁ ସେ ବୁଢା ଟିକିଏ ଟିକିଏ ଅଫିମ ଧରିଛି । ସବୁ ଖର୍ଚ୍ଚ ତା’ର ଚଳେ । ଘରଠାରେ ପିଣ୍ଡାରେ ବସି ସେ ହରିନାମ କରେ । ଉଛୁଣି ସେ ବାପପୁଅ ଦୁହେଁ ଖୁସି । ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅ ।
ଗାଳ୍ପିକ – ଫକୀରମୋହନ ସେନାପତି