କୋହ୍ଲାପୁର ଜଙ୍ଗଲ ପାଖରେ ଏକ ଛୋଟ ପାହାଡ ଉପରେ ଜଣେ ତାନ୍ତ୍ରିକ ବୁଢୀ ଘର କରିଥାଏ । ତାକୁ ସେ ଗାଁ ଲୋକେ ସମସ୍ତେ ଡାକିନୀ ବୋଲି କୁହନ୍ତି । ସେ ବୁଢୀ ପାଖରେ ବହୁତ ତନ୍ତ୍ରମନ୍ତ୍ରର ଶକ୍ତି ଥାଏ । ତେଣୁ ସେ କାହାରିକୁ ବି ଆଦୌ ଡରେ ନାହିଁ । ଦୁନିଆରେ ତା’ର ଗୋଟିଏ ବୋଲି ନିଜର ଲୋକ ଥାଏ । ସେ ହେଉଛି ତା’ର ଏକମାତ୍ର ଝିଅ କମଳା । ବୁଢୀ କମଳା ପାଇଁ ମନେ ମନେ ବର ଖୋଜୁଥାଏ । କିନ୍ତୁ ଡରରେ କେହି ମଧ୍ୟ ସେ ଅଂଚଳ ଯମା ମାଡନ୍ତି ନାହିଁ ।
ଦିନେ ସଂଧ୍ୟା ହେବାର ଅଳ୍ପ ସମୟ ପୂର୍ବରୁ ବୁଢୀ ଦେଖିଲା ଯେ, ଯୁବକଟିଏ ତା’ ଘର ଆଡକୁ ଆସୁଛି । ସେତେବେଳେ ତ ସେ ବୁଢୀ ତା’ ଘରର ପିଣ୍ଡାରେ ଖଟିଆଟିଏ ଉପରେ ବସିଥାଏ ଓ ତା’ ଝିଅ ତା’ର ତମ୍ବାପରି କେଶକୁ କୁଣ୍ଡାଉଥାଏ ।
ଯୁବକକୁ ଦେଖିବା ମାତ୍ରେ ବୁଢୀ କହିଲା, “ତୁ କିଏରେ ଏଡେ ସାହସୀ? ଏ ପାହାଡକୁ, ପୁଣି ମୋ ଘରକୁ କେମିତି ଆସିଲୁ? ଜୀବନକୁ ତୋର ଭୟ ନାହିଁ କିରେ?”
ଏକଥା ଶୁଣି ସେ ଯୁବକଟି କହିଲା, “ମାଉସୀ, ଭୟ ନାହିଁ ବୋଲି ତ ମୁଁ ଏଠାକୁ ଆସିଛି । ଯଦି ଚାହଁ ତ ମୋତେ କୁକୁଡା ବା ବଗ କରିଦିଅ । ତା’ପରେ ମୋତେ କାଟି ଖାଇଦିଅ ।”