ଯୁବକଟି ଠାରୁ ଏଭଳି କଥା ଶୁଣି ବୁଢୀ ତାକୁ ପଚାରିଲା, “ପ୍ରଥମେ ମୋତେ କହ ତୋର ଏମିତି କେଉଁ କାରଣ ପାଇଁ ମରିବା ବେଶି ଦରକାର?”
ଇତିମଧ୍ୟରେ କମଳା ଘର ଭିତରକୁ ଯାଇ ଯୁବକ ପାଇଁ ଥଣ୍ଡା ପିଇବା ପାଣି ନେଇ ଆସିଲା । ସେ ଯୁବକ ପାଣିତକ ବିକଳରେ ପିଇ ପକାଇଲା । ତା’ପରେ ସେ କହିଲା, “ମାଉସୀ, ମୋ ନାମ ହେଉଛି ସୁର । ମୁଁ ମୋର ପଡିଶା ଘରର ଝିଅ ବିମଳାକୁ ବିବାହ କରିବାକୁ ଚାହେଁ । କିନ୍ତୁ ତା’ର ବାପା ତା’ ପାଇଁ ଅନ୍ୟ କେଉଁଠି ବିବାହ ପ୍ରସ୍ତାବ ପକାଉଛନ୍ତି । ଆଜି ସକାଳେ ତାଙ୍କ ସହିତ ମୋର ଦେଖା ହୋଇଥିଲା । ମୁଁ କହିଲି ବିବାହ କରିବି ତ କେବଳ ବିମଳାକୁ, ନହେଲେ ଆଜୀବନ ବ୍ରହ୍ମଚାରୀ ହୋଇ ରହିବି କିମ୍ବା ଦଉଡି ଲଗାଇ ମୁଁ ଆତ୍ମହତ୍ୟା କରିବି । ମାତ୍ର ମୋର ଏକଥା ଶୁଣି ସେ ରାଗରେ କହିଲେ, ‘ଦୁଇକଡା କଉଡି ପଛକେ ରୋଜଗାର କରିବାର କ୍ଷମତା ନାହିଁ; ସେଥିରେ ପୁଣି ୟାର ବାହା ହେବାକୁ ସଉକ୍ ଦେଖ!’ ଏପରି କେତେ କଥା କହି ସେ ମୋତେ ଅପମାନ ଦେଲେ । ତେଣୁ ମୁଁ ଭାବୁଛି ଏ ଜୀବନରେ ବଂଚିକି ମୋର ବା ଆଉ ଲାଭ କ’ଣ? କେବଳ ସେଇଥିପାଇଁ ମୁଁ ଏଠାକୁ ଆସିଲି ।”
ସବୁ ଘଟଣା ଶୁଣି ସାରିବା ପରେ ବୁଢୀ ସେଠାରୁ ଉଠି ପାହାଡ ତଳରେ ଥିବା ଝରଣା କୂଳକୁ ଗଲା । ସେଠାରୁ ସେ କଳା ବତକଟିଏ ଧରି ଫେରିଲା । ତା’ପରେ ସେଇଟି ଯୁବକକୁ ଦେଇ ବୁଢୀ କହିଲା, “ଆରେ, ଇଏ ଏକ ବିଚିତ୍ର ବତକ ଅଟେ । ତାକୁ ଯେତେବେଳେ କହିବୁ ସେ ସେହିକ୍ଷଣି ଅଣ୍ଡା ଦେବ । ଠିକ୍ ସଂଧ୍ୟାବେଳକୁ ଅଣ୍ଡାଗୁଡିକ ବିକ୍ରି କରି ତୁ ଓ ତୋର ସ୍ତ୍ରୀ ଆନନ୍ଦରେ ଚଳିବ । ଏଥର ତୁ ଶୀଘ୍ର ଯାଇ ବିମଳାର ବାପାଙ୍କୁ ଏକଥା କହ ।”
ଏଥୁଅନ୍ତେ ସେ ଯୁବକଟି ସେହି ବତକଟିକୁ ନେଇ ସେଠାରୁ ଚାଲିଗଲା । କିନ୍ତୁ ତା’ପରଦିନ ପୁଣି ସେହି ବତକକୁ ଧରି ଯୁବକଟି ଫେରି ଆସିଲା । ତାକୁ ଦେଖି ବୁଢୀ ପ୍ରଶ୍ନ କଲା, “ପୁଣି କ’ଣ ହେଲା?”
କମଳା ଯୁବକକୁ ଦେଖି ଘର ଭିତରୁ ଥଣ୍ଡା ପାଣି କିଛି ଆଣି ତାକୁ ଦେଲା । ଯୁବକଟି ପାଣି ପିଇସାରି ବୁଢୀ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା, “ବିମଳାର ବାପା ଏ ବତକର କଥା ଶୁଣି ଓ ୟାକୁ ଦେଖି କହିଲା, ‘ମୁଁ ଯଦି ମୋ ଧଳା ବିଲେଇକୁ ଏ କଳା ବତକ ଉପରକୁ ଛାଡିବି ତେବେ ମୁହୂର୍ତ୍ତରେ ତା’ ବେକଟି ଦୁଇଖଣ୍ଡ ହୋଇଯିବ । ତା’ପରେ ତୁ ପଇସା କେଉଁଠୁ ଆଣିବୁ?’ ମୁଁ ତାଙ୍କର ସେ ପ୍ରଶ୍ନର ଉତ୍ତର ଦେଇ ନପାରି ଚୁପ୍ଚାପ୍ ସେଠାରୁ ଲେଉଟି ଆସିଲି । ଏବେ ତୁମେ ନିଅ ତୁମର ଏ ବତକ ।”
ଏକଥା ଶୁଣି ବୁଢୀ ତା’ ଘର ଭିତରକୁ ଯାଇ ଏକ ବଡ ପାଛିଆ ଉଠାଇ ଆଣି କହିଲା, “ଏହି ପାଛିଆ ଭିତରକୁ ଚାହିଁ ତୁ ଯେଉଁ ପରିବା ନାମ କହିବୁ ଏହି ପାଛିଆ ସେହିଥିରେ ହିଁ ଭର୍ତ୍ତି ହୋଇଯିବ । ତୁ ସେସବୁ ବିକି ପରିବା ଦୋକାନଟିଏ କରି ଅତ୍ୟନ୍ତ ସୁଖରେ ଚଳିବୁ । ତୁ ଯାଇ ଏକଥା ତୋର ଶଶୁରକୁ କହ ।”