ପାଛିଆଟି ନେଇ ସେ ସୁର ଲେଉଟିଗଲା । କିନ୍ତୁ ତା’ପରଦିନ ପାଛିଆଟି ଧରି ସେ ପୁଣି ଆସିଲା ଓ କହିଲା, “ମାଉସୀ, କ’ଣ କହିବି; ପାଛିଆର ଗୁଣ କହିବା ପୂର୍ବରୁହିଁ ବିମଳାର ବାପା କହିଲେ, “ମୁଁ ଯଦି ତୋ ପାଛିଆରେ ନିଆଁ ଲଗେଇ ଦେବି ତାହେଲେ ତୁ କ’ଣ କରିବୁ?” ଆପଣ କୁହନ୍ତୁ ଯେ, ମୁଁ ଏବେ କରିବି କ’ଣ?”
ସବୁଶୁଣି ସେ ବୁଢୀ ଘର ଭିତରକୁ ଉଠିଗଲା ଓ ଛୋଟିଆ ପେଡିଟିଏ ନେଇ ଆସି କହିଲା, “ଇଏ ଏକ ଆଶ୍ଚର୍ଯ୍ୟ ପେଟିକା । ଏହା ଉପରେ ହାତ ରଖି ତୁ ଯାହା ବି କିଛି ମାଗିବୁ ତତ୍କ୍ଷଣାତ୍ ତାହା ତୁ ପାଇଯିବୁ ।”
ସୁର ସେହି ପେଡିଟି ମୁଣ୍ଡ ଉପରେ ରଖି ଚାଲିଲା । କିନ୍ତୁ ତା’ ପରଦିନ ପେଡିଟିକୁ ଧରି ସେ ପୁଣି ଫେରି ଆସିଲା । ଏହା ଦେଖି ବୁଢୀ ପଚାରିଲା, “ପୁଣି କ’ଣ ହେଲା? ବିମଳାର ବାପା କ’ଣ ଏଥିରେ ମଧ୍ୟ ସନ୍ତୁଷ୍ଟ ହେଲା ନାହିଁ?”
ଏହା ଶୁଣି ସୁର କହିଲା, “ଏବେ ଆଉ ତା’ କଥା ମୋତେ କିଛି ବି କୁହନାହିଁ । ତା’ର ନା ଶୁଣିଲେ ମୋ ହାଡ ଖାଲି ଜଳି ଯାଉଛି । ସେ ଯାହା ସବୁ ମୋତେ କହିଲା ଯଦି ମୁଁ ତୁମକୁ ତାହା କହିବି ତାହେଲେ ତୁମେ ମଧ୍ୟ ମୋ ପରି ରାଗି ନିଆଁବାଣ ହୋଇଯିବ ।”
ଯୁବକର ସମସ୍ତ କଥା ଶୁଣି ବୁଢୀ କହିଲା, “ତାର ଏତେ ସାହସ? ଏବେ ତୁ ମୋତେ କହ ଯେ, ସେ କ’ଣ କହିଲା? ମୋତେ ଶିଘ୍ର କହ; ମୁଁ ତାକୁ ଟିକିଏ ଦେଖି ନେଉଛି ।”
କମଳା ପ୍ରତିଦିନ ପରି ଆଜି ମଧ୍ୟ ଥଣ୍ଡାପାଣି ଆଣି ଦେଲା; କିନ୍ତୁ ସୁରକୁ ନ ଦେଇ ସେ ତା’ ମା’ ହାତରେ ଦେଲା ଆଉ କହିଲା, “ମା’, ତମେ ଏତେ ଧଇଁସଇଁ କାହିଁକି ହେଉଛ? ମନେ ହେଉଛି ତୁମ ଦେହ ବୋଧେ ଭଲ ନାହିଁ ।”
ବୁଢୀ ସେ ପାଣିତକ ଏକା ନିଶ୍ୱାସରେ ପିଇଦେଇ କହିଲା, “ଏବେ କହ ସେ ବଦମାସ ଗଧ କ’ଣ କହିଛି ।”
ତହୁଁ ସୁର କହିଲା, “ସେ ପ୍ରଥମେ ଏହି ପେଡିର ଆଶ୍ଚର୍ଯ୍ୟ ଗୁଣ ବିଷୟ ସବୁ ଶୁଣିଲା; ସବୁ ଶୁଣି ସେ ଆଶ୍ଚର୍ଯ୍ୟ ମଧ୍ୟ ହେଲା । ତା’ପରେ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ସେ ମୋ ଆଡକୁ ଚାହିଁ କହିଲା, ‘କେଉଁଠୁ ତୁ ଏ ସବୁ ଚମତ୍କାର ଜିନିଷ ଆଣୁଛୁ? ମନେ ହେଉଛି ତୁ ବୋଧେ ସେହି ଲାଲ ପାହାଡକୁ ହିଁ ଯାଉଛୁ । ସେଠାରେ ଜଣେ ବୁଢୀ ତାନ୍ତ୍ରିକ ରହେ । ବୋଧହୁଏ ସେ ତୋ ଉପରେ ଦୟାକରି ତୋତେ ଏଭଳି ସାହାଯ୍ୟ କରୁଛି । ସେପରି ଅବସ୍ଥାରେ ତୁ ମୋ ଝିଅକୁ ବାହା ହେବାକୁ କାହିଁକି ଚାହୁଁଛୁ? ସେ ବୁଢୀର ତ ଝିଅଟିଏ ଅଛି । ତୁ ତାକୁ କାହିଁକି ବାହା ହୋଇ ପଡୁନାହୁଁ? ତା’ରି ସହିତ ତୋର ବିବାହ ହେଲେ ଏକା ପ୍ରକାର ଓ ଏକା ଜାତିର ଲୋକ ସହିତ ଖୁବ୍ ଭଲ ହେବ ।’ ଏତିକି କହି ସେ ମୋତେ ସେଠାରୁ ବାହାର କରିଦେଲା ।”
ସବୁ କଥା ଶୁଣି କମଳା ଆଉ ସେଠି ନରହି ଘର ଭିତରକୁ ପଳାଇଲା । କିଛି ସମୟ ଧରି ସେ ବୁଢୀ କିଛି ଗୋଟେ ଭାବିଲା; ତା’ପରେ ସେ କହିଲା, “ସେ ଯାହା ବି କିଛି କହିଲା କାହିଁ ତାହା ତ ମୋତେ କିଛି ବି ସେମିତି ଅସ୍ୱାଭାବିକ ଲାଗୁନାହିଁ । କ’ଣ ତୁ ଏ ପ୍ରସ୍ତାବରେ ରାଜି?”
ବୁଢୀର ଏପରି କଥା ଶୁଣି ସୁର ଟିକିଏ ଥତମତ ହୋଇ କହିଲା, “ମୋତେ କ’ଣ କମଳା ପସନ୍ଦ କରିବ?”