ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଡାକିନୀ ଝିଅ

ସୁର କଥା ଶୁଣି ସେ ବୁଢୀ କହିଲା, “କମଳା କଥା ଛାଡ । ମୁଁ ଯାହା ବି କହିବି ସେ ତାହା ମାନିବାକୁ ବାଧ୍ୟ । ଏବେ କହ, ବିବାହ କେଉଁଠି ଓ କେବେ ହେବ?”

ବୁଢୀର ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁର କହିଲା, “ମୋତେ ତ ସହରରେ ଚାକିରୀ ମିଳିଛି । ତେଣୁ ଏ ବିବାହଟା ନିରାଡମ୍ବରେ କୌଣସି ଏକ ମନ୍ଦିରରେ ହୋଇଗଲେ ଖୁବ୍ ଭଲ ।”

ତା’ପରେ ଦୁଇଦିନ ମଧ୍ୟରେ ବିବାହ ଉତ୍ସବ ସମାପ୍ତ ହେଲା । ସୁର, ତା’ ସ୍ତ୍ରୀ କମଳାକୁ ଧରି ସହରକୁ ଯିବା ପୂର୍ବରୁ ବୁଢୀ ସୁରକୁ ପଚାରିଲା, “ପୁଅ, ତୁ ଏ ତିନିଟି ଆଶ୍ଚର୍ଯ୍ୟ ଜିନିଷ ତୋ ସାଙ୍ଗରେ ନେବୁନାହିଁ?”

ତହୁଁ ସେ ସୁର ତା’ ଶାଶୁ ମା’କୁ କହିଲା, “ଏ ସବୁର ଆବଶ୍ୟକତା ମୋ ପାଇଁ ବିଶେଷ କିଛି ଲୋଡା ନାହିଁ ମାଉସୀ । ମୁଁ ଚାକିରୀ କରି ଯାହା କିଛିଟା ଆଣିବି ସେତକ ହିଁ ଆମ ପାଇଁ ଯଥେଷ୍ଟ । ତାଛଡା ଏସବୁ ଜିନିଷ ଉପରେ ନିର୍ଭର କରିବା ଆଦୌ ଭଲ କଥା ନୁହେଁ ।”

ଜ୍ୱାଇଁ କଥା ଶୁଣି ଶାଶୁ ବୁଢୀ ଖୁସିରେ ଗଦ୍ ଗଦ୍ ହୋଇ କହିଲେ, “ସାବାସ୍, ପୁଅ ତୁମେ ଯାହା କହିଲ ତାହା ଲକ୍ଷେ ଟଙ୍କାର କଥାଟା ।”

ସୁର କହିଲା, “ମାଉସୀ, ଆମେ ସେଠାରେ ଥଇଥାନ୍ ହେବା ପରେ ମୁଁ ଆସି ତୁମକୁ ଏଠାରୁ ନେଇଯିବି । ତୁମେ କମଳା ପାଖେ ରହିବ । ତାଛଡା ସେ ତ ତୁମର ଏକାମାତ୍ର ସନ୍ତାନ ।”

ଜ୍ୱାଇଁ କଥା ଶୁଣି ଶାଶୁ ବୁଢୀ ପୁଣି କହିଲେ, “ହଉ, ମୁଁ ଗଲେ ମାସେ ପନ୍ଦରଦିନ ପାଇଁ ଯିବି ସିନା । ହେଲେ ମୋ ବିଦ୍ୟା ତ ମୁଁ ସେଠାରେ ଆଉ ସାଧି ପାରିବି ନାହିଁ । ତେଣୁ ମୋର ଏଇଠି ଭଲ । ଅବଶ୍ୟ ଯିବା ଆସିବା କରିବି । ମୋ ବିଷୟରେ ତୁମର କିଛି ଭାବିବା ଆଦୌ ଦରକାର ନାହିଁ । କାହିଁକିନା ଯାଦୁବଳରେ ମୁଁ ସବୁ କରିପାରିବି, ମୋର କୋଉଥିରେ କିଛି ବି ଅସୁବିଧା ହେବ ନାହିଁ । ଖାଲି ଯାହା ଟିକେ ଚିନ୍ତା ଥିଲା ଏକମାତ୍ର କମଳାର ହେଲେ ଏବେ ତ ମୁଁ ସେ ଚିନ୍ତାରୁ ମୁକ୍ତ ।”

ସକାଳୁ ସକାଳୁ ସେମାନେ ସହରକୁ ଯିବା ପାଇଁ ବାହାରିଗଲେ । ଘଂଟାଏ ଚାଲିବା ପରେ ବିଶ୍ରାମ ନେବାକୁ ଗଛ ଛାଇରେ ବସି ମା’ ଦେଇଥିବା ଖାଦ୍ୟ ପୁଟୁଳା ଖୋଲିଲେ । ହଠାତ୍ ସେଥିରୁ ଗଳି ପଡିଲା ଚିଠିଟିଏ । ସେଥିରେ ଲେଖାଥିଲା, “ପିଲାମାନେ, ତୁମେ ଭାବିବନାହିଁ ଯେ ଯେଉଁ ନାଟକଟି ହେଲା ସେ କଥା ମୁଁ କିଛି ବି ଜାଣିନାହିଁ । ପ୍ରଥମ ଦିନରୁ ହିଁ ମୁଁ ଜାଣିପାରିଥିଲି ଯେ ସୁର କମଳା ପାଇଁହିଁ ଏଠାକୁ ଆସିଛି । ତାହାର ବହୁତ ଆଗରୁ ତୁମେ ଦୁହେଁ ଲୁଚି ଲୁଚି କଥା ହଉଥିଲ ଓ ମିଳାମିଶା ବି କରୁଥିଲ, ସେ କଥା ମୁଁ ଠିକ୍ ଲକ୍ଷ୍ୟ କରିଛି । ହେଲେ ମୁଁ ଯାହା ଖାଲି ତୁମର ଟିକେ ପ୍ରେମର ପରୀକ୍ଷା ନେଉଥିଲି । କେବଳ ସେଇଥିପାଇଁ ତ ସୁରକୁ ମୁଁ ବାରମ୍ବାର ନୂଆ ନୂଆ ଆଶ୍ଚର୍ଯ୍ୟ ଜିନିଷ ଦେଇ ତାକୁ ପ୍ରଲୋଭନରେ ପକାଉଥିଲି । ମୁଁ ଜାଣିଥିଲି ସୁରର ପ୍ରେମ ଗଳ୍ପ ମନଗଢା । ହେଲେ ସୁର, ତୁ ଯେତେବେଳେ ଆଶ୍ଚର୍ଯ୍ୟ ପେଡି ଫେରାଇ ଦେଲୁ ମୁଁ ଠିକ୍ ସେତେବେଳେ ହିଁ ଜାଣିଲି ଯେ, ତୋର କମଳା ପ୍ରତି ଗଭୀର ପ୍ରେମ ଅଛି । ଏବେ ମୋର ଭଗବାନଙ୍କ ପାଖରେ କେବଳ ଏତିକି ପ୍ରାର୍ଥନା ତୁମେ ଦୁହେଁ ସୁଖରେ ରୁହ । ମୋତେ ଯିବାକୁ ସହରକୁ କହୁଥିଲ । ବରଂ ତମେମାନେ ଆସି କିଛିଦିନ ମୋ ପାଖରେ ରହିଲେ ମୁଁ ଖୁବ୍ ଆନନ୍ଦିତ ହେବି ।”

ଚିଠି ପଢି ସେ ଦୁହିଁଙ୍କ ଆଖି ଛଳଛଳ ହେଲା । କମଳା କହିଲା, “ଦେଖ, ମୋ ମା’ ମୋତେ କେତେ ଭଲପାଏ । ତାକୁ ସମସ୍ତେ ସିନା ଡାକିନୀ ବୋଲି କହନ୍ତି, କିନ୍ତୁ ସତରେ ସେ ଜଣେ ଦେବୀ । ଆଉ ମୋତେ କୁହନ୍ତି ଡାକିନୀର ଝିଅ ।” କମଳାର ଏଭଳି କଥା ଶୁଣି ତା ସ୍ୱାମୀ ତଥା ସୁର ହସି ହସି କହିଲା, “ଏବେ ତ ତୁମକୁ ସମସ୍ତେ ସୁରର ସ୍ତ୍ରୀ କହିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ