ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଡାକୁ ଉଗ୍ରଶୀଳ

                “ସର୍ଦ୍ଦାର! ଡାକୁ କେବେ ଶିଶୁ ଦେଖିଲେ ତରଳି ଯାଇପାରେ? ତମ ଆଚରଣ ବଡ ବିଷମ ଲାଗୁଛି । ତମ ନିଜ ପୁଅ କଥା ସ୍ମରଣ କରି ଏପରି କରୁଛ ବୋଲି ଆମେ ବୁଝୁଛୁ । କିନ୍ତୁ ପିଲାପିଲି କ’ଣ ଖାଲି ତମରି ଅଛନ୍ତି, ଆମର ନାହାଁନ୍ତି? ଆମେ ଡାକୁ; ଆମ ଆଚାର ବ୍ୟବହାର ଡାକୁ ଭଳି ହେବା ଆବଶ୍ୟକ ।” ଉଗ୍ରଶୀଳର ଦୁଇ ପ୍ରଧାନ ସହକାରୀ ଡାକୁ କେତେଥର ତାକୁ ଏହି କଥା କହିଲେ ।

                ଉଗ୍ରଶୀଳ ସେମାନଙ୍କ କଥାର ଆଦୌ କୌଣସି ପ୍ରତିବାଦ କରେ ନାହିଁ କି କିଛିବି ଜବାବ୍ ଦିଏ ନାହିଁ ।

ଦିନେ ଡକାଏତି କରିବାକୁ ବାହାରି ସେମାନେ ଗାଁକୁ ଯିବା ପୂର୍ବରୁ ବଣ ଭିତରେ ଅପେକ୍ଷା କରିଥାନ୍ତି । ଉଗ୍ରଶୀଳକୁ ଅଳ୍ପ ସମୟ ସକାଶେ ନିଦ ଲାଗିଗଲା । ସେ ସ୍ୱପ୍ନରେ ଦେଖିଲା, ସ୍ତ୍ରୀ ଓ ଶିଶୁ ସହ ସେ ପର୍ବତ ଉପରେ ବୁଲୁଛି । ହଠାତ୍ ରାଜାଙ୍କ ଘୋଡ୍ସବାର୍ କଟୁଆଳ ଆସି ତା’ ଉପରକୁ ବର୍ଚ୍ଛା ଫୋପାଡିଲା । ତା’ ସ୍ତ୍ରୀ ଚମକି ପଡିଲା । ପଥର ଉପରୁ ଗୋଡ ଖସିଯିବାରୁ ସେ ଶିଶୁପୁତ୍ର ସହ ଯାଇ ତଳେ ପଡିଲା ।

ଉଗ୍ରଶୀଳର ମନେ ହେଲା, ସେ ଚିତ୍କାର କଲା । ତା’ ନିଦ ଭାଙ୍ଗିଗଲା । ସତରେ ଅବଶ୍ୟ ସେ ଚିତ୍କାର କରି ନଥିଲା । ତେବେ ନିଦରୁ ଉଠି କାହା ସହ କଥାବାର୍ତ୍ତା ନକରି ଚୁପ୍ଚାପ୍ ସେ ବସି ରହିଲା ।

ସଞ୍ଜ ହେବାରୁ ତା’ ଅନୁଚରମାନେ କହିଲେ, “ସର୍ଦ୍ଦାର, ଏଥର ଗାଁ ଭିତରକୁ ଯିବା ।”

ସେ କିଛି ନ କହିବାରୁ ସେମାନେ ବିସ୍ମିତ ହୋଇ ପଚାରିଲେ, “କ’ଣ ଦେହ ଭଲ ଲାଗୁନାହିଁ?”

ଉଗ୍ରଶୀଳ କହିଲା “ଦେହ ଠିକ୍ ଅଛି । ମନ ଭଲ ନାହିଁ । ଘରକୁ ଫେରି ଚାଲ ।”

ତା’ ମୁଖ୍ୟ ସହକାରୀ ଦୁଇଜଣଙ୍କ ଭିତରୁ ଜଣେ କହିଲା “ସେ କିପରି କଥା? ଡକାଏତି କରିବାକୁ ବାହାରି ଅଧାବାଟରୁ ଫେରିଯିବା ତ ଆମ ଜୀବନରେ କେବେବି ଘଟିନାହିଁ!”

ଉଗ୍ରଶୀଳ କହିଲା “ଏଣିକି ମୁଁ ଆଉ ଡକାଏତି କରିବି ନାହିଁ । ଠିକ୍ ମନେକଲେ ମୁଁ ଏପରିକି ରାଜା ପାଖରେ ଯାଇ ମୋ ଅପରାଧ ସ୍ୱୀକାର କରିପାରେ । ଅବଶ୍ୟ ମୋ ପଥ ତମେମାନେ ଅନୁସରଣ କର ବୋଲି ମୁଁ କହୁନାହିଁ ।”

ଏହା ପରେ ସେ ଉଠିପଡି ପାହାଡ ଆଡେ ଚାଲିଲା । ସେ ଏପର୍ଯ୍ୟନ୍ତ ସେମାନଙ୍କ ସର୍ଦ୍ଦାର । ତେଣୁ ଅନ୍ୟମାନେ ନିୟମ ଦୃଷ୍ଟିରୁ ତାକୁ ଅନୁସରଣ କରି ପାହାଡ ମୁଲକରେ ଥିବା ନିଜ ନିଜ ଘରକୁ ଫେରିଗଲେ ।

ରାତିରେ ଉଗ୍ରଶୀଳକୁ ଆଉ ନିଦ ହେଲା ନାହିଁ । ସେ ମଝି ରାତିରେ ଘରୁ ବାହାରି ଅନ୍ଧାର ଭିତରେ ଗୋଟାଏ ପଥର ଉପରେ ବସିଛି, ଅଳ୍ପ ଦୂରରେ ତା’ର ମୁଖ୍ୟ ସହକାରୀ ଦୁଇଜଣ କଥା ହେଉଥିବାର ସେ ଶୁଣିଲା । ଜଣେ କହିଲା, “ସର୍ଦ୍ଦାର ଯଦି ଡକାଏତି ଛାଡି ବାହାରେ ଭଲ ମଣିଷ ଭଳି ରହିବାକୁ ଯିବ, ତେବେ ତ ଜାଣ କଥା ସରିଲା । ରାଜା ଘୋଷଣା କରିଛନ୍ତି, ଯିଏ ତାକୁ ଧରିଦେବ ସିଏ ଲକ୍ଷେ ଟଙ୍କା ପୁରସ୍କାର ପାଇବ । ସେ ବାହାରକୁ ଯିବା ମାତ୍ରେ ଲୋକେ ତାକୁ ଧରିନେବେ ଓ ରାଜାଙ୍କ ପାଖକୁ ନେଇଯିବେ । ସେଠାରେ ତା’ଠୁ ଆମ କଥା ସବୁ ରାଜାଙ୍କ କଟୁଆଳ ବୁଝିବେ । ଆମେ ଧରା ହେବା । ବର୍ତ୍ତମାନ କ’ଣ କହୁଛ?”

ଦ୍ୱିତୀୟ ସହକାରୀ କହିଲା, “ବନ୍ଧୁ! ତମ ମନରେ ଯାହା ଅଛି, ମୋ ମନରେ ବି ସେଇଆ । ସୂର୍ଯ୍ୟୋଦୟ ପୂର୍ବରୁ ଆମକୁ ଏପରି ଏକ ବ୍ୟବସ୍ଥା କରିବାକୁ ହେବ ଯାହା ଦ୍ୱାରା ସର୍ଦ୍ଦାର ଆଉ ଦିବାଲୋକ କେବେବି ଦେଖିବ ନାହିଁ । ଭାବୁଛି, ଖାଲି ସର୍ଦ୍ଦାରକୁ ଖତମ୍ କଲେ ଚଳିବ ନାହିଁ । ତା’ ସ୍ତ୍ରୀ ଓ ଶିଶୁକୁ ବି ଏ ପୃଥିବୀରୁ ସବୁଦିନ ଲାଗି ବିଦାୟ ଦେବାକୁ ହେବ । ତା’ହେଲେ ଯାଇ ଆମେ ନିରାପଦ ହେବା ।”

ସର୍ଦ୍ଦାର ଚୁପ୍ଚାପ୍ ନିଜ ଘରକୁ ଆସି ସଙ୍ଗେ ସଙ୍ଗେ ସ୍ତ୍ରୀ ଓ ଶିଶୁକୁ ଧରି ଲୁଚି ଲୁଚି ସେଠାରୁ କୁଆଡେ ଚାଲିଗଲା । ସାରା ରାତି ଚାଲି ଚାଲି ଭୋର୍ ବେଳକୁ ସେ ଯାଇ ବଣରୁ ବାହାରିଲା । ଗୋଟିଏ ଗାଁରେ ଦିନଟିଏ ବିଶ୍ରାମ କରି ପରଦିନ ଗୋଟାଏ ଶଗଡ ଭଡା କରି ସେମାନେ ଯାଇ ସହରରେ ପହଁଚିଲେ ଓ ଗୋଟିଏ ଚଟିଘରେ ଯାଇ ଆଶ୍ରୟ ନେଲେ । ପରଦିନ ସକାଳେ ସର୍ଦ୍ଦାର ତା’ ସ୍ତ୍ରୀକୁ କହିଲା, “ମୁଁ ଆଜି ରାଜାଙ୍କ ପାଖରେ ଆତ୍ମସମର୍ପଣ କରିବି । ସମ୍ଭବତଃ ସେ ମୋତେ ମାରିଦେବେ ବା କାରାରୁଦ୍ଧ କରିବେ । ସେଥିରେ ବି ମୁଁ ଶାନ୍ତି ପାଇବି । ଜୀବନରେ ଯେତେ ଅନ୍ୟାୟ ଓ ନିଷ୍ଠୁରତା କରିଛି, ସେ ଦୃଷ୍ଟିରୁ କ୍ଷମା ତ ମୋର ପ୍ରାପ୍ୟ ନୁହେଁ । ତମ ଦାଇତ୍ତ୍ଵ ଭଗବାନଙ୍କ ହାତରେ ।”

ତା’ ସ୍ତ୍ରୀ କାନ୍ଦିଲା ଓ କହିଲା, “ତମେ ଡକାଏତି ଛାଡି ଦେଲ ଭଲ କଲ । କିନ୍ତୁ ଆପଣା ଛାଏଁ ଯାଇ ଆତ୍ମସମର୍ପଣ କରିବା କ’ଣ ଦରକାର? ଆମେ ସାଧାରଣ ନାଗରିକ ଭାବରେ ଚଳିଲେ କ’ଣ ହେବ ନାହିଁ?”


ଗପ ସାରଣୀ

ତାଲିକାଭୁକ୍ତ ଗପ