ସର୍ଦ୍ଦାର କହିଲା “ନା, ସର୍ବଦା ମୋତେ ଆତଙ୍କିତ ହୋଇ ରହିବାକୁ ପଡିବ । ତା’ଛଡା ମୁଁ କିପରି ଚଳିବି? ସେ ପାପଧନ ମୁଁ ମୋ ସାଥିରେ ଆଣି ନାହିଁ । ଦୈବାତ୍ ଯେତିକି ପଇସା ମୁଣିରେ ଥିଲା, ଶଗଡ ଓ ଚଟିଘର ଭଡାରେ କିଛି ଯାଇଛି । ଆଉ ଯାହା ଅଛି, ତମେମାନେ ସେଥିରେ ସାତ ଆଠଦିନ ଏଠି ରହି ପାରିବ । ରାଜା ମୋତେ ଫାସି ଦେଲେ ବା କାରାରୁଦ୍ଧ କଲେ ଏ ରାଜ୍ୟର ନିୟମ ଅନୁସାରେ ତମମାନଙ୍କୁ ଅନାଥାଶ୍ରମରେ ଆଶ୍ରୟ ମିଳିବ ।” ତା’ପରେ ସେ ଆଉ କିଛି ନ ଶୁଣି ତା’ ସ୍ତ୍ରୀ କାନ୍ଦୁଥିବା ସତ୍ତ୍ୱେ ଚଟିଘରୁ ବାହାରିଗଲା ।
ସେ ରାତିଯାଏଁ ଅପେକ୍ଷା କଲା । ତା’ପରେ ସେ ନିଜର ସ୍ୱାଭାବିକ କୌଶଳ ଅବଲମ୍ବନ କରି ପ୍ରାସାଦ ଛାତ ଉପରେ ଚଢି ପ୍ରହରୀମାନଙ୍କ ଦୃଷ୍ଟି ଏଡାଇ ରାଜାଙ୍କ ଶୟନକକ୍ଷ ଆଗରେ ଯାଇ ପହଁଚିଲା ।
ରାଜା ତାଙ୍କ ପଲଙ୍କ ଉପରକୁ ଉଠୁଥିଲେ, ସେତିକିବେଳେ ଉଗ୍ରଶୀଳ ଦ୍ୱାର ପାଖରେ ଥିବା ଗୋଟିଏ ଲିଭିଯାଇଥିବା ପିତଳ ବତୀ ପସରାକୁ ଝୁଂଟିଲା । ତତ୍କ୍ଷଣାତ୍ ରାଜାଙ୍କ ଦୁଇ ଦେହରକ୍ଷୀ ତାକୁ କାବୁ କରିନେଲେ ।
ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ସେ ଦେହରକ୍ଷୀମାନଙ୍କୁ କହିଲେ, “ଆଗେ ତାକୁ ନିରସ୍ତ୍ର କର ।” ଦେହରକ୍ଷୀମାନେ ଉଗ୍ରଶୀଳର ଲୁଗାପଟା ତଲାସ୍ କଲେ । କୌଣସି ଅସ୍ତ୍ର ନଥିଲା । ରାଜା କହିଲେ, “ଆଚ୍ଛା, ତାକୁ ମୋ ପାଖରେ ଏକୁଟିଆ ଛାଡିଦେଇ ଯାଅ ।”
ରାଜାଙ୍କୁ ଏକୁଟିଆ ପାଇ ଉଗ୍ରଶୀଳ ତାଙ୍କୁ ଜୁହାର ହେଲା ଓ ନିଜ ପରିଚୟ ଦେଲା । ରାଜା ଚମତ୍କୃତ ହେଲେ । ତା’ପରେ ଉଗ୍ରଶୀଳ ନିଜ ଅନୁତାପ ଓ ଆତ୍ମସମର୍ପଣ କରିବାକୁ କିପରି ସିଦ୍ଧାନ୍ତ ନେଲା, ସେସବୁ ସବିସ୍ତାରେ ସେ କହିଗଲା । ରାଜା ସବୁ ଶୁଣି କିଛି ସମୟ ନୀରବରେ ବସିଲେ । ତା’ପରେ ପାଖ କୋଠରୀ ଭିତରୁ ଗୋଟିଏ ଥଳି ନେଇ ଆସି ଉଗ୍ରଶୀଳକୁ ତାହା ଦେଇ ରାଜା କହିଲେ, “ଏହା ସାହାଯ୍ୟରେ ତମେ ନୂତନ ଜୀବନ ଆରମ୍ଭ କରିବ । ନିଃସଙ୍କୋଚରେ ଯାଇ ତାହାହିଁ କର । ଭୟ ନାହିଁ ।” ଏହା କହି ସେ ରାଜା ତାଙ୍କ ମୁଖ୍ୟ ପ୍ରହରୀକୁ ଡାକି କହିଲେ, “ଏ ଭଦ୍ରଲୋକଙ୍କୁ ନିରାପଦରେ ନେଇ ତାଙ୍କ ପରିବାର ରହୁଥିବା ଚଟିଘର ପାଖରେ ଛାଡି ଦେଇ ଆସ ।”
ବେତାଳ ଟିକିଏ ଚୁପ୍ ରହି ତା’ପରେ ଆହ୍ୱାନ ଦେବାଭଳି କଣ୍ଠରେ ରାଜା ବିକ୍ରମାର୍କଙ୍କୁ ସେ ପ୍ରଶ୍ନ କଲା, “ରାଜା! ମୋର କିଛି ସନ୍ଦେହ ରହିଛି । ମଣିନଗରର ରାଜା ଦେବାଦିତ୍ୟ ଯେଉଁ ଡାକୁକୁ ଧରିଦେଲେ ଲକ୍ଷେ ଟଙ୍କା ପୁରସ୍କାରର ଘୋଷଣା କରିଥିଲେ, ସେ ଡାକୁକୁ ସେ ଅକାତରେ ଛାଡି ଦେଲେ, ପୁଣି ଜୀବିକା ଆରମ୍ଭ ପାଇଁ ଟଙ୍କା ଥଳି ତାକୁ ସେ କିପରି ଦେଲେ? ଡାକୁର ଗପ ସେ କିପରି ବିଶ୍ୱାସ କଲେ? ଡାକୁ ଲୁଚି ଲୁଚି ଦସ୍ୟୁ ଭଳି ତାଙ୍କ ପାଖକୁ ଆସିଥିଲା । ତାଙ୍କୁ ହତ୍ୟା କରିବା ଯେ ତା’ର ଉଦ୍ଧେଶ୍ୟ ନଥିଲା, ଏକଥା ସେ ଜାଣିଲେ କିପରି? ତା’ ଅନୁଚରମାନେ ଡକାଏତି ଚାଲୁ ରଖିବେ, ସେ ବିଷୟରେ ସେ କ’ଣ ଚିନ୍ତା କଲେ? ଏଠାରେ ସେହି ରାଜା ବୋକା ନୁହଁନ୍ତି କି? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥାଇ ବି ତମେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ କ୍ଷଣେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ, “ରାଜା ଦେବାଦିତ୍ୟ ବୁଦ୍ଧିମାନ୍ ଓ ବିବେକୀ । ପ୍ରଥମରୁହିଁ ସେ ବୁଝିନେଲେ ଯେ ରାତିରେ ପ୍ରହରୀମାନଙ୍କ ଦୃଷ୍ଟି ଏଡାଇ ଯେଉଁ ଲୋକ ତାଙ୍କ କୋଠରୀ ଦ୍ୱାରଦେଶରେ ଆସି ପହଁଚି ପାରିଲା, ସେ ଓସ୍ତାଦ୍ ଲୋକ, ସାଧାରଣ ଚୋର ଡାକୁ ନୁହେଁ । ଯେତେବେଳେ ସେ ଦେଖିଲେ ସେ ନିରସ୍ତ୍ର ଭାବରେ ଆସିଛି, ସେତେବେଳେ ସେ ବୁଝିଲେ ତାଙ୍କୁ ହତ୍ୟା କରିବା ଅଥବା ଚୋରି କରିବା ତା’ର ଉଦ୍ଧେଶ୍ୟ ହୋଇ ନପାରେ । ତେଣୁ ସେ ତା’ ସହ ଏକାନ୍ତରେ କଥାବାର୍ତ୍ତା କଲେ । ସେ ଉଗ୍ରଶୀଳକୁ ଚିହ୍ନି ନଥିଲେ । ଆତ୍ମସମର୍ପଣ ଯଦି ଉଗ୍ରଶୀଳର ଉଦ୍ଧେଶ୍ୟ ହୋଇ ନଥାନ୍ତା, ତେବେ ଉଗ୍ରଶୀଳ କାହିଁକି ନିଜ ପରିଚୟ ଦିଅନ୍ତା? ମଣିଷର ପରିବର୍ତ୍ତନ ହୁଏ । ଉଗ୍ରଶୀଳର ମଧ୍ୟ ପରିବର୍ତ୍ତନ ହୋଇଛି । ଦଣ୍ଡଦାନର ଅନ୍ୟତମ ଉଦ୍ଧେଶ୍ୟ ହେଲା ଅପରାଧ ନିରାକରଣ । ଏ କ୍ଷେତ୍ରରେ ଉଗ୍ରଶୀଳ ଯେ ଆଉ ଅପରାଧ କରିବ ନାହିଁ, ସେ ବିଷୟରେ ସେ ନିଃସନ୍ଦେହ ଥିଲେ । ବାକି ରହିଲା ତା’ ଅନୁଚରମାନଙ୍କ କଥା । ସର୍ଦ୍ଦାର କ୍ଷମା ପାଇବାର ଦେଖିଲେ ସେମାନେ ବି ହୁଏତ ଆତ୍ମସମର୍ପଣ କରିବେ, ଏ ଦୃଷ୍ଟିରୁ ରାଜା କିଛି ସମୟ ଅପେକ୍ଷା କରିବାକୁ ସ୍ଥିର କରିଥିବେ । ନହେଲେ ସେ ଅନ୍ୟ ପନ୍ଥାରେ ସେମାନଙ୍କୁ ଧରିବାର ବ୍ୟବସ୍ଥା କରିବେ ।”
ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।