ଗୋଟିଏ ଗାଁରେ ବୁଢାବୁଢୀ ଦୁଇଜଣ ବସବାସ କରୁଥିଲେ । ତାଙ୍କର ଦୁଇଟି ପୁଅ ଝିଅ – ଝିଅଟିଏ ଷୋଳ ବରଷର ଆଉ ପୁଅଟିଏ ମାତ୍ର ପାଂଚ ବରଷର । କିଛିଦିନ ଅନ୍ତେ ସେ ବୁଢାବୁଢୀ ମରିଗଲେ । ଭାଇଭଉଣୀ ଏବେ କିପରି ଚଳିବେ । ଘରେ ଯାହା ଅଳ୍ପ କିଛି ସମ୍ପତ୍ତି ଥିଲା ତହିଁରେ କିଛିଦିନ ସେମାନଙ୍କର ଗୁଜୁରାଣ ଚଳିଗଲା । ତାପରେ ସାନଭାଇକୁ ସାଙ୍ଗରେ ଧରି ଝିଅଟି ସହରକୁ ଚାଲିଲା, କାମ ଖୋଜିବା ପାଇଁ ।
ମୁଣ୍ଡ ଉପରେ ପ୍ରଚଣ୍ଡ ଖରା । ରାସ୍ତାରେ ଆଦୌ ଚାଲି ହେଉ ନ ଥାଏ । କିଛି ବାଟ ଗଲାପରେ ସେ ସାନ ଭାଇଟିକୁ ଅତ୍ୟନ୍ତ ଶୋଷ କଲା । ସେ ଗୋଟିଏ ସ୍ଥାନରେ ଦେଖିଲା, ଗାଈମାନଙ୍କ ପାଇଁ କିଛି ପାଣି ରଖାହୋଇଛି । ସେ ତା ଭଉଣୀକୁ କହିଲା, “ଅପା, ମୋତେ ଭାରି ଶୋଷ କରୁଛି, ମୁଁ ଏ ପାଣି ପିଇବି ।” ଏହା ଶୁଣି ଭଉଣୀଟି ମନା କଲା, ଓ କହିଲା – “ଏ ପାଣି ପିଇଲେ ତୁ ବାଛୁରୀ ପାଲଟି ଯିବୁ ।” ଏପରି କଥା ଶୁଣି ପିଲାଟି ଏବେ ଆଉ କ’ଣ କରିବ, କେବଳ ନିଜ ମନକୁ ବୁଝାଇ ଆଗକୁ ଚାଲିଲା ।
ପୁଣି କିଛିବାଟ ଗଲାପରେ ଘୋଡାମାନଙ୍କ ପାଇଁ ପାଣି ଥୁଆ ହୋଇଥିବା ଦେଖି ପିଲାଟି ପାଣି ପିଇବା ପାଇଁ ଖାଲି ନିଜ ଭଉଣୀକୁ ଅଳି କଲା । ତହୁଁ ସେ ଭଉଣୀ କହିଲା, “ଏ ପାଣି ପିଇଲେ ତୁ ଘୋଡା ପିଲା ହୋଇଯିବୁ ।”
ଏଣେ ଖରା ତ ଆଦୌ ସହି ହେଉ ନଥାଏ । ଅତ୍ୟନ୍ତ ଶୋଷରେ ଖାଲି ତଂଟି ଶୁଖି ଯାଉଥାଏ । ବଡ କଷ୍ଟରେ ଅପାର କଥା ମାନି ପିଲାଟି ବାଟ ଚାଲୁଥାଏ । କିଛିବାଟ ଗଲାପରେ ଦେଖାଗଲା ଛେଳିମାନଙ୍କ ପାଇଁ ପାଣି ଥୁଆ ହୋଇଛି । ଭଉଣୀ ପଚାରିବାରୁ ସେ କହିଲା, “ଏ ପାଣି ପିଇଲେ ତୁ ଛେଳିଛୁଆ ହୋଇଯିବୁ ।”
ସେତେବେଳେ ସେ ପିଲାଟି ଶୋଷରେ ଏପରି ଛଟପଟ ହେଉଥିଲା ଯେ, ତାକୁ ଆଉ ତା ଭଉଣୀର କୌଣସି କଥା କାନେଇବା ପାଇଁ ତର ସହିଲା ନାହିଁ । ସେ ପିଲାଟି ଝଟକରି ଯାଇ ପାଣି ପିଇବା ମାତ୍ରେ ହଠାତ୍ ସେ ଗୋଟେ ଧଳା ଛନିଛନିଆ ଛେଳି ଛୁଆଟିଏ ହୋଇଗଲା । ଏକମାତ୍ର ଭାଇଟି ଛେଳିଛୁଆ ହୋଇଯିବାରୁ ଭଉଣୀଟି ଗଛମୂଳରେ ବସି ଖାଲି କାନ୍ଦିବାକୁ ଲାଗିଲା । କେତେ ସମୟ ଏଇମିତି ଗଲାଣି ତାକୁ ତ ଜଣାନାହିଁ । ତେଣେ ସଂନ୍ଧ୍ୟା ତ ମାଡି ଆସୁଛି । ଠିକ୍ ଏହି ସମୟରେ ସେହି ବାଟେ ତରତର ହୋଇ ଜଣେ ବଣିକ ଆସୁଥିଲେ; ଝିଅଟି କାହିଁକି ଏଠାରେ ଏକୁଟିଆ ବସି କାନ୍ଦୁଛି ବୋଲି ତା ପାଖରେ ଯାଇ ପଚାରିଲେ । ତାପରେ ସେ ଝିଅଟି କାନ୍ଦି କାନ୍ଦି ତା’ ଭାଇ କିପରି ଛେଳିଛୁଆ ହୋଇଯାଇଛି ସବୁକଥା ସେ ବଣିକକୁ ଗୋଟି ଗୋଟି କରି କହିଲା । ବଣିକ ସେ ଝିଅଟିର ସୁନ୍ଦର ରୂପ ଦେଖି ମନେ ମନେ ଭାରି ଖୁସି ହୋଇ କହିଲେ, “ତୁମର ଯଦି କିଛି ଆପତ୍ତି ନାହିଁ, ତେବେ ତୁମେ ମୋତେ ବାହା ହୁଅ । ମୁଁ ତୁମକୁ ଓ ସେ ଛେଳିଛୁଆକୁ ଅତ୍ୟନ୍ତ ଆଦରରେ ରଖିବି ।” ସେତେବେଳେ ତ ସେ ଝିଅଟିର ଅନ୍ୟ ଉପାୟ କିଛି ନ ଥିଲା । ତେଣୁ ସେ ଝିଅଟି ବଣିକକୁ ବାହା ହୋଇ ସୁଖରେ ରହିଲା । ଛେଳିଛୁଆଟି ବି ଆଦର ଯତ୍ନ ପାଇ ବଢୁଥାଏ ।