କିନ୍ତୁ ସ୍ତ୍ରୀ ଏଥିରେ ଦବିନଯାଇ କହିଲା, “ତୁମର କଅଣ ଟିକିଏ ବୁଦ୍ଧି ନାହିଁ? କଅଣ ବାପକୁ ଜିଅନ୍ତା ପୋତୁଛ ବୋଲି ଗାଁଯାକର ଲୋକଙ୍କୁ କହିବ? ତୁମେ କାଲି ସକାଳୁ ଖୁବ୍ ବଡପାଟିରେ ବୁଢାକୁ କହିବ, ଅମୁକ ଗାଆଁରେ ଅମୁକ ଲୋକଠାରୁ ଆମର ଅନେକ ଟଙ୍କା ପାଉଣା ଅଛି । ମୁଁ ମାଗିଲାରୁ ସେ ତୁମ ଛଡା ଆଉ କାହାକୁ ଦେବନାହିଁ ବୋଲି କହିଲା; ଚାଲ ଆମେ ଦୁହେଁଯାକ ଶଗଡରେ ବସି ତା ଘରକୁ ଯାଇ ଟଙ୍କା ଆଣିବା । ନୋହିଲେ ଟଙ୍କାତକ ବୁଡିଯିବ । ସମସ୍ତେ ଶୁଣିବେ ଯେ ବୁଢା ତୁମ ସାଥିରେ ଟଙ୍କାପାଇଁ ଗାଡିରେ ବସି ଯାଇଛି । ତୁମେ ଗାଡିରେ ଗୋଟିଏ କୋଦାଳ ନେଇଥିବ । ମଶାଣିରେ ଗାଡିକୁ ରଖି ଗାତ ଖୋଳି ବୁଢାକୁ ପୋତିଦେଇ ଆସିବ । ଆସିଲାବେଳେ ଖୁବ୍ କାନ୍ଦି ବୋବାଳି ସମସ୍ତଙ୍କୁ କହିବ, ଆମେ ବାପପୁଅ ଟଙ୍କା ଧରି ଆସୁଥିଲୁ । ଡକାଏତମାନେ ଆମକୁ ମାରି ସବୁ ଛଡାଇନେଲେ । ସେଇ ମାଡରେ ବାପ ମରିଗଲା ।”
ବଶିଷ୍ଠକ ତାହାହିଁ କରିବ ବୋଲି ସିଦ୍ଧାନ୍ତ କଲା । ସ୍ୱାମୀ –ସ୍ତ୍ରୀଙ୍କ ଭିତରେ ଏହିପରି କଥାବାର୍ତ୍ତା ହେଉଥିଲାବେଳେ ତାଙ୍କ ପୁଅଟି ସବୁ ଶୁଣୁଥିଲା । ସାତବର୍ଷର ପିଲାଟିଏ ହେଲେ ସୁଦ୍ଧା ତା’ର ବୁଦ୍ଧି ଊଣା ନୁହେଁ । ସେ ଭାବିଲା, “ମାଆ ଏଡେ ଖରାପ ଯେ ଆପଣା ବାପଙ୍କୁ ପୋତି ମାରିବାପାଇଁ ସ୍ୱାମୀକୁ ଶିକ୍ଷା ଦେଉଛି । ବାପା ମଧ୍ୟ ସେଥିରେ ରାଜି ହୋଇଗଲା । ଏଡେ ପାପକାର୍ଯ୍ୟ କରିବାକୁ ତା ମନରେ ଭୟ ହେଲାନାହିଁ । ଯାହା ହେଉ, ମୁଁ ମୋ ବୁଢାବାପାଙ୍କ ଜୀବନ ରଖିବି ଓ ବାପାଙ୍କୁ ଏ ପାପକାମରୁ ବନ୍ଦ କରିବି ।”
ସକାଳେ ବଶିଷ୍ଟକ ଗାଡି ସଜିଲି କରି ବାପାକୁ ଟଙ୍କା ଆଣିବାପାଇଁ ସେଥିରେ ଯିବାକୁ ଡାକିଲା । ପୁଅଟି ଆଗ ଦଉଡିଆସି ଗାଡିରେ ବସିଗଲା । ବାପା ଯେତେ ମନାକଲେ ସୁଦ୍ଧା ଘରେ ରହିଲା ନାହିଁ । ଶେଷରେ ବଶିଷ୍ଠକ ବାଧ୍ୟହୋଇ ନିଜର ବାପା ଓ ପୁଅକୁ ଗାଡିରେ ବସାଇ ଶ୍ମଶାନକୁ ଗଲା । ଗୋଟିଏ ଜାଗାରେ ପୁଅ ଓ ବାପଙ୍କୁ ବସାଇଦେଇ ବଶିଷ୍ଠକ କୋଦାଳ ଧରି ଚାଲିଗଲା । ସେ ଦୁହିଁଙ୍କଠାରୁ କିଛି ଦୂରରେ ଗୋଟିଏ ଗାତ ଖୋଳିବାକୁ ଲାଗିଲା । ଅଳ୍ପ ସମୟ ପରେ ପୁଅ ଯାଇ ବାପ ପାଖରେ ପହଁଚିଲା । କିଛି ନଜାଣିଲା ପରି ସେ ବାପକୁ ପଚାରିଲା, “ବାପା, ଏଠି ଗାତଟିଏ ଖୋଳୁଛ କାହିଁକି? କଅଣ ଗଛ ଲଗେଇବ? ଏଇଟା ଟାଙ୍ଗର ଭୂଇଁ । ପାଖରେ ପାଣି ନାହିଁ । ଗଛ ଲଗେଇଲେ କଅଣ ବଂଚିବ?”
ବଶିଷ୍ଠକ କହିଲା, “ଆରେ, ଏଠି ଗଛ ଲଗାଯିବ ନାହିଁ । ତୋ ବୁଢାବାପ ଭାରି ଦୁର୍ବଳ ହୋଇଗଲାଣି, ଠିଆ ହେବାକୁ ସୁଦ୍ଧା ତା’ର ବଳ ନାହିଁ । ରୋଗରେ ପଡି ବଡ କଷ୍ଟ ପାଉଛି । ଏ ଗାତରେ ବୁଢାକୁ ପୋତିଦେଲେ ସେ ଏ କଷ୍ଟରୁ ଉଦ୍ଧାର ପାଇଯିବ ।”
ପିଲାଟି କହିଲା, “ବାପା, ତୁମେ ତୁମର ବାପାଙ୍କୁ ଜୀଅନ୍ତା ପୋତି ମାରି ଦେବାକୁ ବସିଛ । ଏଇଟା ପାପ କାମ ।”
ଏହା କହି ସେ ଏହି ଗାତଠାରୁ କିଛି ଦୂରରେ ଆଉ ଗୋଟିଏ ଗାତ ଖୋଳିବାରେ ଲାଗିଲା । ବଶିଷ୍ଠକ ତାହା ଦେଖିପାରି ପୁଅକୁ ପଚାରିଲା, “ତୁ ଏଠାରେ ଗୋଟିଏ ଗାତ ଖୋଳୁଛୁ କାହିଁକି ।”