ପୁଅ ଉତ୍ତର କଲା, “ବାପା, ଆମ ଘରେ ବାପା ବୁଢା ହୋଇଗଲେ ତାକୁ ପୋତି ମାରିପକାନ୍ତି ବୋଲି ମୁଁ ତୁମଠାରୁ ଶିଖିଲି । ତୁମ ବାପା ବୁଢା ହୋଇଯିବାରୁ ତାଙ୍କୁ ପୋତିବା ପାଇଁ ଗାତ ଖୋଳୁଛ । ତୁମେ ଯେତେବେଳେ ବୁଢା ହୋଇଯିବ, ମୁଁ ତୁମକୁ ଏହିପରି ଗାତରେ ପୋତି ମାରିବି । ତୁମକୁ ପୋତିବାପାଇଁ ମୁଁ ଏ ଗାତକୁ ଖୋଳୁଛି ।”
ଏହା ଶୁଣି ବଶିଷ୍ଠକ ଚକିତ ହୋଇଗଲା । ସେ କହିଲା, “ହଇରେ, ସାତ ବରଷର ପିଲାଟାଏ ହୋଇ ତୁ କଅଣ ନକହିଲୁ? ବାପକୁ କିଏ ଏପରି କହେ? ତୋଠାରେ ଟିକିଏ ହେଲେ କଅଣ ଦୟାଧର୍ମ ନାହିଁ?”
ପିଲାଟି କହିଲା, “ବାପା, ମୋ ଉପରେ ରାଗକରୁଛ କାହିଁକି । ମୋ’ଠାରେ ଯେ ଦୟାଧର୍ମ ନାହିଁ ତାହା ନୁହେଁ । ମୁଁ ତୁମକୁ ଭକ୍ତି କରେ; କିନ୍ତୁ ତୁମେ ଆଜି ତୁମର ବାପ ପ୍ରତି ଯେଉଁ ବ୍ୟବହାର କରୁଛ, ତାହା ଦେଖି ଏପରି କହିଲି । ବାପାଙ୍କୁ ଥରେ ପୋତି ମାରିଦେଲେ ଆଉ କେବେ ତାଙ୍କୁ ଫେରିପାଇବ କି? ବାପା, ଯେ ନିଜର ବାପା ବା ମାଆଙ୍କ ପ୍ରତି ନିର୍ଦ୍ଧୟ ବ୍ୟବହାର କରେ ସେ ଜନ୍ମେ ଜନ୍ମେ ନରକରେ ପଡି ଯନ୍ତ୍ରଣା ଭୋଗକରେ ବୋଲି ଶାସ୍ତ୍ରକାରମାନେ କହିଯାଇଅଛନ୍ତି । ପୁଣି ଯେଉଁ ଲୋକ ବାପମାଆଙ୍କୁ ଯଥାଶକ୍ତି ଖାଇବା ପିଇବାକୁ ଦେଇ ସେମାନଙ୍କର ସେବା ଶୁଶ୍ରୂଷା କରେ, ସେ କାଳେ କାଳେ ସ୍ୱର୍ଗରେ ସ୍ଥାନ ପାଏ ।”
ବଶିଷ୍ଠକ ପୁଅକୁ କୋଳରେ ବସାଇ କହିଲା, “ପୁଅ, ତୁ ମୋର ଆଖି ଖୋଲି ଦେଇଛୁ । ତୋ ମାଆର କଥାରେ ଅନ୍ଧ ହୋଇ ମୁଁ ଏ ପାପକାର୍ଯ୍ୟ କରିବାକୁ ବସିଥିଲି । ଆଉ ଏପରି କାମ କରିବିନାହିଁ ।”
ପୁଅ କହିଲା, “ବାପା, ସ୍ତ୍ରୀଲୋକ ମନ ସ୍ୱଭାବତଃ ଦୁର୍ବଳ । ସେମାନେ ସହଜେ ପାପକାମ କରିପକାନ୍ତି । ତେଣୁ ସେଥିରୁ ସେମାନଙ୍କୁ ନିବର୍ତାଇବା ଉଚିତ୍ । ତୁମେ ଘରକୁ ଯାଇ ମାଆଙ୍କ ମନକୁ ବଦଳାଇ ଦିଅ । ସେ ଯେପରି ଏଭଳି ପାପ କଥାକୁ ମନରେ ସୁଦ୍ଧା ସ୍ଥାନ ନଦିଅନ୍ତି । ଚାଲ ବାପା, ସେ ମୋର ମାଆ ହେଲେ ମଧ୍ୟ ତାକୁ ସଂଶୋଧନ କରିବା ଦରକାର, ନହେଲେ ଘରୁ ବାହାର କରିଦେବା ।”