ଜୟ ଗୋପାଳପୁର ଗାଁରେ ରହୁଥିଲା । ତା’ ସ୍ତ୍ରୀର ନାମ ଲକ୍ଷ୍ମୀ । ଜୟ ନିଜେ କେତେଦୂର ବୁଦ୍ଧିମାନ ସେକଥା ଅଲଗା । କିନ୍ତୁ ତା’ର ଭାରି ଇଚ୍ଛାଥିଲା, ତା’ ସ୍ତ୍ରୀ ବୁଦ୍ଧିମତି ହେବ । ଦୈବକୁ ଲକ୍ଷ୍ମୀ ଅତିଶୟ ସରଳ ଝିଅ । ଯିଏ ଯାହା କହିଲେ ସିଏ ତାକୁ ସଙ୍ଗେସଙ୍ଗେ ବିଶ୍ୱାସ କରିଯାଏ । ସମସ୍ତଙ୍କୁ ଦୟା କରେ । ତା’ର ଏ ମତିଗତିରେ ଜୟ ଭୀଷଣ ଚିଡିବାକୁ ଲାଗିଲା । ଏମିତି ସମୟ ଆସିଲା, ଯେତେବେଳେ ଲକ୍ଷ୍ମୀ ଯାହା କହିଲେ ବି ଜୟ ତାକୁ ବକେ । ଥରେ ଅଧେ ପାଖପଡୋଶୀମାନେ ଜୟକୁ ଏ ବିଷୟରେ ସଚେତ କରିଦେବାକୁ ଅନେକ ଚେଷ୍ଟା କଲେ । କିନ୍ତୁ ଜୟ ସେମାନଙ୍କ ଉପରେ ମଧ୍ୟ ଚିଡିଲା । ସେମାନେ ଚୁପ୍ ହେଲେ ।
ଦିନେ ଜୟ ଆସି ତା’ ସ୍ତ୍ରୀକୁ କହିଲା, “ଜଲ୍ଦି ରନ୍ଧାରନ୍ଧି କର । ଆଜି ମନ୍ଦିର ଆଗରେ ଶାସ୍ତ୍ର ପ୍ରବଚନ ଅଛି । ମୁଁ ସେଠାକୁ ଶୁଣିବାକୁ ଯିବି । ଆରେ କାଲୁଣୀ, ଶୁଣୁଛୁଟି?”
ଲକ୍ଷ୍ମୀ କହିଲା, “ଠିକ୍ ଅଛି । ବେଳ ବୁଡ ସୁଦ୍ଧା ରୋଷେଇ କାମ ହୋଇଯିବ ।”
“ଠିକ୍ ଅଛି? ଆରେ ପୋଡାମୁହୀଁ । ଭାରି କଥା କହି ଶିଖିଲୁଣି ଦେଖୁଛି ।” ଜୟ କଡା ଭାବରେ ଏତକ କହିଦେଇ ଚାଲିଗଲା ।
ସନ୍ଧ୍ୟା ବେଳକୁ ଜୟ ଆସି ତା’ ସ୍ତ୍ରୀକୁ ଡାକିଲା । ଜବାବ୍ ପାଇଲା ନାହିଁ । ଘର ପଛପଟକୁ ଯାଇ ଦେଖିଲା ବେଳକୁ ତା’ ସ୍ତ୍ରୀ ନିଜ ମୁହଁକୁ ପାଣିଛାଟିବାରେ ଲାଗିଛି ।
ସେ ପଚାରିଲା “ଆରେ ପୋଡାମୁହୀଁ! କ’ଣ କରୁଛୁ? ରୋଷେଇ ସରିଛି?”
ଲକ୍ଷ୍ମୀ କାନ୍ଦ କାନ୍ଦ ହୋଇ ଉତ୍ତର ଦେଲା, “ରୋଷେଇ ଆରମ୍ଭ କରିନାହିଁ । ତୁମେ ଯିବା ପରଠୁଁ ମୋ ମୁହଁ କାହିଁକି ସତେ ଯେମିତି ଖାଲି ପୋଡି ଯାଉଛି । ଏହି କାରଣରୁ ମୁଁ ମୋ ମୁହଁକୁ ଖାଲି ପାଣିରେ ଧୋଇ ଚାଲିଛି । କିନ୍ତୁ ଏପରି ଆଉ କେତେ ସମୟ ମୁଁ କରିବି? ବୋଧହୁଏ ଶୀଘ୍ର ମରିଯିବି । ମୋତେ କୌଣସି ବୈଦ୍ୟ ପାଖକୁ ନେଇ ଚାଲ ।”
ଲକ୍ଷ୍ମୀ ଯେ କେବେ ମିଛ କହେ ନାହିଁ କି ଛଳନା ମଧ୍ୟ କରେ ନାହିଁ, ଏଥିରେ ଜୟର କୌଣସି ସନ୍ଦେହ ନଥିଲା । ଲକ୍ଷ୍ମୀର ଭଲ ବ୍ୟବହାର ଓ ଦୟାଗୁଣ ଯୋଗୁଁ ଗାଁ ଲୋକେ ଜୟର କର୍କଶ କଥା ଘେନୁ ନଥିଲେ । ଲକ୍ଷ୍ମୀ କାମଦାମରେ ଅତ୍ୟନ୍ତ ପଟୁ ଥିଲା । ସତରେ ଯଦି ସେ ମରିଯିବ, ତେବେ ଜୟର ଅବସ୍ଥା କ’ଣ ହେବ?
ଜୟ ଆଉ ବିଳମ୍ଭ ନକରି ସଙ୍ଗେ ସଙ୍ଗେ ଲକ୍ଷ୍ମୀକୁ ନେଇ କବିରାଜ ପାଖକୁ ବାହାରିଗଲା । ମନ୍ଦିର ପାଖଦେଇ ଯିବା ବେଳକୁ ପ୍ରବଚନ ଆରମ୍ଭ ହୋଇଗଲାଣି । ବକ୍ତା କହୁଛନ୍ତି, “ଦେବୀ ସରସ୍ୱତୀଙ୍କ ଆଶୀର୍ବାଦରେହିଁ ଆମ୍ଭେମାନେ ବାକ୍ଶକ୍ତି ପାଇଛୁ । ଦେବୀ ସମସ୍ତଙ୍କ ପ୍ରତି ସଦୟ । ତାଙ୍କ ଦାନର ଅପବ୍ୟବହାର କରିବା ମହାପାପ । ଆଉ ଯାହା କୁହ, କିନ୍ତୁ ନିର୍ଦୋଷ ଲୋକ ମନରେ ଆଘାତ ଦେବା ଭଳି କର୍କଶ କଥା ଉଚ୍ଚାରଣ କରିବ ନାହିଁ । ନ ବୁଝି ନ ଶୁଝି କଟୁକଥା କହିବା ଖାଲି ଯେ କହିବା ଲୋକର ଅହଙ୍କାର ସୁଚାଏ, ଖାଲି ସେତିକି ନୁହେଁ, ତାହା ବାକ୍ଶକ୍ତି ପ୍ରତି, ଦେବୀ ସରସ୍ୱତୀଙ୍କ ପ୍ରତି ଏକ ଘୋର୍ ଅପମାନ । ଆଉ ଗୋଟାଏ କଥା ମନେ ରଖିବା ନିହାତି ଦରକାର । ଥରେ ଥରେ ବାତାବରଣ ଭିତର ଦେଇ ‘ତଥାସ୍ତୁ ଦେବତା’ ମାନେ ଯାଆଆସ କରୁଥାନ୍ତି । ତମ କଥା ଶୁଣି ସେମାନେ ଯଦି ତଥାସ୍ତୁ କହିଦେବେ, ତେବେ ଜାଣ କଥା ସରିଲା । ତମେ ଯାହା କହିଥିବ, ତାହାହିଁ ଫଳିଯିବ । ସେଥିରେ ତମର ଅନିଷ୍ଟ ହେବ ।”