ତାମ୍ର ଯନ୍ତ୍ର

କିନ୍ତୁ ସ୍ୱପ୍ନରେ ବୀରଭଦ୍ର ଦେଖିଲେ, ତାଙ୍କ ସ୍ତ୍ରୀ ରୋଷେଇ ଘରେ ଦୀପଟିଏ ଲଗାଇ ବହୁତ ପରିମାଣରେ ଭାତ ତରକାରୀ ସବୁ ଖାଉଛନ୍ତି । ବୀରଭଦ୍ର ବିରକ୍ତ ହୋଇ କହିଲେ, “ଇଏ କି ପ୍ରକାର ଭୂତଖାଦ୍ୟ ତମେ ଖାଉଛ? ବୈଦ୍ୟ ତୁମକୁ କ’ଣ କହିଥିଲେ?”

କିନ୍ତୁ ପତ୍ନୀ ଟିକିଏ ମଧ୍ୟ ଖାତିର୍ ନକରି କହିଲେ, “ଦିନରେ ଥରେ ମାତ୍ର ଖାଇ କ’ଣ କେହି କେବେବି ଜୀବିତ ରହିପାରିବ? ସେ ତ ବୈଦ୍ୟ ନଥିଲେ, ଯମରାଜଙ୍କ ଦୂତ ଥିଲେ । ତମେ ଯାଇ ଚୁପ୍ଚାପ୍ ଶୋଇପଡ ।”

ବୀରଭଦ୍ର ରାଗିଯାଇ କିଛି କହିବାକୁ ଯାଉଛନ୍ତି ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା । ସେ ଭାବିଲେ, “ମୁଁ ଏସବୁ ବାଜେ ସ୍ୱପ୍ନ ଦେଖୁଛି କାହିଁକି? ଗତକାଲି ପୁଅ ବିଷୟରେ ଓ ଆଜି ପତ୍ନୀ ବିଷୟରେ ସମସ୍ତ ସମସ୍ୟାର ଖାଲି ଦୁଃସ୍ୱପ୍ନ ଦେଖିଲି । ଏମିତି ସବୁଦିନେ ହେଲେ ତ ମଣିଷ ପାଗଳ ହୋଇଯିବ, ବରଂ ମୁଁ ଟିକେ ଗୁରୁଦେବଙ୍କ ପାଖକୁ ଯାଏ! ଏ ବିଷୟ କହିଲେ ସେ ବା କିଛି ଉପଦେଶ ଦେବେ, ଯଦ୍ୱାରା ମୋ ମନ ଶାନ୍ତ ହୋଇଯିବ ।”

ପରଦିନ କାର୍ଯ୍ୟବସ୍ତ ଥିବାରୁ ବୀରଭଦ୍ର ଗୁରୁଙ୍କ ପାଖକୁ ଆଉ ଯାଇପାରିଲେ ନାହିଁ । ଖାଇ ପିଇ ଶାନ୍ତିରେ ଶୋଇଥା’ନ୍ତି ପୁଣି ସେ ଆଉ ଗୋଟିଏ ଦୁଃସ୍ୱପ୍ନ ଦେଖିଲେ । ତାଙ୍କ ଝିଅ ପଦ୍ମା ଅଳ୍ପ ଲଜ୍ଜା କରି କହୁଛି, “ବାପା, ଆମ ପାଖ ଘରର ପୁଅ ସହିତ ମୁଁ ବିବାହ କରିବାକୁ ଚାହେଁ, ଶୀଘ୍ର ତିଥି ଦେଖି ସମୟ ନିଧାର୍ଯ୍ୟ କର ।”

ଏକଥା ଶୁଣି ବୀରଭଦ୍ର ରାଗିଯାଇ କହିଲେ, “କ’ଣ କହିଲୁ? ସେଇ ଘରର ପିଲାକୁ ତୁ ବାହା ହେବାକୁ ଠିକ୍ କରିଛୁ? ତୁ ଆଉ ପାଗଳ ହୋଇ ଯାଇନାହୁଁ ତ? ତା’ର ଯେଉଁ ଭୟାନକ ରୋଗ ହୋଇଛି ସେ ଅଳ୍ପ ଦିନରେ ମରିଯିବ ଆଉ ତୁ ତାକୁ ବାହା ହେବାକୁ ଚାହୁଁଛୁ?”

“ବାପା, ଏକଥା ତ ମୁଁ ଜାଣିଛି । ତଥାପି ଯଦି ମୁଁ ବାହା ହେବି ତ କେବଳ ତାକୁହିଁ ବାହା ହେବି ଆଉ କାହାକୁ ନୁହେଁ ।” ଏତିକି କଥା ଶୁଣାଇ ଦେଇ ପଦ୍ମା ସେଠାରୁ ଚାଲିଗଲା ।

ଏହି ଦୁଃସ୍ୱପ୍ନ ପରେ ବୀରଭଦ୍ର ଉଠି ବସିଲେ । ସେ ଭାବିଲେ କୌଣସି ପିଶାଚ ତାଙ୍କ ଭିତରେ ପ୍ରବେଶ କରି ଏପରି ସବୁକିଛି କରାଉଛି । ଆଉ ବିଳମ୍ବ କରିବା ଉଚିତ୍ ନୁହେଁ ।

ସକାଳ ହେବା ମାତ୍ରେ ବୀରଭଦ୍ର ନିତ୍ୟକର୍ମ ସାରି ଗୁରୁଙ୍କ ଆଶ୍ରମକୁ ଯିବାକୁ ବାହାରିଲେ । ଘରୁ ବାହାରିବା ବେଳେ ଭାବିଲେ ଯିବାବେଳେ ତାମ୍ରପତ୍ରଟି ନେଇଯାଇ ରମେଶଙ୍କ ସ୍ତ୍ରୀଙ୍କୁ ତାହା ଦେଇଦେବେ । ବାଟରେ ଗାଜିପୁର ପଡିବ ।

ଗାଜିପୁରରେ ଥିବା ରମେଶଙ୍କ ଘରେ ସେ ଯାଇ ପହଁଚିଲେ । ରମେଶଙ୍କ ପତ୍ନୀ ତାଙ୍କ ସହିତ କଥାବାର୍ତ୍ତା କରୁ କରୁ କହିଲେ ରମେଶ ଘର ଛାଡି କାହିଁକି ପଳାଇଥିଲେ । ସେ କହିଲେ, “ଆମ ପୁଅକୁ ଆସି ପଚିଶ ବର୍ଷ ହେଲାଣି; ଅଥଚ କେଉଁଠି ହେଲେ ବି ସେ ଚାକିରୀ ଖୋଜୁନାହିଁ ଖାଲି ଲଫଙ୍ଗା ହୋଇ ସେ ବୁଲୁଛି । ଆମର ଗୋଟିଏ ମାତ୍ର ଝିଅର ସମସ୍ୟା ହେଉଛି ଯେ ତାକୁ ଯଥେଷ୍ଟ ଯୌତୁକ ଦେଇ ବିବାହ ଦେବାପାଇଁ ଆମର ଏତେ ଧନ ନାହିଁ । ଆମ ଘରର ପାଖଘରେ ଥିବା ଯୁବକ ବିନା ଯୌତୁକରେ ତାକୁ ବିବାହ କରିବାକୁ ଇଚ୍ଛୁକ! କିନ୍ତୁ ଆମ ଝିଅ ତାକୁ ମୋଟେ ପସନ୍ଦ କରୁନାହିଁ । ଏବେ ରହିଲା ମୋ ନିଜ କଥା । ଭାତ ଦେଖିଲେ ମୋତେ ଯେପରି ବାନ୍ତି ଆସୁଛି । ମୋ ସ୍ୱାମୀ ଭାବିଲେ ପେଟଭରି କିଛି ନ ଖାଇଲେ ହୁଏତ ମୁଁ ଆଉ ବେଶିଦିନ ବଂଚିବି ନାହିଁ । ଏହି ସବୁ ସମସ୍ୟା କଥା ଭାବି ସେ ଘର ଛାଡି ଏଠୁ ଚାଲି ଯାଇଥିଲେ ।”

ରମେଶଙ୍କ ସ୍ତ୍ରୀର କଥା ଶୁଣି ବୀରଭଦ୍ର ନିଜର ଦୁଃସ୍ୱପ୍ନ କଥା ଏବେ ଠିକ୍ ବୁଝିଗଲେ । ଯୋଗୀରାଜ ରମେଶଙ୍କ ପରିବାରର ସମସ୍ୟା ଦୂର କରିବାକୁ ଉକ୍ତ ତାମ୍ରପତ୍ରଟି ଦେଇଥିଲେ । ତେଣୁ ବୀରଭଦ୍ର ଏସବୁ ଦୁଃସ୍ୱପ୍ନ ଦେଖିଲେ ।

ବୀରଭଦ୍ର ଏବେ ରମେଶଙ୍କ ପତ୍ନୀଙ୍କୁ କହିଲେ, “ଭଉଣୀ, ତୁମେ ଏ ବିଷୟରେ ଆଦୌ କିଛି ଚିନ୍ତା କରନାହିଁ । ତୁମ ସ୍ୱାମୀ ତ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଜଣେ ଯୋଗୀଙ୍କଠାରୁ ଏକ ତାମ୍ରପତ୍ର ପ୍ରାପ୍ତ କରିଥିଲେ ।” ତା’ପରେ ଗାଡିରେ ସେ ବିଷୟରେ ସେ କ’ଣ ସବୁ କହିଥିଲେ ଓ ତାହା ତାଙ୍କ ପାଖରେ ଅଛି ବୋଲି ସେ କହିଲେ । ପୁଣି ସେ ବୁଝାଇ କହିଲେ, “ଭଉଣୀ, ଏହି ଯନ୍ତ୍ରଟିକୁ ବଡ ସାବଧାନତାର ସହିତ ପୂଜା ଘରେ ରଖିବେ । ତୁମର ସମସ୍ତ ସମସ୍ୟା ଦୂର ହୋଇଯିବ ।” ତା’ପରେ ସେ ସେହି ତାମ୍ରପତ୍ରଟିକୁ ରମେଶଙ୍କ ସ୍ତ୍ରୀଙ୍କୁ ଦେଇ ଗୁରୁଙ୍କ ଆଶ୍ରମକୁ ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ