ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତାମ୍ସା

ଆଉ ଜଣେ କହିଲା “ହଁ ଆଜ୍ଞା, ଏଠି ଗୋଟାଏ ମାତ୍ର ଜଳଖିଆ ଦୋକାନ ଅଛି । ସେଠାରେ ରସଗୋଲ୍ଲା ମିଳେ । ବିଶେଷ ଭଲ ନହେଲେ ବି ଆମେ ଖାଇବାକୁ ରାଜିଅଛୁ । ତେବେ ବେଶି ଖାଇବାକୁ ଅନୁରୋଧ କରିବୁ ନାହିଁ । ଆମେ ଦଶ ଦଶଟା ପର୍ଯ୍ୟନ୍ତ ଜଣେ ଜଣେ ଖାଇ ପାରିବା । ଅବଶ୍ୟ ରସଗୋଲ୍ଲା ସହ ରାବିଡି ଓ ସିଙ୍ଗାଡା ଖାଇପାରୁ ।”

ଆଗନ୍ତୁକ ଏଥର କଟମଟ କରି ସଦାନନ୍ଦ ମୁହଁକୁ ଅନାଇଲେ । ତା’ପରେ ସେ କହିଲେ, “ବୁଝିଲି । ହେଉ, ରତ୍ନାକର ଥାଉ ବା ନଥାଉ, ତା’ ଘରଟି ମୋତେ ଦେଖାଇ ଦେଲ ବାବୁ!”

ସଦାନନ୍ଦ ଗୋଟାଏ କୁଡିଆ ଆଡେ ହାତ ଦେଖାଇ ଦେଲା ।

ଆଗନ୍ତୁକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ସେଇଟା ରତ୍ନାକର ଘର? କଦାପି ନୁହେଁ । କହିଲ ବାବୁ, ତମେ କାହିଁକି ମୋ ସାଙ୍ଗରେ ଥଟ୍ଟା ଲଗାଇଛ?”

ସଦାନନ୍ଦର ଜଣେ ସାଙ୍ଗ କହିଲା “ବିଶ୍ୱାସ କରନ୍ତୁ ଆଜ୍ଞା, ସେଇଟା ରତ୍ନାକର ଜେନାର ଘର ।”

ଆଗନ୍ତୁକ ଆଉ କିଛି କହିବା ପୂର୍ବରୁ ଅବସ୍ଥାରେ ହଠାତ୍ ପରିବର୍ତ୍ତନ ଦେଖା ଦେଲା । ସ୍ୱୟଂ ଜମିଦାର ଆସି ସେଠି ପହଁଚିଗଲେ । ତାଙ୍କୁ ଦେଖି ସେ ଚାରିଜଣଯାକ ଯୁବକ ସନ୍ତ୍ରସ୍ତ ହୋଇ ଉଠିପଡି ନମସ୍କାର କଲେ ।

ଆଗନ୍ତୁକ ବହୁତ ଆନନ୍ଦରେ ପଚାରିଲେ “ରତ୍ନାକର କିରେ!”

ଜମିଦାର ପାଖକୁ ଘୁଂଚିଆସି ଆଗନ୍ତୁକଙ୍କୁ ଆପାଦମସ୍ତକ ଲକ୍ଷ୍ୟ କରି ଆଶ୍ଚର୍ଯ୍ୟ ହୋଇ କହିଲେ, “ଭୂଷଣ! ତୁ ଏଠି କ’ଣ ଏମିତି ଅବସ୍ଥାରେ? କଥା କ’ଣ?”

ଆଗନ୍ତୁକ କହିଲେ “ଆରେ ଭାଇ, ସେକଥା ଆଉ କହନା । ବାଟରେ ମୋ ଘୋଡାଗାଡି ଓଲଟି ପଡିଲା । ସେଥିପାଇଁ ମୋ ଲୁଗାପଟାରେ ଏତେ ଧୁଳି ଓ କାଦୁଅ । ମୋ ଚାକରପିଲା ଓ ଗାଡିବାଲା ପାଖ ବଜାରାରେ ଗାଡି ମରାମତି କରି ଆସିଯିବେ । ଗାଡିବାଲାର ପାଦ ଟିକିଏ ଚିରି ଯାଇଥିଲା । ଖାଲି ଗୋଡରେ ଚାଲିବା ତା’ ପକ୍ଷରେ ଅନୁଚିତ ବୋଲି ମୁଁ ମୋ ଯୋତା ହଳକ ତାକୁ ଦେଇଦେଲି । ଏ ବାବୁମାନଙ୍କୁ ତୋ ଘରକୁ ଯିବାକୁ ରାସ୍ତା ପଚାରୁଥିଲି, ତୁ ଆସି ପହଁଚିଗଲୁ ।”

ଆଗନ୍ତୁକଙ୍କ ଧୂଳିଧୂସର ଲୁଗାପଟା ସତ୍ତ୍ୱେ ଜମିଦାର ତାଙ୍କୁ କୁଣ୍ଢାଇ ପକାଇଲେ ।

ସେତେବେଳକୁ ଯାଇ ସଦାନନ୍ଦର ହେତୁ ହେଲା ଯେ ଜମିଦାରଙ୍କ ନାମ ମଧ୍ୟ ରତ୍ନାକର । ତାଙ୍କୁ ସାଧାରଣତଃ ସମସ୍ତେ ଜମିଦାରବାବୁ ନହେଲେ ରାୟ ସାହେବ ବୋଲି ଡାକୁଥିଲେ । ତା’ଛଡା ଆଗନ୍ତୁକଙ୍କ ମଳିମୁଣ୍ଡିଆ ଚେହେରା ଦେଖି ସେମାନେ ଏହା ଧରି ନେଇଥିଲେ ଯେ ସେ ଆଉ କୌଣସି ରତ୍ନାକରକୁ ଖୋଜୁଥିବେ । ଜମିଦାରଙ୍କ କଥା ସେମାନଙ୍କ ମୁଣ୍ଡକୁ ଆସି ନାହିଁ!

ଜମିଦାର ପଚାରିଲେ “କିରେ ସଦା, ତୁ ବାବୁଙ୍କୁ ବାଟ କଢେଇ ନେଇ ନଯାଇ ଏତେ କ’ଣ ଗପୁଥିଲୁ?”

ସଦାନନ୍ଦ ପାଟିରୁ ଆଉ କିଛିବି କଥା ବାହାରିଲା ନାହିଁ ।

ଆଗନ୍ତୁକ କହିଲେ “ଆରେ, ମୁଁ ସେମାନଙ୍କଠୁ ଗାଁର ହାଲ୍ଚାଲ୍ ଟିକିଏ ବୁଝୁଥିଲି!” ତା’ପରେ ସେ ଦୁହେଁ ସେଠୁ ଚାଲିଗଲେ ।

ଏଣେ ଏ ଚାରି ବନ୍ଧୁ ପରସ୍ପର ପରସ୍ପରକୁ ଅନାଇଲେ ଓ କିଛି କଥାବାର୍ତ୍ତା ନକରି ଯେ ଯାହା ଘରକୁ ଯିଏ ଗଲେ । ସଦାନନ୍ଦ କାନ୍ଦ କାନ୍ଦ ଦିଶୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ