ପରଦିନ ଦେହ ଖରାପ ବୋଲି ଖବର ପଠାଇ ସଦାନନ୍ଦ ସିରସ୍ତାକୁ ଆଉ ଗଲା ନାହିଁ । ତା’ ଚାକିରୀ ଯେ ଯିବ – ଏବଂ ତା’ ସଙ୍ଗେ ସଙ୍ଗେ ସେ ଜମିଦାରଙ୍କ ବିଷଦୃଷ୍ଟିରେ ବି ପଡିବ, ଏଥିରେ ତା’ର କୌଣସି ସନ୍ଦେହ ନଥିଲା । ତା’ର ମନେ ହେଉଥିଲା ସେ ଦିନକ ଭିତରେ ସତେ ଅବା ବୁଢା ହୋଇ ଗଲାଣି!
ଉପରଓଳି ସେ ତା’ ବାରାନ୍ଦାରେ ଠିଆ ହୋଇଛି, ଦେଖିଲା ଆଗନ୍ତୁକ ଧିରେ ଧିରେ ବାଟ ଚାଲୁଛନ୍ତି । ସେ ଦାଣ୍ଡକୁ ଓହ୍ଲାଇ ପଡି ତାଙ୍କୁ ଓଳଗି ହେଲା ।
ଆଗନ୍ତୁକ ପଚାରିଲେ “କିହୋ ସଦାନନ୍ଦ! କ’ଣ କରୁଛ!” ତା’ପରେ ସେ କହିଲେ “ଏଇ ତମ ଘର ପରା!” ଏହା କହି ସେ ତା’ ଘର ପିଣ୍ଡାକୁ ଉଠି ଆସିଲେ ।
ସଦାନନ୍ଦ ତାଙ୍କୁ ତରତର ହୋଇ ନିଜ ଘର ଭିତରକୁ ପାଛୋଟି ନେଲା ।
ଆଗନ୍ତୁକ ପଚାରିଲେ “ଆଚ୍ଛା ସଦାନନ୍ଦ, ଜଣେ ଦୁର୍ବଳିଆ ଲୋକ ଯଦି ତମ ଗାଁ ଅତିଥିଭବନରେ ଆଶ୍ରୟ ନେବାକୁ ଚାହିଁବ, ତେବେ ତାକୁ ଯଦି ଶହେଥର ଗଛ ଚଢି ତଳକୁ ଡେଇଁବାକୁ ପଡିବ, ତେବେ ତ ଏହା ବଡ ମୁସ୍କିଲ କଥା! ପୁଣି ଜଣେ ଗରୀବ ଲୋକ ଚାରିଜଣ ଯୁବକଙ୍କୁ ଖୁଆଇବା ଅବସ୍ଥାରେ ତ ନଥିବ! ମୁଁ ତମ ଜମିଦାରଙ୍କୁ ଏ ବିଷୟରେ ପଚାରିବି ବୋଲି ଭାବି ଭୁଲି ଯାଇଛି । ସେ ଅତିଥିଭବନ ସ୍ଥାପନ କଲେ, ଅଥଚ କେଉଁ ବିବେକରେ ଏମିତି ସବୁ କଡା ନିୟମ କଲେ?”
ସଦାନନ୍ଦ ଆଉ ଲୁହ ଅଟକାଇ ପାରିଲା ନାହିଁ । “କ୍ଷମା କରନ୍ତୁ!” ବୋଲି କହି ସେ ହଠାତ୍ କାନ୍ଦି ପକାଇଲା ।
“ଆରେ ବାବୁ, କାହିଁକି କାନ୍ଦିଲ? ନା, ନା, ମୁଁ ଜମିଦାରଙ୍କୁ ସେକଥା କିଛିବି କହିବି ନାହିଁ । ତମେ ନିଶ୍ଚିନ୍ତ ରୁହ ।” ଏତିକି କହି ସେ ଆଗନ୍ତୁକ ଜଣକ ସଦାନନ୍ଦର ପିଠି ଥାପୁଡାଇ ଦେଇ ଚାଲିଗଲେ ।
ସଦାନନ୍ଦ ପରଦିନ ପୁଣି ସିରସ୍ତାକୁ ଗଲା । ଜମିଦାର କାହିଁ କିଛି କହିଲେ ନାହିଁ । ଦୁଇଦିନ ରହି ଆଗନ୍ତୁକ ସେଠାରୁ ବିଦାୟ ନେଲେ । ସଦାନନ୍ଦ ବୁଝିଲା, ସେ ମହତ୍ ବ୍ୟକ୍ତି ଜମିଦାରଙ୍କ ପାଖରେ କୌଣସି ଅଭିଯୋଗ ମଧ୍ୟ କରି ନାହାଁନ୍ତି । କିନ୍ତୁ ତେଣିକି ସଦାନନ୍ଦର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବଦଳିଗଲା । ସେ ଆଉ ଥଟ୍ଟା ତାମ୍ସା କରି କାହାକୁ ବି ହଇରାଣ କରେ ନାହିଁ ।