ପୂର୍ବଭଳି ପରଦିନ ଯେତେବେଳେ ଭୋଜରାଜ ଯାଇ ସିଂହାସନ ପାଖରେ ଉପସ୍ଥିତ ହେଲେ, ସେତେବେଳେ ଅଷ୍ଟାଦଶ ପୁତ୍ତଳିକା ତାରାମତୀ ଛିଡାହୋଇ କହିଲା, “ଆଗ ମୋ କଥା ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ, ଯଦି ଆପଣ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ବୋଲି ମନେ କରନ୍ତି ତେବେ ଏଇ ସିଂହାସନରେ ବସିବା ପାଇଁ ମୁଁ ଆପଣଙ୍କୁ ସ୍ୱାଗତ କରିବି ।”
“ମହାରାଜ ବିକ୍ରମାଦିତ୍ୟ ଥିଲେ ଜଣେ ଗୁଣଗ୍ରାହୀ ବ୍ୟକ୍ତି । ଗୁଣର ଆଦର କରୁଥିଲେ । ପୂଜ୍ୟ ପୂଜାର ବ୍ୟତିକ୍ରମ ହେବାକୁ କେବେ ଦେଉ ନଥିଲେ । ଜ୍ଞାନୀ, ଗୁଣୀମାନଙ୍କୁ ଉପଯୁକ୍ତ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରୁଥିଲେ । ଥରେ ଦକ୍ଷିଣ ଭାରତର ଜନୈକ ବିଦ୍ୱାନ ପଣ୍ଡିତ ଆସି ତାଙ୍କ ରାଜ ଦରବାରରେ ପହଁଚିଲେ । ଶାସ୍ତ୍ର ପୁରାଣରେ ତାଙ୍କର ଯଥେଷ୍ଟ ଦକ୍ଷତା ରହିଥିଲା । ସେ ମହାରାଜଙ୍କୁ ଗୋଟିଏ ଶ୍ଲୋକ ଶୁଣାଇଲେ । ତହିଁର ସବିଶେଷ ଅର୍ଥ ବୁଝାଇବାକୁ ଯାଇ ଏକ କାହାଣୀ ଶୁଣାଇଲେ ।
ବହୁ ପ୍ରାଚୀନ କାଳର କଥା । ସେତେବେଳେ ଆର୍ଯ୍ୟବର୍ତରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ଖୁବ୍ ଖାମଖିଆଲୀ ଥିଲେ । ଯେତେବେଳେ ଯାହା ମନକୁ ଆସୁଥିଲା ତାହା କାର୍ଯ୍ୟରେ ପରିଣତ କରୁଥିଲେ । ସତୁରୀ ବର୍ଷ ବୟସରେ ସେ ପୁଣିଥରେ ବିବାହ କରିବାକୁ ଚାହିଁଲେ । ଯିଏ ଯେତେ ପ୍ରକାରେ ବୁଝାଇଲେ ମଧ୍ୟ ମାନିଲେ ନାହିଁ । ଜଣେ ଅସାମାନ୍ୟ ସୁନ୍ଦରୀଙ୍କୁ ବିବାହ କଲେ, ତାଙ୍କୁ ମୁହୂର୍ତେ ମାତ୍ର ନିଜ ପାଖରୁ ଅଲଗା କରିବାକୁ ଚାହିଁଲେ ନାହିଁ । ନିଜ ସହିତ ସୁନ୍ଦରୀ ସାନ ରାଣୀଙ୍କୁ ନେଇ ଦରବାରକୁ ମଧ୍ୟ ଗଲେ । ରାଜ ପାରିଷଦଙ୍କୁ ଏହା ଭଲ ଲାଗିଲା ନାହିଁ । ନାନା ଲୋକ ନାନା କଥା କହିଲେ । ମନ୍ତ୍ରୀଙ୍କୁ ମଧ୍ୟ ଏସବୁ ଭଲ ଲାଗିଲା ନାହିଁ ।