ଦିନେ ରାଜାଙ୍କୁ ଏକାନ୍ତରେ ଡାକି ନେଇ ମନ୍ତ୍ରୀ କହିଲେ, “ମଣିମା! ଆପଣ ଯଦି କିଛି ନ ଭାବନ୍ତି, ତେବେ ମୁଁ ଗୋଟିଏ ଅନୁରୋଧ କରନ୍ତି । ଆପଣଙ୍କ ମନକୁ ପାଇଲେ ତାହା ରଖି ପାରନ୍ତି, ନ ହେଲେ ନାହିଁ । ମୁଁ ଆଦୌ ଦୁଃଖ କରିବି ନାହିଁ ।”
ରାଜା କହିଲେ, “ତମେ ମୋର ମନ୍ତ୍ରୀ । ମୋତେ ଉପଯୁକ୍ତ ପରାମର୍ଶ ଦେବା ତମର କର୍ତ୍ତବ୍ୟ । ଏଣୁ ନିଃସଙ୍କୋଚରେ ପ୍ରକାଶ କର କ’ଣ ତମେ କହିବାକୁ ଚାହଁ?”
ମନ୍ତ୍ରୀ : ମହାରାଜ! କିଛି କହିବା ଆଗରୁ ପ୍ରଥମେ କ୍ଷମା ଚାହୁଁଛି । ଆପଣ ମୋତେ
ଅନ୍ୟଥା ବୁଝିବେ ନାହିଁ ।
ମହାରାଜ: ଯାହା କହିବାର କଥା ଜଲ୍ଦି କୁହ ।
ମନ୍ତ୍ରୀ : ମହାରାଜ! ମୋର ଅନୁରୋଧ ଯେ ଆପଣ କାଲିଠାରୁ ଦରବାରକୁ ବିଜେ
କରିବା ସମୟରେ ଆଉ ଛୋଟରାଣୀଙ୍କୁ ନିଜ ସାଥୀରେ ଆଣିବେ ନାହିଁ ।
ମହାରାଜ: କାହିଁକି?
ମନ୍ତ୍ରୀ : ଆମ ରାଜପରମ୍ପରା ଏହାର ବିରୋଧ କରେ ।
ମହାରାଜ: ରାଜ୍ୟର ରାଜା ମୁଁ । ମୋ ଇଚ୍ଛାରେ ବାଧା ଦେବାକୁ କିଏ ସାହସ କରୁଛି?
ମନ୍ତ୍ରୀ : ପାରିଷଦବର୍ଗ ଏହାକୁ ପସନ୍ଦ କରନ୍ତି ନାହିଁ । ତା’ଛଡା ରାଜ୍ୟର ସାଧାରଣ
ଲୋକେ ମଧ୍ୟ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ଆପଣଙ୍କ ପଛରେ ନାନା କଥା
କହୁଛନ୍ତି ।
ମହାରାଜ: ତମେ ତ ଜାଣିଛ ମନ୍ତ୍ରୀ । ଛୋଟ ରାଣୀଙ୍କୁ ମୁଁ କେତେ ଭଲପାଏ? ତାଙ୍କୁ ଛାଡି
ମୁଁ ମୁହୂର୍ତେ ମାତ୍ର ବଂଚି ପାରିବିନି ।
ମନ୍ତ୍ରୀ : ଜାଣିଛି ମହାରାଜ! ତଥାପି….
ମହାରାଜ: କ’ଣ?
ମନ୍ତ୍ରୀ : ମୁଁ ଜାଣେ ଆପଣ ଛୋଟ ରାଣୀଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଆନ୍ତି । ସେଇଥି
ପାଇଁ….. ।
ମହାରାଜ: କୁହ, କ’ଣ କରିବାକୁ ହେବ ମୋତେ?
ମନ୍ତ୍ରୀ : ମୋ ମତରେ ଆପଣ ରାଣୀଙ୍କର ଏକ ଚିତ୍ର ବା ପ୍ରତିମୂର୍ତୀ କରି ଦରବାରରେ
ସ୍ଥାପନ କରି ଦିଅନ୍ତୁ । ଫଳରେ ଆପଣଙ୍କୁ ତାଙ୍କର ଅନୁପସ୍ଥିତି ବାଧିବ ନାହିଁ ।
ମହାରାଜ: ତମେ ଠିକ୍ କହିଛ । ତେବେ ରାଣୀଙ୍କର ଅବିକଳ ଚିତ୍ର ବା ପ୍ରତିମୂର୍ତୀ ତିଆରି
କରିବା ପାଇଁ ଶିଳ୍ପୀ କ’ଣ ଆମ ରାଜ୍ୟରେ ଅଛନ୍ତି?
ମନ୍ତ୍ରୀ : ଆପଣ ଚିନ୍ତା କରନ୍ତୁ ନାହିଁ । ସେ ବ୍ୟବସ୍ଥା ମୁଁ କରିବି ।
ପରଦିନ ମନ୍ତ୍ରୀ ରାଜ୍ୟର ଶ୍ରେଷ୍ଠ ଶିଳ୍ପୀଙ୍କୁ ଡକାଇ ପଠାଇ ରାଜମହଲକୁ ନେଇଗଲେ । ରାଜାଙ୍କ ଉପସ୍ଥିତିରେ ରାଣୀଙ୍କୁ ସାମ୍ନାରେ ବସାଇ ଶିଳ୍ପୀ ତାଙ୍କର ପ୍ରତିମୂର୍ତ୍ତି ତିଆରି କାର୍ଯ୍ୟ ଆରମ୍ଭ କରିଦେଲେ ।