ପ୍ରତିମୂର୍ତ୍ତି ତିଆରି କରି ସାରିବା ପରେ ରଙ୍ଗଦେଇ ବେଶଭୂଷାରେ ସଜାଇବା ଆଗରୁ ଶିଳ୍ପୀ ଜଣକ ତୂଳୀରେ ରାଣୀଙ୍କର ଡାହାଣ ଜଙ୍ଘରେ ଏକ ତିଳଚିହ୍ନ ଆଙ୍କି ଦେଲେ । ଏହାକୁ ଦେଖି ରାଜା ଉତ୍କ୍ଷିପ୍ତ ହୋଇ ଉଠିଲେ । ଭାବିଲେ ଶିଳ୍ପୀଙ୍କର ରାଣୀଙ୍କ ସହିତ ଅବୈଧ ଗୋପନ ସମ୍ପର୍କ ରହିଛି । ନଚେତ୍ ସେ କେତେବେଳେ ଏକାନ୍ତରେ ତାଙ୍କର ନଗ୍ନ ଅଙ୍ଗ ଦେଖିବାର ସୁଯୋଗ ପାଇଛନ୍ତି ।
ରାଜା ପଚାରିଲେ, “ଶିଳ୍ପୀ! ତମେ ରାଣୀଙ୍କ ଡାହାଣ ଜଙ୍ଘରେ ତିଳଚିହ୍ନ ଅଛି ବୋଲି କିପରି ଜାଣିଲ?”
ଶିଳ୍ପୀ କହିଲେ, “ମହାରାଜ! ମୋର ବିଲକ୍ଷଣ ପ୍ରତିଭା ଏବଂ ଦିବ୍ୟ ଦୃଷ୍ଟି ବଳରେ ମୁଁ ସବୁକିଛି ଜାଣିପାରେ । ବସ୍ତ୍ର ଆଭୂଷଣ ପରିଧାନ କରିଥିବା ଯେ କୌଣସି ବ୍ୟକ୍ତିଙ୍କର ଲୁକ୍କାୟିତ ଅଙ୍ଗରେ ଥିବା ଚିହ୍ନକୁ ମୁଁ ଦେଖିପାରେ । ସେଇଥିପାଇଁ ତ ମୁଁ ମୋ ଶିଳ୍ପକଳାର ଉତ୍କୃଷ୍ଟ ନମୂନା ଆପଣଙ୍କ ସାମ୍ନାରେ ପେଶ୍ କରିଛି ।”
ଶିଳ୍ପୀଙ୍କ କଥାକୁ ରାଜା ବିଶ୍ୱାସ କରି ପାରିଲେ ନାହିଁ । ସେ ରାଗ ଜର୍ଜ୍ଜରିତ ହୋଇ ଶିଳ୍ପୀଙ୍କର ଆଖି ତାଡି ଦେଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଧେସ ଦେଲେ ।
ମନ୍ତ୍ରୀ ଶିଳ୍ପୀଙ୍କର ଜୀବନ ରକ୍ଷାକଲେ । ଘାତକମାନଙ୍କୁ ଧନଦେଇ ଶିଳ୍ପୀଙ୍କୁ ନିଜର ଗୁପ୍ତ କୋଠରୀରେ ଲୁଚାଇ ରଖିଲେ ଏବଂ ପଶୁପକ୍ଷୀ ମାରି ଦୁଇଟି ଆଖି ଆଣି ରାଜାଙ୍କୁ ଭେଟି ଦେବାକୁ ନିର୍ଧେସ ଦେଲେ ।
କିଛିଦିନ ପରେ ରାଜାଙ୍କର ସାନପୁଅ ଜଙ୍ଗଲକୁ ଶିକାର କରିବାକୁ ଗଲା । କୌଣସି କାରଣରୁ ସେ ନିଜର ସାଙ୍ଗ ସାଥୀମାନଙ୍କଠାରୁ ଦୂରେଇ ଗଲା । ଜଙ୍ଗଲରେ ଏଣେ ତେଣେ ଘୂରୁ ଘୂରୁ ମହାବଳ ବାଘ ହାବୁଡରେ ପଡିଗଲା । ଭୟଭୀତ ହୋଇ ତରବରରେ ଗୋଟିଏ ଗଛ ଉପରକୁ ଚଢିଗଲା । କିଛି ସମୟପରେ ଦେଖିଲା ସେଇ ଗଛର ଅନ୍ୟଏକ ଡାଳରେ ଭାଲୁଟିଏ ବସିଛି । ତାକୁ ଦେଖି ତାର ହାଲୁକ ଶୁଖିଗଲା । କ’ଣ କରିବ କିଛି ଭାବି ପାରିଲା ନାହିଁ ।
ତାକୁ ଦେଖି ଭାଲୁ କହିଲା, “ଡର ନାହିଁ । ମୁଁ ତମର କିଛି କ୍ଷତି କରିବି ନାହିଁ । ମୁଁ ସେଇ ବାଘ ଭୟରେ ଏ ଗଛରେ ଆଶ୍ରୟ ନେଇଛି । ଆମ ଦୁହିଁଙ୍କର ସମାନ ଦଶା । କଥା ଦିଅ, ତୁମେ ମୋତେ ବିପଦକୁ ଠେଲି ଦେବ ନାହିଁ । ମୁଁ ମଧ୍ୟ ତମକୁ ସୁରକ୍ଷା ଦେବି । ରାଜପୁତ୍ର ଭାଲୁକୁ କଥା ଦେଲା ।
ସମୟ ବିତି ଚାଲିଲା । ରାତି ଘନେଇ ଆସିଲା । ଭୟ ଏବଂ ପରିଶ୍ରମ ହେତୁ ରାଜ କୁମାରକୁ ନିଦ ଘାରିଲା । ସେ ଘୂମେଇବା ଦେଖି ଭାଲୁ କହିଲା, “ସାବଧାନ! ନିଜକୁ ସମ୍ଭାଳ । ନିଦ ହୋଇଗଲେ ତମେ ଅଜାଣତରେ ଖସି ପଡିବ ଏବଂ ବାଘର ଶିକାର ହେବ ।”
ରାଜକୁମାର କହିଲା, “କ’ଣ କରିବି? ମୋତେ ଖୁବ୍ ନିଦ ଲାଗୁଛି । ଭାଗ୍ୟରେ ଯାହାଥିବ ତାହାହେବ ।”
ଭାଲୁ କହିଲା, “ତମେ ଗୋଟିଏ କାମ କର । ତମେ ଏଇ ଡାଳକୁ ଚାଲିଆସ । ମୁଁ ତୁମ ସ୍ଥାନକୁ ଚାଲିଯିବି । ଏ ଡାଳ ଓସାରିଆ । ତମେ ଆରାମ୍ କରି ପାରିବ ।”