“ପ୍ରଭାକର, ତୋ ବିବେକ ଓ ବୁଦ୍ଧି ଉପରେ ମୋର ଯଥେଷ୍ଟ ଭରସା ଅଛି । ମୁଁ ଜାଣେ, ତୁ ସେମାନଙ୍କ ସାଙ୍ଗରେ ମିଶିଲେ ମଧ୍ୟ ସେମାନଙ୍କ ବଦ୍ଗୁଣ ଦ୍ୱାରା କେବେବି ପ୍ରଭାବିତ ହେବୁ ନାହିଁ । ତେଣୁ ମୁଁ ଆଜିଯାଏଁ ତୋତେ କିଛିବି କହୁନଥିଲି । କିନ୍ତୁ ବର୍ତ୍ତମାନ ମୁଁ ଆଉ ଘରେ ରହିବି ନାହିଁ । ତୁ ଘରର ଓ ମୋ ବ୍ୟବସାୟ ସଂସ୍ଥାର ମାଲିକ ହେବୁ । ସମସ୍ତଙ୍କ ଆଖି କେବଳ ତୋ’ ଉପରେହିଁ ରହିବ । ଅର୍ଥାତ୍ ବର୍ତ୍ତମାନ ତୋର ସମାଜିକ ପରିଚୟ ଅଲଗା ହୋଇଗଲା । ତୁ କୁସଙ୍ଗରେ ମିଶିଲେ ଲୋକଙ୍କ ଧାରଣା ଆଦୌ ଭଲ ହେବ ନାହିଁ ।”
ପ୍ରଭାକର କହିଲା “ବାପା, ସେମାନେ ସବୁ ମୋ ପିଲାବେଳର ସାଙ୍ଗ । ମୋ ପ୍ରଭାବରେ ସେମାନେ ଭଲ ହେବେ, ଏ ଆଶା ମୋର ଥାଏ । ତା’ଛଡା ଜଣେ ମୋ ସହ ବାଜି ରଖିଛି, ମୁଁ ସେମାନଙ୍କ ପ୍ରଭାବରେ ମଦ ପିଇବି । ମୁଁ ତା’ କଥା ଅସତ୍ୟ ବୋଲି ପ୍ରମାଣିତ କରିଦେବାକୁ ଚାହେଁ ।”
“ସେସବୁ ବର୍ତ୍ତମାନ ଭୁଲିଯା । ତାଳଗଛ ତଳେ ବସି ଦୁଧ ପିଇଲେ କ’ଣ ହୁଏ, ତୁ କ’ଣ ସେକଥା ଜାଣୁନା?” ଏହା କହି ବାପା ଅନ୍ୟ କାମରେ ଚାଲିଗଲେ । ସାତଦିନ ପରେ ବାପା ବିଦେଶ ବାହାରିଗଲେ ଓ ପ୍ରଭାକର ନିଷ୍ଠାପର ସହକାରେ ଘର ଓ ବେପାର କଥା ସବୁ ବୁଝିଲା । କିନ୍ତୁ ତା’ ମନରେ ଗୋଟାଏ ପ୍ରଶ୍ନ ବଳବତ୍ତର ଥାଏ । ତାଳଗଛ ତଳେ ବସି ଦୁଧ ପିଇଲେ କ’ଣ ହୁଏ?
ଦିନେ ସେ ଗୋଟାଏ ଲୋଟାରେ ଦୁଧ ଧରି ଗାଁ ବାହାରେ ଗୋଟିଏ ତାଳଗଛ ତଳେ ବସି ପିଇବାକୁ ଲାଗିଲା । ଜଣେ ଗ୍ରାମବାସୀ ତାକୁ ଦେଖି ଦୌଡି ଆସି ତା’ ମା’କୁ କହିଲା, “ଯାହା ହେବ ବୋଲି ଆଶଙ୍କା କରୁଥିଲି, ଶେଷରେ ତାହାହିଁ ହେଲା । ତାଳଗଛ ତଳେ ବସି ତମ ପୁଅ ତାଡି ପିଉଛି ।”
ଏକଥା ଶୁଣିବା ମାତ୍ରେ ମା କାନ୍ଦି ଉଠିଲେ । ଲୋକଟି ଦୌଡିଯାଇ ପ୍ରଭାକରକୁ ସେ କଥା କହିବାରୁ ପ୍ରଭାକର ତାକୁ ଦେଖାଇଲା ଯେ ପାତ୍ରରେ ବାସ୍ତବିକ ଦୁଧ ଅଛି । ତା’ପରେ ସେ ଲୋକଟି ଆଶ୍ଚର୍ଯ୍ୟ ହୋଇ ସେଠାରୁ ଚାଲିଗଲା । ପ୍ରଭାକର ବେଗି ବେଗି ଘରକୁ ଆସି ମା’କୁ କହିଲା, “ମା, କାହିଁକି କାନ୍ଦୁଛ? ହେଇଟି ଦେଖ । ମୁଁ ଦୁଧ ପିଉଥିଲି ।”
ମା କାନ୍ଦୁ କାନ୍ଦୁ କହିଲେ “ତୋତେ ମୁଁ ଏଡେରୁ ଏଡୁଟେ କଲି, ଆଉ ମୁଁ କ’ଣ ପିଲା ହୋଇଛି ଯେ ତୁ କହିବୁ ତାଳଗଛରୁ ଦୁଧ ତିଆରି ହୁଏ? ଯଦି ଦୁଧ ପିଇବୁ, ତେବେ ଘରେ ପିଉନାହୁଁ?” ପ୍ରଭାକର କହିଲା, “ବେଶ୍ । ତେବେ ମୁଁ ଏଥର ଏଇଠି ବସି ପିଉଛି ।”
କିନ୍ତୁ ପ୍ରଭାକର ଲୋଟା ମୁହଁ ପାଖକୁ ନେବା ମାତ୍ରେ ମା’ ସେ ଲୋଟା ଦେହରେ ହାତ ପିଟିଦେଲେ । ଫଳରେ ସେ ଲୋଟାଟି ଛିଟିକି ପଡିଲା । ଦୁଧତକ ବହିଗଲା । ବିଲେଇଟିଏ ଆସି ଦୁଧ ପିଇବାକୁ ଉଦ୍ୟତ ହୋଇ ହଠାତ୍ ମଣିଷମାନେ ତାକୁ ଦେଖୁଛନ୍ତି ଜାଣି ସେଠାରୁ ସେ ପଳାଇଗଲା । ମା କହିଲେ, “ଇଏ ଦୁଧ? ବିଲେଇ ଦୁଧ ନ ପିଇ ଚାଲିଯିବ?”
ଏତେବେଳକୁ ପ୍ରଭାକର ବୁଝିଲା, ତାଳଗଛ ମୂଳେ ବସି ଦୁଧ ପିଇଲେ ବି ଲୋକେ ଭାବିବେ ଜଣେ ତାଡି ପିଉଛି । ମଦ୍ୟପ ଓ ଜୁଆଡି ସାଙ୍ଗରେ ମିଶି ଜଣେ ମଦ ପିଉନାହିଁ ବା ଜୁଆ ବି ଖେଳୁନାହିଁ, ଏକଥାକୁ କେହି ହେଲେ ମଧ୍ୟ ବିଶ୍ୱାସ କରିବେ ନାହିଁ । ଏହାପରେ ସେ ସେମାନଙ୍କ ସହ ମିଶାମିଶି କରିବା ସମ୍ପୂର୍ଣ୍ଣ ଭାବେ ଛାଡିଦେଲା । ସେମାନେ ବି ବୁଝିଲେ ଯେ ପ୍ରଭାକରର ବାପା ତା’ ଘରେ ନଥିବାରୁ ପ୍ରଭାକରକୁ ଆଉ ମୋଟେ ସମୟ ମିଳୁନାହିଁ । ବାପା ବିଦେଶରୁ ଫେରି ଦେଖିଲେ ପ୍ରଭାକର ତାଙ୍କ ବ୍ୟବସାୟରେ ଉନ୍ନତିବିଧାନହିଁ କରିଛି । ଏଣୁ ପରବର୍ଷ ସେ ତାକୁ ବିଦେଶ ପଠାଇଲେ ।