ରାଜା ବିକ୍ରମାଦିତ୍ୟଙ୍କ ଆଦେଶ ପାଇ ତାଳ ବେତାଳ ଅନବରତ ଜଗିଥାନ୍ତି । ଶେଯ ଚଉପାଶେ ଆଲୋକ ସଜ୍ଜିତ ହେଲା । କର୍ପୁର କସ୍ତୁରୀ ଚନ୍ଦନ ରଖିଥାଏ । ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥ ଏହି ସମୟରେ ଦ୍ୱାର ଦେଶରେ ପ୍ରବେଶ ହେଲା । ଦ୍ୱାର ଖୋଲି ଚିତ୍ରରଥର ପଦ ଧୌତକରି ସୁନ୍ଦର ବସନରେ ପୋଛି ଦେଲା । ଚିତ୍ରରଥ ରାଜଜେମାକୁ ଆଲିଙ୍ଗନ କରି ଶଯ୍ୟାରେ ବସାଇଲା । ଖୁଆଇଦେଲା, ଉଭୟେ ପ୍ରେମରେ ମାତିଲେ । ଗନ୍ଧର୍ବ ରତିରେ ପଣ୍ଡିତ । ତା’ପରେ କେଳି ପର୍ବ ଆରମ୍ଭ ହୋଇ ସମାପ୍ତ ହେଲା । ତାଳ ବେତାଳ ସେଠାରୁ ଚାଲିଗଲେ । ରାଜା ବିକ୍ରମାଦିତ୍ୟଙ୍କ ନିକଟରେ ପ୍ରବେଶି ବେତାଳ କହିଲା ମଣିମା କମଳିନୀ ବ୍ୟଭିଚାରିଣୀ । ଛାର ଅସତୀନାରୀପାଇଁ ଏତେ ଦୁଃଖ ସହ୍ୟ କଲଣି ଚାଲନ୍ତୁ ରାଜ୍ୟକୁ ବାହୁଡି ଯିବା ।
ରାଜା ବିକ୍ରମାଦିତ୍ୟ କହିଲେ ହେ ତାଳବେତାଳ, ତାକୁ ମୁଁ ବର୍ଜନ କଲି । ଦୁଇଚାରିଦିନ ପରେ ରାଜ୍ୟକୁ ପ୍ରତ୍ୟାବର୍ତନ କରିବା । ତୁମ୍ଭେ ପ୍ରତ୍ୟେକ ଦିନ ତା’ ଗୃହରେ ରହି ତା’ର କାର୍ଯ୍ୟକୁ ଲକ୍ଷ୍ୟ କର । ଯାହା କରିବା ସେଠାରେ ଉଚିତ ସେକଥା କରିବ । ବେତାଳ ତାଳକୁ ନୃପତି ବିଦାୟ ଦେଲେ । ପୂର୍ବଦିଗରେ ଅରୁଣ ଉଦୟ ଜାଣି ଚିତ୍ରରଥ କମଳିନୀକୁ ତ୍ୟାଗକରି ସ୍ୱର୍ଗପୁରକୁ ଚାଲିଗଲା । ରାଜା ବିକ୍ରମାଦିତ୍ୟ ମିଛରେ ନିଦ୍ରାରେ ଶୋଇଛନ୍ତି । ଦାସୀମାନେ ତାଙ୍କୁ ଯାଇ ଉଠାଇଲେ । ରାଜା ବିକ୍ରମାଦିତ୍ୟ କହିଲେ ଆହା ସ୍ୱପନଟା ଭାଙ୍ଗିଦେଲ । ସ୍ୱପ୍ନରେ ଦେଖିଲି ତୁମ୍ଭ ରାଜଜେମା ନିଦ୍ରା ଲାଗୁଛି କହି ତୁମ୍ଭମାନଙ୍କୁ ତଡିଦେଇ ନାନା ପ୍ରକାର ଖାଦ୍ୟଦ୍ରବ୍ୟ ରଖିଲା । ପୁଷ୍ପରେ ନିଜେ ମଣ୍ଡିତ ହେଲା । ନାନା ପ୍ରକାର ସୁଗନ୍ଧି ପୁଷ୍ପରେ ଶଯ୍ୟା ମଣ୍ଡାଇଲା । କର୍ପୁର କସ୍ତୁରୀ ଚନ୍ଦନ ସୁବାସିତ ନୀର ରଖି ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥର ଆଗମନକୁ ଚାହିଁ ରହିଲା ।