ଗୁରୁ କହିଲେ “ତେବେ ଶୁଣ, ତୁମ ସମସ୍ତିଙ୍କୁ ମୁଁ ଗୋଟିଏ କାହାଣୀ ଶୁଣାଇବି । ସେଥିରେ ଏକ ସମସ୍ୟା ଥିବ । ଯିଏ ପ୍ରକୃତ ସମାଧାନ କରି କହିଦେବ କେବଳ ସେ ହିଁ ଅନ୍ୟମାନଙ୍କଠାରୁ ମେଧାବାନ୍ ବୋଲି ପ୍ରମାଣିତ ହେବ । ଏବେ ଯାଅ । ସମସ୍ତ ବିଦ୍ୟାର୍ଥୀଙ୍କୁ ଏକ ସ୍ଥାନରେ ଏକତ୍ରିତ କର ।”
ସମସ୍ତ ବିଦ୍ୟାର୍ଥୀ ଗୋଟିଏ ଗଛତଳେ ଆସି ବସିଲେ । ଗୁରୁ ଏବେ କାହାଣୀ ଶୁଣାଇଲେ :-
“ପୂର୍ଣ୍ଣଚନ୍ଦ୍ର କମ୍ ବୟସରେହିଁ ସୂର୍ଯ୍ୟନଗରର ରାଜା ହେଲେ । ତାଙ୍କ ପରିବାରରେ ତାଙ୍କର ବିଧବା ମା’, ତାଙ୍କ ପତ୍ନୀ ଓ ଜଣେ ଅବିବାହିତ ଭଉଣୀ ଥିଲେ । ସେହି ତିନିଜଣଙ୍କୁ ସେ ବହୁତ ଭଲ ପାଉଥିଲେ । ଦିନେ ଜଣେ ସାଧୁ ରାଜାଙ୍କୁ ଉପହାର ଦେଲେ ଗୋଟିଏ ହାର, ଗୋଟିଏ ଗୋଲି ଆଉ ଗୋଟିଏ ଫୁଲ । ସାଧୁ କହିଲେ, “ରାଜନ୍, ଏଗୁଡିକ ଆପଣ ଆପଣଙ୍କର ପ୍ରିୟ ଲୋକଙ୍କୁ ଦେଇ ପାରିବେ । ଏବେ ଶୁଣନ୍ତୁ ଏମାନଙ୍କର ଗୁଣ । ଏହି ଗୋଲିକୁ ଯିଏ ଖାଇଦେବ ତା’ର ସାରା ଜୀବନ ପାଇଁ ଆଉ କୌଣସି ଚିନ୍ତା ରହିବ ନାହିଁ । ଏହି ହାରକୁ ଯିଏ ପିନ୍ଧିବ ସେ ସଦା ସୁଖୀ ରହିବ । ଆଉ ଏ ଫୁଲକୁ ଯିଏ ଲଗାଇବ ସେ ଦୁଇଗୁଣ ସୁନ୍ଦର ହୋଇଯିବ ।” ଏତିକି କହି ସାଧୁ ରାଜାଙ୍କୁ ଆଶିର୍ବାଦ କରି ସେଠାରୁ ଚାଲିଗଲେ ।
ଗୁରୁ କହିଲେ, “ରାଜାଙ୍କର ତିନିଜଣ ପ୍ରିୟପାତ୍ର, ବସ୍ତୁ ମଧ୍ୟ ତିନିଟି । ସମସ୍ୟା ହେଲା କାହାକୁ ଏବେ ସେ କେଉଁଟି ଦେବେ?”
ନିରଞ୍ଜନ, ଘନଶ୍ୟାମ ଓ ଅନ୍ୟାନ୍ୟ ବିଦ୍ୟାର୍ଥୀମାନେ ନାନା ପ୍ରକାର ସମାଧାନ କରିବାକୁ ଚେଷ୍ଟା କଲେ କିନ୍ତୁ ସଫଳ ହେଲେ ନାହିଁ । ଏପରି ପରିସ୍ଥିତିରେ ରାଧାନାଥ ଉଠିପଡି କହିଲା, “ରାଜମାତା ବିଧବା । ସେ ସର୍ବଦା ସୁଖୀ ରହିବାଟା ତ ରାଜାଙ୍କ ପାଇଁ ସନ୍ତୋଷଜନକ । ତେଣୁ ରାଜା ରାଜମାତାଙ୍କୁ ଗୋଲିଟି ଦେବା ଉଚିତ୍ । ପତ୍ନୀ ତ ସହଧର୍ମିଣୀ, ପତ୍ନୀର ହିତ ହେଲେ ତଦ୍ୱାରା ସ୍ୱାମୀର ମଧ୍ୟ ମଙ୍ଗଳ ହେବ । ତେଣୁ ହାରଟି ରାଣୀଙ୍କୁ ଦେବା ଉଚିତ୍ । ବାକି ରହିଲା ଫୁଲଟି । ଫୁଲଟି ରାଜକୁମାରୀଙ୍କୁ ଦେବା ଉଚିତ୍ । କାରଣ ସେ ଅବିବାହିତା । ଅଧିକ ସୁନ୍ଦରୀ ହେବା ଦ୍ୱାରା ତାଙ୍କର ହିଁ ହିତ ହେବ ।”
ରାଧାନାଥର ସମାଧାନକୁ ଗୁରୁ ଓ ସମସ୍ତ ବିଦ୍ୟାର୍ଥୀ ଖୁସିରେ ମାନି ନେଲେ । ସମସ୍ତେ ଆନନ୍ଦରେ ହର୍ଷନାଦ କଲେ । ଏବେ ତାକୁ ଈର୍ଷା କରୁଥିବା ନିରଞ୍ଜନ ଓ ଘନଶ୍ୟାମ ମଧ୍ୟ ଖୁସି ହୋଇ ତାକୁ ଅଭିନନ୍ଦନ କଲେ ।