ଏ ଗଳ୍ପଟି ଆରବ ଦେଶର କାହାଣୀ । ଅନେକ ପୂର୍ବର କଥା । କ୍ରୀତଦାସମାନଙ୍କୁ ସେମାନେ ଗୁଲାମ ବୋଲି କହୁଥିଲେ । ସେତେବେଳେ ବାଗଦାଦ୍ରେ ଜଣେ ବଡ ସୌଦାଗର ଥା’ନ୍ତି ତାଙ୍କ ପାଖରେ ଅନେକ ଗୁଲାମ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ତାଙ୍କର ସେବାରେ ନିଯୁକ୍ତ ଥା’ନ୍ତି । ଜଣେ ସୌଦାଗରଙ୍କର ପାଦସେବା କରେ, କି ଦିନ କି ରାତି । ଦ୍ୱିତୀୟଟି ସୌଦାଗରଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ପାଣି କାଢୁଥାଏ । ସାରା ଦିନ ସେ ସେଇ କାମରେ ଥାଏ । ତୃତୀୟଟି ସୌଦାଗରଙ୍କର ନିତିଦିନର ଆବଶ୍ୟକ ଜିନିଷ ସବୁ ବଜାରରୁ କିଣି ଘରକୁ ବୋହି ନେଇ ଆସେ । ସେମାନେ ବିନା ବିଶ୍ରାମରେ ଖଟୁଥା’ନ୍ତି । ସେମାନଙ୍କୁ ଖାଇବାକୁ ଅନ୍ୟ ଗୁଲାମମାନଙ୍କ ପରି ଦୁଇବକ୍ତ ଖାଇବା ମିଳେ ତାହା ମଧ୍ୟ ପେଟ ପୁରିବାକୁ ଯଥେଷ୍ଟ ନୁହେଁ ।
ସୌଦାଗରଙ୍କର ବିବାହ ପରେ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ହେଲା ନାହିଁ । ହଠାତ୍ ଗୋଟିଏ ପୁଅ ହେବା ଯୋଗୁଁ ସେ ଏତେ ଆନନ୍ଦ ହୋଇଗଲେ ଯେ ଭାବିଲେ କିଛି ଧର୍ମ କାର୍ଯ୍ୟ କରି ପୁଣ୍ୟ ଲାଭ କରିବେ । ଦିନେ ସେ ତାଙ୍କ ତିନି ଗୁଲାମଙ୍କୁ ପାଖକୁ ଡାକି କହିଲେ, “ତମେ ତିନିଜଣ ମୋର ବହୁତ କାମ କରିଛ ଓ ଉପକାର ମଧ୍ୟ କରିଛ । ତେବେ କାଲି ଯିଏ ସବୁଦିନଠାରୁ ବେଶି କାମ କରିବ ତାକୁ ମୁଁ ଏହି ଦାସତ୍ୱର ଶୃଙ୍ଖଳରୁ ସବୁଦିନ ଲାଗି ମୁକ୍ତ କରିଦେବି ।
ପରଦିନ ଦ୍ୱିତୀୟ ଓ ତୃତୀୟ ଗୁଲାମ ମନଦେଇ ବହୁତ କାମ ଓ ପରିଶ୍ରମ କରି ଖଟୁଥା’ନ୍ତି । ଖଟି ଖଟି ସେ ଦୁହେଁ ସଂଧ୍ୟା ବେଳକୁ ବୋହୋସ୍ ହୋଇ ପଡିଲେ । କିନ୍ତୁ ପ୍ରଥମ ଜଣକ ସେଦିନ ମାଲିକଙ୍କର ପଦସେବା କରିବାକୁ ଗଲା ନାହିଁ । ଅନ୍ୟ କୌଣସି କାମ ମଧ୍ୟ କଲା ନାହିଁ । ସେ ଖାଲି ଆରାମ୍ରେ ଶୋଇଥାଏ । ସୌଦାଗର ତାକୁ ବହୁ ସମୟ ଅପେକ୍ଷା କଲେ । ସେ ନ ଆସିବାରୁ ସୌଦାଗର ରାଗରେ ଲାଲ୍ ହୋଇଗଲେ । ସେ ଅନ୍ୟ ଚାକରମାନଙ୍କୁ ଆଦେଶ ଦେଲେ କି ତା’ର ହାତ ବାନ୍ଧି ଯେପରି ତାଙ୍କ ନିକଟକୁ ଅଣାଯାଏ ।
ଚାକରମାନେ ତା’ର ହାତ ବାନ୍ଧି ଘୋଷାରି ଘୋଷାରି ଆଣି ତାକୁ ମାଲିକଙ୍କ ଆଗରେ ପକାଇ ଦେଲେ । ସୌଦାଗର ପଚାରିଲେ, “ଏ ମୂର୍ଖ ଏବେ ପର୍ଯ୍ୟନ୍ତ କ’ଣ କରୁଥିଲା?”
ଚାକରମାନେ କହିଲେ “ହଜୁର୍ ସେ ଆରାମ୍ରେ ବସିଥିଲା । ସାରା ଦିନ କୌଣସି କାମ କରିନାହିଁ ।”
ସୌଦାଗର ଅନ୍ୟ ଦୁଇ ଗୁଲାମଙ୍କ ବିଷୟରେ ପଚାରିଲେ । ଚାକରମାନେ କହିଲେ, “ସେମାନେ ଦିନ ରାତି କାମ କରି କରି ବେହୋସ ହୋଇ ପଡିଛନ୍ତି ।”
ସୌଦାଗର କହିଲେ, “ସେମାନଙ୍କୁ ମଧ୍ୟ ଏଠାକୁ ଅଣାଯାଉ ।”
ତୁରନ୍ତ ଚାକରମାନେ ସେ ଦୁହିଁଙ୍କୁ ବେହୋସ୍ ଅବସ୍ଥାରେ ସୌଦାଗରଙ୍କ ନିକଟକୁ ଆଣିଲେ । ସୌଦାଗର କହିଲେ, “ସେମାନଙ୍କୁ ଚିକିତ୍ସା କରି ଭଲ ଅବସ୍ଥାକୁ ଆଣ ।”