ତା’ପରେ ଚାକରମାନେ ସେ ଦୁହିଁଙ୍କ ମୁହଁରେ ପାଣି ଛାଟି ସେମାନଙ୍କୁ ଚେତା କରାଇଲେ । ଯାହା ଦ୍ୱାରା କି ସେମାନେ ଧୀରେ ଧୀରେ ସୁସ୍ଥ ହୋଇ ଉଠି ବସିଲେ । ସୌଦାଗର ସେମାନଙ୍କ ଉପରେ ବହୁତ ଖୁସି ହୋଇଥିଲେ । କାହିଁକିନା ସେମାନେ ଦିନରାତି କାମ କରି ମାଲିକଙ୍କୁ ଖୁସି କରିଥିଲେ ସୌଦାଗର ସେମାନଙ୍କୁ କହିଲେ, “ତୁମେ ଦୁହେଁ ମୋ କଥାକୁ ଶିରୋଧାର୍ଯ୍ୟ କରି କାମ କରିଛ । ସେଥିରେ ମୁଁ ଖୁବ୍ ଖୁସି । ଏବେ ମୁଁ ତୁମକୁ ଦାସତ୍ୱର ବନ୍ଧନରୁ ମୁକ୍ତ କରି ଦେଉଛି । ଏବେ ତୁମେ ଦୁହେଁ ନିଜ ଇଚ୍ଛା ଅନୁସାରେ ନିଜର ଜୀବନ ବିତାଇ ପାର ।
ଏହାପରେ ସେ ଦୁହେଁ ସୌଦାଗରଙ୍କୁ ଧନ୍ୟବାଦ ଦେଇ ନିଜ ରାସ୍ତାରେ ଚାଲିଗଲେ । ଏବେ ସେ ସୌଦାଗର ପ୍ରଥମ ଗୁଲାମକୁ ପଚାରିଲେ, “ଆରେ ମୂର୍ଖ, ଓଲୁ, ଗଧ, ତୋତେ ଯେଉଁ ସୁଯୋଗ ମିଳିଥିଲା ତାକୁ ତୁ ପଦାଘାତ କଲୁ । ତୁ ଏଡେ ବୋକା ବୋଲି ମୁଁ ଜାଣି ନଥିଲି । ଆଜି ଦିନରେହିଁ ଅଳସୁଆ ହୋଇ ବସିବାକୁ ତୋତେ ଅବସର ମିଳିଲା? କ’ଣ ଦାସତ୍ୱରୁ ମୁକ୍ତ ହେବାକୁ ତୋର ଇଚ୍ଛା ନାହିଁ?”
ମାଲିକଙ୍କର ଏହି କଟୁକ୍ତି ଶୁଣି ଗୁଲାମର ଆଖି ଲୁହରେ ଛଳ ଛଳ ହେଲା । ଭଙ୍ଗା କଣ୍ଠରେ ସେ କହିଲା, “ମାଲିକ, ମୁଁ ଯେତେଦିନ ପର୍ଯ୍ୟନ୍ତ ଜୀବିତ ଥିବି ଆପଣଙ୍କରହିଁ ସେବା କରୁଥିବି । ଦାସତ୍ୱରୁ ମୁକ୍ତିଲାଭ କରିବାକୁ ଆପଣ ମୋତେ ସୁଯୋଗ ଦେଇଥିଲେ କିନ୍ତୁ ମୁଁ ଆପଣଙ୍କୁ ଛାଡି ଆଉ କୁଆଡେ ବି ଯିବାକୁ ଚାହୁଁନାହିଁ । ସେଥିପାଇଁ ମୁଁ ଇଚ୍ଛାକରି ଆପଣଙ୍କ ସେବା କରିବାକୁ ଆଜି ଆସିନାହିଁ । ମୁଁ ଚିରଦିନ ପାଇଁ ଆପଣଙ୍କର ଗୁଲାମ୍ ହୋଇ ରହିବାକୁ ଚାହେଁ ।”
ଏବେ ସୌଦାଗର ପ୍ରକୃତ କଥା ବୁଝି ପାରିଲେ । ତାଙ୍କ ମନ ସେ ଗୁଲାମ ପ୍ରତି ଦୟା ଓ ଶ୍ରଦ୍ଧାରେ ଭରିଗଲା । ସ୍ନେହରେ ତାଙ୍କର କଣ୍ଠରୁଦ୍ଧ ହେଲା – ସେ କହିଲେ, “ଆରେ ପାଗଳା, ତୁ ଦାସତ୍ୱରୁ ମୁକ୍ତ ହେବା ଅର୍ଥ ଏହା ନୁହେଁ ଯେ ତୁ ମୋତେ ଛାଡି ଚାଲିଯିବୁ । ଯାହାହେଉ ତୁ ବହୁଦିନ ଧରି ଅତି ଆନ୍ତରିକତାର ସହିତ ମୋର ସେବା କରିଛୁ । ତେଣୁ ପୁରସ୍କାର ସ୍ୱରୂପ ଆଜି ମୁଁ ତୋତେ ଦାସତ୍ୱରୁ ମୁକ୍ତ କଲି । ତୁ ଯଦି ମୋତେ ଛାଡିଯିବାକୁ ଚାହୁଁନାହୁଁ, ତେବେ ମୁଁ ତୋତେ ଆଜିଠାରୁ ଗୋଟିଏ ଚାକିରୀ ଦେବି । ଯାହା ଫଳରେ ତୁ ସ୍ୱାଧୀନ ଭାବରେ ଟଙ୍କା ରୋଜଗାର କରି ଚଳିପାରିବୁ । ଏବେ ତୁ ଖୁସି ତ?”
ଏକଥା ଶୁଣି ଗୁଲାମ୍ ବହୁତ ଖୁସି ହୋଇ ମାଲିକଙ୍କର ଚରଣ ସ୍ପର୍ଶ କଲା । ସୌଦାଗର ଅତି ସ୍ନେହରେ ତାକୁ ଆଲିଙ୍ଗନ କରି କହିଲେ, “ଏବେ ତୋର ଭବିଷ୍ୟତ ଅତି ଆନନ୍ଦରେ କଟିବ । ଗୋଟିଏ ସୁନ୍ଦର ଝିଅ ସହିତ ମୁଁ ତୋର ବିବାହ କରାଇ ଦେବି ।”
ସୌଦାଗର ତାଙ୍କର କଥା ରଖିଲେ । ଗୁଲାମ ସହିତ ଏକ ସୁନ୍ଦର ଝିଅର ବିବାହ କରାଇ, ଚାକିରୀ ଦେଇ, ତାକୁ ସେ ନିଜ ପାଖରେ ରଖିଲେ । ତା’ପରେ ସେ ମହା ଆନନ୍ଦରେ ଦିନ କଟାଇଲା ।