ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନି ତାନ୍ତ୍ରିକ

                କିନ୍ତୁ କେତେ ସମୟ ପର୍ଯ୍ୟନ୍ତ ଜଣେ ମଣିଷ ସେସବୁ ଭୁଲି ରହିପାରେ? ସୂର୍ଯ୍ୟ ଅସ୍ତ ଗଲେ । କ୍ରମେ ଅନ୍ଧକାର ଘୋଟି ଆସିଲା । ଥଣ୍ଡାରେ ଦେହ କମ୍ପୁଥାଏ । ଭୋକ ସାଥିକୁ ପ୍ରବଳ ତୃଷ୍ଣା । ସେ ଆଉ କିଛି ଉପାୟ ନପାଇ ଦୁଇତିନି ଢୋକ ଲୁଣିପାଣି ପିଇନେଲା । ପେଟରେ ସଙ୍ଗେ ସଙ୍ଗେ ସେ ଯନ୍ତ୍ରଣା ଅନୁଭବ କଲା ।

                ତେବେ କ୍ଳାନ୍ତି ଓ ହତାଶା ଭିତରେ ତାକୁ ନିଦ ଲାଗିଗଲା । ତାହାହିଁ ତା’ପ୍ରତି ଆଶୀର୍ବାଦ ସ୍ୱରୂପ ହେଲା ।

                ସେ କେତେ ସମୟ ଶୋଇ ପଡିଥିଲା ଜାଣେନା । ଆଖି ଖୋଲିବା ବେଳକୁ ଆକାଶ ନିର୍ମଳ । ଚାରିଆଡେ ଖରା ପଡିଛି । ସେ ବି ଆଉ ଭାସମାନ ଅବସ୍ଥାରେ ନାହିଁ ।

ସେ ଧିରେ ଧିରେ କହୁଣି ଉପରେ ଭରା ଦେଇ ମୁଣ୍ଡ ତୋଳି ଦେଖିଲା, ସେ ଆସି ସ୍ଥଳରେ ଲାଗିଛି । ତା’ ଗୋଡ ଦୁଇଟି ସେଯାଏଁ ପାଣିରେ ଅଛି ।

ସାରା ରାତି ସେ ଯେ ନିଦ୍ରିତ ରହିପାରିଥିଲା, ସେଥିପାଇଁ ସେ ନିଜ ଭାଗ୍ୟକୁ ଧନ୍ୟବାଦ ଦେଲା । ସେ ଅନୁଭବ କଲା ନିଦ୍ରା ଅନେକ ପରିମାଣରେ ତା’ କ୍ଳାନ୍ତି ଦୂର କରି ଦେଇଛି । ଯାହାହେଉ ସ୍ଥଳ ଭାଗରେ ପହଁଚି ପାରିଥିବା ଯୋଗୁଁ ଭିତରେ ଭିତରେ ସେ ପ୍ରବଳ ଉତ୍ସାହ ଅନୁଭବ କଲା । ଏହି ଯାତ୍ରାରୁ ସେ ହୁଏତ ବଂଚିଗଲା, ଏହି ଆଶା ତାକୁ ନୂଆ ପ୍ରେରଣା ଦେଲା ।

ସେ ଠିଆ ହୋଇପଡି ବାଲି ଉପରକୁ ଗଲା । କିନ୍ତୁ ଯେତେଦୂର ଆଖି ଯାଉଛି, ଖାଲି ବାଲି ଆଉ ବାଲି । ଗୋଟାଏ ବି ଗଛର ଦେଖା ନାହିଁ, ଘର ଦ୍ୱାର ତ ଦୂରର କଥା ।

ଆକାଶକୁ ଅନାଇ ସେ ଦେଖିଲା ଦଳେ ଶାଗୁଣା ଚକ୍ରାକାରେ ଉଡୁଛନ୍ତି ଓ କ୍ରମେ ତଳକୁ ତଳକୁ ଆସୁଛନ୍ତି । ସେ ଅନୁମାନ କଲା, ଯେଉଁଠି ଶାଗୁଣା ପଲ ଓହ୍ଲାଇବେ, ସେଠାରେ ନିଶ୍ଚୟ ଗାଁ ବା କାହାରି ଶିବିର ଥିବ ।

ତେଣୁ ସେହି ଦିଗକୁ ଲକ୍ଷ୍ୟ କରି ସେ ଚାଲିଲା । ସେତେବେଳକୁ ଖରାରେ ବାଲି ତାତି ଗଲାଣି । ସେ ଦୌଡିବାକୁ ଲାଗିଲା ।

ଅଳ୍ପ ସମୟ ଭିତରେ ସେ ଗନ୍ତବ୍ୟ ସ୍ଥାନରେ ପହଁଚିଲା । କିନ୍ତୁ ଯାହା ଦେଖିଲା, ସେଥିରେ ହତାଶା ସାଙ୍ଗକୁ ବିସ୍ମୟ ତାକୁ ଆୟତ କଲା । ଗାଁ ଗଣ୍ଡା ନାହିଁ, କିନ୍ତୁ ଗୋଟାଏ ମଣିଷକୁ ଖଣ୍ଡିଏ ଉଚ୍ଚ ପଥର ଦେହରେ କସି କରି ବାନ୍ଧି ଦିଆ ଯାଇଛି । ତା’ ଦେହରେ ପ୍ରାଣ ଥିବାର ଜଣାଯାଉ ନାହିଁ । ଶାଗୁଣାମାନେ ତାକୁ ଭକ୍ଷଣ କରିବା ଉଦ୍ଧେଶ୍ୟରେ ଭୀଡ କରୁଛନ୍ତି ।

ପିଙ୍ଗଳ ଖଣ୍ଡିଏ ପଥର ଉଠାଇ ସେ ଶାଗୁଣାପଲ ଆଡକୁ ଫୋପାଡିଲା । ସେଥିରେ ଅଧିକାଂଶ ଶାଗୁଣା ପଳାଇଗଲେ । ଆଉ କେତୋଟି ଦୂରରେ ରହି ଡେଣା ଝାଡି ଝାଡି ପିଙ୍ଗଳକୁ କ୍ରୋଧ ଭରେ ଲକ୍ଷ୍ୟ କରିବାକୁ ଲାଗିଲେ ।

ପିଙ୍ଗଳ ସେ ଲୋକ ପାଖରେ ଯାଇ ପହଁଚିଲା । ତା’ ଆଖି ବନ୍ଦ ଥିଲା । ତା’ ଛାତିରେ ହାତ ରଖି ସେ ଦେଖିଲା, ତାହା ନିସ୍ପନ୍ଦ ।

ସେ ମରୁଭୂମି ଭିତରେ ଗୋଟାଏ ଲୋକକୁ ଏପରି ନିର୍ମମ ଭାବରେ ଦଣ୍ଡ ଦେବା ଭଳି ଲୋକ ଅଛନ୍ତି, ଏହା ଭାବି ପିଙ୍ଗଳ ଆଶ୍ଚର୍ଯ୍ୟ ହେଲା । ତେବେ ଭୟଙ୍କର ଓ ନିର୍ଜନ ଲାଗୁଥିବା ସେ ଅଂଚଳକୁ ଯେ କେହି କେହି ମଣିଷଙ୍କର ଯାତାୟତ ରହିଛି, ସେତକ ସେ ବୁଝିପାରିଲା । ହୁଏତ କିଛି ଦୂରରେ ଜନବସତି ବି ରହିଥିବ ।

ପିଙ୍ଗଳ ବର୍ତ୍ତମାନ କ’ଣ କରିବ, ସେଇ ବିଷୟ ଚିନ୍ତା କଲା । ଯାହା ତାର ସବୁଠାରୁ ଜରୁରୀ ପ୍ରୟୋଜନ, ତାହା ଖାଦ୍ୟ ଓ ପାନୀୟ! ସେତକ ବିନା ସେ କ୍ରମେ ଦୁର୍ବଳ ହୋଇଯିବ । ତେଣିକି ଆଶ୍ରୟ ଖୋଜିବା ନିମନ୍ତେ କୁଆଡେ ଯିବା ମଧ୍ୟ ତା’ ପକ୍ଷରେ ଆଉ ସମ୍ଭବପର ହେବ ନାହିଁ । କିନ୍ତୁ ସେ କାହୁଁ ଖାଦ୍ୟପେୟ ପାଇବ?

ଯେତେବେଳେ ପିଙ୍ଗଳ ଏହି ଚିନ୍ତାରେ ମଗ୍ନ, ସେତେବେଳେ ଦୂରରେ ଯାଉଥିବା ଓଟ ଉପରେ ଆରୋହୀ ଦଳେ ଲୋକଙ୍କ ନେତା ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପଥର ଦେହରେ ବନ୍ଧାଥିବା ସେ ଲୋକକୁ, ପିଙ୍ଗଳକୁ ଏବଂ ଉପରେ ଚକ୍କର କାଟୁଥିବା ଶାଗୁଣା ଦଳକୁ ଦେଖି ପାରିଲେ । ତାଙ୍କ ନିର୍ଦେଶରେ ଓଟ ଦଳ ସେମାନଙ୍କ ଗତି ବଢାଇ ସେହି ଦିଗକୁ ମାଡି ଆସିଲେ ।

ଦୂରରେ ଧୂଳି ଉଡିବାର ଦେଖି ପିଙ୍ଗଳ ମନରେ ଆଶାର ସଂଚାର ହେଲା । ସେ ଏକ ଧ୍ୟାନରେ ସେ ଆଡେ ଅନାଇ ରହିଲା । କ୍ରମେ ଓଟାରୋହୀମାନେ ତା’ର ଦୃଷ୍ଟିଗୋଚର ହେଲେ । ସେତେବେଳକୁ ତା’ ମନରେ ଆଶା ସହିତ ଆଶଙ୍କା ବି ଦେଖାଦେଲା । ଯଦି ସେମାନେ ଦସ୍ୟୁଦଳ ହୋଇଥିବେ, ତେବେ ତାକୁ ବନ୍ଦୀ କରିବେ ନଚେତ୍ ଜୀବନରୁ ମାରିଦେବେ । ସେ ଯେ କୁଆଡେ ପଳାଇଯାଇ ଆତ୍ମଗୋପନ କରିବ, ସେ ସମ୍ଭାବନା ନାହିଁ । ବଣବୁଦା ନାହିଁ କି ତା’ର ବି ଚାଲିବାର ଆଉ ଶକ୍ତି ନାହିଁ ।

ସେ ସନ୍ତ୍ରସ୍ତ ଭାବରେ ଏଣେତେଣେ ଅନାଇଲା । ଦୁଇ ଚାରି ପାହୁଣ୍ଡ ପଛକୁ ବି ଘୁଂଚିଗଲା । ତା’ର ସେଭଳି ହାବଭାବ ଦେଖି ଓଟଦଳ ଆଗରେ ଥିବା ବ୍ୟକ୍ତି ପାଟି କରି କ’ଣ କହିଲା । ପିଙ୍ଗଳ ସେସବୁ କିଛି ବୁଝି ପାରିଲା ନାହିଁ । କିନ୍ତୁ ତା’ର ଏହି ଧାରଣା ହେଲା ଯେ ସେ ବ୍ୟକ୍ତି ତାକୁ ଧମକ ଦେଉଛି ।

ଓଟଦଳ ତା’ ପାଖକୁ ମାଡି ଆସିଲେ । ସେମାନଙ୍କ ସର୍ଦ୍ଦାର ନିର୍ଦେଶ ଦେବା ମାତ୍ରେ ତା’ ଅନୁଚରମାନେ ଓହ୍ଲାଇ ପଡି ପିଙ୍ଗଳକୁ ଘେରିଗଲେ । ସର୍ଦ୍ଦାର ଧମକ ଦେଇ ପଚାରିଲା, “ତୁ ମରୁଦସ୍ୟୁ ଭୈରବର ଅନୁଚର କିରେ?” ଏହାପରେ ସେ ମୃତ ବ୍ୟକ୍ତିଟି ଆଡେ ଅନାଇ କହିଲା, “ଇଏ ଆମ ଦଳର ଲୋକ । ଏଠାରେ ଆମ କିଲା ଜଗିଥିବା ଅନ୍ୟମାନେ କାହାଁନ୍ତି? ଆମ କିଲାକୁ ଆଉ ସେ ଭୈରବ ଅଧିକାର କରିଦେଇ ନାହିଁ ତ?”

ପିଙ୍ଗଳ ପିଠିରେ ବର୍ଚ୍ଛାମୂନ ଖେଂଚିଦେଇ ଆଉ ଜଣେ ପଚାରିଲା, “ସତ କହ । ତୋ ନେତା ଭୈରବନାଥ ବର୍ତ୍ତମାନ କେଉଁଠି?”

ସେମାନଙ୍କ କଥାବାର୍ତ୍ତାରୁ ପିଙ୍ଗଳ ଖାଲି ଏତିକି ବୁଝିଲା ଯେ ଭୈରବନାଥ କୌଣସି ଦସ୍ୟୁ ଦଳର ନେତା । କିନ୍ତୁ ଏମାନେ କିଏ?

ପିଙ୍ଗଳ କହିଲା, “ମୁଁ କାହାରି ଅନୁଚର ନୁହେଁ । ସମୁଦ୍ରରେ ଆମ ଜାହାଜ ଝଡବର୍ଷାରେ ପଡି ଡୁବିଗଲା । ଦୈବକୁ ପ୍ରାଣଧରି ମୁଁ ଆସି ଏଠି ପହଁଚିଲି । ଏ ଲୋକ ଦେହରେ ଏବେବି ଜୀବନ ଥାଇପାରେ ଭାବି ମୁଁ ଢେଲା ଫୋପାଡି ଶାଗୁଣାମାନଙ୍କୁ ଏଠୁ ତଡିଲି । ଏ ମରୁଭୂମିର ନାମ କ’ଣ, ଏଠି କିଏସବୁ ରହନ୍ତି, ଏସବୁ ବିଷୟରେ ମୁଁ କିଛି ମଧ୍ୟ ଜାଣେ ନାହିଁ ।”

ସର୍ଦ୍ଦାର ଥରେ ପିଙ୍ଗଳକୁ ଆପାଦମସ୍ତକ ଦେଖିଦେଇ କହିଲା, “ଦେଖ ଟୋକା, ତୁ ଯଦି ସତ କହୁଥିବୁ, ତେବେ ତ ତୋର ଭୟ କରିବାର କୌଣସି କାରଣ ନାହିଁ । ଆଉ ଯଦି ମିଛ କହୁଥିବୁ, ତେବେ ଖିନ୍ଭିନ୍ କରିଦେବା । ଶୁଣ, ଏହା ଆଫ୍ରିକା ମହାଦେଶର ଆରବ ଅଂଚଳ । ମୁଁ ଏଠାକାର ନବାବ୍ଙ୍କର ଓଟଦଳର ସର୍ଦ୍ଦାର । ବର୍ତ୍ତମାନ ସତ କହ, ତୁ କାହା ଜାହାଜରେ ଥିଲୁ? ଜାହାଜ କେମିତି ଡୁବିଲା? ଆଉ ତୁ ଏଠାକୁ କେମିତି ଆସିଲୁ?”

ସେତେବେଳକୁ ସେଠାରେ ତମ୍ବୁ ପକା ହୋଇଯାଇଥାଏ । ସର୍ଦ୍ଦାର ପିଙ୍ଗଳକୁ ସେହି ତମ୍ବୁ ଭିତରକୁ ନେଇଗଲେ । ପିଙ୍ଗଳ ଯେତେବେଳେ ବୁଝିଲା ଯେ ସେ ନବାବ୍ଙ୍କର ଜଣେ ବଡ କର୍ମଚାରୀଙ୍କ ସମ୍ପର୍କରେ ଆସିଛି, ସେତେବେଳେ ତା’ ମନରେ ଆଉ କିଛି ଦ୍ୱିଧା ରହିଲା ନାହିଁ । ସେ ଖାଲି ତା’ ପରିବାର କଥା ଛାଡି କିପରି ବନ୍ଦୀ ହୋଇ ଦସ୍ୟୁ କପ୍ତାନ୍ ପାଖରେ ଗୁଲାମ ବନିଲା, ସେ କିପରି ସେଠାରୁ ମୁକ୍ତି ପାଇଲା, ଦୁଇ ଜାହାଜ ଭିତରେ ସଂଘର୍ଷ ପୂର୍ବରୁ ସେ କିପରି ଅନ୍ୟ ଗୁଲାମମାନଙ୍କର ନେତୃତ୍ୱ ନେଇ ଦସ୍ୟୁ କପ୍ତାନ୍ ବିରୁଦ୍ଧରେ ବିଦ୍ରୋହ କଲା, ସେସମସ୍ତ କଥା ସେ ଆମୂଳଚୁଳ ଗପିଗଲା ।

ସର୍ଦ୍ଦାର ପଚାରିଲା “ଯେଉଁ ଜାହାଜ ସହ ସଂଘର୍ଷ ହେଲା, କ’ଣ ସେଥିରେ ବି ଗୁଲାମ ଥିଲେ?”

ପିଙ୍ଗଳ ଉତ୍ତର ଦେଲା “ସେମାନଙ୍କ କଥାବାର୍ତ୍ତାରୁ ତ ମୋର ସେଇଆ ମନେ ହେଲା ।”

“ବେଶ୍, ବେଶ୍ । ଶୁଣ । ତମେ ଦଳେ ଲୋକଙ୍କର ନେତୃତ୍ୱ ଦେଇ ଲଢେଇ କରିଛ । ତେଣୁ ତମର ଦକ୍ଷତା ଅଛି । ଆମେ ତମକୁ ମିତ୍ର ହିସାବରେ ଗ୍ରହଣ କଲୁ । ମୋ ନାମ ହସନ୍ । ମୁଁ ଭୈରବନାଥ ନାମକ ଗୋଟାଏ ଭୀଷଣ ଦସ୍ୟୁ ସର୍ଦ୍ଦାରର ମୁକାବିଲା କରିବା ସକାଶେ ବାହାରିଛି । ଅଳ୍ପ ଦୂରରେ ଆମର ଗୋଟାଏ କିଲ୍ଲା ଅଛି । ଯେଉଁ ଲୋକଟିକୁ ଏଠାରେ ବାନ୍ଧି ମାରିଦିଆ ଯାଇଛି, ସେ ଲୋକଟି ସେହି ଦୁର୍ଗର ପ୍ରହରୀମାନଙ୍କ ଭିତରୁ ଜଣେ । ଦୁର୍ଗକୁ ଭୈରବନାଥ ଅଧିକାର କରି ନେଇଥିବା କିଛିବି ଅସମ୍ଭବ କଥା ନୁହେଁ । ତାକୁ କିପରି କାବୁ କରାଯିବ, ଏବେ ତାହାହିଁ ମୋର ସବୁଠୁ ବଡ ଚିନ୍ତା ।”

ଏହା କହି ସର୍ଦ୍ଦାର ଜଣେ ସୈନିକକୁ ଡାକି ପିଙ୍ଗଳକୁ ଦେଖାଇ କହିଲା, “ଏ ଯୁବକ ବର୍ତ୍ତମାନଠାରୁ ଆମ ଦଳର ଅନ୍ତର୍ଭୁକ୍ତ ହେଲେ । ଏହାଙ୍କୁ ନେଇ ଯାଇ ଶୀଘ୍ର ଖାଇବାକୁ ପିଇବାକୁ ଦିଅ । ଗୋଟାଏ ଓଟ ବି ତାଙ୍କୁ ଦିଅ ।”

ଏ ନିର୍ଦେଶ ଶୁଣି ପିଙ୍ଗଳ ଦେହରେ ଟିକେ ପ୍ରାଣ ପଶିଲା । ସୈନିକ ସଙ୍ଗେ ସଙ୍ଗେ ତାକୁ ନେଇ ଯାଇ ଖାଇବାକୁ ପିଇବାକୁ ଦେଲା । ପିଙ୍ଗଳର ଆନନ୍ଦ କହିଲେ ନସରେ ।

ସେ ଖାଇପିଇ ସାରି ଟିକିଏ ବିଶ୍ରାମ ପରେ ତାଜା ହୋଇ ଉଠିଲା । କଥା ହେଲା, ଅନେକ ଦିନ ପରେ ତା’ ମନରେ ପୁଣି ଦମ୍ଭର ସଂଚାର ହୋଇଥାଏ । ଜଳଦସ୍ୟୁ କପ୍ତାନ ହାତରେ ପ୍ରାଣ ଯାଇଥାନ୍ତା । କିନ୍ତୁ ସେଥିରୁ ସେ ବର୍ତ୍ତୀ ଗଲା । ପୁଣି ସମୁଦ୍ରରେ ଡୁବି ମଧ୍ୟ ମୃତ୍ୟୁ ଘଟିପାରିଥାନ୍ତା । ସେଥିରୁ ବି ବିଧାତା ତାକୁ ରକ୍ଷା କଲା । ଏ ଲୋକମାନେ ସନ୍ଦେହୀ ବା ନିଷ୍ଠୁର ହୋଇଥିଲେ ତାକୁ ତ ମାରି ପକାଇଥାନ୍ତେ । କିନ୍ତୁ ତାହା ନକରି ଏମାନେ ତାକୁ ଅଭୟ ଦେଲେ! ଏହା କ’ଣ କିଛି କମ୍ ସୌଭାଗ୍ୟର କଥା? ସେ ତା’ ମନେ ମନେ ଈଶ୍ୱରଙ୍କୁ ପ୍ରଣାମ ଜଣାଇଲା । ତା’ ଆଖି ଛଳ ଛଳ ହେଲା ।

ଏହାପରେ ସର୍ଦ୍ଦାର ସେ ମୃତ ଦେହଟିକୁ ଗୋଟାଏ ଓଟ ପିଠିରେ ବାନ୍ଧି ସାଥିରେ ନେଇଯିବାର ବ୍ୟବସ୍ଥା କଲା । ତାକୁ କିଲା ପାଖରେ ସମାଧି ଦେବା ଉଚିତ୍ ହେବ ବୋଲି ସର୍ଦ୍ଦାର ବିଚାର କଲା ।

କିଛି ସମୟ ପରେ ତମ୍ବୁ ଉଠିଲା । ସୂର୍ଯ୍ୟାସ୍ତ ସୁଦ୍ଧା ସେମାନେ ଯାଇ କିଲା ପାଖରେ ପହଁଚିଲେ । ସାଧାରଣତଃ କିଲା ଆଗରେ ସର୍ବଦା ଲୋକ ଚଳପ୍ରଚଳ ହେଉଥାନ୍ତି । କିନ୍ତୁ ସବୁ ଶୂନ୍ଶାନ୍ ଦିଶୁଥିଲା ।

ସର୍ଦ୍ଦାର ଆଶ୍ଚର୍ଯ୍ୟ ହୋଇ ଥରେ କିଲା ଆଡେ ଓଇ ଥରେ ପିଙ୍ଗଳ ଆଡେ ଅନାଇଲା । କିଲାର ଏ ପରିସ୍ଥିତିରେ ସ୍ୱାଭାବିକ ନୁହେଁ, ପିଙ୍ଗଳ ଆଡେ ଅନାଇ ସେ ସେଇଆ ବୁଝାଇ ଦେଉଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ