ପିଙ୍ଗଳ ନାସ୍ତିସୂଚକ ମୁଣ୍ଡ ହଲାଇଲା ।
ହସନ୍ ପୁଣି ହସି ପକାଇ କହିଲା “ହୁଏତ ସେମାନେ ପ୍ରଚୁର ମଦ ପିଇ ମାତାଲ୍ ହୋଇ ଭିତରେ ପଡିଛନ୍ତି!”
ପିଙ୍ଗଳ ଏ ତତ୍ତ୍ୱରେ ପରତେ ବି ଗଲା ନାହିଁ । ସେ କହିଲା, “ଯଦି ସେଇଆ ହୋଇଥାନ୍ତା, ତେବେ ଜଣେ ସୈନିକଙ୍କୁ ସେଠାରେ ହତ୍ୟାକରି କାହିଁକି କିଏ ଶାଗୁଣାପଲ ଉଦ୍ଧେଶ୍ୟରେ ରଖି ଯାଇଥାନ୍ତା?”
ହସନ୍ କହିଲା “ସେ ଲୋକଟି ବି ମଦ ପିଇ ବାହାରେ ବୁଲୁଥିବା ଅବସ୍ଥାରେ ଭୈରବ ଦସ୍ୟୁର ଅନୁଚରମାନଙ୍କ କବଳରେ ପଡିଥିବ ଓ ମରିଥିବ!”
ପିଙ୍ଗଳ କିଛି କହିଲା ନାହିଁ । କାହିଁକିନା ତାକୁ ଆଶ୍ରୟ ଦେଇଥିବା ହସନ୍ ସର୍ଦ୍ଦାର ସହ ସେ ଆଉ ବେଶି କିଛି ଯୁକ୍ତି କରିବାକୁ ଚାହୁଁ ନଥିଲା । ସେ ଓଟରୁ ଓହ୍ଲାଇ ପଡି କିଲ୍ଲାର ଦରଜା ଉପରେ ହାତ ରଖି ତାକୁ ଠେଲିବାକୁ ଲାଗିଲା ।
ହସନ୍ ସର୍ଦ୍ଦାର ଉଚ୍ଚ କଣ୍ଠରେ ହସିଲା । ସେ କହିଲା, “ଯଦି ଦ୍ୱାର ଭିତରୁ ବନ୍ଦ ଥିବ, ତେବେ ତମେ ତାକୁ ଠେଲି ଖୋଲି ପାରିବ ବୋଲି ଭାବୁଛ? ଅନ୍ତତଃ ଯୋଡିଏ ହାତୀ ଯଦି ଏକ ସମୟରେ ଏହାକୁ ଠେଲିବେ, ତେବେ ଯାଇ ସେପଟେ ଥିବା ଅର୍ଗଳ ଭାଙ୍ଗି ପଡିବାର ଯଥେଷ୍ଟ ସମ୍ଭାବନା ଅଛି ।”
କିନ୍ତୁ ହସନ୍ ସର୍ଦ୍ଦାରର ଅଟ୍ଟହାସ୍ୟ ଆଉ ଅଧିକ କ୍ଷଣ ପାଇଁ ସ୍ଥାୟୀ ହୋଇ ରହିଲା ନାହିଁ । କବାଟ ଫାଙ୍କ ଦେଇ ଧୂଆଁ ଆସୁଥିବାର ଜଣାଗଲା । ତାହାର କାରଣ କ’ଣ ହୋଇପାରେ, ସେ ବିଷୟରେ ଚିନ୍ତା କରିବା ପାଇଁ ଅବକାଶ ମିଳିଲା ନାହିଁ ।
ହଠାତ୍ ଗୋଟାଏ ପ୍ରଚଣ୍ଡ ବିଷ୍ଫୋରଣର ଶବ୍ଦ ହେଲା । ପିଙ୍ଗଳ ବୁଲିପଡି ପ୍ରାଣମୂର୍ଚ୍ଛା ଦୌଡିଲା । କବାଟ ଚୂର୍ଣ୍ଣବିଚୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ପ୍ରାଚୀରର ଗୋଟାଏ ଅଂଶ ମଧ୍ୟ ଧୁଳିସାତ୍ ହୋଇଗଲା ।
ଏହା ଏଡେ ଅକସ୍ମାତ୍ ଘଟିଲା ଯେ ପ୍ରଥମେ ପିଙ୍ଗଳ କିଛିବି ବୁଝି ପାରିଲା ନାହିଁ । ଦୈବକୁ ସେ କିଛି ନ ବୁଝି ମଧ୍ୟ ଦୌଡିବାକୁ ଆରମ୍ଭ କରି ଦେଇଥିଲା । ଅବଶ୍ୟ ଦୌଡି କରି ଯେ ସେ ରକ୍ଷା ପାଇଥାନ୍ତା, ସେପରି କଥା ନୁହେଁ । କାରଣ ତା ପାଖଦେଇ, ତା କେଶ ସ୍ପର୍ଶ କରି ବିଶାଳ କାଠଖଣ୍ଡ ଓ କିଛି ପଥର ନିକ୍ଷୀପ୍ତ ହେଲେ । ସେଥିରୁ ଗୋଟିଏ ଦେହରେ ବାଜିଥିଲେହିଁ ସେ ମରିଥାନ୍ତା!
ପିଙ୍ଗଳ ଏଥିରୁ ବୁଝି ପାରିଲା ଯେ କବାଟ ସେପଟେ ବାରୁଦ ଜମାକରି ରଖା ହୋଇଥିଲା । କବାଟ ଠେଲିଦେବା ମାତ୍ରେ ସେ ବାରୁଦ ସ୍ତୁପରେ ବିଷ୍ଫୋରଣ ଘଟିଲା ।
ସେ ଆକସ୍ମିକ ବିଷ୍ଫୋରଣ ଯେ ସମସ୍ତଙ୍କୁ ଖାଲି ଚମକାଇ ଦେଲା, ତାହା ନୁହେଁ, ଅନେକେ ମଧ୍ୟ ଆହତ ହେଲେ । ସେ ଅଂଚଳ ଧୂଆଁରେ ପ୍ରାୟ ଅନ୍ଧକାର ହୋଇଗଲା ।
ତେବେ ଧୂଆଁ ପତଳା ହେବା ପରେ ଯାଇ ପିଙ୍ଗଳ କେତେଦୂର କ୍ଷତି ହୋଇଛି ତାହା ବୁଝିଲା । ଅନେକ ଲୋକଙ୍କ ପୋଷାକ ପୋଡି ଯାଇଥାଏ । ଅନେକେ ମୂର୍ଚ୍ଛା ହୋଇ ତଳେ ପଡିଥାନ୍ତି । ପିଙ୍ଗଳ ହସନ୍ ସର୍ଦ୍ଦାରକୁ ଖୋଜିବାକୁ ଲାଗିଲା ।
କିଛି ଦୂରରେ ଗୋଟାଏ ଦଗ୍ଧ ଗଛତଳେ ହସନ୍ ପଡିଥିଲା । ପିଙ୍ଗଳ ଦୌଡିଯାଇ ତା’ ପାଖରେ ବସିପଡି ପଚାରିଲା, “ବିଶେଷ କିଛି କ୍ଷତି ହୋଇନାହିଁ ତ?”
“ନା, ଦୈବାତ୍ ବଂଚି ଯାଇଛି । ବିଷ୍ଫୋରଣର ଧକ୍କାରେ ମୁଁ ଏତେଦୂର ଛିଟିକି ପଡିଲି । ଯଦି ଦେହରେ ବାରୁଦ ଲାଗିଥାନ୍ତା, ତେବେ ତ କଥା ସରିଥିଲା ।” ହସନ୍ ସର୍ଦ୍ଦାର କୌଣସି ମତେ ପିଙ୍ଗଳର ହାତ ଧରି ଉଠି ଠିଆ ହେବାକୁ ଚେଷ୍ଟା କରି ଏତକ କହିଲା ।
ପିଙ୍ଗଳ କହିଲା “ଆମେ ଦୁହେଁ ଭାଗ୍ୟ ବଳରେ ବଂଚି ଯାଇଛୁ ସତ, କିନ୍ତୁ ଆମ ସୈନିକମାନଙ୍କ ଅବସ୍ଥା ମନେ ହୁଏ ଭଲ ନାହିଁ । ଅଧାଅଧି ତ ଜ୍ଞାନ ହରାଇ ପଡିଛନ୍ତି । ଅନେକେ ମରିଛନ୍ତି ବୋଲି ମୋର ଧାରଣା । ଅନ୍ୟମାନେ ଆର୍ତ୍ତନାଦ କରୁଛନ୍ତି ।”
ହସନ୍ ଯନ୍ତ୍ରଣାରେ ମୁହଁ ବିକୃତ କରି କହିଲା “ଏହା ସେହି ଦୁଷ୍ଟ ଭୈରବ ଡାକୁର କାମ!”
ପିଙ୍ଗଳ କହିଲା “ବାସ୍ତବିକ ମୁଁ ସେହି କବାଟ ଠେଲି ବହୁତ ବଡ ଏକ ଭୁଲ୍ କାମ କରିଛି ।”
ହସନ୍ ସର୍ଦ୍ଦାର କହିଲା “ତମେ ସେକଥା କିପରି ଜାଣନ୍ତ? ତମେ କବାଟ ନ ଠେଲିଥିଲେ ମୁଁ ଠେଲିଥାନ୍ତି । ଭୈରବ ଡାକୁ ଆମ ଲୋକଙ୍କ ସହ ଲଢେଇ କରି କିଲ୍ଲା ଭିତରେ ସେମାନଙ୍କୁ ଖତମ୍ କରିସାରି ପରେ ଏଠାକୁ ଆମେ ଆସିଲେ ଆମର ବି ଦୁର୍ଦ୍ଦଶା ହେବା ନିମନ୍ତେ ଯାହା କରିବାର କରି ଯାଇଛି । ବର୍ତ୍ତମାନ ଆମର ପ୍ରଥମ କାମ ହେବ ଭୈରବ ଡାକୁକୁ ଠାବ କରି ତାକୁ ଖତମ କରିବା ।”
ଏହାପରେ ସୁସ୍ଥଥିବା ସୈନିକମାନଙ୍କ ସାହାଯ୍ୟରେ ପିଙ୍ଗଳ ଓ ହସନ୍ ସର୍ଦ୍ଦାର ମୃତ ସୈନିକମାନଙ୍କୁ ପୋତିଲେ ଓ ଆହତମାନଙ୍କର ଶୁଶ୍ରୁଷା ସକାଶେ ବ୍ୟବସ୍ଥା କଲେ । ତା’ପରେ ସେ ଦୁହେଁ ଖୁବ୍ ସାବଧାନ୍ରେ କିଲ୍ଲା ଭିତରେ ଯାଇ ପ୍ରବେଶ କଲେ ।
ସେମାନେ ଭିତରେ ପଶି ଦେଖିଲେ, ସେମାନଙ୍କ ଅନୁମାନ ପୁରାପୁରି ସତ୍ୟ । କିଲ୍ଲା ଜଗି ରହିଥିବା ସୈନିକମାନେ ଇତସ୍ତତଃ ମରି ପଡିଛନ୍ତି । ମରୁଭୁମିର ପ୍ରଚଣ୍ଡ ତାପରେ ସେମାନଙ୍କ ଦେହ ଶୁଖି ଆସୁଥାଏ, କିନ୍ତୁ ପୋଷାକରେ ରକ୍ତର ଦାଗ ରହିଛି । ସେ ଦୃଶ୍ୟ ବଡ ଭୟଙ୍କର ।
ହସନ୍ ସର୍ଦ୍ଦାର କହିଲା “ଶତ୍ରୁ ଆମର ଏତେ ସୈନିକଙ୍କୁ କିପରି ଭାବରେ ମାରି ପାରିଲା ତାହାହିଁ ଖୁବ୍ ଆଶ୍ଚର୍ଯ୍ୟର କଥା । କିଲ୍ଲା ବାହାରେ ଲଢେଇ ହୋଇନାହିଁ । ତାହା ବି ରହସ୍ୟମୟ ।”
ପିଙ୍ଗଳ ସେକଥା ସମର୍ଥନ କରି ପଚାରିଲା, “ବର୍ତ୍ତମାନ ଆମର କର୍ତ୍ତବ୍ୟ କ’ଣ?”
ହସନ୍ ସର୍ଦ୍ଦାର ଏ ପ୍ରଶ୍ନର ଉତ୍ତର ଦେଲା ନାହିଁ । ଦୀର୍ଘ ନିଃଶ୍ୱାସ ତ୍ୟାଗ କରି ସେ ଖାଲି କିଲ୍ଲା ଭିତରର ଭୟାବହ ଦୃଶ୍ୟ ଆଡେ ଦୃଷ୍ଟିପାତ କରୁଥାଏ ।
ପିଙ୍ଗଳ ପୁଣି କହିଲା, “ସମୟ ନଷ୍ଟ ନ କରି ସଙ୍ଗେ ସଙ୍ଗେ ହତ୍ୟାକାରୀ ଡାକୁ ଦଳର ସନ୍ଧାନରେ ଆଗେ ବାହାରିବା ଉଚିତ୍ । କିନ୍ତୁ ଏ ବିଶାଳ ମରୁଭୁମି ଭିତରେ ସେମାନେ କେଉଁ ଦିଗକୁ ଯାଇଛନ୍ତି, ସେକଥା ଆମେ କିପରି ଜାଣିବା?
“ସେଇଟା କିଛି ବଡ ସମସ୍ୟା ନୁହେଁ ।” ଏହା କହି ହସନ୍ ସର୍ଦ୍ଦାର କେତେଜଣ ସୈନିକଙ୍କୁ କ’ଣ କହିଲା । ସେମାନେ ଭିନ୍ନ ଭିନ୍ନ ଦିଗକୁ ଚାଲିଗଲେ । ଅଳ୍ପ ସମୟ ଭିତରେ ସେମାନେ ଲେଉଟି ଆସିଲେ ଓ ହସନ୍କୁ କୌଣସି ଖବର ଦେଲେ ।
ହସନ୍ ପିଙ୍ଗଳକୁ କହିଲା, “ମରୁଭୁମି ଭିତରେ ଡାକୁଦଳ ଯୁଆଡେ ଗଲେ ବି ସେମାନଙ୍କ ଓଟମାନଙ୍କ ପାଦଚିହ୍ନ ଦେଖି ସେମାନଙ୍କ ଗତିପଥ ଜାଣିହେବ । ବର୍ତ୍ତମାନ ଯାହା ଜଣାପଡୁଛି, ସେମାନେ ଏଠାରୁ କିଛି ଦୂରବର୍ତ୍ତୀ ପାହାଡ ଭିତରେ ଯାଇ ରହିଛନ୍ତି । ହୁଏତ ଆମର ଏ କିଲ୍ଲା ଉପରେ ବିଜୟ ଲାଭ କରି ଖୁସିରେ ମଦ ପିଇ ମଉଜ୍ କରୁଛନ୍ତି!”
ମରୁଭୁମି ବିଷୟରେ ପିଙ୍ଗଳର କୌଣସି ଅଭିଜ୍ଞତା ନଥିଲା । ତେଣୁ ହସନ୍ ସର୍ଦ୍ଦାରର ଅନୁମାନ ଠିକ୍ ହୋଇଥିବ ବୋଲି ତା’ର ଧାରଣା ହେଲା । ସେ କହିଲା, “ଯଦି ସେଇଆ ହୋଇଥିବ, ତେବେ ଆମେ ଅବିଳମ୍ବେ ସେମାନଙ୍କ ଉଦ୍ଧେଶ୍ୟରେ ଯିବା ଉଚିତ୍ । ସେମାନେ ମାତାଲ୍ ହୋଇ ରହିଥିବା ଅବସ୍ଥାରେହିଁ ସେମାନଙ୍କୁ କାବୁ କରିବା ସହଜ ହେବ ।”
“ନିଶ୍ଚୟ । ତାହାହିଁ କରିବା ।” ହସନ୍ ସର୍ଦ୍ଦାର ସୈନିକମାନଙ୍କୁ ସେ ପାହାଡ ଅଭିମୁଖେ ଯିବାକୁ ନିର୍ଦେଶ ଦେଲା । ପିଙ୍ଗଳକୁ ଧରି ସେ ପଛେ ପଛେ ଚାଲିଲା ।
ପ୍ରାୟ ଘଂଟାକ ପରେ ସେମାନେ ପାହାଡ ପାଖରେ ଯାଇ ପହଁଚିଲେ । ଗୋଟାଏ ଘାଟି ରାସ୍ତା ଧରି ସେମାନେ ଅଗ୍ରସର ହେଲେ ।
ସୈନିକମାନଙ୍କୁ ଦୁଇଭାଗରେ ବିଭକ୍ତ କରି ସେ ପାହାଡମାଳା ଭିତରେ ଥିବା ଦୁଇଟି ସ୍ଥାନରେ ଡାକୁମାନଙ୍କ ଅନ୍ୱେଷଣ ପାଇଁ ବ୍ୟବସ୍ଥା କରାଗଲା । ହସନ୍ ଓ ପିଙ୍ଗଳ ଏକତ୍ର ରହିଲେ । ଓଟରୁ ଓହ୍ଲାଇ ସେ ଦୁହେଁ ପାଦରେ ପଥର ପରେ ପଥର ଟପି ଆଗକୁ ଅଗ୍ରସର ହେଲେ । ତେବେ ଡାକୁମାନେ ସେ ଅଂଚଳରେ ଥିବାର କୌଣସି ପ୍ରମାଣ ସେମାନଙ୍କ ଆଖିରେ କାହିଁ ପଡୁ ନଥାଏ ।
ହଠାତ୍ ପିଙ୍ଗଳର ମନେ ହେଲା ସେ ଦୂରରୁ କିଛି କଣ୍ଠସ୍ୱର ଶୁଣି ପାରୁଛି । ସେ ପଛରେ ଆସୁଥିବା ସୈନିକମାନଙ୍କୁ ସତର୍କ କରିଦେଇ କାନ ଡେରିଲା ଓ ତା’ପରେ ଧିରେ ଧିରେ ଗୋଟାଏ ପଥର ଉପରେ ସେ ଚଢିଲା ।
ସେ ଦେଖିଲା, ଅଳ୍ପ ଦୂରରେ ଗୋଟାଏ ସମତଳ ସ୍ଥାନରେ ଦଳେ ଲୋକ ନାଚ ଗାନ କରୁଛନ୍ତି । ଆଉ ଅନ୍ୟମାନେ ତାହା ଉପଭୋଗ କରୁଛନ୍ତି । ସେମାନେ ଯେ ମରୁଦସ୍ୟୁ, ଏଥିରେ ଆଉ କିଛିବି ସନ୍ଦେହ ନଥିଲା ।
ହସନ ସର୍ଦ୍ଦାରର ନିର୍ଦେଶରେ ପିଙ୍ଗଳ ତୁରୀ ବଜାଇ ଦେଲା । ସେ ଶବ୍ଦ ଶୁଣିବା ମାତ୍ରେ ଡାକୁଦଳଙ୍କ ନାଚଗାନ ହଠାତ୍ ବନ୍ଦ ହୋଇଗଲା । ପଛରେ ଥିବା ସୈନିକମାନେ ମାଡି ଆସିଲେ ।
“ବର୍ତ୍ତମାନ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଆକ୍ରମଣ କରିବା କଥା ।” ପିଙ୍ଗଳ ଏହା କହି ଦସ୍ୟୁ ଦଳ ଆଡକୁ ଗୋଟାଏ ପଥର ଗଡାଇ ଦେଲା ।
ଶିଳା ତଳକୁ ଗଡିବା ମାତ୍ରେ ଗୋଟାଏ ତୀର ସାଏଁ କିନା ପିଙ୍ଗଳର କାନ ପାଖଦେଇ ଦୂରକୁ ଚାଲିଗଲା ।
ପିଙ୍ଗଳ ଗୋଟାଏ ବଡ ପଥର ପଛପଟେ ଥିବା ଯୋଗୁଁ ସେ ଅଳ୍ପକେ ବଂଚିଗଲା । ପରେ ପରେ ସେ ଦେଖିଲା, ଡାକୁମାନେ ଭାଲ ଓ ତରବାରୀ ଉଠାଇ ନେଇ ସେମାନଙ୍କ ଆଡେ ଆସୁଛନ୍ତି ।
ସଙ୍ଗେ ସଙ୍ଗେ ହସନ୍ ସର୍ଦ୍ଦାରର ଇଙ୍ଗିତରେ ସୈନିକମାନେ ଡାକୁଦଳ ଉପରେ ପଥର ବର୍ଷା କରିବାକୁ ଲାଗିଲେ । ପଥର ଗଡାଇ ଗଡାଇ ସୈନିକଦଳ କ୍ଷୀପ୍ର ଗତିରେ ଡାକୁମାନଙ୍କ ଆଡେ ମାଡି ଯାଉଥାନ୍ତି ।
ଦୁଇଆଡୁ ସୈନିକମାନେ ମାଡି ଆସୁଥିବାର ଦେଖି ଡାକୁମାନେ ଏଣେତେଣେ ପଳାଇବାକୁ ଚେଷ୍ଟା କଲେ । ତେବେ ଯିଏ ସୈନିକମାନଙ୍କ ଆଗରେ ପଡିଲା, ସିଏ ମଲା । ସୂର୍ଯ୍ୟ ଅସ୍ତ ଯାଉଥାନ୍ତି । ଘାଟିରେ ଅନ୍ଧକାର ଘୋଟି ଆସୁଥାଏ । ପିଙ୍ଗଳ ଡାକୁମାନଙ୍କୁ ରୋକି ଲଢେଇ କରୁଥାଏ ।
ପିଙ୍ଗଳ ଆଖିରେ ଗୋଟାଏ ଗୁମ୍ଫା ପଡିଲା । ସେହି ଗୁମ୍ଫା ଭିତରେ ଭୈରବ ଡାକୁ ଥାଇପାରେ ଭାବି ପିଙ୍ଗଳ ଭିତରକୁ ଯିବାକୁ ଉଦ୍ୟତ ହେଉଛି, ସେତିକିବେଳେ ହସନ୍ ସର୍ଦ୍ଦାର ଅଳ୍ପ ଦୂରରୁ ପାଟି କରି କହିଲା, “ପିଙ୍ଗଳ! ଅନ୍ଧାର ହେଲାଣି । ବର୍ତ୍ତମାନ ଗୁମ୍ଫାରେ ପଶିବା ଆଦୌ ନିରାପଦ ନୁହେଁ!”
ପିଙ୍ଗଳ ରହିଗଲା । ପରେ ପରେ ଗୁମ୍ଫା ଭିତରୁ ଏକ ଗୁରୁ ଗମ୍ଭୀର କଣ୍ଠସ୍ୱର ଶୁଣାଗଲା: “କିଏ ଏହି ପିଙ୍ଗଳ? ସେ ଆଉ ଅବନ୍ତୀ ନଗରୀର ପିଙ୍ଗଳ ନୁହେଁ ତ?”
ସେ କଣ୍ଠସ୍ୱର ଶୁଣି ପିଙ୍ଗଳ ହଠାତ୍ ଚମକି ପଡିଲା । ତାହା ପଦ୍ମପାଦଙ୍କ କଣ୍ଠସ୍ୱର । ସେ ଦେଖିଲା, ଜଣେ ବ୍ୟକ୍ତି ଗୋଟାଏ ବିଶାଳ ଶିଳା ପଛରୁ ବାହାରି ଆସୁଛନ୍ତି । ସେ ହସୁଥିଲେ ।