ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନି ପରୀକ୍ଷା

ନିଶା ଗରଜୁଥାଏ । ତୁହାକୁ ତୁହା ଝିପିଝିପି ବର୍ଷା ବି ହେଉଥାଏ । ଶୀତଳ ପବନରେ ଗଛଲତାମାନେ ଥରି ଯାଉଥାନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ ତା’ପରେ ତାକୁ ସେ ତାଙ୍କ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା, ତୁମେ ବର୍ତ୍ତମାନ ସୁଖ ନିଦ୍ରାରେ ଶାୟିତ ଥିବା କଥା । ରାତିରେ ଯଥେଷ୍ଟ ବିଶ୍ରାମ କଲେ ସିନା ଦିନବେଳେ ତମେ ରାଜ୍ୟଶାସନରେ ଯଥାର୍ଥ ମନୋନିବେଶ କରି ପାରିବ! କିନ୍ତୁ ତୁମେ କାହା ପ୍ରରୋଚନାରେ ପଡି କାହିଁକି କେଜାଣି, ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ ଭୀଷଣ ପରିଶ୍ରମ କରୁଛ! ଅଯୋଗ୍ୟ ଲୋକଙ୍କ ସେବାରେ ବୁଦ୍ଧିମାନ ଓ ଧୀମାନ୍ ଲୋକେ ଅନେକ ସମୟରେ ବୃଥା ସମୟ ନଷ୍ଟ କରନ୍ତି । ଅବଶ୍ୟ କେହି କେହି ଠିକ୍ ସମୟରେ ଏ ବିଷୟରେ ଚେତି ଉଠି ନିଜକୁ ସୁଧାରି ନିଅନ୍ତି, କିନ୍ତୁ ସମସ୍ତେ ତ ଆଉ ଶେଖର ଭଳି ବିଜ୍ଞ ଓ ତତ୍ପର ନୁହଁନ୍ତି! ହଁ, ଯେତେବେଳେ ଶେଖର ପ୍ରସଙ୍ଗ ଉତଥାପନ କଲିଣି, ସେତେବେଳେ ମୁ ତା’ କାହାଣୀ କହୁଛି, ମନଦେଇ ମୋକଥା ଶୁଣ । ସେକଥା ଶୁଣିଲେ ତମ ଶ୍ରମଭାର ନିଶ୍ଚୟ ଲାଘବ ମନେ ହେବ ।”

                ବେତାଳ ଗପିଲା: ଅନେକ ଦିନ ତଳର କଥା । ରାଜା ଭ୍ରମରବର ଲାବଣ୍ୟପୁର ଉପରେ ରାଜୁତି କରୁଥାନ୍ତି । ତାଙ୍କ ପୁଅ ଯୁବରାଜଙ୍କର ନାମ ସିନା ବୀରଭଦ୍ର, ହେଲେ ସେ ମୋଟେ ବୀର ନଥିଲେ କି ଆଦୌ ଭଦ୍ର ବି ନଥିଲେ । ସେ କୌଣସି କାମରେ ସାହସର ବା ମହତ୍ତ୍ୱର କୌଣସି ପରିଚୟ ଦେଇପାରୁ ନଥାନ୍ତି । ତେଣେ ରାଜପୁତ୍ର ବୋଲି ତାଙ୍କ ଗର୍ବ ଅହଙ୍କାର ବି କିଛି କମ୍ ନଥାଏ । କଥାରେ କଥାରେ ସେ ଖାଲି ଅନ୍ୟମାନଙ୍କୁ ଅପମାନ ତଥା ଅସମ୍ମାନ କରୁଥାନ୍ତି ।

                ଯୁବରାଜ ବୀରଭଦ୍ରଙ୍କ ଭାଗ୍ୟ, ମନ୍ତ୍ରୀଙ୍କ ପୁଅ ଶେଖର ତାଙ୍କର ମିତ୍ର ଥିଲେ । ପିଲାବେଳଠୁଁ ସେ ଦୁହେଁ ଏକା ସାଙ୍ଗରେ ଖେଳୁଥିଲେ, ପଢୁଥିଲେ ଓ ବଢିଥିଲେ ମଧ୍ୟ । ଶେଖର ବୀରଭଦ୍ରଙ୍କ ସମସ୍ତ ପ୍ରକାର ଦୁର୍ବଳତା ଓ ଅଯୋଗ୍ୟତା ବିଷୟରେ ଭଲଭାବରେ ଜାଣୁଥିଲେ, କିନ୍ତୁ ସେ ସର୍ବଦା ତାଙ୍କୁ ସହାୟତା କରୁଥିଲେ । ରାଜା ଭ୍ରମରବର ବି ମଧ୍ୟେ ମଧ୍ୟେ ଶେଖରକୁ କହୁଥାନ୍ତି, “ଶେଖର, ମୋ ପୁଅ ଟିକିଏ ଖିଆଲି ମିଜାଜର ପିଲା । ତେଣୁ ତାକୁ ଜଗିବାର ସବୁ ଦାୟିତ୍ୱ କେବଳ ତମର ।”

                ବାସ୍ତବିକ୍, ଯେତେ ପ୍ରକାରେ ସମ୍ଭବ ଶେଖର ବୀରଭଦ୍ରଙ୍କୁ ସୁପଥରେ ନେବାକୁ ଚେଷ୍ଟା କରୁଥାନ୍ତି । ତାଙ୍କ ଭିତରେ ଯେପରି ବୁଦ୍ଧି ଓ ବିବେକର ବିକାଶ ହେବ, ସେ ଦିଗରେ ସେ ତାଙ୍କୁ ଯଥେଷ୍ଟ ପରାମର୍ଶ ବି ଦେଉଥାନ୍ତି ।

                ଦିନେ ନିକଟବର୍ତ୍ତୀ ଜ୍ୟୋତିପୁର ରାଜ୍ୟର ଜଣେ ଦୂତ ଆସି ରାଜା ଭ୍ରମରବରଙ୍କୁ ଭେଟିଲେ । ସେ ଦୂତ ଜଣକ ଜ୍ୟୋତିପୁରର ରାଜକୁମାରୀ ଶାନ୍ତାଙ୍କ ପ୍ରତିକୃତି ଆଣିଥିଲେ । ସେ ରାଜକୁମାରୀ ଶାନ୍ତାଙ୍କ ବିବାହ ହେବା କଥା କହିଲେ । ଯେ କୌଣସି ସମ୍ଭ୍ରାନ୍ତ କ୍ଷତ୍ରିୟ ଯୁବକ ତାଙ୍କ ପାଣିପ୍ରାର୍ଥୀ ହୋଇପାରନ୍ତି । କିନ୍ତୁ ତା’ପୂର୍ବରୁ ତାଙ୍କୁ ତିନୋଟି ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡିବ । ଉତୀର୍ଣ୍ଣ ହେଲେ ଯାଇ ସେ ରାଜକୁମାରୀଙ୍କୁ ଭେଟି ପାରିବେ । ତେଣିକି ରାଜକୁମାରୀ ତାଙ୍କୁ ବାହା ହେବେ କି ନା ସେକଥା ସେ ସ୍ୱୟଂ ସ୍ଥିର କରିବେ ।”

                ରାଜା ଭ୍ରମରବର ତ ନିଜ ପୁଅର ବୁଦ୍ଧି ବିଚକ୍ଷଣତା ବିଷୟରେ ବହୁ ଆଗରୁ ଜାଣିଥିଲେ । ତେଣୁ ସେ ଏ ପ୍ରସ୍ତାବରେ ସେଭଳି କୌଣସି ଆଖିର୍ଦୁଶୀୟା ଉତ୍ସାହ ଦେଖାଇଲେ ନାହିଁ । କିନ୍ତୁ ଯୁବରାଜ ବୀରଭଦ୍ର ସବୁ ଶୁଣିଲେ ଓ ସେ ରାଜକୁମାରୀଙ୍କ ପ୍ରତିକୃତି ବି ଦେଖିଲେ । ସେ ଶାନ୍ତାଙ୍କୁ ବିଭା ହେବାକୁ ଏଡେ ଉତ୍ସୁକ ହେଲେ ଯେ ରାତିରେ ସେ ଶେଖରଙ୍କୁ ଡାକି ନିଜ ମନ କଥା କହି ତାଙ୍କ ସହ ସେ ଜ୍ୟୋତିପୁର ଯିବାକୁ ଅନୁରୋଧ କଲେ ।

                ଶେଖର କହିଲେ “ଯୁବରାଜ, ଧୈର୍ଯ୍ୟ ଧର । ମହାରାଜା ଆଗେ ଆମକୁ କୁହନ୍ତୁ ।”

                ଯୁବରାଜ ଜିଦି କରି କହିଲେ “ଶେଖର, ବାପାଙ୍କର ଯଦି କିଛି କହିବାର ଥାନ୍ତା, ତେବେ ସେ ଏତେବେଳକୁ କହିସାରନ୍ତେଣି । ମୋର କାହିଁ ମନେହୁଏ ଯେ ସେ କୌଣସି କାରଣରୁ ଏ ବିଷୟରେ ନୀରବ । ଚାଲ, ଏବେ ଆମେ ଦୁହେଁ ଚାଲିଯିବା ।”

                ଶେଖର ବୁଝାଇ କହିଲେ “ଯୁବରାଜ, ଧର ରାଜକୁମାରୀ ଏଭଳି କୌଣସି ଜଟିଳ ପରୀକ୍ଷା ରଖିବେ, ଯେଉଁଥିରେକି ତମେ ଆଦୌ କୃତକାର୍ଯ୍ୟ ହେବ ନାହିଁ । ତା’ହେଲେ କେଡେ ଅପମାନଜନକ ପରିସ୍ଥିତି ହେବ ତାହା ବୁଝିପାରୁଛ ତ?”

                ବୀରଭଦ୍ର କହିଲେ “ସେଇଥିପାଇଁ ତ ମୁଁ ତମକୁ ମୋ ସାଙ୍ଗରେ ନେଉଛି । ତମ ସାହାଯ୍ୟରେ ମୁଁ ସେ ପରୀକ୍ଷାରେ ଉତୀର୍ଣ୍ଣ ହୋଇଯିବି । ତାଛଡା ମୁଁ ତ ଆଉ ଏତେ ବୋକା ନୁହେଁ!”

                ଶେଖର କୌଣସି ମତେ ବୀରଭଦ୍ରଙ୍କୁ ଆଉ ବୁଝାଇ ପାରିଲେ ନାହିଁ । ଅଗତ୍ୟା ସେ ତାଙ୍କ ସହ ଜ୍ୟୋତିପୁର ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ