ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନି ପରୀକ୍ଷା

                ସେ ଦୁହେଁ ଜ୍ୟୋତିପୁର ପ୍ରାସାଦରେ ପହଁଚିବା ମାତ୍ରେ ରାଜାଙ୍କ ତରଫରୁ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଗଲା ଓ ରାଜାଙ୍କ ବିଶେଷ ଅତିଥିଭବନରେ ସେମାନଙ୍କ ରହିବାର ସବୁ ପ୍ରକାର ବ୍ୟବସ୍ଥା କରାଗଲା ।

                ରାଜକୁମାରୀ କିଭଳି ତିନୋଟି ପରୀକ୍ଷା ରଖିଥିଲେ, ସେ ବିଷୟ ଆଉ ଗୋପନ ନଥିଲା । ପ୍ରାର୍ଥୀକୁ ପ୍ରଥମେ ଗୋଟିଏ ସର୍ପମୟ କୋଠରୀ ଭିତର ଦେଇ ଯିବାକୁ ପଡିବ । ଦ୍ୱିତୀୟ କୋଠରୀରେ ସମାନ ବେଶଭୂଷା ହୋଇ ଜଣେ ପଣ୍ଡିତ ଓ ଜଣେ ଗଜମୂର୍ଖ ଏକା ଆସନରେ ବସିଥିବେ । ପ୍ରାର୍ଥୀଙ୍କୁ ଠିକ୍ ଠିକ୍ କରି କହିଦେବାକୁ ହେବ ଯେ ସେଥିରୁ ପଣ୍ଡିତ କିଏ ଓ ମୂର୍ଖ କିଏ । ଏହି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଯାଇ ପ୍ରାର୍ଥୀଙ୍କୁ ତୃତୀୟ କୋଠରୀ ଭିତରେ ଗୋଟିଏ ଚିତ୍ରପଟ ଦେଖିବାକୁ ମିଳିବ । ସେ ଚିତ୍ରରେ ଜଣେ ଲୋକ ଗୋଟିଏ ଘୋଡା ଚଢି ଏକ ଘୁର୍ଣ୍ଣାୟମାନ ଚକ୍ର ଅତିକ୍ରମ କରିବାର ଦେଖାଇ ଦିଆ ଯାଇଛି । ଆଉ ପୁଣି ସେ ଘୋଡାଟିର ଅଧା ଧଳା ଓ ବାକି ଅଧା କଳା । ସେ ଚିତ୍ରର ଅର୍ଥ କହିପାରିଲେ ରାଜକନ୍ୟାଙ୍କ ସହ ସାକ୍ଷାତ୍ ।

                ଶେଖର ଦୁଇଦିନ ଧରି ବୀରଭଦ୍ରଙ୍କୁ ଯାହା କରିବାର ଏବଂ ଯାହା ସବୁ କହିବାର କଥା, ସେସବୁ ଶିଖାଇଲେ ।

ବୀରଭଦ୍ର ପ୍ରଥମେ ସର୍ପ-ସଙ୍କୁଳ କୋଠରୀ ଭିତରେ ଯାଇ ପଶିଲେ । ଅବଶ୍ୟ ସେ ପ୍ରଥମେ ଶଙ୍କିଗଲେ । ତେବେ ଶେଖର ତାଙ୍କୁ ବୁଝାଇ କହିଥିଲେ ଯେ, ସେସବୁ କଦାପି ମଧ୍ୟ ସତ ସାପ ନୁହଁନ୍ତି । କାରଣ ବିଷଧର ସାପ ଦ୍ୱାରା ପ୍ରାର୍ଥୀକୁ ପ୍ରଥମରୁ ହତ୍ୟା କରି ରାଜକୁମାରୀଙ୍କର କେବେବି କୌଣସି ଲାଭ ହୋଇ ପାରେନା । ଅତଏବ ବୀରଭଦ୍ରଙ୍କ ପକ୍ଷେ ନିର୍ଭୟରେ ସେ କୋଠରୀ ଅତିକ୍ରମ କରିବା ଠିକ୍ ହେବ ।

ବୀରଭଦ୍ର କୌଣସି ମତେ ସେ କୋଠରୀ ଅତିକ୍ରମ କରିଯିବା ମାତ୍ରେ ରାଜକୁମାରୀଙ୍କର ଜଣେ ସଖୀ ତାଙ୍କୁ ଅଭିବାଦନ ଜଣାଇ ପଚାରିଲା, “ସେ ସାପମାନେ ଆପଣଙ୍କର କିଛି ହାନି କରି ନାହାଁନ୍ତି ତ?”

ବୀରଭଦ୍ର ଉତ୍ତର ଦେଲେ “ମୁଁ ତ ବାଘ ସିଂହଙ୍କୁ ମଧ୍ୟ ଡରିବାବାଲା ନୁହେଁ । ଛାର ଏ ସାପଙ୍କୁ ପୁଣି ମୁଁ ଡରିବି?” ଅବଶ୍ୟ ଶେଖର ତାଙ୍କୁ ଏଭଳି ଉତ୍ତର ଦେବାକୁ ଆଦୌ ଶିଖାଇ ନଥିଲେ ।

ତା’ପରେ ତାଙ୍କୁ ପରବର୍ତ୍ତୀ କୋଠରୀ ଭିତରକୁ ନିଆଗଲା । ସେଠାରେ ବସିଥିବା ଦୁଇଜଣ ବ୍ୟକ୍ତି ବେଶଭୁଷାରେ ପ୍ରାୟ ସମାନ ଦିଶୁଥିଲେ । ବୀରଭଦ୍ର ସେମାନଙ୍କୁ କଡା ଭାବରେ କହିଲେ, “ପଣ୍ଡିତ ହୋଇ ଖାସ୍ ରାଜକୁମାରୀଙ୍କଠାରୁ ପଇସା ପାଇବା ଲୋଭରେ ଗୋଟାଏ ମୂର୍ଖ ସହ ଏକା ଆସନରେ ବସିବାକୁ ତମକୁ କ’ଣ ଟିକେବି ଲଜ୍ଜା ଲାଗୁନାହିଁ?”

ତାଙ୍କର ଏ ଧମକ ଶୁଣିବା ମାତ୍ରେ ସେ ଦୁଇଜଣଙ୍କ ଭିତରୁ ଜଣଙ୍କ ମୁହଁ ଅଚାନକ ଶେତା ପଡିଗଲା । ବୀରଭଦ୍ର ସଙ୍ଗେ ସଙ୍ଗେ ରାଜକୁମାରୀଙ୍କ ସଖୀଙ୍କୁ କହିଲେ, “ଏଇ ଲୋକଟି ହେଉଛି ପଣ୍ଡିତ!”

ସଖୀ ତାଙ୍କୁ ପୁନର୍ବାର ଅଭିନନ୍ଦନ ଜଣାଇ ତୃତୀୟ କୋଠରୀକୁ ବାଟ ଦେଖାଇ ଦେଲେ । ବୀରଭଦ୍ର ସେ କୋଠରୀରେ ପଶି ଚିତ୍ର ଆଡେ କିଛି ସମୟ ଅନାଇଲେ ଓ ସେଠାରେ ଉପସ୍ଥିତ ପ୍ରହରୀକୁ ସେ କହିଲେ, “ଏ ଚିତ୍ର ହେଲା କାଳ ଚକ୍ର । ଘୋଡା ଦେହର କଳା ଓ ଧଳା ରଙ୍ଗ ଦୁଃଖ ଓ ସୁଖର ପ୍ରତୀକ । ଘୋଡା ହେଲା ଜୀବନ । ଯେଉଁ ଲୋକ ସୁଖ ଦୁଃଖ ଭରା ଜୀବନ-ଅଶ୍ୱକୁ ନିଜ ଆୟତରେ ରଖି କାଳ ଚକ୍ର ଭେଦି ଗତି କରିବାକୁ ସକ୍ଷମ, ସେହିଁ ହେଲେ ଆଦର୍ଶ ।”

ପ୍ରହରୀ ତାଙ୍କୁ ଅଭିବାଦନ ଜଣାଇ ରାଜକୁମାରୀ ବସିଥିବା କକ୍ଷ ଆଡେ ଅଙ୍ଗୁଳି ନିର୍ଦେଶ କଲା । ଏହା ଭିତରେ ବୀରଭଦ୍ର କିପରି ନକଲ ସାପଥିବା କୋଠରୀରେ ପଶି ଭୟଭୀତ ହୋଇଯାଇଥିଲେ, ସେକଥା ଜଣେ ଚର ଆସି ରାଜକୁମାରୀଙ୍କୁ କହିଦେଇଥିଲା । ବୀରଭଦ୍ରଙ୍କ ସାଥିରେ ଜଣେ ବିଚକ୍ଷଣ ଯୁବକ ଥାଇ ତାଙ୍କୁ ସର୍ବଦା ପରାମର୍ଶ ଦେବା କଥା ମଧ୍ୟ ସେ ରାଜକୁମାରୀ ଶୁଣିଥିଲେ । ବୀରଭଦ୍ରଙ୍କୁ ଦେଖି ତାଙ୍କର ମନେ ହେଲା ରାଜକୁମାର ବାସ୍ତବିକ ଅଶ୍ୱାରୋହୀ ଚିତ୍ରର ବ୍ୟାଖ୍ୟା କଲାଭଳି ବୁଦ୍ଧିମାନ ନୁହଁନ୍ତି ।

ରାଜକୁମାରୀ କହିଲେ, “ରାଜକୁମାର! ଆପଣ ତିନୋଟି ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ । କିନ୍ତୁ ନିଜ ବୁଦ୍ଧିରେହିଁ ଆପଣ ଯେ ଏହା କରିପାରିଛନ୍ତି, ଏତକ ପ୍ରମାଣ ହେବା ନିହାତି ଆବଶ୍ୟକ । ତେଣୁ ଆପଣଙ୍କୁ ପୁଣି ଆଉ ଏକ ପରୀକ୍ଷା ଦେବାକୁ ହେବ ।”

ବୀରଭଦ୍ର ନିଜ କ୍ରୋଧ ଆଉ ସମ୍ବରଣ କରି ନପାରି ଚିତ୍କାର କରି କହିଲେ, “ପୁଣି ପରୀକ୍ଷା? ମୋ ବୁଦ୍ଧି ଉପରେ ଅବିଶ୍ୱାସ? ମୋଠୁଁ ବୁଦ୍ଧିମାନ ଆଉ କିଏ?”

ରାଜକୁମାରୀ କହିଲେ “ଆପଣଙ୍କ ସାଥିରେ ଥିବା ଯୁବକ ହୁଏତ ଆପଣଙ୍କଠୁଁ ସେ ଅଧିକ ବୁଦ୍ଧିମାନ୍ ହୋଇଥିବେ!”

ବୀରଭଦ୍ର ଧମକ ଦେଇ କହିଲେ “ଚୋପ୍! ମୁଁ ତମ ରାଜ୍ୟ ଜୟ କରି ତମକୁ ଧରି ନେଇଯିବି!”

ଏକଥା ଶୁଣି ରାଜକୁମାରୀ ହସିଲେ ଓ କହିଲେ, “ହେଲା, ଏଥର ଆପଣଙ୍କ ଚରିତ୍ର ଜଣା ପଡିଗଲା । ଏବେ ଆପଣ ଏଠୁ ଯାଇ ପାରନ୍ତି । ଆପଣଙ୍କ ବନ୍ଧୁଙ୍କୁ ପଠାଇ ଦିଅନ୍ତୁ ।”

ଏହାପରେ ସେ ବୀରଭଦ୍ର ରାଗ ତମତମ ହୋଇ ସେଠାରୁ ଚାଲିଗଲେ । ଅତିଥି ଭବନରେ ଶେଖର ଉତ୍କଣ୍ଠିତ ଭାବରେ ତାଙ୍କୁ ଅପେକ୍ଷା କରିଥିଲେ । ସେ ଯାଇ ଶେଖରକୁ ସବୁ କହିଲେ । ଶେଖର କହିଲେ, “ରାଜକୁମାରୀ ମୋତେ ଭେଟିବାକୁ ଚାହୁଁଥିବା ସ୍ଥଳେ ତାଙ୍କୁ ଦେଖା ନକରି ଚାଲିଯିବାଟା ଅତ୍ୟନ୍ତ ଅସୌଜନ୍ୟ କଥା ହେବ ।”

ବୀରଭଦ୍ର କହିଲେ “ତାଙ୍କୁ ଦେଖା କର ଓ ମୋତେ ବିଭା ହେବା ପାଇଁ କୁହ ।”

“ମୁଁ କହିଲେ ସେ ଯଦି ରାଜି ହୋଇ ଯାଆନ୍ତେ, ତେବେ ଏତେ ପରୀକ୍ଷା ସେ ଆଦୌ ରଖି ନଥାନ୍ତେ ।” ଏହା କହି ଶେଖର ଯାଇ ରାଜକୁମାରୀଙ୍କୁ ଭେଟିଲେ ।

ରାଜକୁମାରୀ ଶେଖରଙ୍କ ସହ କଥାବାର୍ତ୍ତା କରି ବୁଝିଲେ ତାଙ୍କ ଅନୁମାନ ପୁରାପୁରି ଠିକ୍ । ଶେଖର ଅସାଧାରଣ ବୁଦ୍ଧିମାନ୍, ଭଦ୍ର ତଥା ସାହସୀ । ରାଜକୁମାରୀ ତାଙ୍କୁ କହିଲେ, “ପ୍ରକୃତରେ ଆପଣହିଁ ପରୀକ୍ଷାରେ ବିଜୟୀ ହୋଇଛନ୍ତି । ତେଣୁ ଆପଣ କାହିଁକି ବିଜୟୀର ପ୍ରାପ୍ୟ ନପାଇବେ?”

                ଶେଖର ନମ୍ର ଭାବରେ କହିଲେ, “ରାଜକୁମାରୀ, ଯିଏ ପ୍ରତିଯୋଗିତାରେ ପ୍ରାର୍ଥୀ ରୂପେ ଭାଗ ନେଇଛି, ତାକୁ ସିନା ବିଜୟୀ ଅଥବା ପରାଜିତ ବୋଲି କୁହାଯିବ, ଯିଏ ପଟ୍ଟଭୂମିରେ ରହି ପ୍ରଶ୍ନ ସବୁର ଉତ୍ତର ମାତ୍ର କଳ୍ପନା କରିଛି, ସେ କିପରି ପ୍ରାର୍ଥୀ ରୂପେ ପରିଗଣିତ ହେବ? ମୁଁ ତ ଏଠାକୁ ରାଜପୁତ୍ରଙ୍କ ଶୁଭେଚ୍ଛୁ ରୂପେ ଆସିଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ