ରାଜକୁମାରୀ ରହସ୍ୟମୟ ହସ ହସି କହିଲେ, “ଯୁବକ! ରାଜକୁମାରଙ୍କ ପ୍ରତି ଶୁଭେଚ୍ଛାହିଁ ସବୁ, ମାତ୍ର ରାଜ୍ୟ ପ୍ରତି ତୁମ ଶୁଭେଚ୍ଛାର କ’ଣ କୌଣସି ମୂଲ୍ୟ ନାହିଁ?”
ଶେଖର ତାଙ୍କ କଥାଶୁଣି ସ୍ତବ୍ଧ ହୋଇ ରହିଲେ ଓ ତା’ପରେ ଅଭିବାଦନ ଜଣାଇ ସେଠାରୁ ସେ ବାହାରିଗଲେ ।
ବୀରଭଦ୍ରଙ୍କ ସହ ସେ ଲାବଣ୍ୟପୁର ଫେରିଗଲେ । ରାଜା ଭ୍ରମରବର ନିଜ ପୁଅର ଏଭଳି ଅପମାନ କଥା ଶୁଣି ଗମ୍ଭୀର ହୋଇ ସେ ରହିଲେ । ତା’ପରେ ଶେଖରଙ୍କୁ ଡାକି ସେ କହିଲେ, “ଶେଖର! ଆଗାମୀ କାଲି ମୁଁ ଗୋଟିଏ ସ୍ଥାନକୁ ଯିବି । ତାହା ଅତ୍ୟନ୍ତ ଗୋପନୀୟ କାର୍ଯ୍ୟ । ଏଣୁ ତମେ ମୋ ସହ ଯିବ ।”
ପରଦିନ ଶେଖରକୁ ନେଇ ରାଜା ବଣ ଭିତରକୁ ଗଲେ । ହଠାତ୍ ନିର୍ଜନ ସ୍ଥାନରେ ସେ ତାଙ୍କ ତରବାରୀ ବାହାର କରି ଶେଖରଙ୍କ ଆଡେ ଉଦ୍ୟତ ହେଲେ । ଶେଖର ସତେ ଅବା ସେଭଳି କିଛି ଆଶଙ୍କା କରୁଥିଲେ । ସେ ରାଜାଙ୍କ ହାତ ଧରି ପକାଇଲେ । ଫଳରେ ରାଜା ଆଉ ନିଜ ଭାରସାମ୍ୟ ରକ୍ଷା ନକରି ପାରି ସିଧା ତଳେ ପଡିଗଲେ ।
“ମହାରାଜ! ଯୁବରାଜଙ୍କ ଅପମାନ ପାଇଁ ତାଙ୍କ ନିଜ ଔଦ୍ଧତ୍ୟ ଓ ରାଜକୁମାରୀ ଶାନ୍ତାଙ୍କ ତୀକ୍ଷ୍ନ ବୁଦ୍ଧିହିଁ ବେଶି ମାତ୍ରାରେ ଦାୟୀ । ମୁଁ ନୁହେଁ ।” ଏହା କହି ଶେଖର ତା’ ଘୋଡା ଛୁଟାଇ ଜ୍ୟୋତିପୁର ଚାଲିଗଲେ ଓ ରାଜକୁମାରୀଙ୍କୁ ସାକ୍ଷାତ୍ କରି ସବୁ କହିଲେ ।
ରାଜକୁମାରୀ ତାଙ୍କୁ ସ୍ୱାଗତ ଜଣାଇଲେ ଓ ତାଙ୍କୁ ବିଭା ହେଲେ । ଏହା ପରେ ପରେ ଜ୍ୟୋତିପୁରର ସୈନ୍ୟଦଳ ଧରି ଶେଖର ଆସି ଲାବଣ୍ୟପୁର ଉପରେ ଆକ୍ରମଣ କଲେ ଓ ଅକ୍ଳେଶରେ ରାଜା ଭ୍ରମରବରଙ୍କୁ ପରାଜିତ କରି ଶେଖର ତାଙ୍କ ରାଜ୍ୟ ଅଧିକାର କରିନେଲେ ।
ବେତାଳ ଟିକିଏ ନୀରବ ରହି ତା’ପରେ ତୀବ୍ର କଣ୍ଠରେ ସେ ପ୍ରଶ୍ନ କଲା, “ରାଜା! ଏଥିରେ ମୋର କେତୋଟି ସନ୍ଦେହ ରହିଛି । ଶେଖର ହଠାତ୍ ତା’ର ପୃଷ୍ଠପୋଷକଙ୍କ ରାଜ୍ୟ ଅଧିକାର କରିନେଇ ନିଜକୁ ବିଶ୍ୱାସଘାତକ ବୋଲି ପ୍ରମାଣିତ କଲାନାହିଁ କି? ଦ୍ୱିତୀୟରେ ରାଜକୁମାରୀ ଶାନ୍ତା ରହସ୍ୟମୟ ହସ ହସି ସେ ଖାଲି ରାଜକୁମାରଙ୍କ ଶୁଭେଚ୍ଛୁ, ରାଜ୍ୟର ଆଦୌ ଶୁଭେଚ୍ଛୁ ନୁହେଁ ବୋଲି ମନ୍ତବ୍ୟ ଦେବାର ତାତ୍ପର୍ଯ୍ୟ କ’ଣ? ରାଜା! ପାରିଲେ ମୋର ଏସବୁ ପ୍ରଶ୍ନର ସଠିକ୍ ଉତ୍ତର ଦିଅ । ଆଉ ଯଦି ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ମଧ୍ୟ ତୁମେ ନୀରବ ରହିବ, ତେବେ ତୁମ ଶୀର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ, “ଶେଖର କୌଣସି ବିଶ୍ୱାସ ଘାତକତା କରି ନଥିଲେ, ବରଂ ରାଜା ଭ୍ରମରବର ସବୁ ପ୍ରକାର ବିଶ୍ୱାସଘାତକତା କରିଥିଲେ । ନିଜ ପୁଅର ଅପମାନରେ ଓ ରାଜକୁମାରୀଙ୍କର ଶେଖରକୁ ବିଭା ହେବାକୁ ମନ ବଳାଇଥିବାର ଶୁଣି ସେ ଶେଖର ପ୍ରତି ହଠାତ୍ ଭୀଷଣ ଭାବରେ ଈର୍ଷ୍ୟାନ୍ୱିତ ହେଲେ ଓ ଶେଖରକୁ ହତ୍ୟା କରିବାକୁ ଚେଷ୍ଟା ମଧ୍ୟ କଲେ । ଶେଖର ନିଜର ବୁଦ୍ଧି ଓ ସତର୍କତା ଯୋଗୁଁ ବଂଚିଗଲା ସିନା, କିନ୍ତୁ ସେ ନିହତ ବି ହୋଇପାରିଥାନ୍ତା । ଏହାପରେ ତା’ର ରାଜାଙ୍କ ପ୍ରତି ସଦିଚ୍ଛା ରଖିବାର କୌଣସି ପ୍ରଶ୍ନହିଁ ଉଠୁ ନଥିଲା । ଯାହାଙ୍କ ପୁଅର ମାନ ରକ୍ଷା ପାଇଁ ସେ ସଦା ସର୍ବଦା ସଚେଷ୍ଟ ଥିଲା, ସେ ତାକୁ ବିନା ଦୋଷରେ ହତ୍ୟା କରିବାକୁ ଯାଉଥିଲେ, ତେଣୁ ସେ ପ୍ରତିଶୋଧ ନେଲା ।”
“ରାଜକୁମାରୀ ତାକୁ ଯାହା କହିଥିଲେ, ତା’ର ମର୍ମ ହେଲା, ସେ ରାଜକୁମାରଙ୍କ ପାଇଁ ଶୁଭେଚ୍ଛା ପୋଷଣ କରୁଛି, କିନ୍ତୁ ଏଭଳି ଉଦ୍ଧତ ରାଜକୁମାର ଯେତେବେଳେ ରାଜା ହେବେ, ସେତେବେଳେ ସେ ରାଜ୍ୟର ଅବସ୍ଥା କ’ଣ ଯେ ହେବ? ପ୍ରଜାମାନଙ୍କ ସ୍ୱାର୍ଥ କଥା ସେ କେବେବି ଚିନ୍ତା କରିଛି କି? ରାଜକୁମାରୀଙ୍କ ଏହି ଇଙ୍ଗିତହିଁ ଲାବଣ୍ୟପୁର ଅଧିକାର କରିନେବାକୁ ଶେଖରକୁ ପ୍ରେରଣା ଯୋଗାଇଲା ।”
ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।