ମୋତିଲାଲ ନାମକ ଜଣେ ବିଶିଷ୍ଟ ବ୍ୟବସାୟୀ ଶ୍ରୀରଙ୍ଗପତନରେ ରହୁଥିଲେ । ସେ ହୀରା ମାଣିକ୍ୟ ଇତ୍ୟାଦି ରତ୍ନରେ ବେପାର କରୁଥିଲେ ।
ଥରେ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ସହରରୁ ସୁବୁଦ୍ଧି ରାଓ ନାମକ ଜଣେ ଜମିଦାର ଶ୍ରୀରଙ୍ଗପତନ ଆସିଥାନ୍ତି । ଖଣ୍ଡିଏ ଭଲ ହୀରା କିଣିବା ପାଇଁ ଏ ଜମିଦାରଙ୍କର ବିଶେଷ ଇଚ୍ଛା ଥାଏ । ସେ ମୋତିଲାଲଙ୍କ ଖ୍ୟାତି ଶୁଣି ତାଙ୍କ ପାଖରେ ଯାଇ ପହଁଚିଲେ । ତାଙ୍କ ପାଖରେ ଥିବା କେତେଖଣ୍ଡି ହୀରା ମୋତିଲାଲ ତାଙ୍କୁ ଦେଖାଇଲେ । ସୁବୁଦ୍ଧି ରାଓ ସେଥିରୁ ଖଣ୍ଡିଏ ହୀରାକୁ ବିଶେଷ ପସନ୍ଦ କଲେ ଓ ତାକୁ କିଣିବା ପାଇଁ ସେ ଚାହିଁଲେ । ମୋତିଲାଲ କହିଲେ କି ସେ ହୀରାର ଦାମ ଚାରିହଜାର ସ୍ୱର୍ଣ୍ଣମୁଦ୍ରା ପଡିବ ।
ସେତେବେଳେ ସୁବୁଦ୍ଧି ରାଓଙ୍କ ପାଖରେ ତିନିହଜାରରୁ ଅଳ୍ପ କିଛି ଅଧିକ ସ୍ୱର୍ଣ୍ଣମୁଦ୍ରା ଥାଏ । ସେ ଦେଖିଲେ, ତାଙ୍କ ଖର୍ଚ୍ଚ ପାଇଁ ଯାହା ଲୋଡା ତାକୁ ଛାଡିଦେଲେ ସେ କେବଳ ତିନିହଜାର ସ୍ୱର୍ଣ୍ଣମୁଦ୍ରାହିଁ ଦେଇ ପାରିବେ । ସେ ମୋତିଲାଲଙ୍କୁ କହିଲେ, “ମହାଶୟ, ଆପଣ ତିନିହଜାର ସ୍ୱର୍ଣ୍ଣମୁଦ୍ରା ନେଇ ମୋତେ ଏହି ହୀରା ଖଣ୍ଡିକ ଦେଇ ଦିଅନ୍ତୁ । ମୁଁ ଘରକୁ ଯାଇ ବାକି ହଜାରେ ପଠାଇ ଦେବି । ଖୁବ୍ ବିଳମ୍ବ ହେଲେ ମାସକ ଭିତରେ ଆପଣ ଆପଣଙ୍କ ଟଙ୍କା ପାଇଯିବେ ।”
ସୁବୁଦ୍ଧି ରାଓଙ୍କ ଉପରେ ମୋତିଲାଲଙ୍କର ଆସ୍ଥା ଆସିଗଲା । ସେ କହିଲେ, “ବେଶ୍! ତେବେ ଏ ଖାତାରେ ଲେଖି ରଖିଲି । ଆପଣଙ୍କ ଉପରେ ଆଉ ହଜାରେ ମୁଦ୍ରା ମୋର ପ୍ରାପ୍ୟ ରହିଲା । ଯେଉଁଦିନ ପ୍ରାପ୍ୟ ପାଇଯିବି, ସେଦିନ ଏହାକୁ ମୁଁ କାଟିଦେବି ।”
ସୁବୁଦ୍ଧି ରାଓ ଅତି ଆନନ୍ଦରେ ବିଶାଖାପାଟଣା ଫେରି ଆସିଲେ । ମଣିଷ ଜୀବନରେ ସବୁଦିନ ତ ଆଉ ସମାନ ଯାଏନାହିଁ । ଜମିଦାର ସେଯାଏଁ ସୁସ୍ଥ ସବଳ ଥିଲେ । ହଠାତ୍ ସେ ବେମାର ପଡିଲେ । ଯେତେ ବୈଦ୍ୟ କବିରାଜ ଆସି ତାଙ୍କୁ ଚିକିତ୍ସା କଲେ ବି କିଛିବି ସୁଫଳ ହେଲାନାହିଁ । ସେ ବୁଝିପାରିଲେ କି ଏଥର ତାଙ୍କ ଶେଷ ସମୟ ନିକଟ ହୋଇ ଆସିଲାଣି । ସେ ତାଙ୍କ ପୁଅ ପଦ୍ମନାଭକୁ ଡାକି କହିଲେ, “ଶ୍ରୀରଙ୍ଗପତନର ରତ୍ନବ୍ୟବସାୟୀ ମୋତିଲାଲଙ୍କଠୁଁ ମୁଁ ଆଣିଥିବା ହୀରା ଖଣ୍ଡିକ ଆମର ସବୁଠୁ ଦୁର୍ମୁଲ୍ୟ ରତ୍ନ । ତାଙ୍କୁ ମୋର ହଜାରେ ସ୍ୱର୍ଣ୍ଣମୁଦ୍ରା ଦେବାର ଅଛି । ମୋ ଅନ୍ତେ ତୁ ତାହା ତାଙ୍କୁ ନିଶ୍ଚୟ ଦେଇଦେବୁ – ସେ ପୁଣି ସୁଧ ସହ । ନହେଲେ ମୋ ଆତ୍ମା କେବେବି ଶାନ୍ତି ପାଇବ ନାହିଁ ।”
ଏହା ପରେ ପରେ ସୁବୁଦ୍ଧି ରାଓଙ୍କ ପରଲୋକ ହେଲା । ପୁଅ ପଦ୍ମନାଭ ଭଲ ମଣିଷ, କିନ୍ତୁ ସେ ତାଙ୍କ ବାପାଙ୍କ ଭଳି ଏତେଟା ବିଚକ୍ଷଣ ନୁହଁନ୍ତି । ଏଣେ ତାଙ୍କ ସରଳତାର ସୁଯୋଗ ନେଇ ଯିଏ ନାଇଁ ସିଏ ତାଙ୍କୁ ଠକି ପାରୁଥାଏ । ବାପାଙ୍କ ମୃତ୍ୟୁର ପାଂଚବର୍ଷ ଭିତରେ ତାଙ୍କ ଜମିଦାରି ନିଲାମରେ ଉଠିଲା; କୋଠା ଘର ବି ବିକ୍ରି ହୋଇଗଲା । ଶେଷରେ ସେ ଗୋଟିଏ ଛୋଟିଆ ଘରେ ସାଧାରଣ ଭାବରେ ଜୀବନ ବିତାଇବାକୁ ଲାଗିଲେ ।
କିନ୍ତୁ ସେ ହୀରା ଖଣ୍ଡିଏ ସେଯାଏଁ ତାଙ୍କପାଖରେ ରହିଥାଏ । ବାପାଙ୍କ ଋଣ କଥା ବି ସେ ମୋଟେ ପାଶୋରି ନଥିଲେ । କିନ୍ତୁ ଏକ ସମୟରେ ହଜାରେ ସ୍ୱର୍ଣ୍ଣମୁଦ୍ରା ସଂଗ୍ରହ କରିବା ତାଙ୍କ ପକ୍ଷରେ ଆଦୌ ସମ୍ଭବପର ହେଲା ନାହିଁ । ସେତେବେଳକୁ ପୁଣି ସୁଧ ସହ ମୋତିଲାଲଙ୍କ ପ୍ରାପ୍ୟ ତିନି ହଜାର ହୋଇଯାଇଥିବା କଥା । ସେ ଏତେ ଟଙ୍କା କୁଆଡୁ ଆଣିବେ? ସେ ଦୁର୍ମୁଲ୍ୟ ହୀରାଟି କିଣିବା ଭଳି ଲୋକ ବି ତାଙ୍କ ସହରରେ ମିଳିଲେ ନାହିଁ । ଅବଶେଷରେ ସେ ସ୍ଥିର କଲେ କି ଶ୍ରୀରଙ୍ଗପତନ ଯାଇ ମୋତିଲାଲଙ୍କୁହିଁ ତାଙ୍କ ହୀରାଟି ଫେରାଇ ଦେବେ । ମୋତିଲାଲ୍ ଯଦି ତାଙ୍କ ପ୍ରାପ୍ୟ କାଟିରଖି ତାଙ୍କୁ କିଛି ଦେବେ, ତେବେ ଏହା ବଡ ଆନନ୍ଦର କଥା ହେବ ।