ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନରେ ଗଛଲତାମାନେ ସତେ ଅବା ପାଟିକରି ଉଠୁଥାନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜା! ତୁମେ ଆଉ ତୁମର କୌଣସି ମିତ୍ରର ପ୍ରରୋଚନାରେ ପଡି ଏଭଳି ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ କୌଣସି କାର୍ଯ୍ୟ ସିଦ୍ଧି ନିମନ୍ତେ ବାହାରି ନାହଁ ତ? କିନ୍ତୁ ମିତ୍ରମାନଙ୍କ ବ୍ୟବହାର ଉପରେ ସବୁବେଳେ ନିର୍ଭର କରିବା ଉଚିତ୍ କି? ମୋ ପ୍ରଶ୍ନଟିର ତାତ୍ପର୍ଯ୍ୟ ସ୍ପଷ୍ଟ କରିଦେବା ନିମନ୍ତେ ମୁଁ ତୁମକୁ ଗୋଟିଏ କାହାଣୀ କହୁଛି, ମନଦେଇ ଶୁଣ । ତାହା ଶୁଣିଲେ ତୁମର ଶ୍ରମଭାର ନିଶ୍ଚୟ ଲାଘବ ମନେ ହେବ ।”
ଏହାପରେ ସେ ବେତାଳ ଗପିଲା: ଦଣ୍ଡକାରଣ୍ୟରେ, ତମସା ନଦୀ କୂଳରେ ଜଣେ ମହାନ୍ ବିଦ୍ୱାନ ଗୋଟିଏ ଗୁରୁକୂଳ ପରିଚାଳନା କରୁଥାନ୍ତି । ସେହି ଋଷିପ୍ରତିମ ବଦ୍ୱାନ୍ଙ୍କୁ ଲୋକେ ବିଦ୍ୟାସାଗର ବୋଲି ଡାକୁଥାନ୍ତି । କିନ୍ତୁ ତାଙ୍କ ବିଷୟରେ ବିଶେଷ କେହି କିଛି ବି ହେଲେ ଜାଣି ନଥାନ୍ତି । ଯେଉଁ କେତେଜଣ ଅଳ୍ପସଂଖ୍ୟକ ବ୍ୟକ୍ତି ଜାଣିଥିଲେ, ସେମାନେ ସେମାନଙ୍କ ପିଲାମାନଙ୍କୁ ତାଙ୍କ ଗୁରୁକୂଳରେ ନେଇ ଛାଡୁଥାନ୍ତି । ବିଦ୍ୟାସାଗର ନିଜ ଗୁରୁକୂଳର ପ୍ରଚାର କରୁନଥାନ୍ତି । ତେଣୁ ତାଙ୍କୁ ରାଜଦରବାରରୁ କୌଣସି ସାହାଯ୍ୟ ମିଳୁ ନଥାଏ ।
ଗୁରୁକୂଳରେ ସାଧାରଣତଃ ଛାତ୍ରମାନେ ହିଁ ରହୁଥିଲେ । ତେବେ ଥରେ ଗୁରୁ ତାଙ୍କର ଜଣେ ସଖାଙ୍କ କନ୍ୟାର ସାହିତ୍ୟପ୍ରୀତିରେ ମୁଗ୍ଧ ହୋଇ ତାକୁ ଗୁରୁକୂଳରେ ରହିବାକୁ ଅନୁମତି ଦେଲେ । ସେ କନ୍ୟାର ନାମ ପ୍ରତିମା । ପ୍ରତିମା ସହିତ ଯେଉଁ ଦୁଇଜଣ ତରୁଣ ବିଦ୍ୟାର୍ଥୀଙ୍କୁ ସେ ଗ୍ରହଣ କରିଥାନ୍ତି, ସେମାନେ ହେଲେ ସୁଜନ ଓ ପ୍ରବୀର । ସୁଜନ ସଙ୍ଗୀତ ଶିକ୍ଷା କରୁଥାଏ; ପ୍ରବୀର ଅସୀ ଚାଳନା ତଥା ଅନ୍ୟାନ୍ୟ ଅସ୍ତ୍ରବିଦ୍ୟା ଶିଖୁଥାଏ ।
ପ୍ରତିମା, ସୁଜନ ଓ ପ୍ରବୀର ପରସ୍ପର ମିତ୍ର ହୋଇଥାନ୍ତି । ପ୍ରତିମା ନିଜେ ସାହିତ୍ୟ ଚର୍ଚ୍ଚା କରିବା ସଙ୍ଗେ ସଙ୍ଗେ କବିତା ରଚନାରେ ମନୋନିବେଶ କଲେ ମଧ୍ୟ ସଙ୍ଗୀତ ପ୍ରତି ତା’ର ଏକ ବିଶେଷ ଋଚି ଥାଏ । ତେଣୁ ସେ ଅନେକ ସମୟରେ ସୁଜନର ସଙ୍ଗୀତ ଉପରେ ଭଲ ମନ୍ତବ୍ୟ ଦେଇ ତାକୁ ଉତ୍ସାହିତ କରୁଥାଏ ।
କେତେବର୍ଷ ପରେ ଦିନେ ଗୁରୁ ସେ ତିନିଜଣଙ୍କୁ କହିଲେ, “ବତ୍ସଗଣ! ଏଥର ତୁମମାନଙ୍କ ବିଦ୍ୟାଲାଭ ସମାପ୍ତ ହେଲା । ଘରକୁ ଯାଅ ଏବଂ ନିଜ ନିଜ ଭବିଷ୍ୟତ କର୍ମପନ୍ଥା ସ୍ଥିର କର ।”
ଏହା ଶୁଣି ସେ ତିନିଜଣଯାକ ଅଶ୍ରୁପୂର୍ଣ୍ଣ ନୟନରେ ଗୁରୁଙ୍କଠୁଁ ବିଦାୟ ନେଇ ଯିଏ ଯାହା ବାଟରେ ଗଲେ ।