ବଣ ଭିତର ଦେଇ ପ୍ରବୀର ଏକାକୀ ଚାଲିଥାଏ, ହଠାତ୍ ସେ ଏକ ଆର୍ତ୍ତନାଦ ଶୁଣି ଦୌଡିଯାଇ ଦେଖିଲା, ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ଚାରିଜଣ ଗୁଣ୍ଡା କାବୁ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରବୀର ସେ ଗୁଣ୍ଡାମାନଙ୍କୁ ଆକ୍ରମଣ କଲା । ତତ୍ପରତାର ସହ ଯୁଦ୍ଧ କରି ସେ ଅଳ୍ପ ସମୟ ଭିତରେ ଚାରିଜଣଯାକ ଗୁଣ୍ଡାଙ୍କୁ ଆହତ କଲା । ଯଦ୍ୱାରା ସେମାନେ ପ୍ରାଣ ବିକଳରେ ସେଠାରୁ ପଳାୟନ କଲେ ।
ସମ୍ଭ୍ରାନ୍ତ ବ୍ୟକ୍ତିଜଣକ କହିଲେ, “ଯୁବକ, ତୁମେ କିଏ ତା ତ ମୁଁ ଜାଣେନା । କିନ୍ତୁ ମୋ ପାଇଁ ତମେ ସାକ୍ଷାତ୍ ଈଶ୍ୱର-ପ୍ରେରିତ ସାହଯ୍ୟ ରୂପେହିଁ ଆସିଲ । ମୁଁ ଏ ରାଜ୍ୟର ରାଜା । ଶୀକାର ପାଇଁ ଆସି ଦୈବାତ୍ ମୋ ଦେହରକ୍ଷୀମାନଙ୍କଠୁଁ ବିଚ୍ଛିନ୍ନ ହୋଇ ପଡିଲି । ବଣରେ ଏ ଡାକୁଦଳ କିଛିଦିନ ହେଲା ଉପଦ୍ରବ କରୁଥିବା କଥା ମୁଁ ଜାଣିଥିଲି । କିନ୍ତୁ ମୁଁ ନିଜେ ଏମାନଙ୍କ ହାବୁଡରେ ପଡିବି ବୋଲି କେବେବି ଜାଣି ନଥିଲି । ତୁମକୁ ମୁଁ କି ପୁରସ୍କାର ଦେବି?”
ରାଜାଙ୍କଠାରୁ ଏଭଳି କଥା ଶୁଣି ପ୍ରବୀର କହିଲା, “ମହାରାଜ! ଯଦି ପୁରସ୍କାର ଦେବେ, ତେବେ ମୋର ମାଗୁଣି ହେଲା ଯେ, ମୋ ଗୁରୁ ବିଦ୍ୟାସାଗରଙ୍କୁ ତାଙ୍କ ଗୁରୁକୂଳ ଚଳାଇବା ନିମନ୍ତେ କିଛି ବାର୍ଷିକ ସାହାଯ୍ୟର ବ୍ୟବସ୍ଥା କରି ଦିଅନ୍ତୁ । କାହିଁକିନା ମୁଁ ତାଙ୍କୁ କିଛି ବି ଗୁରୁଦକ୍ଷୀଣା ଦେଇପାରି ନାହିଁ । ଆପଣ ଏତକ କଲେ ମୁଁ ସେ ଋଣରୁ ମୁକ୍ତ ହେବି ।”
ରାଜା କହିଲେ “ତାହାହିଁ ହେବ । କିନ୍ତୁ ସେତକ ଯଥେଷ୍ଟ ନୁହେଁ । ତୁମର ଆପତ୍ତି ନଥିଲେ ତୁମକୁ ମୁଁ ମୋର ମୁଖ୍ୟ ଦେହରକ୍ଷୀ ପଦ ଦେବାକୁ ପ୍ରସ୍ତୁତ ।”
ପ୍ରବୀର ପାଇଁ ଏହା ଥିଲା ଏକ ବିଶେଷ ଆଶୀର୍ବାଦ । ତେଣୁ ସେ କହିଲା ଆପତ୍ତିର ପ୍ରଶ୍ନ କାହିଁ? ଏଥୁଅନ୍ତେ ପ୍ରବୀର ରାଜାଙ୍କ ସହ ତାଙ୍କ ନଅରକୁ ଗଲା । ତାପରଦିନ ସେ ଆହତ ଡାକୁମାନେ ବି ଧରା ହେଲେ ।
ଠିକ୍ ବର୍ଷକ ପରେ ପ୍ରବୀର ସହ ହଠାତ୍ ସୁଜନର ଦେଖା ହେଲା । ସୁଜନ ଗୋଟିଏ ଛୋଟ ସଙ୍ଗୀତ ବିଦ୍ୟାଳୟ ସ୍ଥାପନ କରିଥାଏ । ତା’ର ଅବସ୍ଥା ସ୍ୱଚ୍ଛଳ ନଥାଏ । ପ୍ରବୀରକୁ ସେ କହିଲା, “ଭାଇ, ତମେ ଖାଲି ମୋତେ ଥରେ ନେଇ ରାଜାଙ୍କ ସହ ପରିଚୟ କରାଇଦିଅ । ସେ ମୋର ପ୍ରତିଭା ବିଷୟରେ ଜାଣିଲେ ମୋ ଭାଗ୍ୟ ଜରୁର୍ ବଦଳିଯିବ ।”
ପ୍ରବୀର କିନ୍ତୁ ସୁଜନକୁ ରାଜାଙ୍କ ପାଖକୁ ନ ନେଇ ଅମାତ୍ୟମାନଙ୍କ ଭିତରେ ଯେଉଁମାନେ ସଙ୍ଗୀତ ପ୍ରେମୀ ସେମାନଙ୍କ ସହ ତା’ର ପରିଚୟ କରାଇଦେଲା । ସେମାନେ ସୁଜନର ଗୀତ ଶୁଣି ମୁଗ୍ଧ ହେଲେ । ପରେ ପରେ ସେମାନେ ସୁଜନକୁ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହ ପରିଚୟ କରାଇଦେଲେ । ଫଳରେ ସୁଜନର ଖ୍ୟାତି ଦିନକୁ ଦିନ ବଢିଲା ।