ଦିନେ ଜଣେ ଅମାତ୍ୟଙ୍କ ଘରେ ସୁଜନ ଗୀତ ବୋଲୁଥାଏ, ସେଠାରେ ପ୍ରତିମା ସହ ତା’ର ସାକ୍ଷାତ ହେଲା । ପ୍ରତିମାର ପିତା ଜଣେ ବିଶିଷ୍ଟ ବ୍ୟକ୍ତି ଭାବରେ ଅମାତ୍ୟଙ୍କ ଘରକୁ ନିମନ୍ତ୍ରୀତ ହୋଇ ଆସିଥାନ୍ତି । ସେ ସୁଜନର ବହୁତ ପ୍ରଶଂସା କଲେ ।
ଅନୁଷ୍ଠାନ ପରେ ସୁଜନ ପ୍ରତିମାକୁ ଏକାନ୍ତରେ କହିଲା, “ପ୍ରତିମା! ପ୍ରବୀର ଏଡେ ଇର୍ଷୁକ, ସେ ଥରେ ହେଲେ ବି ମୋତେ ରାଜାଙ୍କ ସହ ସାକ୍ଷାତ କରାଇ ଦେଉନାହିଁ । ଅଥଚ ମୁଁ ଜାଣେ, ରାଜା ତାକୁ ଏଡେ ଆଦର କରନ୍ତି ଯେ ସେ ଯାଇ କହିଲେହିଁ ରାଜା ମୋ ଗୀତ ଶୁଣିବେ । ତୁମେ ଥରେ ମୋ ପାଇଁ ପ୍ରବୀରକୁ କହନ୍ତ ନାହିଁ?”
ପ୍ରତିମା ଏଥିରେ ରାଜି ହେଲା ଓ ପରଦିନ ପ୍ରବୀରକୁ ଦେଖା କରି ସୁଜନର ଇଚ୍ଛା ତାକୁ ଜଣାଇଲା । ପ୍ରବୀର କହିଲା, “ହଁ, ଏଥର ରାଜାଙ୍କୁ ମୁଁ ନିଶ୍ଚୟ କହିବି ।”
ପ୍ରବୀର ରାଜାଙ୍କୁ କହିବା ମାତ୍ରେ ରାଜା କହିଲେ, “ହଁ ହଁ, ମୁଁ ମଧ୍ୟ ଆମର କେତେଜଣ ଅମାତ୍ୟଙ୍କଠୁଁ ସୁଜନଙ୍କ ବିଷୟରେ ଶୁଣିଛି ।” ଏହା କହି ସେ ସୁଜନକୁ ଡକାଇ ସଙ୍ଗୀତ ଅନୁଷ୍ଠାନ କଲେ । ସେ ବାସ୍ତବିକ ସୁଜନର ପ୍ରତିଭାରେ ମୁଗ୍ଧ ହେଲେ ଓ ରାଜ୍ୟରେ ସଙ୍ଗୀତ ମହାବିଦ୍ୟାଳୟ ସ୍ଥାପନ କରି ତାକୁ ତା’ର ଅଧ୍ୟକ୍ଷ ନିଯୁକ୍ତ କଲେ । ଏଥର ସେ ସୁଜନର ଅବସ୍ଥା ବଦଳିଗଲା । ସାମାଜିକ କ୍ଷେତ୍ରରେ ସେ ପ୍ରବୀରଠୁଁ ବି ଅଧିକ ସମ୍ମାନ ପାଇବାକୁ ଲାଗିଲା ।
ଦିନେ ସୁଜନ ପ୍ରତିମାକୁ ଦେଖାକରି କହିଲା, “ପ୍ରତିମା, ମୁଁ ସଙ୍ଗୀତଜ୍ଞ; ତମେ କବି । ତମେ କବିତା ଲେଖିବ; ମୁଁ ତାକୁ ସୁରଦେଇ ବୋଲିବି । ଏହାଠୁଁ ବଳି ଯୋଗାଯୋଗ ଆଉ କ’ଣ ବା ଅଛି? ଚାଲ ଆମେ ଏବେ ବିଭା ହେବା ।”
ଏହା ଶୁଣି ପ୍ରତିମା କହିଲା, “ସୁଜନ! ମୁଁ ତୁମ ସଙ୍ଗୀତ-ପ୍ରତିଭାକୁ ପସନ୍ଦ କରେ । କିନ୍ତୁ ବିବାହ ପ୍ରସଙ୍ଗ ଉଠାଅ ନାହିଁ ।”
ତା’ପରେ ସୁଜନ ଚୁପ୍ ରହିଲା । କିଛିଦିନ ପରେ ପ୍ରତିମା ପ୍ରବୀରକୁ ସାକ୍ଷାତ କରି କହିଲା, “ବାପା ମା ମୋତେ ଏଥର ବିଭା ଦେବାକୁ ବ୍ୟସ୍ତ ହେଲେଣି । କିନ୍ତୁ ପାତ୍ର ମନୋନୟନରେ ସେମାନେ ମୋ ଇଚ୍ଛାକୁ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି ।”
ପ୍ରବୀର ପଚାରିଲା “ସତେ? ତେବେ ତୁମେ ମନୋନୟନ କରିଛ?”
ପ୍ରତିମା ଉତ୍ତର ଦେଲା “ନହେଲେ ମୁଁ କାହିଁକି ତୁମକୁ ଏକଥା କହନ୍ତି?”
ପ୍ରବୀର ଆନନ୍ଦିତ ହୋଇ କହିଲା, “ପ୍ରତିମା, ତୁମକୁ ବିଭା ହୋଇ ପାରିଲେ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରିବି ।”
ବାସ୍ । ଏହାପରେ ସେ ଦୁହିଁଙ୍କର ବିବାହ ହୋଇଗଲା ।
ବେତାଳ ତା’ର କାହାଣୀଟି କହିସାରି ଟିକିଏ ଚୁପ୍ ରହି, ତା’ପରେ ସେ ତା’ କଣ୍ଠସ୍ୱର ତୀବ୍ର କରି ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, “ରାଜା! ମୋର କିଛି ସନ୍ଦେହ ରହିଛି । ପ୍ରବୀର ରାଜାଙ୍କ ସହିତ ସୁଜନକୁ କାହିଁକି ପ୍ରଥମେ ପରିଚୟ କରାଇଲା ନାହିଁ, ଅଥଚ ପ୍ରତିମା କହିବା ମାତ୍ରେ ପରିଚୟ କରାଇଦେଲା? ଏହା ତା’ର ସୁଜନ ପ୍ରତି ଇର୍ଷାର ପରିଚୟ ନୁହେଁ କି? ପ୍ରତିମା ବା ସୁଜନକୁ ବିଭା ହେବାକୁ ମନା କରି ପ୍ରବୀରକୁ ବାହା ହେଲା କାହିଁକି? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଯଦି ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ମଧ୍ୟ ତୁମେ ନିରୁତ୍ତର ରହିବ, ତେବେ ତମ ଶିର ନିଶ୍ଚୟ ସ୍କନ୍ଧଚ୍ୟୁତ ହେବ ।”
ମୁହୂର୍ତ୍ତେ ମଧ୍ୟ କାଳ ବିଳମ୍ବ ନକରି ରାଜା ବିକ୍ରମାର୍କ ଉତ୍ତର ଦେଲେ, “ପ୍ରବୀର ମହତ୍ ଓ ବିବେକୀ । ସେ ଘଟଣାଚକ୍ରରେ ପଡି ରାଜାଙ୍କର ପ୍ରିୟ ହୋଇ ପାରିଥିଲା ବୋଲି ସେ ସେହି ସମ୍ପର୍କର ଦୁରୁପଯୋଗ କରିବାକୁ ପ୍ରସ୍ତୁତ ନଥିଲା । ସେ ଇର୍ଷୁକ ହୋଇଥିଲେ ତ ସୁଜନକୁ ସଙ୍ଗୀତପ୍ରେମୀ ଅମାତ୍ୟମାନଙ୍କ ସହ କେବେବି ପରିଚୟ କରାଇ ଦେଇ ନ ଥାନ୍ତା । ସେ ଜାଣୁଥିଲା ତାହାହିଁ ଉତ୍ତମ ମାର୍ଗ । ରାଜା ଅମାତ୍ୟମାନଙ୍କ ପାଖରୁ ସୁଜନ ବିଷୟରେ ପ୍ରଥମେ ଶୁଣିବା ପରେ ଯାଇ ସେ କହିବା ଫଳରେ ତାହା ସ୍ୱାଭାବିକ ଓ ସୁନ୍ଦର ଦିଶିବ ।
“ସୁଜନ ପ୍ରତିମା ସହ ବିବାହ ପ୍ରସ୍ତାବ ଦେବାବେଳେ ସେ ଯେଉଁ ଯୁକ୍ତିର ଅବତାରଣା କରିଥିଲା, ତାହା ତ ଠିକ୍ । କିନ୍ତୁ ସ୍ନେହ ଶ୍ରଦ୍ଧା, ଆକର୍ଷଣ–ଏସବୁ ଯୁକ୍ତି ଉପରେ ନିର୍ଭରଶୀଳ ନୁହେଁ । ତା’ଛଡା ସୁଜନ ଓ ପ୍ରବୀର ଭିତରେ ପ୍ରବୀର ଅଧିକ ମହତ୍ ବୋଲି ସେ ବୁଝୁଥିଲା । ସୁଜନ ପ୍ରବୀର ଇର୍ଷୁକ ବୋଲି ଅଭିଯୋଗ କରି ନିଜ କ୍ଷୁଦ୍ର ମନ୍ୟତାର ପରିଚୟ ଦେଇଥିଲା । ପ୍ରବୀର କିନ୍ତୁ ସୁଜନକୁ ଠିକ୍ ଭାବରେ ସାହାଯ୍ୟ କରିଛି ବୋଲି ପ୍ରତିମା ବୁଝୁଥିଲା ।”
ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେ ବେତାଳ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।