ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନୋଟି ପରୀକ୍ଷା

ଜ୍ୟୋତ୍ସ୍ନା ଗୋଟିଏ ଗଛତଳେ ବସି ପଡିଲେ; ତାଙ୍କ ଅଂଟାରେ ବନ୍ଧା ହୋଇଥିବା ଲୁଗା ଭିତରୁ ସେ ଏକ ତାଳପତ୍ର ଲେଖା କାଢିଲେ ଓ କହିଲେ, “ମୋର ଆପଣଙ୍କ ଉପରେ ବିଶ୍ୱାସ ଅଛି । ଆପଣ କୌଣସି କଥାରୁ ଟଳିଯିବେ ନାହିଁ । ମୁଁ ଏବେ ସବୁକଥା ଖୋଲି କହୁଛି ଶୁଣନ୍ତୁ । ଆମ ବଂଶରେ ବହୁ ପୂର୍ବରୁ ହୋଇଥିବା ଏକ ଘଟଣା ଯୋଗୁଁ ଓ ଜଣେ ରାଜାଙ୍କ ଇଚ୍ଛା ଅନୁସାରେ ଏକ ବିରାଟ ତାଳପତ୍ର ପୋଥିରେ କିଛି ଲେଖା ହୋଇ ରଖା ହୋଇଛି । ଆଦେଶ ଥିଲା ତାକୁ କେବଳ ଆମ ବଂଶର ଉତ୍ତରାଧିକାରୀ ହିଁ ପଢି ପାରିବ । ସେ କଥା ମୁଁ ପରେ କହିବି । ଏବେ ମୁଁ ଯେଉଁ ତାଳପତ୍ର ଲେଖାଟି ଧରିଛି ତାହା ସେହି ପୋଥିର ଏକ ଅଂଶ । ଏଥିରୁ ଆପଣ ବହୁତ କିଛି ଜିନିଷ ଜାଣିପାରିବେ । ଯେଉଁ ବିରାଟ ରହସ୍ୟ ଆଜିପର୍ଯ୍ୟନ୍ତ ଗୁପ୍ତ ହୋଇ ଅଛି ତାହା ଆପଣ ଅତି ସହଜରେ ଉନ୍ମୋଚନ କରିପାରିବେ । ଏବେ ମନଦେଇ ଶୁଣନ୍ତୁ ।” ତା’ପରେ ସେ କହିଲେ, “ଅନେକ ଦିନ ତଳର କଥା । ପ୍ରାୟ ଶହେବର୍ଷ ତଳର । ଆମ ବଂଶର ଜଣେ ରାଜା ଥିଲେ । ତାଙ୍କ ନାମ ହୈହୟବର୍ମା । ସେ ଜଣେ ବଡ ବୀର ଥିଲେ ଓ ରାଜନୀତିରେ ମଧ୍ୟ ସେ ଭାରି ଦକ୍ଷ ଥିଲେ । ମନ୍ତ୍ରତନ୍ତ୍ରରେ ମଧ୍ୟ ସେ ଅତ୍ୟନ୍ତ ନିପୁଣ ଥିଲେ ।”

ଦକ୍ଷିଣ ପଟରେ ଥିବା ଅନେକ ରାଜ୍ୟକୁ ସେ ଯୁଦ୍ଧ କରି ହରାଇଲେ ଓ ସେସବୁକୁ ସେ ନିଜ ଶାସନ ମଧ୍ୟରେ ରଖିଲେ । ସେଠାରୁ ସେ ଅମାପ ଧନ ଦୌଲତ ନିଜ ରାଜ୍ୟକୁ ନେଇ ଆସିଥିଲେ । ଦୁର୍ଭାଗ୍ୟକୁ ତାଙ୍କ ପୁତ୍ର ଅଜେୟବର୍ମା ଏକ ନିପଟ ମୂର୍ଖ ବ୍ୟକ୍ତି ଥିଲେ । କେବଳ ସେଇଥିପାଇଁ ତାଙ୍କ ମନରେ ସଦା ସର୍ବଦା ଦୁଃଖ ଥାଏ । ହୈହୟବର୍ମା ଭାବିଲେ ଯେ ସେ ଏତେ କଷ୍ଟ କରି ଯେଉଁ ଧନ ଓ ରାଜ୍ୟ ସବୁ ଲାଭ କରିଛନ୍ତି ପୁତ୍ରର ଶାସନ କାଳରେ ସେସବୁ ନଷ୍ଟ ହୋଇଯିବ । ସେଥିପାଇଁ ସେ ତାଙ୍କର ସାରା ସମ୍ପତ୍ତି ଓ ଅଭିମନ୍ତ୍ରିତ ଖଡ୍ଗ କେଉଁଠି ଲୁଚାଇ ରଖିଦେଲେ । ତା’ପରେ ସେ ନିଜର ମନ୍ତ୍ରଗୁରୁଙ୍କ ସାହାଯ୍ୟରେ ସେହି ସ୍ଥାନ ଉପରେ ମନ୍ତ୍ର ଦ୍ୱାରା ଏକ ଅଦୃଶ୍ୟ ପ୍ରହରୀକୁ ରଖାଇଲେ । ସେସବୁ କଥା କେହିବି ଜାଣନ୍ତି ନାହିଁ ।

କିନ୍ତୁ ସେହି ପ୍ରହରୀ ବିଷୟରେ ବା ସେସବୁ ଧନସମ୍ପତ୍ତି କିପରି ମିଳିପାରିବ ସେ ବିଷୟରେ ସେ କାହାକୁ କିଛି ବି କହି ନଥିଲେ । କେବଳ ଏହି ତାଳପତ୍ର ପୋଥିରେ ସେ ଏସବୁ ବିଷୟରେ ଲେଖିଛନ୍ତି, “ସେ ସମସ୍ତ ସମ୍ପତ୍ତି ମୁଁ କୌମୁଦି ଦେଶର ପୂର୍ବପଟରେ ଲୁଚାଇ ରଖିଛି । ଦୁଇଟି ସାପର ଚିତ୍ର ଥିବା ପଥର ଦ୍ୱାରା ସେହି ସ୍ଥାନକୁ ଚିହ୍ନଟ କରାଯାଇ ପାରିବ । ସେହି ଅପାର ସମ୍ପତ୍ତି ଓ ମନ୍ତ୍ର ଖଡ୍ଗକୁ ପାଇବାକୁ ହେଲେ କୌଣସି ମନ୍ତ୍ରତନ୍ତ୍ର ଦରକାର ନାହିଁ । କେବଳ ସାହସୀ, ବୁଦ୍ଧିମାନ ଓ ଧର୍ମପ୍ରାଣ ବ୍ୟକ୍ତି ଖୁବ୍ ସହଜରେ ଏ କାମ କରି ପାରିବ । ଦେଖନ୍ତୁ ଏ ପତ୍ର ଆମ ବଂଶର କୌଣସି ରାଜା ପଢିବା ଉଚିତ୍ ।” ଏତିକି କହି ଜ୍ୟୋତ୍ସ୍ନା ତାଳପତ୍ରଟି କୃଷ୍ଣବର୍ମାଙ୍କୁ ଦେଲେ ।

କିନ୍ତୁ କୃଷ୍ଣବର୍ମା ସେଇଟି ଗ୍ରହଣ ନକରି କହିଲେ, “ତା’ପରେ କ’ଣ ହେଲା ସେକଥା କୁହନ୍ତୁ ।” ଏହି କଥାରେ ରାଜକୁମାରୀ ତାଙ୍କୁ ମନେ ମନେ ବହୁତ ପ୍ରଶଂସା କଲେ ଓ କହିଲେ, “ଆମ ପୂର୍ବଜ ହୈହୟବର୍ମା ଯେଉଁଥି ପାଇଁ ଭୟ କରୁଥିଲେ ଶେଷରେ ତାହାହିଁ ଘଟିଲା । ଅଜେୟବର୍ମା ଓ ତାଙ୍କ ବଂଶଜ ଭଲ ଶାସନ କଲେ ନାହିଁ । ଫଳରେ ସାମନ୍ତ ରାଜାମାନେ ବିଦ୍ରୋହ କଲେ ଓ ନିଜକୁ ସ୍ୱାଧିନ ବୋଲି ଘୋଷଣା କଲେ । ଅଧିକନ୍ତୁ କେତେକ ରାଜା କୌମୁଦି ରାଜ୍ୟର କିଛି ଅଂଶ ନିଜ ରାଜ୍ୟ ସହିତ ଏକାଠି କରିନେଲେ । କିନ୍ତୁ ଧନସମ୍ପତ୍ତି କେଉଁଠି ଲୁଚାହୋଇଛି ସେକଥା କେହି ବି ଜାଣି ନଥିଲେ । ଆମ ବଂଶର ଦୁଇ ତିନିଜଣ ରାଜା ଏସବୁ ସମ୍ପତ୍ତି ପାଇବାକୁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ କେହି ବି ଏଥିରେ ସଫଳ ହୋଇ ନାହାଁନ୍ତି । ସେମାନେ ଭାବୁଥିଲେ ଏହି ପଥର ତଳେ କିଛି ସୁଡଙ୍ଗ ଅଛି । ମାତ୍ର କେହି ମଧ୍ୟ ଏହି ପଥରକୁ ହଲାଇ ବି ପାରି ନଥିଲେ । ମୋ ବାପାଙ୍କର ତ କୌଣସି ପୁତ୍ର ସନ୍ତାନ ନାହିଁ । ମୁଁ ହିଁ ତାଙ୍କର ଏକମାତ୍ର ସନ୍ତାନ । ତେଣୁ ଏହି ତାଳପତ୍ର ମୋ ହାତରେ ପଡିଲା । ପଢିବା ପରେ ମୁଁ ଏଠାକୁ ଆସିଥିଲି । କେବଳ ଏହି ପଥର ଦ୍ୱାରା କିପରି ସମ୍ପତ୍ତି ସବୁ ମିଳିପାରିବ, ମୁଁ ସେ ବିଷୟରେ ଭାବି ଭାବି କିଛି ମଧ୍ୟ ଠିକ୍ କରି ପାରିଲି ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ