ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନୋଟି ପରୀକ୍ଷା

“ଆପଣଙ୍କ ସାହସ ଓ ଚିନ୍ତାର ଗଭୀରତା ଦେଖି ଆପଣଙ୍କ ଉପରେ ମୋର ଟିକେ ବିଶ୍ୱାସ ଆସିଲା । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣ ଏ କାର୍ଯ୍ୟ ଅନାୟାସରେ କରିଦେଇ ପାରିବେ । ସମ୍ପତ୍ତି କଥା ଭିନ୍ନ, କିନ୍ତୁ ମୁଁ ଚାହେଁ ଆପଣ ଯେପରି ସେହି ମନ୍ତ୍ରପୂତ ଶକ୍ତିଶାଳୀ ଖଡ୍ଗ ପାଇଯା’ନ୍ତୁ । ସେଥିପାଇଁ ଏସବୁକୁ ମୋ ବିବାହର ତୃତୀୟ ପରୀକ୍ଷା ଭାବରେ ମୁଁ ରଖିଲି । ଯେତେବେଳେ ମୁଁ ଗୁପ୍ତଚରଙ୍କ ଦ୍ୱାରା ଜାଣିଲି କି ଆପଣ ଏକଲା ଏହି ସ୍ଥାନକୁ ଆସୁଛନ୍ତି, ଆପଣଙ୍କୁ ଯେପରି ଅସୁବିଧା ବା ବିପଦ ନ ପଡେ ସେଥିପାଇଁ କେତେକ ବିଶ୍ୱସ୍ତ ସୈନ୍ୟଙ୍କ ସହ ମୁଁ ଛଦ୍ମବେଶରେ ଆପଣଙ୍କ ପଛେ ପଛେ ଆସିଲି । ଅନତି ଦୂରରେ ଆମର ସୈନ୍ୟମାନଙ୍କୁ ଛାଡି ମୁଁ ଏଠାକୁ ଏକା ଆସିଛି । ମୋ ମନରେ ଭୟ ହେଲା କି ମୋହରି ପାଇଁ ଆପଣ ଏସବୁ ଅଜଣା ବିପଦକୁ ସମ୍ମୁଖୀନ ହେଉଛନ୍ତି ।” ଏତିକି କହି ଜ୍ୟୋତ୍ସ୍ନା ଚୁପ୍ ରହିଲେ ।

ଏସବୁ ବୃତ୍ତାନ୍ତ ଶୁଣି କୃଷ୍ଣବର୍ମା ଅଳ୍ପ ହସି କହିଲେ, “ଦେଖନ୍ତୁ ରାଜକୁମାରୀ, ମନ୍ତ୍ରର ପ୍ରଭାବ ଥିଲେ ମଧ୍ୟ ତାହା ମୋର ଆଦୌ କିଛି ବି କ୍ଷତି କରିବ ନାହିଁ ବୋଲି ତାଳପତ୍ରରେ ହୈହୟବର୍ମା ସ୍ପଷ୍ଟ ଲେଖିଛନ୍ତି । ତେଣୁ ଭୟ କରିବାର କୌଣସି କାରଣ ନାହିଁ । ଆପଣ ଆଉ ଏ ବିଷୟରେ ମୋଟେ ଚିନ୍ତା କରନ୍ତୁ ନାହିଁ । ଆମେ ଦୁହେଁ ମିଳି ଏ କାର୍ଯ୍ୟ କରିବା । ଫଳ ଯାହା ହେଉ ନା କାହିଁକି ଆମେ ଆମର ବୁଦ୍ଧି, ବଳ ଓ ସାହସ ନେଇ ଚେଷ୍ଟା କରିବା । ଚାଲନ୍ତୁ ଏବେ ।” – ଏତିକି କହି କୃଷ୍ଣବର୍ମା ସାପ ଚିତ୍ରଥିବା ପଥର ପାଖକୁ ଯାଇ ତାକୁ ତନ୍ନ ତନ୍ନ କରି ଦେଖିଲେ । କିଛି ସମୟ ପରେ ହଠାତ୍ ସେ କହି ଉଠିଲେ, “ଏଠାରେ ଦେଖନ୍ତୁ” । ଜ୍ୟୋତ୍ସ୍ନା ଦେଖିଲେ ସାପଙ୍କର ଦୁଇଫଣାର ମଝିରେ ସ୍ପଷ୍ଟ ଏକ ଧଳା ପଥର ଚକତି ରହିଛି ।

ଜ୍ୟୋତ୍ସ୍ନା କହିଲେ “ହଁ, ଏହା ଭିତରେ ହୁଏତ କିଛି ରହସ୍ୟ ଥାଇପାରେ ।”

“ତେବେ ଚେଷ୍ଟା କରି ଦେଖାଯାଉ” – ଏତିକି କହି କୃଷ୍ଣବର୍ମା ଧନୁରେ ତୀର ଖଞ୍ଜି ସେହି ପଥର ଚକତିକୁ ଏକ ତୀର ମାରିଲେ । ପରକ୍ଷଣରେ ଦେଖାଗଲା ସାପଙ୍କର ଚିତ୍ର ଆଉ ସେଠାରେ ନାହିଁ, ପଥରଟି ଘୁଂଚି ଯାଇଛି । କିଛି ଭୟଙ୍କର ଶବ୍ଦ ହେଉଛି ଓ ପଥର ତଳେ ଏକ ବିରାଟ ସୁଡଙ୍ଗ ପଡିଛି ।

ଦୁହେଁ ଖୁସି ହୋଇ ସେ ସୁଡଙ୍ଗ ଭିତର ଦେଇ ଚାଲିଲେ । ସିଢି ପାହାଚରେ ଓହ୍ଲାଇ ଅବଶେଷରେ ସେମାନେ ଏକ ଖୋଲା ପ୍ରାନ୍ତରରେ ଯାଇ ପହଁଚିଲେ । ପ୍ରାନ୍ତରର ମଧ୍ୟ ଭାଗରେ ଏକ ସୁନ୍ଦର ସରୋବର । ସେଥିରେ ଅନେକ ସ୍ୱର୍ଣ୍ଣ କମଳ ଫୁଟିଛି । ସେମାନଙ୍କ ମଧ୍ୟରେ ଏକ ବିରାଟ ଶ୍ୱେତ କମଳ ଥିଲା । ସରୋବରର ଚାରିପଟରେ ପଥରର ଚଟାଣ ଥିଲା । ଏକ ପାଶ୍ୱର୍ରେ ଦୁଇଟି ଢଙ୍କା ଯାଇଥିବା ପାତ୍ର ମଧ୍ୟ ରଖା ହୋଇଥିଲା ।

ଜ୍ୟୋତ୍ସ୍ନା କହିଲେ, “ମନେହୁଏ ଏଠାରେ ମଧ୍ୟ କିଛି ଲୁଚାହୋଇ ରଖା ଯାଇଛି ।”

ଏକଥା ଶୁଣି କୃଷ୍ଣବର୍ମା କହିଲେ “ହଁ, ମୋତେ ବି ତ ଠିକ୍ ସେପରି ଲାଗୁଛି । ତେବେ ଅପୂର୍ବ ଜିନିଷ ଏପର୍ଯ୍ୟନ୍ତ ତ କାହିଁ କିଛି ମିଳିଲା ନାହିଁ!”

ତା’ପରେ କିଛି ସମୟ ଚିନ୍ତା କରି ସେ କହିଲେ, “ଆଚ୍ଛା, ଏହି ସ୍ୱର୍ଣ୍ଣକମଳ ସବୁ ହୁଏତ ଧନସମ୍ପତ୍ତି ହୋଇପାରେ ଆଉ ଏହି ଶ୍ୱେତପଦ୍ମ ହୁଏତ ଅଭିମନ୍ତ୍ରିତ ସେହି ଖଡ୍ଗ ବି ହୋଇପାରେ । ସେଠାରେ ପହଁଚିବାର ଉପାୟ ହୁଏତ ଏହି ପାତ୍ର ଦୁଇଟିରେ ଥାଇପାରେ ।”

ତା’ପରେ ସେ ପାତ୍ର ଦୁଇଟି ପାଖକୁ ଯାଇ ସେମାନଙ୍କ ଢାଙ୍କୁଣୀ ଖୋଲି ଦେଲେ । ଗୋଟିକରେ ସୁନ୍ଦର ଖାଦ୍ୟସବୁ ଥିଲା । ଆଉ ଅନ୍ୟଟିରେ କିଛି ଚାଉଳ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ