ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନୋଟି ପରୀକ୍ଷା

କୃଷ୍ଣବର୍ମା ବୃକ୍ଷଟି ପାଖକୁ ଲେଉଟି ଆସି ଦେଖିଲେ ସେଠାରେ ଦୁଇଟି ଚୁଲି ଦୁଇଟି କାଠ ଓ ଦୁଇଟି ବଡ ପାତ୍ର ରଖା ହୋଇଛି । ସେ ଜ୍ୟୋତ୍ସ୍ନାଙ୍କୁ ଚାହିଁ କହିଲେ, “ଦେଖନ୍ତୁ, ସମ୍ପତ୍ତି ଲାଭ କରିବା ପୂର୍ବରୁ ଏହା ଏକ ପରୀକ୍ଷା । ଏପରି ନୂତନ ସ୍ଥାନରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ଉଚିତ୍ ନୁହେଁ ।” ତା’ପରେ ସେ ଚାଉଳ ଥିବା ପାତ୍ରଟି ଧରି ସରୋବର ଆଡକୁ ଗଲେ । ଜ୍ୟୋତ୍ସ୍ନା ଚାଉଳ ଧୋଇ ଆଣିବାକୁ ଚାହିଁଲେ, କିନ୍ତୁ କୃଷ୍ଣବର୍ମା କହିଲେ, “ନାଁ, ଏହି କାମ ମୁଁ କରିବି, କାରଣ ମୋର କାହିଁ ମନେହୁଏ ସରୋବର ଭିତରେ ମଧ୍ୟ କିଛି ରହସ୍ୟ ରହିଛି । ଆପଣ ଏଇଠାରେ ଥା’ନ୍ତୁ ।” ଏତିକି କହି ସେ ଗୋଟିଏ ଖାଲି ପାତ୍ର ହାତରେ ନେଇ ସରୋବର ଆଡକୁ ଗଲେ । ସେହି ପାତ୍ର ବୁଡାଇ ସେଥିରେ ପାଣି ଆଣିଲେ ଓ ଚାଉଳ ଥିବା ପାତ୍ରରେ ତାକୁ ଢାଳିଲେ ଚାଉଳ ଧୋଇବା ପାଇଁ । ଦେଖୁ ଦେଖୁ ପାଣି ଚାଉଳକୁ ଛୁଇଁବା ମାତ୍ରେ ଗରମ ହୋଇଗଲା । ଏତେ ଗରମ ହେଲା ଯେ ପାତ୍ରଟି ସରୋବରରେ ତାଙ୍କ ହାତରୁ ଖସି ପଡିଗଲା । ପାତ୍ରଟି ସରୋବରରେ ପଡିବା ମାତ୍ରେ ମନ୍ତ୍ର ଦ୍ୱାରା ସୃଷ୍ଟ ସେହି ସରୋବରଟି ହଠାତ୍ କୁଆଡେ ଉଭାନ୍ ହୋଇଗଲା । ସେଠାରେ ଦେଖାଦେଲା ବିପୁଳ ଧନସମ୍ପତ୍ତି, ସୁନା, ହୀରା ଓ ନାନାଦି ରତ୍ନରାଶି । ଜ୍ୟୋତ୍ସ୍ନା ଓ କୃଷ୍ଣବର୍ମା ଏସବୁ ଦେଖି ବଡ ଖୁସି ହେଲେ ସତ କିନ୍ତୁ ପରକ୍ଷଣରେ ସେମାନେ ଖଡ୍ଗକୁ ନ ଦେଖି ଭାରି ଦୁଃଖିତ ହେଲେ ।

ଜ୍ୟୋତ୍ସ୍ନା କହିଲେ, “ଏବେ ଆଉ କିଛି ରହସ୍ୟ ହୋଇ ରହିଲା ନାହିଁ । ଯଦିଓ ଆମେ ସେ ଖଡ୍ଗକୁ ଦେଖି ପାରୁନାହୁଁ ତଥାପି ଏତିକି ଜାଣି ହେଉଛି ଯେ ଖଡ୍ଗଟିର ରହସ୍ୟ ସେହି ଶ୍ୱେତପଦ୍ମରେହିଁ ଅଛି । ମୋର ମନେ ହେଉଛି ତାହାହିଁ ଖଡ୍ଗ । କିନ୍ତୁ କିପରି ଆମେ ତାକୁ ପାଇବା? ଧନରାଶି ତ ମିଳିଗଲା । ଖଡ୍ଗ ନ ପାଇଲେ ଏତେ କଷ୍ଟ ଆମର ବ୍ୟର୍ଥ ହେବ ସିନା ।”

କୃଷ୍ଣବର୍ମା କହିଲେ, “ନିରାଶ ହୁଅନ୍ତୁ ନାହିଁ ରାଜକୁମାରୀ । ଧନରାଶି ଆମପାଇଁ କିଛି ଆକର୍ଷଣୀୟ ବସ୍ତୁ ନୁହେଁ । ତାହା ତ ସମସ୍ତ ରାଜପରିବାରରେ ଅଛି । ଯେଉଁ ଅଲୌକିକ ଖଡ୍ଗ ପାଇଁ ଆମେ ଏତେ କଷ୍ଟ କରି ଏତେ ଦୂର ଆସିଛେ ତାକୁ ନ ପାଇଲେ ଆମର ଏଠୁ ଫେରିବାର କୌଣସି ଅର୍ଥ ହୁଏ ନାହିଁ । ଯେତେବେଳେ ଆମେ ଏତେଦୂର ସଫଳ ହୋଇଛେ ଖଡ୍ଗଟିକୁ ହସ୍ତଗତ କରିବାରେ ମଧ୍ୟ ଆମେ ନିଶ୍ଚୟ ସଫଳ ହେବା । ଭଗବାନଙ୍କର ଆଶିର୍ବାଦ ଆମ ପଛରେ ଅଛି ।”

ଶ୍ୱେତପଦ୍ମ ପାଖକୁ ଯାଇ କୃଷ୍ଣବର୍ମା ତାକୁ ଜୋର୍ରେ ଟାଣିଲେ । ଚାହୁଁ ଚାହୁଁ ସେ ଶ୍ୱେତପଦ୍ମ ହଠାତ୍ କୁଆଡେ ଉଭେଇ ଗଲା ଓ ସେଠାରେ ଦେଖାଦେଲା ଏକ ଭୟାନକ ରାକ୍ଷସ । ସେ ହସି ହସି କହିଲା, “ରାଜକୁମାର, ଧନସମ୍ପତ୍ତି ତ ପାଇଲ, ପୁଣି ମୋତେ ଡାକିବାର କ’ଣ ଦରକାର ଥିଲା?”

ଏକଥା ଶୁଣି କୃଷ୍ଣବର୍ମା ଗମ୍ଭୀର ହୋଇ କହିଲେ, “ଧନସମ୍ପତ୍ତି ପ୍ରତି ମୋର କୌଣସି ଆକର୍ଷଣ ନାହିଁ । ମୁଁ ଆସିଛି ସେହି ଅପୂର୍ବ ଅଭିମନ୍ତ୍ରିତ ଖଡ୍ଗ ପାଇବାକୁ । ତାକୁ ନପାଇଲେ ମୁଁ ଆଉ ଏଠାରୁ ଯାଉନାହିଁ ।”

ଏକଥା ଶୁଣି ରାକ୍ଷସ ହସି ହସି କହିଲା, “ଖଡ୍ଗଟି ହସ୍ତଗତ କରିବା ଏତେ ସହଜ ନୁହେଁ । ଆଦେଶ ଅଛି ଯେ ଯିଏ ରାଜଧର୍ମ ଭଲ ଭାବରେ ଜାଣିଥିବ କେବଳ ତାକୁହିଁ ସେହି ଖଡ୍ଗଟି ମିଳିବ । ତମେ ଏତେ ଧନ ପାଇଲ । ଧନ ଦ୍ୱାରା ସବୁ କିଛି ତମେ ପାଇପାରିବ । ଖଡ୍ଗଟି ପାଇବାର ଆଶା ଛାଡିଦେଇ ଧନ ନେଇ ତୁମେ ଏଠାରୁ ଚାଲିଯାଅ ।”

କୃଷ୍ଣବର୍ମା ମଧ୍ୟ ଅଳ୍ପ ହସି କହିଲେ, “ତୁମ କଥାକୁ ମୁଁ ଖଣ୍ଡନ କରୁଛି । ମୋ କଥାବାର୍ତ୍ତା ଭଲ କରି ଶୁଣ, ଦେଖିବ ତା’ରି ମଧ୍ୟରେ ରାଜଧର୍ମ ରହିଛି । ମଣିଷ ପାଇଁ ଯେଉଁ ଖାଦ୍ୟଜଳ ଦରକାର ତାହା ଭଗବାନ୍ ଦେଇଛନ୍ତି । ସେସବୁ ତ ଆମ ଚାରିପାଖରେ ଅଛି । ଧନଦୌଲତ ଦ୍ୱାରା କାହାର ପେଟ ପୁରିବ ନାହିଁ । ତେଣୁ ପ୍ରକୃତି ଭିତରେ ଥିବା ସବୁକିଛିର ମୂଳଉତ୍ସକୁ ରକ୍ଷା କରିବା ରାଜାର ପ୍ରଥମ ଧର୍ମ – ଦ୍ୱିତୀୟରେ ଦୁର୍ବଳକୁ ବଳବାନ୍ର ଅତ୍ୟାଚାରରୁ ରକ୍ଷା କରିବା ଅବଶ୍ୟ ରାଜଧର୍ମ । ପ୍ରଜାମାନଙ୍କୁ ଦୁଷ୍ଟଶକ୍ତି କବଳରୁ ବଂଚାଇବା ମଧ୍ୟ ରାଜଧର୍ମ । ସେଥିପାଇଁ ରାଜା ଦଣ୍ଡର ଆଶ୍ରୟ ନିଏ । ତେଣୁ ନିଜର କର୍ତ୍ତବ୍ୟ ପାଳନ ପାଇଁ ରାଜାଙ୍କର ଖଡ୍ଗ ବା ତଲ୍ବାରର ଆବଶ୍ୟକତା ଥାଏ ।”

କୃଷ୍ଣବର୍ମାଙ୍କ କଥା ଶୁଣି ରାକ୍ଷସ ଆଦରର ସହିତ କଥାବାର୍ତ୍ତା କଲା ଓ ସମ୍ମାନର ସହିତ ତାଙ୍କୁ ପ୍ରଣାମ କରି କହିଲା, “ରାଜକୁମାର, ତୁମପରି ସର୍ବୋତ୍ତମ ଧାର୍ମିକ ବ୍ୟକ୍ତିଙ୍କ ପାଇଁହିଁ ମୁଁ ଅପେକ୍ଷା କରିଥିଲି । ଏହି ଦେଖ ସେହି ଅଭିମନ୍ତ୍ରିତ, ରତ୍ନଖଚିତ ବହୁମୂଲ୍ୟର ଅପୂର୍ବ ଖଡ୍ଗ । ଆଜିଠାରୁ ଏଇଟି ତୁମର ।” ଏତିକି କହି ସେ ଖଡ୍ଗଟି ତାଙ୍କ ହାତରେ ଦେଲା ଓ କହିଲା, “ଯାହା ପାଖରେ ଏହି ଖଡ୍ଗଟି ରହିବ ଜୀବନରେ ତା’ର କଦାପି ମଧ୍ୟ ପରାଜୟ ହେବନାହିଁ । ଏସବୁ ଧନସମ୍ପତ୍ତି ଓ ଖଡ୍ଗ ନେଇ ତୁମେ ଯାଅ ଓ ତୁମର ପ୍ରଜାଗଣଙ୍କର ଆନନ୍ଦ ବିଧାନ କର ରାଜକୁମାର ।” ଏତିକି କହି ସେ ଅଦୃଶ୍ୟ ହୋଇଗଲା ।

କୃଷ୍ଣବର୍ମା ଖଡ୍ଗଟି ଜ୍ୟୋତ୍ସ୍ନାଙ୍କ ହାତରେ ଦେଇ କହିଲେ, “ଏବେ ଆପଣଙ୍କର ତୃତୀୟ ପରୀକ୍ଷା ସମାପ୍ତ । ତା’ପରେ କ’ଣ?” ଜ୍ୟୋତ୍ସ୍ନା ଖଡ୍ଗଟି ଗ୍ରହଣ ନ କରି କହିଲେ, “ଦେଖନ୍ତୁ, ପରୀକ୍ଷାରେ ବିଜୟ ଲାଭ କରିବା ପରେ ଯାହା ଯାହା ଆପଣ ଲାଭ କରିଛନ୍ତି ସେସବୁ ଉପରେ ତ ଏବେ କେବଳ ଆପଣଙ୍କରହିଁ ଅଧିକାର । ଏଥିରେ ମୋର କୌଣସି ଅଧିକାର ନାହିଁ ।”

ଏହା ଶୁଣି କୃଷ୍ଣବର୍ମା ହସିଲେ । ଦୁହେଁ ସବୁ ଜିନିଷ ଧରି ରାଜଧାନୀ ଫେରି ଆସିଲେ । ରାଜା ଝିଅଠାରୁ ସବୁକଥା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ । ପରେ ସେ ଏକ ଶୁଭଦିନ ଠିକ୍ କରି ମହା ସମାରୋହରେ ସେ ଦୁହିଁଙ୍କର ବିବାହ ଉତ୍ସବ କରାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ