ତା’ପରେ ରାଜା କହିଲେ, “ପୁଣି ଆହୁରି ଗୋଟିଏ ଗଣ୍ଡଗୋଳ ଅଛି । ତୋ ମା’ ତାଙ୍କ ଭାଇର ପୁଅ ମାଣିକବର୍ମାଙ୍କୁ ତୋ ସହିତ ବିବାହ ଦେବାକୁ ଚାହୁଁଛନ୍ତି । କାରଣ ଆମର ତ ପୁଅ ନାହିଁ । ବାହାର ପରିବାରରୁ କାହାକୁ ଉତ୍ତରାଧିକାରୀ ନ ବାଛି ଆମରି ପରିବାର ମଧ୍ୟରେ ହେଲେ ଭଲ । ତେବେ ଏପରି ପରିସ୍ଥିତିରେ ଯେପରି ଯୁଦ୍ଧ ନହୋଇ ଶାନ୍ତ ଭାବରେ ସବୁ କିଛି ହୋଇଯିବ ସେ ଦାୟିତ୍ୱ ମୁଁ ତୋ ଉପରେ ଛାଡି ଦେଉଛି । ଏବେ ତୋର ଯାହା ଇଚ୍ଛା ତୁ ସେଇଆ କରିବୁ ।”
ସାରା ବୃତାନ୍ତ ଶୁଣିବା ପରେ ଜ୍ୟୋସ୍ନା କହିଲେ, “ବାବା, ମୁଁ ଏସବୁ କଥା ତ ଜାଣିଛି । ଏହାର ସମାଧାନ ପାଇଁ ମୁଁ ବହୁତ ପ୍ରକାର ଚିନ୍ତା ବି କରିଛି । ଯେଉଁ ଯୁବକ ମୋତେ ବିବାହ କରିବାକୁ ଚାହିଁବ ମୁଁ ତାଙ୍କ ପାଇଁ ତିନିଟି ପ୍ରଶ୍ନ ରଖିବି । ସେ ପରୀକ୍ଷାରେ ଯିଏ ବି ଉତୀର୍ଣ୍ଣ ହେବ କେବଳ ସେ ହିଁ ମୋ ସହିତ ବିବାହ କରିବ । ଆପଣ ଏହି ଖବର ସମସ୍ତ ରାଜକୁମାରଙ୍କ ପାଖକୁ ପଠାଇ ଦିଅନ୍ତୁ!”
ଏକଥା ଶୁଣି ସେ ରାଜା କୌତୁହଳବଶତଃ ପଚାରିଲେ, “ତିନୋଟି ପ୍ରଶ୍ନର ପରୀକ୍ଷା? ସେ ସବୁ ପ୍ରଶ୍ନ କ’ଣ?”
ତହୁଁ ଜ୍ୟୋତ୍ସା ଅଳ୍ପ ହସି କହିଲେ, “ଆପଣ ଠିକ୍ ସମୟରେ ସେସବୁ ଜାଣିବେ । ମାତ୍ର ଏବେ ନୁହେଁ ।”
ଏହା ପରେ ଜ୍ୟୋସ୍ନାଙ୍କ କହିବା ଅନୁସାରେ ସବୁ ଦେଶକୁ ଏ ଖବର ଦେଇ ଦୂତ ପଠାଗଲା । କେକୟର ରାଜକୁମାର ସିଂହବର୍ମା ତଥା ଗାନ୍ଧାରର ରାଜକୁମାର କୃଷ୍ଣବର୍ମା ମଧ୍ୟ ଏ ଘୋଷଣା ଶୁଣିଲେ । ଦୁହେଁ ହତାଶ ହେଲେ । କାରଣ ବର୍ତ୍ତମାନ ନିଜ ବାହୁବଳ ଦ୍ୱାରା କନ୍ୟା ଜିତି ଆଣିବା କଥା କହିଲେ ସମସ୍ତେ ହସିବେ । ଯାହାର ବୁଦ୍ଧି ନାହିଁ, ସେ କେବଳ ନିଜ ଶାରୀରିକ ବଳ ଉପରେ ହିଁ ନିର୍ଭର କରେ, ଏକଥା କିଏ ବା ନ ଜାଣେ? ଏଣେ ପରୀକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଗଲା । ଅନେକ ରାଜକୁମାର ଆସିଲେ ଓ ଅସଫଳ ହୋଇ ଫେରିଗଲେ । ତା’ପରେ ମାଣିକବର୍ମା, ସିଂହବର୍ମା ଓ କୃଷ୍ଣବର୍ମା ଦୁଇ ଦୁଇଦିନ ଅନ୍ତରରେ ଆସି ପହଁଚିଲେ । ଜ୍ୟୋତ୍ସ୍ନା ନିଜର ଗୁପ୍ତଚରଙ୍କ ଦ୍ୱାରା ସମସ୍ତ ଖବର ରଖିଥା’ନ୍ତି । ସେ ଖବର ପାଇଲେ ଯେ ମାଣିକବର୍ମା ଓ ସିଂହବର୍ମାଙ୍କ ମଧ୍ୟରେ ମିତ୍ରତା ସ୍ଥାପିତ ହୋଇଛି । ତା’ପରେ ମାଣିକବର୍ମା ଓ ସିଂହବର୍ମା ଦୁହେଁ ପରୀକ୍ଷାରେ ଅସଫଳ ହେଲେ । ଏକଥା ଜାଣିବା ପରେ ଜ୍ୟୋତ୍ସ୍ନା ନିଜର ପିତାଙ୍କୁ କୃଷ୍ଣବର୍ମାଙ୍କ ନିବାସ ସ୍ଥାନ ଉପରେ କଡା ନଜର ରଖିବାକୁ ଓ ତାଙ୍କୁ ଯଥା ସମ୍ଭବ ସୁରକ୍ଷିତ ରଖିବାକୁ କହିଲେ ।
ପରଦିନ କୃଷ୍ଣବର୍ମା ଯାଇ ପରୀକ୍ଷାଗୃହରେ ପହଁଚିଲେ । ଜ୍ୟୋତ୍ସ୍ନାଙ୍କ ସଖୀମାନେ ତାଙ୍କୁ ସାଦର ସ୍ୱାଗତ କଲେ ଓ ତାଙ୍କୁ ଏକ କକ୍ଷକୁ ନେଇଗଲେ । ସେ କକ୍ଷର କାନ୍ଥରେ ନାନା ପ୍ରକାର ସୁନ୍ଦର ଚିତ୍ରସବୁ ଟଙ୍ଗା ହୋଇଥାଏ । ତା’ମଧ୍ୟରେ ଅପୂର୍ବ ସୁନ୍ଦରୀ ରାଜକୁମାରୀଙ୍କର ଚିତ୍ରପଟ ମଧ୍ୟ ଥାଏ ।
ସମସ୍ତ ଚିତ୍ର କୃଷ୍ଣବର୍ମା ଦେଖିବା ପରେ ସଖୀମାନେ ତାଙ୍କୁ ପଚାରିଲେ, “ଏବେ ଆପଣ କୁହନ୍ତୁ ତ ଏଇସବୁ ଚିତ୍ରମଧ୍ୟରୁ ସୌନ୍ଦର୍ଯ୍ୟ ତଥା ଚିତ୍ରକାରର ପ୍ରତିଭାର ଶ୍ରେଷ୍ଠ ନମୁନା କେଉଁଟି?”