ରାଜା ବିଜୟଦେବ ଅନୁପମ ନାମକ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେ ଜଣେ ଜ୍ଞାନୀ ଗୁଣୀ ରାଜା ଥିଲେ । ତାଙ୍କ ଦରବାରରେ ସେ ନାନା ଦେଶରୁ ବୁଦ୍ଧିମାନ ଓ ଜ୍ଞାନୀ ପଣ୍ଡିତମାନଙ୍କୁ ଡକାଉଥିଲେ । କାହିଁକିନା ତାଙ୍କ ଦରବାରରେ ଜ୍ଞାନର ବିଶେଷ ଆଦର ଥିଲା । ତେଣୁ ସେ ପଣ୍ଡିତମାନଙ୍କୁ ଡକାଇ ସେମାନଙ୍କ ଭିତରେ ପ୍ରଶ୍ନୋତ୍ତର ଓ ଆଳାପ ଆଲୋଚନା କରାଉଥିଲେ । ତଦ୍ୱାରା ପାରିଷଦ୍ବର୍ଗ ମଧ୍ୟ ବହୁ ଜ୍ଞାନ ଅର୍ଜ୍ଜନ କରୁଥିଲେ । ସଭା ଶେଷରେ ସେମାନଙ୍କୁ ଯଥେଷ୍ଟ ଧନ ଦୌଲତ ଦେଉଥିଲେ । ଏସବୁରେ ତାଙ୍କର ବିଶେଷ ଆନନ୍ଦ ଥିଲା ।
ସେ ରାଜାଙ୍କର ଦୁଇ ରାଣୀ ଥିଲେ । ସେମାନେ ହେଲେ ବାସନ୍ତୀ ଦେବୀ ଓ ରାଗିଣୀ ଦେବୀ । ସେ ଦୁହେଁଯାକ ବୁଦ୍ଧିମତୀ ଥିଲେ । ଦୁହେଁ ପରସ୍ପର ଦୁଇ ଭଉଣୀ ଭଳି ଚଳୁଥିଲେ ।
ବଡ ରାଣୀ ବାସନ୍ତୀ ଦେବୀ ଅଧ୍ୟୟନ ଓ ଜ୍ଞାନ ଚର୍ଚ୍ଚାରେ ସମୟ ଦେଉଥିଲେ । ମାତ୍ର ସାନରାଣୀ ରାଗିଣୀ ଦେବୀଙ୍କୁ ଯୁକ୍ତିତର୍କ ଭାରି ଭଲ ଲାଗୁଥାଏ ।
ଦିନେ ରାଜା ରାଗିଣୀ ଦେବୀଙ୍କ ପ୍ରକୋଷ୍ଠରେ ବସିଥାନ୍ତି, ରାଗିଣୀ ଦେବୀ କହିଲେ, “ଆପଣଙ୍କ ରାଜସଭାରେ ଜଣେ ଜଣେ ପଣ୍ଡିତ ଅନ୍ୟ ପଣ୍ଡିତମାନଙ୍କୁ ପ୍ରଶ୍ନ କରନ୍ତି ଓ ସେମାନେ ବି ଉତ୍ତର ଦେବାକୁ ଚେଷ୍ଟା କରନ୍ତି । ଆପଣ ବି ସେମାନଙ୍କୁ ପ୍ରଶ୍ନ କରନ୍ତି । କିନ୍ତୁ ଆପଣଙ୍କୁ କେବେ କେହି ପ୍ରଶ୍ନ କରନ୍ତି କି?”
ତାଙ୍କ କଥା ଶୁଣି ରାଜା ହସି ହସି କହିଲେ, “ରାଣୀ ନହେଲେ ମୋତେ ପୁଣି ପ୍ରଶ୍ନ କରିବାକୁ କାହାର ବା ଏତେ ସାହସ ହେବ?”
ତା’ପରେ ରାଣୀ ରାଗିଣୀ ଦେବୀ କହିଲେ, “ଭଲ କଥା । ତେବେ ମୁଁ ଆପଣଙ୍କୁ ତିନୋଟି ପ୍ରଶ୍ନ କରିବି । ଏଥିରେ ଆପଣଙ୍କ ଅନୁମତି ଅଛି ତ?
ରାଜା କୌତୁହଳୀ ହୋଇ କହିଲେ “ନିଶ୍ଚୟ!”
ରାଣୀ ତାଙ୍କ ପ୍ରଶ୍ନ ଉପସ୍ଥାପନା କଲେ “ପ୍ରଥମ ପ୍ରଶ୍ନ ହେଲା, ଜଣେ ଜ୍ଞାନୀ ଗୁଣୀ ପୁରୁଷ ମଧ୍ୟ କେଉଁ ତଥ୍ୟକୁ କେତେବେଳେ ଅସ୍ୱୀକାର କରେ?”
ରାଜା ଚୁପ୍ ରହି ଭାବିଲେ । ତା’ପରେ ସେ କହିଲେ, “ଆଚ୍ଛା, ଦ୍ୱିତୀୟ ପ୍ରଶ୍ନ କ’ଣ?”
“ଜଣେ ସମ୍ଭ୍ରାନ୍ତ ନାରୀ କେତେବେଳେ ସବୁଠାରୁ ଅପମାନିତ ବୋଧ କରେ?”
ରାଜା ପୁଣି କିଛି ସମୟ ଭାବି ପୁଣି ପଚାରିଲେ, “ଆଚ୍ଛା, ତୃତୀୟ ପ୍ରଶ୍ନ କ’ଣ?”
“ଜଣେ ମହତ୍ ନାରୀ କେଉଁଥିରେ ସବୁଠାରୁ ବେଶି ଦୁଃଖ ପାଏ?”
ରାଜା ଟିକିଏ ଇତସ୍ତତ କରି କହିଲେ, “ବେଶ୍, ବେଶ୍ । ତାହେଲେ ମୁଁ ଏସବୁର ଉତ୍ତର ଠିକ୍ ଦେଇଦେବି । ତେବେ ବର୍ତ୍ତମାନ ଅନ୍ୟ କେତେକ ସମସ୍ୟା ଯୋଗୁଁ ମୋ ମୁଣ୍ଡରେ ତମ ପ୍ରଶ୍ନ ସବୁ ଠିକ୍ କାମ କରୁନାହିଁ । ଯଥାର୍ଥ ଉତ୍ତର ଦେବାକୁ ହେଲେ ମୋତେ ଟିକିଏ ଚିନ୍ତା କରିବାକୁ ହେବ । ସେଥିପାଇଁ ଅବଶ୍ୟ ସମୟ ଲାଗିବ – କିଛି ସମୟ ପରେ ସୁବିଧା ଦେଖି ମୁଁ ଏସବୁ ବିଷୟ ଚିନ୍ତାକରି ତୁମକୁ କହିବି । ଏସବୁର ଉତ୍ତର ତ ଆଉ ଏତେ ସହଜ ନୁହେଁ ତେଣୁ ମୁଁ ପରେ କହିବି ।”