ପ୍ରାଚୀନ କାଳର କଥା । ଚୀନ୍ ଦେଶରେ ଚ୍ୟାଙ୍ଗ ନାମରେ ଜଣେ ମହାବୀର ଥିଲେ । ଦୁଷ୍ଟ ଓ ଅତ୍ୟାଚାରୀମାନଙ୍କୁ ଦମନ କରିବାରେ ଓ ସାଧୁ ଲୋକଙ୍କୁ ସହାୟତା କରିବାରେ ସେ ନିଜର ବଳ ଉପଯୋଗ କରୁଥା’ନ୍ତି ।
ଥରେ ସେ ବୀର ଯୋଦ୍ଧା ଚ୍ୟାଙ୍ଗ ରାଜଧାନୀ ଅଭିମୁଖେ କୌଣସି ଏକ କାରଣରୁ ଯାଉଥା’ନ୍ତି । ମାତ୍ର ସଂଧ୍ୟ୍ୟା ହେବା ବେଳକୁ ସେ ବାଟ ଭୁଲି ଅନ୍ୟ ରାସ୍ତାରେ ଯାଉଥା’ନ୍ତି । ଦୂରରେ ଗୋଟିଏ ଗୃହ ଓ ତନ୍ମଧ୍ୟରୁ ଆସୁଥିବା ଆଲୋକ ରେଖା ଦେଖାଗଲା । ତେଣୁ ସେହି ଦିଗରେ ସେ ଘୋଡା ଛୁଟାଇ ଦେଲେ । ଅନ୍ତତଃ ରାତିକ ତ ଆଶ୍ରୟ ମିଳିଯିବ । ସେ ଘୋଡାରୁ ଓହ୍ଲାଇ ଦେଖିଲେ ଯେ ଘର ଭିତରେ ଦୀପ ଆଲୁଅରେ ବୁଢୀଟିଏ ବସି ସୁତା କାଟୁଛି । ସେ ମଧ୍ୟ ଘୋଡା ଟାପୁର ଶବ୍ଦ ଶୁଣି ବାହାରକୁ ଆସିଲା ଓ ପଚାରିଲା, “ତମେ କିଏ? କୁଆଡେ ଆସିଛ?”
ବୁଢୀ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଚ୍ୟାଙ୍ଗ କହିଲେ “ମା, ମୁଁ ରାସ୍ତା ଭୁଲି ଏଠାକୁ ଆସିଛି । ମୋତେ ଯଦି ରାତିଟିଏ ଆଶ୍ରୟ ଦିଅନ୍ତ ତେବେ ତୁମର ବହୁତ ଉପକାର ହୁଅନ୍ତା ।”
ତାଙ୍କ କଥା ଶୁଣି ଗୃହକର୍ତ୍ତା କହିଲେ “ପୁଅ ଏ ଘରେ କାହାକୁ ଆଶ୍ରୟ ଦେବା ବା ନ ଦେବା ମୋ ହାତର କଥା ନୁହେଁ ।”
ଏପରି କଥା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଚ୍ୟାଙ୍ଗ ପଚାରିଲେ “ଏ ଘରେ କ’ଣ ତମେ ଏକା ରହୁଛ?”
ଏହା ଶୁଣି ସେ ବୁଢୀ ଅତମତ ହୋଇ କହିଲା “ପୁଅ, ବହୁ ଦିନରୁ ମୋର ସ୍ୱାମୀ ମରି ଯାଇଛନ୍ତି । ମୋର ଗୋଟିଏ ବୋଲି ପୁଅ ବ୍ୟବସାୟ କରି ଦୂରରେ ରହେ ।”
ଚ୍ୟାଙ୍ଗ ପଚାରିଲେ “ତୁମ ବୋହୁ କାହିଁ?”
ବୋହୁ ନାମ ଶୁଣିହିଁ ବୁଢୀର ଦେହ କମ୍ପି ଉଠିଲା, ବୁଢୀ କହିଲା “ପୁଅ, ତମେ ଏ ପ୍ରଶ୍ନ କାହିଁକି ପଚାରିଲ? ମୋ ବୋହୁ ତ ଭୁଲରେ ବୋଧହୁଏ ଝିଅଜନ୍ମ ପାଇଛି । ସେ ତ ଜଣେ ପେହଲବାନ୍ । ବଡ ବଡ ବୀରପୁରୁଷ ମଧ୍ୟ ତା’ ଆଗରେ ମଥା ନତ କରି ଚାଲିଯା’ନ୍ତି । ସେ ଇଚ୍ଛା କଲେ ମୋତେ ତା’ର କନିଷ୍ଠ ଆଙ୍ଗୁଳି ଦ୍ୱାରା ଏକ ମୁହୂର୍ତ୍ତରେ ମାରି ଦେଇ ପାରିବ । ବିଲେଇର ପଞ୍ଝା ତଳେ ମୂଷା ରହିଲା ପରି ମୁଁ ତା’ ପାଖରେ ଥାଏ । ଟିକିଏ ଭୁଲ୍ ହୋଇଗଲେ ସେ ମୋତେ ଗାଳିଗୁଲଜ କରେ ଓ ପିଟେ । ସେଥିପାଇଁ କହୁଛି, ପୁଅ! ତୁମକୁ ଆଶ୍ରୟ ଦେବାର ଅଧିକାର ଏ ଘରେ ମୋର ନାହିଁ ।”