ବୁଢୀର ସମସ୍ତ ଦୁଃଖ କାହାଣୀ ଶୁଣି ଚ୍ୟାଙ୍ଗଙ୍କର ବୁଢୀର ବୋହୁ ଉପରେ ଭାରି ରାଗ ଆସିଲା । ସେ କହିଲେ, “ମା’, ତୁମ ବୋହୁ କାହିଁ, ଯିଏ କି ବୁଢୀ ଶାଶୁ ଉପରେ ଏତେ ଅତ୍ୟାଚାର କରୁଛି? ଏ ସମସ୍ୟାର ସମାଧାନ ମୁଁ ଆଜିହିଁ କରିବି ।”
ତା’ପରେ ଚ୍ୟାଙ୍ଗ ତାଙ୍କ ଘୋଡାକୁ ଗଛରେ ବାନ୍ଧିଦେଇ ଦୁଆରବନ୍ଧ ଆଗରେ ବସିଲେ ।
ବୁଢୀ କହିଲା “ପୁଅ, ତୁମେ ଏ ଗୋଳମାଳରେ ଆଦୌ ମୁଣ୍ଡ ପୁରାଅ ନାହିଁ । ପ୍ରତିଦିନ ଜଙ୍ଗଲକୁ ଯାଇ ନିଜ ହାତରେ ବାଡିଖଣ୍ଡକର ବି ସାହାଯ୍ୟ ନ ନେଇ ଜନ୍ତୁ ଜାନୁଆର ସବୁ ସେ ମାରି ଧରି ଚାଲି ଆସୁଛି । ସେଇଆକୁ ବିକି ଆମେ ଏଠାରେ ଚଳୁ । ପୁଅ ବହୁତ ଦିନ ଅନ୍ତରରେ ଥରେ ଥରେ ଆସି କିଛି ପଇସାପତ୍ର ଦେଇ ପୁଣି ଚାଲିଯାଏ । ଯେତେ ଯାହା ହେଲେ ବି ମୋତେ ତ ପୁଣି ତା’ରି ପାଖରେ ହିଁ ଚଳିବାକୁ ହେବ, ସେଥିପାଇଁ ମୁଁ ତାକୁ କିଛି ବି ନ କହି ସବୁ ସହିଯାଏ ।”
ବୁଢୀ ମୁହଁରୁ ସବୁକଥା ଶୁଣି, ଚ୍ୟାଙ୍ଗ କହିଲେ, “ମା’, ମୁଁ ଏପର୍ଯ୍ୟନ୍ତ ସର୍ବଦା ଦୁର୍ବଳକୁ ହିଁ ରକ୍ଷାକରି ଆସିଛି । ଏଠାରେ ମଧ୍ୟ ମୁଁ ତାକୁ ଠିକ୍ ଶିକ୍ଷା ଦେବି ।”
କିଛି ସମୟ ପରେ ସେଠାରେ ବୋହୁ ଆସି ପହଁଚିଲା । ପିଠିରେ ଗୋଟାଏ ମୃତ ବାଘ ବୋହି ଆଣି ତଳେ କଚାଡି ଦେଇ ସେ କହିଲା, “ଦୀପଟା ଟିକିଏ ବାହାରକୁ ଆଣିବ ତ!”
ବୋହୁ କଥା ଶୁଣି ବୁଢୀ ବିକଳରେ ଦୌଡି ଦୌଡି ଦୀପ ଆଣି ଠିଆ ହୋଇଗଲା । ଚ୍ୟାଙ୍ଗଙ୍କର କ୍ରୋଧ ମଧ୍ୟ ମୃତ ବାଘକୁ ଦେଖି ଟିକିଏ ଥଣ୍ଡା ପଡିଗଲା ।
ବୋହୁ ଚ୍ୟାଙ୍ଗଙ୍କୁ ନ ଦେଖି ସେ ପଚାରିଲା “ଏ ଘୋଡା କୁଆଡୁ ଆସିଲା?”
ଚ୍ୟାଙ୍ଗ ସମ୍ମୁଖକୁ ଆସି କହିଲେ, “ଏ ଘୋଡା ମୋର । ମୁଁ ରାଜଧାନୀ ଦିଗରେ ଯାଉ ଯାଉ ରାସ୍ତା ଭୁଲି ଏଠାରେ ପହଁଚିଛି । ରାତି ହୋଇଗଲା । ଏଣୁ ଆଲୁଅ ଦେଖି ଆଶ୍ରୟ ପାଇଁ ମୁଁ ଏଠାକୁ ଆସିଲି ।”
ବୋହୁ ଏକଥା ଶୁଣି ଶାଶୁଙ୍କୁ ଅନାଇ କହିଲା, “ଆରେ, ଅତିଥି ଜଣେ ଘରକୁ ଆସିଛନ୍ତି, ତମେ ତାଙ୍କୁ ବାହାରେ ଠିଆ କରି ରଖାଇଛ?” ପୁଣି ଚ୍ୟାଙ୍ଗଙ୍କୁ ସେ କହିଲା, “ଭାଇ ଏ ବୁଢୀର ଦୋଷ କ୍ଷମା କରନ୍ତୁ । ମୁଁ ଏଇ ବାଘ ସହିତ ଲଢି ତାକୁ ମାରିବାକୁ ଟିକିଏ ସମୟ ଲାଗିଲା, ତେଣୁ ଫେରୁ ଫେରୁ ଡେରି ହେଲା । ଏପର୍ଯ୍ୟନ୍ତ ଯେ ଆପଣଙ୍କର କୌଣସି ଆଦର ସତ୍କାର ହୋଇ ପାରିନାହିଁ ସେଥିପାଇଁ ମୁଁ ବଡ ଦୁଃଖିତ ।”
ତା’ପରେ ଚ୍ୟାଙ୍ଗ କହିଲା “ଆପଣ ଏପରି କୁହନ୍ତୁ ନାହିଁ । ମୋତେ ଆଶ୍ରୟ ଦେଉଛନ୍ତି ସେଇ ଯଥେଷ୍ଟ ।” ଏହାପରେ ସେ ମନେ ମନେ ଭାବିଲା ଯେ ବୋହୁର ତ ବେଶ୍ ଶିଷ୍ଟାଚାର ଜ୍ଞାନ ଅଛି ।
କିଛି ସମୟ ପରେ ବୋହୁ ବାଘ ମାଂସର ତରକାରୀ ଓ ଅନ୍ୟାନ୍ୟ କିଛି ଖାଦ୍ୟ ଆଣି ଚ୍ୟାଙ୍ଗଙ୍କୁ ଦେଲା । ଖାଦ୍ୟ ଦେଖି ଚ୍ୟାଙ୍ଗ ବ୍ୟସ୍ତ । ତେବେ ଭଦ୍ରତା ରକ୍ଷା କରି ସେ କିଛି ଖାଇଲେ । ତା’ପରେ ସେ ବୋହୁ ବିନମ୍ର ସ୍ୱରରେ କହିଲା, “ଆମେ ତ ଗରୀବ ଲୋକ । ଆମ ଖାଦ୍ୟ ଆପଣଙ୍କୁ ଭଲ ନ ଲାଗିପାରେ । ତେଣୁ କିଛି ବି ଭାବିବେ ନାହିଁ ।”
ଚ୍ୟାଙ୍ଗ କହିଲେ “ଆପଣ ଏ କ’ଣ କହୁଛନ୍ତି? ଖାଦ୍ୟ ତ ବେଶ୍ ବଢିଆ ଥିଲା ।”
କିଛି ସମୟ ଚୁପ୍ ରହିବା ପରେ ଚ୍ୟାଙ୍ଗ କହିଲେ, “ଭଉଣୀ, ତମେ ଏତେ ଶକ୍ତିଶାଳୀ ଓ ବୁଦ୍ଧିମତୀ ହୋଇ ମଧ୍ୟ ଗୁରୁଜନମାନଙ୍କର ଅବମାନନା କିପରି କରୁଛ? ଏହାର କାରଣ କ’ଣ?
ଏଭଳି ପ୍ରଶ୍ନ ଶୁଣିହିଁ ବୋହୁ ରାଗିଯାଇ କହିଲା, “କ’ଣ ହେଲା? ଏ ବୁଢୀ ମୋ ବିରୁଦ୍ଧରେ ତୁମକୁ ତାହେଲେ କିଛି କହିଛି ।”